ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜାମ୍ମୁ ଏବଂ କାଶ୍ମୀର ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତାର ମୂଳପାଠ

Posted On: 30 OCT 2022 11:18AM by PIB Bhubaneshwar

ଜାମ୍ମୁ-କାଶ୍ମୀରର ଉଦୀୟମାନ ଯୁବକମାନଙ୍କ ପାଇଁ, ଆମ ପୁଅ ଓ ଝିଅମାନଙ୍କ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଆଜି ଜାମ୍ମୁ-କାଶ୍ମୀରରେ ୨୦ଟି ଭିନ୍ନ ଭିନ୍ନ ସ୍ଥାନରେ ୩ ହଜାର ଯୁବକମାନଙ୍କୁ ସରକାରଙ୍କ ଠାରେ କାମ କରିବାକୁ ନିଯୁକ୍ତିପତ୍ର ପ୍ରଦାନ କରାଯାଉଛି । ଏହି ଯୁବକମାନଙ୍କୁ ପିଡବ୍ଲୁଡି, ସ୍ୱାସ୍ଥ୍ୟ ବିଭାଗ, ଖାଦ୍ୟ ଏବଂ ନାଗରିକ ଯୋଗାଣ ବିଭାଗ, ପଶୁପାଳନ, ଜଳଶକ୍ତି, ଶିକ୍ଷା-ସଂସ୍କୃତି ଭଳି ବିଭିନ୍ନ ବିଭାଗରେ ସେବା କରିବାର ସୁଯୋଗ ପାଇବାକୁ ଯାଉଛନ୍ତି । ଆଜି ନିଯୁକ୍ତିପତ୍ର ପାଇଥିବା ସମସ୍ତ ଯୁବଗୋଷ୍ଠୀଙ୍କୁ ମୁଁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି । ଏବଂ ରୋଜଗାର ମେଳାର ଏହି ଆୟୋଜନ ପାଇଁ ଶ୍ରୀମାନ ମନୋଜ ସିହ୍ନା ଜୀଙ୍କୁ ଏବଂ ତାଙ୍କର ପୁରା ଦଳକୁ ମଧ୍ୟ ଶୁଭକାମନା ଜଣାଉଛି । ମୋତେ କୁହାଯାଇଛି ଯେ ଆଗାମୀ ଦିନରେ ଅନ୍ୟ ବିଭାଗର ମଧ୍ୟ ୭୦୦ରୁ ଅଧିକ ନିଯୁକ୍ତିପତ୍ର ଦେବା ପାଇଁ ପ୍ରସ୍ତୁତ ଜୋରସୋରରେ ଚାଲିଛି । ଏହାର ଲାଭ ଯେଉଁ ଲୋକମାନଙ୍କୁ ମିଳିବ ଏବଂ ତାହା ମଧ୍ୟ କିଛି ଦିନ ମଧ୍ୟରେ ହେବାକୁଯାଉଛି ତାଙ୍କୁ ମଧ୍ୟ ମୁଁ ଆଗରୁ ଶୁଭେଚ୍ଛା ଜଣାଉଛି ।

ସାଥୀମାନେ,

ଏକବିଂଶ ଶତାବ୍ଦୀର ଏହି ଦଶନ୍ଧି ହେଉଛି ଜାମ୍ମୁ-କାଶ୍ମୀର ଇତିହାସରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦଶକ ଅଟେ । ଏବେ ସମୟ ପୁରୁଣା ଆହ୍ୱାନଗୁଡ଼ିକୁ ପଛରେ ଛାଡ଼ି ନୂତନ ସମ୍ଭାବନାଗୁଡ଼ିକର ସମ୍ପୂର୍ଣ୍ଣ ଲାଭ ନେବାର ସମୟ ବର୍ତ୍ତମାନ ଅଟେ । ମୁଁ ଖୁସି ଯେ ଜାମ୍ମୁ-କାଶ୍ମୀରର ଯୁବକମାନେ ନିଜ ରାଜ୍ୟର ବିକାଶ, ଜାମ୍ମୁ-କାଶ୍ମୀରବାସୀଙ୍କ ବିକାଶ ପାଇଁ ବହୁ ସଂଖ୍ୟାରେ ଆଗକୁ ଆସୁଛନ୍ତି । ଆମର ଜାମ୍ମୁ-କାଶ୍ମୀରର ଯୁବକମାନେ ହିଁ ବିକାଶର ଏକ ନୂଆ କାହାଣୀ ଲେଖିବେ । ତେଣୁ, ଆଜି ଏହି ରାଜ୍ୟରେ ନିଯୁକ୍ତିମେଳାର ଆୟୋଜନ ସ୍ୱତନ୍ତ୍ର ହୋଇପାରିଛି ।

ସାଥୀମାନେ,

ବିକାଶର ଦ୍ରୁତ ଗତି ପାଇଁ, ଆମକୁ ନୂତନ ଚିନ୍ତାଧାରା ସହିତ, ନୂତନ ଚିନ୍ତାଧାରା ସହିତ କାର୍ଯ୍ୟ କରିବାକୁ ପଡ଼ିବ । ଜାମ୍ମୁ-କାଶ୍ମୀର ବର୍ତ୍ତମାନ ନୂତନ ପ୍ରଣାଳୀରେ, ସ୍ୱଚ୍ଛ ଏବଂ ସମ୍ବେଦନଶୀଳ ପ୍ରଣାଳୀରେ ନିରନ୍ତର ବିକାଶ ପାଇଁ ଉଦ୍ୟମ କରୁଛି । ମୋତେ କୁହାଯାଇଛି ଯେ ୨୦୧୯ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରାୟ ୩ଠ ହଜାର ସରକାରୀ ପଦବୀ ନିଯୁକ୍ତି ପାଇଛି । ଏଥିମଧ୍ୟରୁ ଗତ ଦେଢ଼ ବର୍ଷ ମଧ୍ୟରେ ପ୍ରାୟ ୨ଠ ହଜାର ଚାକିରି ଦିଆଯାଇଛି । ଏହା ସ୍ୱାଗତଯୋଗ୍ୟ, ଏହା ଅଭିନନ୍ଦନର ଯୋଗ୍ୟ ଅଟେ । ମୁଁ ବିଶେଷ ଭାବେ ଜାମ୍ମୁ-କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାଇ ମନୋଜ ସିହ୍ନା ଜୀ ଏବଂ ତାଙ୍କର ପୂରା ଦଳକୁ ଅଶେଷ ଧନ୍ୟବାଦ ଜଣାଉଛି । ‘ଯୋଗ୍ୟତାରୁ ରୋଜଗାର’ର ଯେଉଁ ମନ୍ତ୍ରକୁ ନେଇ ସେ ଚାଲିଛନ୍ତି, ସେହି ରାଜ୍ୟର ଯୁବଗୋଷ୍ଠୀ ଠାରେ ନୂଆ ବିଶ୍ୱାସ ସୃଷ୍ଟି କରୁଛି ।

ସାଥୀମାନେ,

ଗତ ୮ ବର୍ଷରେ ରୋଜଗାର ଏବଂ ଆତ୍ମନିଯୁକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ଅକ୍ଟୋବର ୨୨ ତାରିଖରୁ ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା ‘ରୋଜଗାର ମେଳା’ ଏହାର ଏକ ଲିଙ୍କ୍ ଅଟେ । ଏହି ଅଭିଯାନ ଅଧିନରେ ପ୍ରଥମ ପର୍ଯ୍ୟାୟରେ ଆସନ୍ତା କିଛି ମାସ ମଧ୍ୟରେ କେନ୍ଦ୍ର ସରକାର ୧ଠ ଲକ୍ଷରୁ ଅଧିକ ନିଯୁକ୍ତିପତ୍ର ପ୍ରଦାନ କରିବେ । ଜାମ୍ମୁ-କାଶ୍ମୀର ଭଳି ବିଭିନ୍ନ ରାଜ୍ୟ ମଧ୍ୟ ଏହି ଅଭିଯାନ ସହିତ ଜଡ଼ିତ ଥିବାରୁ, ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବାକୁ ଯାଉଛି । ଜାମ୍ମୁ-କାଶ୍ମୀରରେ ରୋଜଗାର ବୃଦ୍ଧି ପାଇଁ ଆମେ ଏଠାରେ ବ୍ୟବସାୟ ପରିବେଶକୁ ମଧ୍ୟ ବିସ୍ତାର କରିଛୁ । ଆମର ନୂତନ ଔଦ୍ୟୋଗିକ ନୀତି ଏବଂ ବ୍ୟବସାୟ ସଂସ୍କାର ଆକ୍ସନ ପ୍ଲାନରେ ବ୍ୟବସାୟରେ ସହଜତା ପାଇଁ ରାସ୍ତା ପରିସ୍କାର କରିଛି । ଏଠାରେ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଏକ ଜବରଦସ୍ତ ପ୍ରୋତ୍ସାହନ ମିଳିଛି । ଜାମ୍ମୁ-କାଶ୍ମୀରରେ ପୁଞ୍ଜି ବିନିଯୋଗର ବୃଦ୍ଧି ସହିତ ଯୁବକମାନଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି । ବିକାଶ ସମ୍ବନ୍ଧୀୟ ପ୍ରକଳ୍ପଗୁଡ଼ିକ ଉପରେ ଯେଉଁ ଗତିରେ କାର୍ଯ୍ୟ ହେଉଛି, ତାହା ଏଠିକାର ସମସ୍ତ ଅର୍ଥ ବ୍ୟବସ୍ଥାକୁ ପରିବର୍ତ୍ତନ କରିବ । ଯେମିତି, ଆମେ କାଶ୍ମୀର ପର୍ଯ୍ୟନ୍ତ ଟ୍ରେନ୍ ସଂଯୋଗ ଦିଗରେ ଦ୍ରୁତ ଗତିରେ କାର୍ଯ୍ୟ କରୁଛୁ । ଶ୍ରୀନଗରରୁ ଶାରଜାହ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହୋଇସାରିଛି । ଜାମ୍ମୁ-କାଶ୍ମୀରରୁ ରାତିରେ ମଧ୍ୟ ବିମାନ ଉଡ଼ାଣ ଆରମ୍ଭ କରିଛି । ଏଠାରେ ଥିବା କୃଷକମାନଙ୍କ ମଧ୍ୟରେ ଏହି ସଂଯୋଗୀକରଣ ଯୋଗୁ ବହୁ ଲାଭ ପାଇଛନ୍ତି । ଜାମ୍ମୁ-କାଶ୍ମୀରର ଆପଲ ଚାଷୀମାନଙ୍କ ପାଇଁ ଏବେ ସେମାନଙ୍କ ଉତ୍ପାଦକୁ ପଠାଇବା ସହଜ ହୋଇଛି । ଡ୍ରୋନ ମାଧ୍ୟମରେ ପରିବହନକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଯେଉଁଭଳି କାର୍ଯ୍ୟ କରୁଛନ୍ତି, ତାହାଦ୍ୱାରା ମଧ୍ୟ ଏଠିକାର ଫଳ ଉତ୍ପାଦକ ଚାଷୀଙ୍କୁ ବିଶେଷ ସହାୟତା ମିଳିବାକୁ ଯାଉଛି ।

ସାଥୀମାନେ,

ଜାମ୍ମୁ-କାଶ୍ମୀର ଯେଉଁଭଳି ଭାବରେ ଭିତ୍ତିଭୂମିର ବିକାଶ ହେଉଛି, ସଂଯୋଗ ବୃଦ୍ଧି ପାଉଛି, ଏହା ପର୍ଯ୍ୟଟନ କ୍ଷେତ୍ରକୁ ମଧ୍ୟ ମଜବୁତ କରିଛି । ଆମେ ଦେଖିଛୁ ଯେ କେମିତି ଏଥର ଜାମ୍ମୁ-କାଶ୍ମୀରକୁ ଆସିଥିବା ପର୍ଯ୍ୟଟକଙ୍କ ସଂଖ୍ୟାରେ ରେକର୍ଡ ବୃଦ୍ଧି ଘଟିଛି । ରାଜ୍ୟରେ ଆଜି ଯେତିକି ରୋଜଗାର - ସ୍ୱରୋଜଗାର ପାଇଁ ଅବସର ଖୋଲିଛି, ତାହା କିଛି ବର୍ଷ ପୂର୍ବରୁ କେହି କଳ୍ପନା କରିପାରି ନ ଥିଲେ । ଏହା ହେଉଛି ଆମର ପ୍ରୟାସ ଯେ ସରକାରୀ ଯୋଜନାର ଲାଭ ସମାଜର ପ୍ରତ୍ୟେକ ବିଭାଗରେ କୌଣସି ଭେଦଭାବ ବିନା ପହଞ୍ଚôଥାଏ । ବିକାଶର ସମାନ ଲାଭ ସମସ୍ତ ବିଭାଗକୁ, ସମସ୍ତ ଲୋକଙ୍କ ପାଇଁ ନେବାକୁ ଆମେ ପ୍ରତିବଦ୍ଧ । ସାମଗ୍ରିକ ବିକାଶର ଏହି ମଡେଲ ସହିତ ସରକାରୀ ଚାକିରି ସହିତ ଅନ୍ୟାନ୍ୟ ନିଯୁକ୍ତି ବିକଳ୍ପ ମଧ୍ୟ ପ୍ରସ୍ତୁତ ହେଉଛି । ଜାମ୍ମୁ-କାଶ୍ମୀରରେ ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଭିତ୍ତିଭୂମିକୁ ମଜବୁତ କରିବାକୁ ମଧ୍ୟ ଉଦ୍ୟମ ଚାଲିଛି । ୨ଟି ନୂତନ ଏମ୍ସ, ୭ଟି ନୂତନ ମେଡିକାଲ କଲେଜ, ୨ଟି ରାଜ୍ୟ କର୍କଟ ପ୍ରତିଷ୍ଠାନ ଏବଂ ୧୫ଟି ନର୍ସିଂ କଲେଜ ଖୋଲିବା ସହିତ ଏଠାରେ ପ୍ରତିଭା ପାଇଁ ଅଧିକ ନୂତନ ସୁଯୋଗ ସୃଷ୍ଟି ହେବ ।

ସାଥୀମାନେ,

ଜାମ୍ମୁ-କାଶ୍ମୀରର ଲୋକମାନେ ସର୍ବଦା ସ୍ୱଚ୍ଛତା ଉପରେ ଗୁରୁତ୍ୱାରୋପ କରିଛନ୍ତି, ସ୍ୱଚ୍ଛତାକୁ ପ୍ରଶଂସା କରିଛନ୍ତି । ଆଜି ଯେଉଁ ପୁଅ ଝିଅମାନେ ଆମର ଯୁବଗୋଷ୍ଠୀ ସରକାରୀ ସେବାରେ ଆସୁଛନ୍ତି, ସେମାନଙ୍କୁ ସ୍ୱଚ୍ଛତାକୁ ପ୍ରାଥମିକତା ଦେବାକୁ ପଡ଼ିବ । ଯେତେବେଳେ ବି ମୁଁ ଜାମ୍ମୁ-କାଶ୍ମୀରର ଲୋକଙ୍କୁ ଭେଟିଥିଲି, ମୁଁ ସବୁବେଳେ ସେମାନଙ୍କର ଯନ୍ତ୍ରଣା ଅନୁଭବ କରୁଥିଲି । ଏହି ଯନ୍ତ୍ରଣା ଥିଲା - ବ୍ୟବସ୍ଥାରେ ଭ୍ରଷ୍ଟାଚାର । ଜାମ୍ମୁ-କାଶ୍ମୀରର ଲୋକମାନେ ଦୁର୍ନୀତିକୁ ଘୃଣା କରିଥାନ୍ତି । ମୁଁ ମନୋଜ ସିହ୍ନା ଜୀ ଏବଂ ତାଙ୍କର ଦଳକୁ ଏହି କଥା ପାଇଁ ମଧ୍ୟ ପ୍ରଶଂସା କରିବି ଯେ ସେଇ ଭ୍ରଷ୍ଟାଚାରରୂପୀ ରୋଗକୁ ଶେଷ କରିବା ପାଇଁ ମଧ୍ୟ କଠିନ ପରିଶ୍ରମ କରୁଛନ୍ତି । ଯେଉଁ ଯୁବଗୋଷ୍ଠୀ ବର୍ତ୍ତମାନ ରାଜ୍ୟ ଶାସନର ଅଂଶ ହୋଇଛନ୍ତି, ତାଙ୍କର ଏହି ଦାୟିତ୍ୱ ଯେ ସେହି ପାରଦର୍ଶିତାର ପ୍ରୟାସକୁ, ସ୍ୱଚ୍ଛ ଶାସନର ପ୍ରୟାସ ପାଇଁ ମନୋଜ ସିହ୍ନା ଜୀଙ୍କର ପ୍ରକୃତ ବନ୍ଧୁ ହୋଇ ନୂତନ ଶକ୍ତି ଦେବେ । ମୋତେ ବିଶ୍ୱାସ ଅଛି ଯେ ଯେଉଁ ଯୁବ ଗୋଷ୍ଠୀମାନଙ୍କୁ ଆଜି ନିଯୁକ୍ତିପତ୍ର ମିଳିଛି, ସେହି ନୂତନ ଦାୟିତ୍ୱକୁ ପୂରା ନିଷ୍ଠା ଏବଂ ଏକାଗ୍ରତାର ସହ ନିର୍ବାହ କରିବେ। ଜାମ୍ମୁ-କାଶ୍ମୀର ପ୍ରତ୍ୟେକ ଭାରତୀୟଙ୍କର ଗୌରବ ଅଟେ । ଆମେ ମିଳିମିଶି ଜାମ୍ମୁ-କାଶ୍ମୀରକୁ ନୂତନ ଶିଖରକୁ ନେବାକୁ ହେବ । ଆମ ସମ୍ମୁଖରେ ୨୦୪୭ର ବିକଶିତ ଭାରତର ବିରାଟ ଲକ୍ଷ୍ୟ ମଧ୍ୟ ଅଛି, ଯାହାକୁ ପୂରଣ କରିବାରେ ଆମକୁ ମଜବୁତ ସଂକଳ୍ପ ସହିତ ରାଷ୍ଟ୍ର ନିର୍ମାଣରେ ଜଡ଼ିତ ହେବାକୁ ପଡ଼ିବ । ପୁନର୍ବାର, ମୁଁ ଜାମ୍ମୁ-କାଶ୍ମୀରର ପୁଅ ଏବଂ ଝିଅମାନଙ୍କୁ ସେମାନଙ୍କ ଜୀବନର ଏହି ନୂତନ ଆରମ୍ଭ ପାଇଁ ଅନେକ ଅନେକ ଶୁଭକାମନା ଜଣାଉଛି ଏବଂ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କାମନା କରୁଛି । ବହୁତ ବହୁତ ଧନ୍ୟବାଦ ।

 

NS/MB



(Release ID: 1872158) Visitor Counter : 133