ସଂସ୍କୃତି ମନ୍ତ୍ରଣାଳୟ

“ଆଜାଦୀ କା ଅମ୍ରିତ ମହୋତ୍ସବ” ଜାତୀୟ କମିଟିର ତୃତୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ


ଆଜାଦୀ କା ଅମୃତ ମହୋତ୍ସବ ଆଜିର ପୀଢି ପାଇଁ ‘ସଂସ୍କାର ଉତ୍ସବ’: ପ୍ରଧାନମନ୍ତ୍ରୀ

ଅମୃତ କାଳ ଆମ ଦେଶର ସ୍ୱପ୍ନକୁ ସାକାର କରିବା ପାଇଁ ସଂକଳ୍ପ ସେ ସିଦ୍ଧିର ଅବଧି ହେବ: ପ୍ରଧାନମନ୍ତ୍ରୀ

ଏକତାର ଭାବନାକୁ ପ୍ରୋତ୍ସାହିତ କରିବା ସହ ଏକ ଭାରତ ଶ୍ରେଷ୍ଠ ଭାରତ ଭାବନାକୁ ଆଗେଇ ନେବା: ପ୍ରଧାନମନ୍ତ୍ରୀ

ତ୍ରିରଙ୍ଗା ଦେଶର ସମୃଦ୍ଧି ଓ ସକାରତ୍ମକତାର ପ୍ରତୀକ: ପ୍ରଧାନମନ୍ତ୍ରୀ

Posted On: 06 AUG 2022 8:58PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀ ଠାରେ ଆଜାଦୀ କା ଅମୃତ ମହୋତ୍ସବ ଜାତୀୟ କମିଟିର ତୃତୀୟ ବୈଠକକୁ ସମ୍ବୋଧିତ କରିଛନ୍ତି । ବୈଠକରେ ଜାତୀୟ କମିଟିର ବହୁ ସଦସ୍ୟ ଯୋଗ ଦେଇଥିଲେ । ଏମାନଙ୍କ ମଧ୍ୟରେ ଲୋକସଭା ବାଚସ୍ପତି, ବିଭିନ୍ନ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀଗଣ, ରାଜନୈତିକ ନେତା, ସରକାରୀ ଅଧିକାରୀ, ଗଣମାଧ୍ୟମ ବ୍ୟକ୍ତିତ୍ୱ, ଆଧ୍ୟାତ୍ମିକ ଗୁରୁ, କଳାକାର. ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଓ ସମାଜର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିମାନେ ସାମିଲ ଥିଲେ । ବହୁ ସଦସ୍ୟ ଭର୍ଚ୍ୟୁଆଲ ମାଧ୍ୟମରେ ବୈଠକରେ ଭାଗ ନେଇଥିଲେ । ସଂସ୍କୃତି ସଚିବ ଶ୍ରୀ ଗୋବିନ୍ଦ ମୋହନ ଆଜାଦୀ କା ଅମୃତ ମହୋତ୍ସବରେ ପ୍ରାରମ୍ଭରୁ ଏପର୍ଯ୍ୟନ୍ତ ଆୟୋଜିତ କାର୍ଯ୍ୟକ୍ରମଗୁଡିକ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ ।  

ମାର୍ଚ୍ଚ ୧୨,୨୦୨୧ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆଜାଦୀ କା ଅମୃତ ମହୋତ୍ସବର ଶୁଭାରମ୍ଭ ପୂର୍ବରୁ ଜାତୀୟ କମିଟିର ପ୍ରଥମ ବୈଠକ ମାର୍ଚ୍ଚ ୮, ୨୦୨୧ରେ ଆୟୋଜିତ ହୋଇଥିଲା । କମିଟିର ଦ୍ୱିତୀୟ ବୈଠକ ଡିସେମ୍ବର ୨୨, ୨୦୨୧ରେ ହୋଇଥିଲା ।

ଦେଶର ପ୍ରତ୍ୟେକ ନାଗରିକଙ୍କ ଯୋଗଦାନ ପାଇଁ ଆଜାଦୀ କା ଅମୃତ ମହୋତ୍ସବର ସଫଳ ହୋଇପାରିଛି ବୋଲି ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ କହିଛନ୍ତି । ଜାତୀୟ, ରାଜ୍ୟ ଓ ଜିଲ୍ଲାସ୍ତରୀୟ କମିଟିଗୁଡିକ ଆଜାଦୀ କା ଅମୃତ ମହୋତ୍ସବକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଦିନରାତି କାମ କରୁଛନ୍ତି ।  

ଆଜାଦୀ କା ଅମୃତ ମହୋତ୍ସବର ଭାବପୂର୍ଣ୍ଣ ଭାବନା ଏହି ଅଭିଯାନର ମୂଳମନ୍ତ୍ର । ସ୍ୱାଧୀନତା ସଂଗ୍ରାମ ବେଳେ ଅଭୂତପୂର୍ବ ଦେଶପ୍ରେମ ଦେଖିବାକୁ ମିଳିଥିଲା । ଆଜିର ପୀଢିଙ୍କ ମଧ୍ୟରେ ସେହି ଭାବନାକୁ ଉଦ୍ରେକ କରି ଦେଶ ନିର୍ମାଣରେ ବ୍ରତୀ କରିବାର ଆବଶ୍ୟକତା ରହିଛି । ଆଜାଦୀ କା ଅମୃତ ମହୋତ୍ସବ ଦେଶରେ ଦେଶପ୍ରେମ ଭାବନା ସୃଷ୍ଟି କରିଛି ଓ ଦେଶ ନିର୍ମାଣ ସହ ଯୁବପୀଢିଙ୍କ ଭାବନାତ୍ମକ ସମ୍ପର୍କ ସ୍ଥାପନର ଏହା ସୁବର୍ଣ୍ଣ ସୁଯୋଗ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏହି ସନ୍ଦର୍ଭରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯୁବପୀଢିଙ୍କ ପାଇଁ ଆଜାଦୀ କା ଅମୃତ ମହୋତ୍ସବ ଏକ ସଂସ୍କାର ଉତ୍ସବ । ଏହା ସେମାନଙ୍କ ମଧ୍ୟରେ ଦେଶ ପାଇଁ କିଛି କରିବାର ଭାବନା ଭରି ଦେବ । ଆଜିର ପୀଢି ଆଗାମୀ ଦିନରେ ନେତୃତ୍ୱ ନେବାକୁ ଯାଉଥିବାରୁ India@100ର ସ୍ୱପ୍ନ ତଥା ଦୃଷ୍ଟିକୋଣ ସାକାର ପାଇଁ ସେମାନଙ୍କ ମଧ୍ୟରେ କର୍ତ୍ତବ୍ୟ ଓ ଦାୟିତ୍ୱବୋଧର ଭାବନା ଭରିବାକୁ ହେବ ।  ପ୍ରଯୁକ୍ତି ବିପ୍ଳବ ପରିବର୍ତ୍ତନର ଏହି ବେଗକୁ ତ୍ୱରାନ୍ୱିତ କରିଛି । ଯାହା କେଇ ପୀଢିରେ ହାସଲ ହୋଇ ପାରିଥାଆନ୍ତା ତାହା ଏବେ କେଇ ଦଶନ୍ଧି ମଧ୍ୟରେ ହାସଲ ହୋଇପାରିବ । ଦେଶର ସ୍ୱପ୍ନକୁ ସାକାର କରିବା ପାଇଁ ଆମେ ପୁରୁଣା କୌଶଳ ଉପରେ ନିର୍ଭର କରିପାରିବା ନାହିଁ । ତେଣୁ ଯୁବପୀଢିଙ୍କ ଦକ୍ଷତା ନିର୍ମାଣ କରି ସେମାନଙ୍କୁ ଭବିଷ୍ୟତର ପ୍ରଯୁକ୍ତିଗତ ଆହ୍ୱାନର ମୁକାବିଲା ପାଇଁ ପ୍ରସ୍ତୁତ କରିବା ଗୁରୁତ୍ୱପୂର୍ଣ୍ଣ ।

ଏହି ଅବସରରେ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଅବଦାନ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ସ୍ଥାନୀୟ ଆଦିବାସୀ ସଂଗ୍ରହାଳୟ ନିର୍ମାଣ କରି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଚିତ । ଦେଶର ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଜୀବନଶୈଳୀ ସହିତ ଯୁବପୀଢିଙ୍କୁ ପରିଚିତ କରାଇବା ପାଇଁ ସୀମାନ୍ତବର୍ତ୍ତୀ ଗ୍ରାମ କାର୍ଯ୍ୟକ୍ରମ ଆରମ୍ଭ କରିବା ଦରକାର । ଜଳ ଓ ପରିବେଶ ସଂରକ୍ଷଣ ପାଇଁ ପ୍ରତି ଜିଲ୍ଲାରେ ୭୫ ସରୋବର ପ୍ରସ୍ତୁତି ଭଳି କାର୍ଯ୍ୟକ୍ରମ ତୃଣମୂଳ ସ୍ତରରେ ଆରମ୍ଭ ହେବା ଦରକାର । ଦେଶର ତୃଣମୂଳ ସ୍ତରର ବାସ୍ତବତା ସମ୍ପର୍କରେ ଯୁବପୀଢିଙ୍କୁ ପରିଚିତ କରାଇବାରେ ଏସବୁ କାର୍ଯ୍ୟକ୍ରମ ସାହାଯ୍ୟ କରିବ ବୋଲି ପ୍ରଧାନମନ୍ତ୍ରୀ ମତ ଦେଇଛନ୍ତି ।

ଅଭିଭାଷଣ ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏକତାର ଭାବନାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଭାରତ ଶ୍ରେଷ୍ଠ ଭାରତକୁ ପ୍ରୋତ୍ସାହିତ କରିବା ଉଚିତ । କାରଣ ଏକ ସଂଗଠିତ ଦେଶ ଏକ ସମୃଦ୍ଧ ଦେଶ ହୋଇଥାଏ । ଆମ ଜାତୀୟ ପତାକା ତ୍ରିରଙ୍ଗା ଦେଶର ସମୃଦ୍ଧି ଓ ସକାରତ୍ମକତାର ପ୍ରତୀକ ବୋଲି ସେ କହିଛନ୍ତି । ଆଗାମୀ ୨୫ ବର୍ଷ ମଧ୍ୟରେ ଦେଶକୁ ସଫଳତାର ଶୀର୍ଷକୁ ନେବାର ସଂକଳ୍ପ ସେ ସିଦ୍ଧି ଭାବନା ସହିତ ଅମୃତ କାଳ ଅବଧି ମଧ୍ୟରେ ଆମେ ଅଗ୍ରସର ହେଉଛୁ । ଏହି ଅବସରରେ ଆଜାଦୀ କା ଅମୃତ ମହୋତ୍ସବକୁ ଅଧିକ ସମୃଦ୍ଧ କରିବା ପାଇଁ ମତାମତ ଦେବାକୁ କମିଟି ସଦସ୍ୟମାନଙ୍କୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି ।

ଆଜାଦୀ କା ଅମୃତ ମହୋତ୍ସବ ପାଇଁ କମିଟି ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅମୃତ ମହୋତ୍ସବ ଅନ୍ତର୍ଗତ ଆୟୋଜିତ କାର୍ଯ୍ୟକ୍ରମଗୁଡିକର ବିବରଣୀ ପ୍ରଦାନ କରିବା ସହ ଅଭିଯାନକୁ ଆହୁରି ମଜବୁତ କରିବା ପାଇଁ ସଦସ୍ୟମାନେ ନିଜ ମତାମତ ଦେଇଥିଲେ । କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜାଦୀ କା ଅମୃତ ମହୋତ୍ସବ ଜାତୀୟ କମିଟିର ତୃତୀୟ ବୈଠକକୁ ସଦସ୍ୟମାନଙ୍କୁ ସ୍ୱାଗତ କରିଥିଲେ । ଏପର୍ଯ୍ୟନ୍ତ ୬୦ ହଜାରରୁ ଅଧିକ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହେବା ସହ ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଜାତୀୟ ଠାରୁ ଆରମ୍ଭ କରି ରାଜ୍ୟ, ଜିଲ୍ଲା ଓ ତୃଣମୂଳ ସ୍ତରରେ ପହଞ୍ଚି ସାରିଛି ବୋଲି ଶ୍ରୀ ଶାହ କହିଛନ୍ତି । ନିଜ ସମାପନୀ ବକ୍ତବ୍ୟରେ ସେ ପ୍ରଧାନମନ୍ତ୍ରୀ ଓ ଜାତୀୟ କମିଟି ସଦସ୍ୟମାନଙ୍କୁ ସେମାନଙ୍କ ବହୁମୂଲ୍ୟ ପରାମର୍ଶ ଓ ସମୟ ପାଇଁ କୃତଜ୍ଞତା ଜଣାଇଛନ୍ତି ।

ଜନ ଭାଗିଦାରୀ ଓ ସାମଗ୍ରିକ ସମାଜ ଆଭିମୁଖ୍ୟ ଯୋଗୁଁ ଆଜାଦୀ କା ଅମୃତ ମହୋତ୍ସବ ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ପହଞ୍ଚି ପାରିଛି ବୋଲି ସଚିବ ଶ୍ରୀ ଗୋବିନ୍ଦ ମୋହନ କହିଛନ୍ତି ।

 

SR



(Release ID: 1849313) Visitor Counter : 159