ପୋଷ୍ଟ କରାଯିବା ଦିନାଙ୍କ:
17 AUG 2022 3:20PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସ୍ୱୀକାର୍ଯ୍ୟ ଗ୍ୟାରେଣ୍ଟି ସୀମା ବୃଦ୍ଧି ପାଇଁ ଜରୁରିକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ଯୋଜନା (ଇସିଏଲଜିଏସ)ର ପାଣ୍ଠି ବା କର୍ପସ୍ ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁର କରାଯାଇଛି । ଇସିଏଲଜିଏସର ସୀମାରେ ୫୦,୦୦୦ କୋଟି ଟଙ୍କା ବୃଦ୍ଧି କରାଯାଇଛି, ଫଳରେ ଏହା ୪.୫ ଲକ୍ଷ କୋଟି ଟଙ୍କାରୁ ୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଅତିରିକ୍ତ ପରିମାଣର ପାଣ୍ଠିକୁ କେବଳ ଆତିଥ୍ୟ ଏବଂ ତତସଂକ୍ରାନ୍ତ କ୍ଷେତ୍ର ପାଇଁ ଆବଣ୍ଟନ କରାଯାଇଛି । କୋଭିଡ-୧୯ ମହାମାରୀ କାରଣରୁ ଆତିଥ୍ୟ ବା ହସ୍ପିଟାଲିଟୀ ଏବଂ ଏହାର ଆନୁସଙ୍ଗିକ କ୍ଷେତ୍ର ବିଶେଷ ଭାବେ ପ୍ରଭାବିତ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ଇସିଏଲଜିଏସ ସୀମାରେ ବୃଦ୍ଧି ନିମନ୍ତେ ନିଷ୍ପତ୍ତି ନିଆଯାଇଛି ।
କାର୍ଯ୍ୟକାରିତା ଅନୁସୂଚୀ:
ଇସିଏଲଜିଏସ ଯୋଜନା ବର୍ତ୍ତମାନ ଜାରି ରହିଛି । ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଏହି ଯୋଜନାର ଅବଧି ରହିଛି । ସେ ପର୍ଯ୍ୟନ୍ତ ଆତିଥ୍ୟ ଏବଂ ତତ୍ସଂକ୍ରାନ୍ତ ଉଦ୍ୟୋଗ ପାଇଁ ଏହି ଅତିରିକ୍ତ ୫୦ହଜାର କୋଟି ଟଙ୍କା ବିନିଯୋଗ ହେବ ।
ପ୍ରଭାବ :
ଇସିଏଲଜିଏସ ଯୋଜନା ଏବେ ବି କାର୍ଯ୍ୟକାରୀ ହେଉଛି ଏବଂ କୋଭିଡ-୧୯ ମହାମାରୀ କାରଣରୁ ଆତିଥ୍ୟ ବା ହସ୍ପିଟାଲିଟୀ ଏବଂ ଏହାର ଆନୁସଙ୍ଗିକ କ୍ଷେତ୍ର ବିଶେଷ ଭାବେ ପ୍ରଭାବିତ ହୋଇଥିବାରୁ ଏହିସବୁ କ୍ଷେତ୍ରର ଉଦ୍ୟୋଗ ପାଇଁ ଅତିରିକ୍ତ ୫୦ ହଜାର କୋଟି ଟଙ୍କାର ଅର୍ଥ ଆବଣ୍ଟନ କରାଯାଇଛି । କମ ଖର୍ଚ୍ଚରେ ଏହି ଅତିରିକ୍ତ ପରିମାଣର ଅର୍ଥ ଋଣ ଆକାରରେ ଏସବୁ କ୍ଷେତ୍ରକୁ ଯୋଗାଇ ଦିଆଯିବ । ଫଳରେ ଏହି କ୍ଷେତ୍ରରେ ଅତି ଆବଶ୍ୟକ ସହାୟତା ପାଇପାରିବେ। ଏହାଦ୍ବାରା ଏସବୁ ବ୍ୟବସାୟିକ ଉଦ୍ୟୋଗ ସେମାନଙ୍କର ଅତିରିକ୍ତ ଦେୟତା ପୂରଣ କରିପାରିବେ ଏବଂ ସେମାନଙ୍କର ବ୍ୟବସାୟକୁ ଜାରି ରଖିବାକୁ ସକ୍ଷମ ହେବେ ।
୫ ଅଗଷ୍ଟ ୨୦୨୨ ସୁଦ୍ଧା ଇସିଏଲଜିଏସ ଯୋଜନା ଅଧୀନରେ ୩.୬୭ ଲକ୍ଷ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇସାରିଛି ।
*******
P.S.