ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପୂର୍ବ ଏସିଆ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ, ନଭେମ୍ବର ୪, ୨୦୧୯

Posted On: 19 OCT 2022 8:08PM by PIB Bhubaneshwar

ମହାମହିମ, ପ୍ରଧାନମନ୍ତ୍ରୀ ପ୍ରୟୁତ ଚାନ- ଓ- ଚା
ମହାମହିମ ନେତୃବୃନ୍ଦ,
ଷଷ୍ଠ ଥର ପାଇଁ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଯୋଗ ଦେଇଥିବାରୁ ମୁଁ ଆନନ୍ଦିତ । ଭାରତର ଐତିହାସିକ ଓ ଘନିଷ୍ଠ ବନ୍ଧୁ ଥାଇଲାଣ୍ଡ ଏହି ସମ୍ମିଳନୀର ଆୟୋଜନ କରିବା ଆହୁରି ଆନନ୍ଦର ବିଷୟ । ପୂର୍ବ ଏସିଆ ଶିଖର ସମ୍ମିଳନୀ ବ୍ୟବସ୍ଥାକୁ ଯଥେଷ୍ଟ ଅଗ୍ରାଧିକାର ପ୍ରଦାନ କରିଥାଏ । ଭାରତ- ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସହଯୋଗ ପାଇଁ ଏହା ଏକକ ନେତୃତ୍ୱାଧୀନ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଓ ଏସିଆର ପ୍ରମୁଖ ଆତ୍ମବିଶ୍ୱାସ ତନ୍ତ୍ର । ଏବଂ ଏହାର ସଫଳତା ଆସିଆନର କେନ୍ଦ୍ରୀୟ ଭୂମିକା ପାଇଁ ଦାୟୀ ।


ମହାମହିମ ନେତୃବୃନ୍ଦ,
ଆମ ବିଶ୍ୱ ଅଶାନ୍ତ ସମୟ ଦେଇ ଗତି କରୁଛି । ଆତଙ୍କବାଦ, ହିଂସାତ୍ମକ କାର୍ଯ୍ୟକଳାପ, ସାମୁଦ୍ରିକ ସ୍ଥାନ ସମେତ ସମ୍ବଳ ଓ ଆଞ୍ଚଳିକ ବିବାଦ ଆମ ସମୟର ପ୍ରମୁଖ ସମସ୍ୟା ପାଲଟିଛି । ୟୁଏନସିଏଲଓଏସ ପରି ସାମୁଦ୍ରିକ କାର୍ଯ୍ୟକ୍ଷେତ୍ର ପରିଚାଳନା କରୁଥିବା ଆନ୍ତର୍ଜାତିକ ନୀତି ଓ ନିୟମ ଉପରେ ଚାପ ବୃଦ୍ଧି ପାଉଛି । ଜଳବାୟୁ ପରିବର୍ତ୍ତନ, ସାମୁଦ୍ରିକ ପ୍ରଦୂଷଣ ଏବଂ ସମ୍ୱଳର ଅନିୟନ୍ତ୍ରିତ ତଥା ଅତ୍ୟଧିକ ଶୋଷଣ ଆମ ଗ୍ରହକୁ ଅସୁରକ୍ଷିତ କରୁଛି ।

ମହାମହିମ ନେତୃବୃନ୍ଦ,

ଏହାର ବୃହତ୍ତର ସମାଧାନ ପାଇଁ ଭାରତ, ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଆସିଆନର ଦୃଷ୍ଟିକୋଣକୁ ସ୍ୱାଗତ କରୁଛି । ଏହି ସାମୁଦ୍ରିକ ଅଞ୍ଚଳରେ ଆସିଆନର ପ୍ରମୁଖ ଭୂମିକା ରହିଛି । ଜୁନ୍ ୨୦୧୮ରେ ସିଙ୍ଗାପୁରରେ ଭାରତ-ପ୍ରଶାନ୍ତ ମହାସାଗରରେ ଭାରତର ନିଜସ୍ୱ ଦୃଷ୍ଟିକୋଣ ବର୍ଣ୍ଣନା କରିଥିଲି । ଏବଂ ଅନ୍ୟ ସହଯୋଗୀମାନେ ମଧ୍ୟ ସମାନ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏସବୁ ଆଭିମୁଖ୍ୟରେ ଅଭିନ୍ନତା ପରିଲକ୍ଷିତ ହେଉଛି ।

ଏକ ମୁକ୍ତ, ଅବାଧ, ଅନ୍ତର୍ଭୁକ୍ତିମୂଳକ, ସ୍ୱଚ୍ଛ, ନିୟମ ଆଧାରିତ, ଶାନ୍ତିପୂର୍ଣ୍ଣ, ସମୃଦ୍ଧ ଭାରତ- ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ପ୍ରୋତ୍ସାହିତ କରିବା ପାଇଁ ଇଏଏସ ପ୍ରକୃତ ମଞ୍ଚ । ଯେଉଁଠାରେ ସାର୍ବଭୌମତ୍ୱ ଓ ଆଞ୍ଚଳିକ ଅଖଣ୍ଡତା ତଥା ଆନ୍ତର୍ଜାତୀୟ ଆଇନ ବିଶେଷ କରି ୟୁଏନସିଏଲଓଏସ ପ୍ରୟୋଗ ସମସ୍ତ ଦେଶ ପାଇଁ ସମାନ ଭାବରେ ନିଶ୍ଚିତ ହୋଇଛି । ଆମେ ସମସ୍ତେ ସହମତ ଏବଂ ଏହା ସମସ୍ତଙ୍କ ହିତରେ ଏହା ପ୍ରଯୁଜ୍ୟ ଯେ, ଭାରତ- ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଏପରି ସ୍ଥାନ ହେବା ଉଚିତ ଯେଉଁଠାରେ ନୌ-ପରିବହନ, ଓଭରଫ୍ଲାଇଟ୍, ନିରନ୍ତର ବିକାଶ, ପରିବେଶ ଓ ସାମୁଦ୍ରିକ ପରିବେଶର ସୁରକ୍ଷା ଏବଂ ମୁକ୍ତ, ଅବାଧ, ନ୍ୟାୟସଙ୍ଗତ ତଥା ପାରସ୍ପରିକ ଲାଭପ୍ରଦାନକାରୀ ବାଣିଜ୍ୟ ଏବଂ ନିବେଶ ବ୍ୟବସ୍ଥା ସମସ୍ତଙ୍କ ପାଇଁ ସୁନିଶ୍ଚିତ ହୋଇଥିବ ।  
ଏହି ମର୍ମରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଆସିଆନ ଦୃଷ୍ଟିକୋଣ ସହ ସଙ୍ଗତି ରଖି ନିରନ୍ତର ସହଭାଗିତା ପାଇଁ ଆଗାମୀ ଇଏଏସ ବିବୃତି ସହ ମୁଁ ଆମର ସହଭାଗୀ ସାମୁଦ୍ରିକ ପରିବେଶକୁ ସୁରକ୍ଷିତ ରଖିବାକୁ ଭାରତ- ପ୍ରଶାନ୍ତ ମହାସାଗରୀୟ ନୀତି ପାଇଁ ପ୍ରସ୍ତାବ ଦେଉଛି । ଏହି କ୍ରମରେ ଭାରତ- ପ୍ରଶାନ୍ତ ମହାସାଗରୀୟ ଉପକ୍ରମ ଆରମ୍ଭ କରିବାକୁ ପରାମର୍ଶ ଦେଉଛି ।

ଏଥିରେ, ସ୍ଥାୟୀ ବିକାଶ ଲକ୍ଷ୍ୟ ୧୪ ସହିତ - ଯାହା ସାମୁଦ୍ରିକ କାର୍ଯ୍ୟକ୍ଷେତ୍ରକୁ ସଂରକ୍ଷିତ ରଖି ନିରନ୍ତର ବ୍ୟବହାରପାଇଁ ଆହ୍ୱାନ ଦେଇଥାଏ- ଏକ ସୁରକ୍ଷିତ, ନିରାପଦ ଏବଂ ନିରନ୍ତର ସାମୁଦ୍ରିକ କାର୍ଯ୍ୟକ୍ଷେତ୍ର ସୃଷ୍ଟି କରିବାକୁ ଆମକୁ ଆଖିଦୃଶିଆ ଉଦ୍ୟମ କରିବା ଉଚିତ । ଏହି ଅଞ୍ଚଳର ସମସ୍ତ ଦେଶ ଏବଂ ଏଥିପ୍ରତି ଆଗ୍ରହୀ ସଂଗଠନ, ବ୍ୟକ୍ତିବିଶେଷ ପ୍ଲାଷ୍ଟିକ ବର୍ଜ୍ୟରୁ ସମୁଦ୍ରକୁ ସୁରକ୍ଷିତ ରଖିବାକୁ ମିଳିତ ଭାବରେ କାର୍ଯ୍ୟ କରିବା, କ୍ଷମତା ନିର୍ମାଣ ଓ ସମ୍ବଳର ସଠିକ ବଣ୍ଟନ, ବିପର୍ଯ୍ୟୟ ଆଶଙ୍କା କମାଇବା, ବିଜ୍ଞାନ, ପ୍ରଯୁକ୍ତି ଏବଂ ଶୈକ୍ଷିକ ସହଯୋଗ ବୃଦ୍ଧି କରିବା ଏବଂ ମୁକ୍ତ, ଅବାଧ ଓ ପାରସ୍ପରିକ ଲାଭପ୍ରଦ ବାଣିଜ୍ୟ ଏବଂ ସାମୁଦ୍ରିକ ପରିବହନ ପାଇଁ ଉଦ୍ୟମ କରିବା ।


ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟ ଗୋଟିଏ କିମ୍ବା ଦୁଇଟି ଦେଶ ଦ୍ୱାରା ପରିଚାଳିତ ହୋଇଥାଏ । ବୈଶିକ ଆହ୍ୱାନଗୁଡିକ ମିଳିତ ସମାଧାନ ପାଇଁ ଜନମତ ସହ ସାମିଲ ହେବାକୁ ଏହା ସରକାରମାନଙ୍କୁ ସାହାଯ୍ୟ କରିବ । ଏହି ପଦକ୍ଷେପ ପ୍ରକୃତରେ ଖୋଲା, ଅନ୍ତର୍ଭୁକ୍ତିମୂଳକ ଓ ସହଯୋଗୀ ହେବ । ଏବଂ ଏହା ଅଂଶୀଦାରମାନଙ୍କ ଇଚ୍ଛା ଅନୁଯାୟୀ ଆନୁଷ୍ଠାନିକ ଭିତ୍ତିର ବିକାଶ କରିପାରିବ ।


ଭାରତ- ପ୍ରଶାନ୍ତ ମହାସାଗରୀୟ ଉପକ୍ରମ ପ୍ରତି ସକରାତ୍ମକ ଦୃଷ୍ଟିଭଙ୍ଗୀ ପାଇଁ ଆମେ ଅଷ୍ଟ୍ରେଲିଆ ନିକଟରେ କୃତଜ୍ଞ।

ସାମୁଦ୍ରିକ ସୁରକ୍ଷା ଏବଂ ବିପର୍ଯ୍ୟୟ ପ୍ରଶମନ ସମ୍ପର୍କିତ ଭାରତର ଉଦ୍ୟମରେ ନିୟୋଜିତ ହେବାକୁ ମୁଁ ଆଗ୍ରହୀ ଦେଶମାନଙ୍କୁ ପରାମର୍ଶ ଦେଉଛି । ଯେହେତୁ ଆମେ ଅଷ୍ଟ୍ରେଲିଆ ଏବଂ ଇଣ୍ଡୋନେସିଆ ସହିତ ଚତୁର୍ଥ ଇଏଏସ ସାମୁଦ୍ରିକ ସୁରକ୍ଷା କର୍ମଶାଳା ଆସନ୍ତା ଫେବୃଆରୀରେ ଆୟୋଜନ କରିବୁ । ସେହି ଦିନଠାରୁ ଆମେ ସୁରକ୍ଷା ପ୍ରସଙ୍ଗରେ କାର୍ଯ୍ୟ ଆରମ୍ଭ କରିପାରିବା ।

ବାଘ, ସିଂହ, ହାତୀ, ଗଧିଆ, ସ୍ନୋ ଲିଓପର୍ଡ ତଥା ସ୍ଥାନ ପରିବର୍ତ୍ତନ କରୁଥିବା ସାମୁଦ୍ରିକ ବନ୍ୟପ୍ରାଣୀଙ୍କ ପରି ବୃହତ ପ୍ରାଣୀଜଗତ ସଂରକ୍ଷଣ କ୍ଷେତ୍ରରେ ସର୍ବୋତ୍ତମ କାର୍ଯ୍ୟପ୍ରଣାଳୀ ଜଣାଇବା ଉଦ୍ଦେଶ୍ୟରେ ଭାରତ ସ୍ଥାନାନ୍ତରିତ ବନ୍ୟପ୍ରାଣୀ ସଂରକ୍ଷଣ ସମ୍ପର୍କିତ ଏକ ଇଏଏସ ସେମିନାର ଆୟୋଜନ ପାଇଁ ପ୍ରସ୍ତାବ ଦେଇଛି । ଏହି କାର୍ଯ୍ୟକ୍ରମ ବନ୍ୟପ୍ରାଣୀ ଓ ସେମାନଙ୍କ ଅଂଶବିଶେଷ ବେଆଇନ ଚାଲାଣ ନିୟନ୍ତ୍ରଣ ପାଇଁ ଚିନ୍ତାଧାରା ବିକଶିତ କରିପାରିବ; ପ୍ରମୁଖ ଶିକାରୀ ଓ ଅନ୍ୟ ପ୍ରଜାତିଗୁଡିକୁ ବଞ୍ଚାଇବା ପାଇଁ ସ୍ଥଳ ଏବଂ ସାମୁଦ୍ରିକ କ୍ଷେତ୍ରରେ ସୀମାପାର ସଂରକ୍ଷିତ ଅଞ୍ଚଳ ସମ୍ପର୍କରେ ଆଲୋଚନା କରିବ ଏବଂ ବିଶେଷ କରି ପାର୍ବତ୍ୟାଞ୍ଚଳରେ ଏକ ସବୁଜ ଅର୍ଥନୀତି ମଞ୍ଚ ବିକାଶ କରିବ ।

ବେଆଇନ, ସୂଚନା ପ୍ରଦାନ ନକରି, ଲାଇସେନ୍ସ ନଥାଇ ମାଛ ମାରିବା ସମ୍ପର୍କରେ ମୁଁ ୨୦୧୭ ଆସିଆନ ଆଞ୍ଚଳିକ ଫୋରମର ବିବୃତି କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦେଉଛି । ଜୀବିକା ସୁରକ୍ଷା, ଖାଦ୍ୟ ନିରାପତ୍ତା ତଥା ସାମାଜିକ ସ୍ଥିରତା ଉପରେ ଏହାର ପ୍ରଭାବ ଆକଳନ କରି ଉପକୂଳବର୍ତ୍ତୀ ରାଜ୍ୟ ତଥା ଦ୍ୱୀପପୁଞ୍ଜକୁ ନେଇ ବୃହତ୍ତର ସୁରକ୍ଷା ପ୍ରସଙ୍ଗରେ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଆମେ ପ୍ରସ୍ତୁତ ।

ଶେଷରେ ଆଗାମୀ ବର୍ଷ ପୂର୍ବ ଏସିଆ ଶିଖର ସମ୍ମିଳନୀ ତନ୍ତ୍ରର ଅଧ୍ୟକ୍ଷତା କରିବାକୁ ଯାଉଥିବା ଭିଏତନାମକୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି । ଆମେ ଭିଏତନାମ ସହିତ କାର୍ଯ୍ୟ କରିବାକୁ ଆଗ୍ରହୀ ।

ମହାମହିମ ଅଧ୍ୟକ୍ଷ, ମହାମହିମ ନେତୃବୃନ୍ଦ ପୁଣିଥରେ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି ।

 

SR


(Release ID: 1869314) Visitor Counter : 92