କ୍ୟାବିନେଟ ସଚିବାଳୟ

ବଙ୍ଗୋପସାଗରରେ ସମ୍ଭାବ୍ୟ ଘୂର୍ଣ୍ଣିଝଡ ପ୍ରସ୍ତୁତିର ସମୀକ୍ଷା ପାଇଁ ଜାତୀୟ ସଙ୍କଟ ପରିଚାଳନା କମିଟି (ଏନସିଏମସି)ର ବୈଠକ ଅନୁଷ୍ଠିତ

Posted On: 06 DEC 2022 6:41PM by PIB Bhubaneshwar

କ୍ୟାବିନେଟ ସଚିବ ଶ୍ରୀ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଜାତୀୟ ସଙ୍କଟ ପରିଚାଳନା କମିଟି (ଏନସିଏମସି) ବୈଠକରେ ବଙ୍ଗୋପସାଗରରେ ସମ୍ଭାବ୍ୟ ଘୂର୍ଣ୍ଣିଝଡ ପାଇଁ କେନ୍ଦ୍ରୀୟ ମନ୍ତ୍ରଣାଳୟ / ଏଜେନ୍ସି ଏବଂ ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳଗୁଡିକ ଚଳାଇଥିବା ପ୍ରସ୍ତୁତିର ସମୀକ୍ଷା କରାଯାଇଛି ।

ଭାରତୀୟ ପାଣିପାଗ କେନ୍ଦ୍ର (ଆଇଏମଡି)ର ମହାନିର୍ଦ୍ଦେଶକ ବଙ୍ଗୋପସାଗରରେ ତାଜା ଘୂର୍ଣ୍ଣିଝଡର ସ୍ଥିତି ସମ୍ପର୍କରେ କମିଟିକୁ ସୂଚନା ଦେଇଛନ୍ତି, ଯାହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଯାଇ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆଜି ସଂଧ୍ୟାରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ପରେ, ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବ, ଡିସେମ୍ବର ୭ତାରିଖ ସନ୍ଧ୍ୟାରେ ଏକ ଘୂର୍ଣ୍ଣିବଳୟରେ ପରିଣତ ହେବ ଏବଂ ଆହୁରି ତୀବ୍ର ହେବା ସହିତ ଏହା ଉତ୍ତର ତାମିଲନାଡୁ-ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳବର୍ତ୍ତୀ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଡିସେମ୍ବର ୮ତାରିଖ ସକାଳ ସୁଦ୍ଧା ପହଞ୍ଚିବାର ସମ୍ଭାବନା ରହିଛି । ଏହା ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗ ସହିତ ଉତ୍ତର ତାମିଲନାଡୁ-ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଆଡକୁ ଗତି କରିବ । 

ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁର ମୁଖ୍ୟ ଶାସନ ସଚିବ ଏବଂ ପୁଡୁଚେରୀର ବରିଷ୍ଠ ଅଧିକାରୀମାନେ ଘୂର୍ଣ୍ଣିଝଡର ସମ୍ଭାବ୍ୟ ଇଲାକାରେ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଯେପରିକି ସମୁଦ୍ର ଭିତରକୁ ନଯିବା ଏବଂ ଯେଉଁମାନେ ସମୁଦ୍ରକୁ ଯାଇଛନ୍ତି ସେମାନଙ୍କୁ ସୁରକ୍ଷିତ ଭାବେ କୂଳକୁ ଫେରାଇ ଆଣିବା ଏବଂ ଜରୁରୀକାଳୀନ ସେବାକୁ ପ୍ରସ୍ତୁତ ରଖାଯିବା ବିଷୟରେ କମିଟିକୁ ସୂଚନା ଦେଇଛନ୍ତି । 

ଏନଡିଆରଏଫ୍‍ ତାମିଲନାଡୁରେ ୫ ଟି ଟିମ୍ ଏବଂ ପୁଡୁଚେରୀ ପାଇଁ ୩ ଟି ଟିମ୍ ଉପଲବ୍ଧ କରାଇଛି ଏବଂ ଆନ୍ଧ୍ରପ୍ରଦେଶକୁ ରାଜ୍ୟ ସରକାର ଚାହିଁବା ମାତ୍ରେ ପଠାଇବା ପାଇଁ ଟିମ୍‍କୁ ପ୍ରସ୍ତୁତ ରଖାଯାଇଛି । ଜାହାଜ ଏବଂ ବିମାନ ସହିତ ସେନା ଏବଂ ନୌସେନାର ଉଦ୍ଧାରକାରୀ ଏବଂ ରିଲିଫ ଦଳଗୁଡିକ ପ୍ରସ୍ତୁତ ରଖାଯାଇଛି । ତଟରକ୍ଷୀବାହିନୀ ମଧ୍ୟ ଏହାର ଜାହାଜ ସହିତ ପ୍ରସ୍ତୁତ ରହିଛି । 

ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳ ଏବଂ କେନ୍ଦ୍ରୀୟ ଏଜେନ୍ସିଗୁଡିକର ପ୍ରସ୍ତୁତି ପଦକ୍ଷେପର ସମୀକ୍ଷା କରି ଶ୍ରୀ ରାଜୀବ ଗୌବା କହିଛନ୍ତି ଯେ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳର ସରକାର ଏବଂ ସଂପୃକ୍ତ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ପ୍ରତିଷେଧକ ତଥା ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଉଚିତ । ଲକ୍ଷ୍ୟ ହେଉଛି ଆଦୌ ଜୀବନ ହାନି ନହେବା ଏବଂ ଶକ୍ତି ଏବଂ ଟେଲିକମ୍ ପରି ସମ୍ପତ୍ତି ଏବଂ ଭିତ୍ତିଭୂମିର କ୍ଷୟକ୍ଷତିକୁ କମ୍ କରିବା ଏବଂ ଏହି ଭିତ୍ତିଭୂମି କ୍ଷତିଗ୍ରସ୍ତ ହେଲେ ଏହାକୁ ଶୀଘ୍ର ପୁନଃ ସ୍ଥାପିତ କରାଯିବା ଆବଶ୍ୟକ ।

କ୍ୟାବିନେଟ ସଚିବ ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳର ସରକାରମାନଙ୍କୁ ସମସ୍ତ କେନ୍ଦ୍ରୀୟ ଏଜେନ୍ସି ପ୍ରସ୍ତୁତ ରହିବା ଏବଂ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ନେଇ ଆଶ୍ୱାସନା ଦେଇଛନ୍ତି ।

ଏହି ବୈଠକରେ ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁର ମୁଖ୍ୟ ଶାସନ ସଚିବ ଏବଂ ପୁଡୁଚେରୀର ବରିଷ୍ଠ ଅଧିକାରୀ, କେନ୍ଦ୍ର ଗୃହ ସଚିବ, ଶକ୍ତି ମନ୍ତ୍ରଣାଳୟର ଅତିରିକ୍ତ ସଚିବ, ଟେଲିକମ୍‌ର ମହାନିର୍ଦ୍ଦେଶକ, ଏନଡିଏମଏର ସଦସ୍ୟ ସଚିବ, ସିଆଇଏସସି ଆଇଡିଏସ୍‌, ଏନଡିଆରଏଫ୍‌ର ଆଇଜି, ଆଇଏମଡିର ମହାନିର୍ଦ୍ଦେଶକ, ତଟରକ୍ଷୀ ବାହିନୀର ମହାନିର୍ଦ୍ଦେଶକ ଏବଂ ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

HS



(Release ID: 1881300) Visitor Counter : 109