ରାଷ୍ଟ୍ରପତିଙ୍କ ସଚିବାଳୟ

ରାଷ୍ଟ୍ରପତିଙ୍କୁ ଭେଟିଲେ ମାଳଦୀପ ରାଷ୍ଟ୍ରପତି

Posted On: 02 AUG 2022 5:47PM by PIB Bhubaneshwar

ମାଳଦୀପ ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ ଶ୍ରୀ ଇବ୍ରାହିମ ମୋହମ୍ମଦ ସୋଲିହ ଆଜି (ଅଗଷ୍ଟ ୨, ୨୦୨୨) ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ଭେଟିଛନ୍ତି ।

ରାଷ୍ଟ୍ରପତି ସୋଲିହଙ୍କୁ ରାଷ୍ଟ୍ରପତି ଭବନରେ ସ୍ୱାଗତ ଅବସରରେ ରାଷ୍ଟ୍ରପତି କହିଛନ୍ତି ଭାରତର ଜଣେ ଘନିଷ୍ଠ ବନ୍ଧୁ ତଥା ନିଜ ନେତୃତ୍ୱ ଦ୍ୱାରା ମାଳଦୀପକୁ ସ୍ଥିର ଓ ସମୃଦ୍ଧ କରିପାରିଥିବା ବିଶିଷ୍ଟ ନେତାଙ୍କୁ ସ୍ୱାଗତ କରି ବେଶ ଖୁସି ।

ଭାରତ ମହାସାଗର ଅଞ୍ଚଳରେ ମାଳଦୀପ ପ୍ରମୁଖ ଅଂଶୀଦାର ଓ ଭାରତର ଘନିଷ୍ଠ ବନ୍ଧୁ । ଦୁଇ ଦେଶର ଲୋକଙ୍କ ମଧ୍ୟରେ ଶହ ଶହ ବର୍ଷ ଧରି ଦୃଢ ସାଂସ୍କୃତିକ, ଅର୍ଥନୈତିକ ଓ ବାଣିଜ୍ୟିକ ସମ୍ପର୍କ ରହିଛି । ଭାରତର ପଡୋଶୀ ପ୍ରଥମେ ନୀତିରେ ମାଳଦୀପର ସ୍ୱତନ୍ତ୍ର ସ୍ଥାନ ରହିଛି । ଭାରତର ଆବଶ୍ୟକତା ଭିତ୍ତିକ ଆର୍ଥିକ ଓ ବିକାଶ ସହାୟତା ମାଳଦୀପ ସରକାରଙ୍କ ବିକାଶ ପ୍ରାଥମିକତା ପୂରଣ କରିବାରେ ସାହାଯ୍ୟ କରୁଛି ।

ଭାରତ- ମାଳଦୀପ ବିକାଶ ସମନ୍ୱୟର ଦ୍ରୁତ ପ୍ରସାର, ପ୍ରତିରକ୍ଷା ଓ ସୁରକ୍ଷା ଉପକ୍ରମ, ଆର୍ଥିକ ସମ୍ପର୍କ ଏବଂ ଜନସମ୍ପର୍କ ସରକାର ଓ ମାଳଦୀପବାସୀଙ୍କ ସହ ଭାରତର ସମ୍ପର୍କ ମଜବୁତ କରିବାରେ ସହାୟକ ହେବ ବୋଲି ରାଷ୍ଟ୍ରପତି କହିଛନ୍ତି । କୋଭିଡ-୧୯ ମହାମାରୀ ବେଳେ ମାଳଦୀପ ସରକାର ଓ ଦେଶବାସୀଙ୍କ ସାହସ ଓ ଧୈର୍ଯ୍ୟକୁ ପ୍ରଶଂସା କରିଛନ୍ତି । କୋଭିଡ ମହାମାରୀ ବେଳେ ଭାରତ-ମାଳଦୀପ ଦୃଢ ସମ୍ପର୍କ ସମଗ୍ର କ୍ଷେତ୍ର ପାଇଁ ମଡେଲ ପାଲଟିବା ଘଟଣାରେ ରାଷ୍ଟ୍ରପତି ସନ୍ତୋଷ ବ୍ୟକ୍ତ କରିଥିଲେ ।

ଭାରତ-ମାଳଦୀପ ଭାଗିଦାରୀରେ ଦକ୍ଷତା ନିର୍ମାଣ ପ୍ରମୁଖ ସ୍ତମ୍ଭ ପାଲଟିଛି ବୋଲି ରାଷ୍ଟ୍ରପତି କହିଛନ୍ତି । ଚଳିତ ଗସ୍ତ ବେଳେ ସ୍ୱାକ୍ଷର ହେବାକୁ ଥିବା ଏମଓୟୁଗୁଡିକ ମାଳଦୀପରେ ଦକ୍ଷତା ନିର୍ମାଣକୁ ମଜବୁତ କରିବ ବୋଲି ସେ ଆଶା କରିଛନ୍ତି ।

 

SR



(Release ID: 1847631) Visitor Counter : 157