ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣଙ୍କ ଦ୍ୱାରା ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ସ୍ତରରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ସଫଳ ରୂପାୟନ ପାଇଁ ହାର୍ଡୱେର ନିର୍ଦ୍ଦେଶାବଳୀ ଜାରି

Posted On: 22 AUG 2022 4:17PM by PIB Bhubaneshwar

ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (ଏନଏଚଏ) ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ଡାକ୍ତରଖାନା, କ୍ଲିନିକ ଓ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ରରେ ଭଳି ସ୍ୱାସ୍ଥ୍ୟ ସେବା ସଂସ୍ଥାନଗୁଡିକରେ ଡିଜିଟାଇଜେସନ ପ୍ରୋତ୍ସାହିତ କରିବା ପାଇଁ ହାର୍ଡୱେର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଏହି ନିର୍ଦ୍ଦେଶାବଳୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ (ଏବିଡିଏମ) ଉପଯୋଗୀ ଆପ୍ଲିକେସନଗୁଡିକୁ ସଞ୍ଚାଳିତ କରିବାକୁ ଆଇଟି ହାର୍ଡୱେର (ବିଭିନ୍ନ ହାର୍ଡୱେର ଉପକରଣର ଆଇଟି ବିବରଣ ସହ) ଯୋଜନା, ମୂଲ୍ୟାୟନ ଓ ଖରିଦ ପାଇଁ ମୈାଳିକ ଭିତ୍ତିଭୂମି ପ୍ରସ୍ତୁତ କରିବ । 

 

ଏହି ପଦକ୍ଷେପ ସମ୍ପର୍କରେ ସିଇଓ, ଏନଏଚଏ, ଡା. ଆର.ଏସ. ଶର୍ମା କହିଛନ୍ତି- “ଡାକ୍ତରଖାନାଗୁଡିକର ଡିଜିଟାଇଜେସନ ଏବିଡିଏମ ରୂପାୟନର ପ୍ରଥମ ପଦକ୍ଷେପ । କିଛି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସ୍ୱାସ୍ଥ୍ୟ ସେବା ସଂସ୍ଥାନର ଆକାର ଆଧାରିତ ଆଇଟି ଭିତ୍ତିଭୂମି ସମ୍ପର୍କରେ ସୂଚନା ପାଇଁ ନିର୍ଦ୍ଦେଶାବଳୀର ଆବଶ୍ୟକତା ସମ୍ପର୍କରେ ଉଲ୍ଲେଖ କରିଥିଲେ । ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣଙ୍କ ଦ୍ୱାରା ଜାରି ହାର୍ଡୱେର ନିର୍ଦ୍ଦେଶାବଳୀ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଆବଶ୍ୟକତା ଆକଳନ ଓ ସେଠାକାର ସ୍ୱାସ୍ଥ୍ୟ ସେବା ସଂସ୍ଥାନଗୁଡିକରେ ଏବିଡିଏମ ଆପଣାଇବାରେ ସୁବିଧା ପ୍ରଦାନ କରିବ ।”

 

ଏବିଡିଏମ ସାରା ଦେଶର ଡାକ୍ତରଖାନା ଓ ଅନ୍ୟ ସ୍ୱାସ୍ଥ୍ୟସେବା ସଂସ୍ଥାନର ଡିଜିଟାଲ ସ୍ୱାସ୍ଥ୍ୟ ସମାଧାନଗୁଡିକୁ ଏକାଠି କରି ପ୍ରକ୍ରିୟାକୁ ସରଳ କରିବା ସହ ଜୀବନଯାତ୍ରା ଉନ୍ନତ କରିବ । ଟେଲି-ପରାମର୍ଶ, କାଗଜହୀନ ସ୍ୱାସ୍ଥ୍ୟ ରେକର୍ଡ, କ୍ୟୁଆର କୋଡ ଆଧାରିତ ଓପିଡି ପଞ୍ଜିକରଣ ଭଳି ସୁବିଧାଗୁଡିକ ପାଇଁ ମଧ୍ୟ ଡିଜିଟାଲ ଇକୋସିଷ୍ଟମ ସହାୟକ ହେବ । ସ୍ୱାସ୍ଥ୍ୟ ରେକର୍ଡର ଡିଜିଟାଇଜେସନ ରୋଗୀଙ୍କ ପୁରୁଣା ଡାକ୍ତରୀ ରେକର୍ଡ ଯେପରି ନହଜେ ତାହା ସୁନିଶ୍ଚିତ କରିବା ସହ ଆବଶ୍ୟକ ସ୍ଥଳେ ଖୋଜିବାରେ ସହାୟକ ହେବ । ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ସ୍ତରର ସ୍ୱାସ୍ଥ୍ୟ ସେବା ସଂସ୍ଥାନଗୁଡିକରେ ଡାକ୍ତରଖାନା ସୂଚନା ପ୍ରବନ୍ଧନ ପ୍ରଣାଳୀର କାର୍ଯ୍ୟାନ୍ୱୟନ ଓ ଉପଯୁକ୍ତ ଆଇଟି ଭିତ୍ତିଭୂମି ସୁନିଶ୍ଚିତ କରି ଇକୋସିଷ୍ଟମରେ ଡିଜିଟାଲ ସ୍ୱାସ୍ଥ୍ୟ ରେକର୍ଡ ପ୍ରସ୍ତୁତି ଓ ଆଦାନପ୍ରଦାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । 

 

ଏହି ଇକୋସିଷ୍ଟମକୁ ସହାୟତା କରିବା ପାଇଁ ଆଇଟି ହାର୍ଡୱେର ବିବରଣୀ ସମ୍ପର୍କରେ ନିର୍ଦ୍ଦେଶାବଳୀ https://abdm.gov.in:8081/uploads/Hardware_Guidelines_ABDM_e162cf7a7b.pdfରେ ଉପଲବ୍ଧ ଅଛି । ଏହି ଦସ୍ତାବେଜ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ସମସ୍ତ ସ୍ତରର ସ୍ୱାସ୍ଥ୍ୟ ସେବା ସଂସ୍ଥାନ ପାଇଁ ଆଇଟି ସମ୍ପତ୍ତି ଯୋଜନା ଓ ଖରିଦ ବେଳେ ହାର୍ଡୱେର ଆବଶ୍ୟକତା ମୂଲ୍ୟାୟନରେ ସହାୟକ ହେବ । ଏନଏଚଏ ଦ୍ୱାରା ପ୍ରକାଶିତ ନିର୍ଦ୍ଦେଶାବଳୀ ପରାମର୍ଶ ଓ ସୁପାରିଶମୂଳକ । ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଓ ସ୍ୱାସ୍ଥ୍ୟ ସେବା ସଂସ୍ଥାନଗୁଡିକ ସ୍ଥାନୀୟ ଆବଶ୍ୟକତା ଓ ପରିସ୍ଥିତି ଅନୁଯାୟୀ ଏହି ନିର୍ଦ୍ଦେଶାବଳୀଗୁଡିକୁ ସଂଶୋଧିତ କରିପାରିବେ । 

SR



(Release ID: 1853720) Visitor Counter : 124