ପ୍ରତିରକ୍ଷା ମନ୍ତ୍ରଣାଳୟ
କାରଗିଲ୍ ଯୁଦ୍ଧରେ ଭାରତର ଐତିହାସିକ ବିଜୟର 23ତମ ବାର୍ଷିକୀ ଅବସରରେ ଯୁଦ୍ଧ ହିରୋଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲା ଦେଶ
ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରତିରକ୍ଷା ମନ୍ତ୍ରୀ ଓ ତିନିସେନା ମୁଖ୍ୟ
ଆମ ବୀର ଯୋଦ୍ଧାଙ୍କର ସ୍ମୃତିକୁ ହୃଦୟରେ ରଖି ଆମେ ଦେଶ ନିର୍ମାଣ ପଥରେ ଆଗକୁ ବଢ଼ୁଛୁ: ରାଜନାଥ ସିଂ
Posted On:
26 JUL 2022 12:04PM by PIB Bhubaneshwar
1999 ରେ କାରଗିଲ୍ ଯୁଦ୍ଧ ସମୟରେ ହୋଇଥିବା ଐତିହାସିକ ବିଜୟର 23ତମ ବାର୍ଷିକୀ ଅବସରରେ ଦେଶ ଆଜି ଯୁଦ୍ଧର ସାହସୀ ସେନା ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛି। ପ୍ରତି ବର୍ଷ ଏହି ଦିନକୁ ‘କାରଗିଲ୍ ବିଜୟ ଦିବସ’ ଭାବରେ ପାଳନ କରାଯାଇଥାଏ। ଏହି ଅବସରରେ ରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ, ରକ୍ଷା ସଚିବ ଡା. ଅଜୟ କୁମାର, ସ୍ଥଳ ସେନାଧ୍ୟକ୍ଷ ଜେନେରାଲ୍ ମନୋଜ ପାଣ୍ଡେ, ନୌସେନା ଅଧ୍ୟକ୍ଷ ଆଡମିରାଲ୍ ଆର. ହରିକୁମାର ଏବଂ ବାୟୁସେନା ଅଧ୍ୟକ୍ଷ ଏୟାର ଚିଫ୍ ମାର୍ସଲ୍ ବି.ଆର. ଚୌଧୁରୀ ନୂଆ ଦିଲ୍ଲୀ ସ୍ଥିତ ଜାତୀୟ ଯୁଦ୍ଧ ସ୍ମାରକରେ ପୁଷ୍ପଗୁଚ୍ଛ ଅର୍ପଣ କରିଛନ୍ତି ଏବଂ 1999 ରେ ହୋଇଥିବା କାରଗିଲ୍ ଯୁଦ୍ଧରେ ଭାରତର ବିଜୟକୁ ସୁନିଶ୍ଚିତ କରିଥିବା ସେନା ନାୟକଙ୍କ ପ୍ରତି ନିଜର ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ଏହି ଅବସରରେ ରକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଣସୈନ୍ୟ ଓ ସୈନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ।
ଜାତୀୟ ଯୁଦ୍ଧ ସ୍ମାରକରେ ରଖା ଯାଇଥିବା ପରିଦର୍ଶକ ପୁସ୍ତକରେ ଲେଖା ଯାଇଥିବା ବାର୍ତ୍ତାରେ ଶ୍ରୀ ରାଜନାଥ ସିଂହ ଯୁଦ୍ଧ ସମୟରେ ସଶସ୍ତ୍ର ସେନାର ନାୟକଙ୍କ ଦ୍ବାରା ପ୍ରଦର୍ଶିତ ବୀରତା ଏବଂ ତାଙ୍କର ବଳିଦାନକୁ ମନେ ପକାଇଲେ, ଯାହାଙ୍କ ଦ୍ବାରା ଦେଶର ଏକତା ଏବଂ ଅଖଣ୍ଡତାକୁ ରକ୍ଷା କରାଯାଇପାରିଲା। ସେ ଲେଖିଛନ୍ତି ଯେ, ‘‘ଦେଶ ସଶସ୍ତ୍ର ସେନାଙ୍କ ଦ୍ବାରା ଦିଆ ଯାଇଥିବା ବଳିଦାନ ପାଇଁ ସର୍ବଦା ଋଣୀ ରହିବ। ତାଙ୍କର ସ୍ମୃତିକୁ ହୃଦୟରେ ରଖି ଆମେ ସମ୍ପୂର୍ଣ୍ଣ ଶକ୍ତି ସହିତ ଦେଶ ନିର୍ମାଣ ଦିଗରେ ଅଗ୍ରସର ହେବୁ।’’
ଏକ ଟ୍ବିଟରେ ରକ୍ଷା ମନ୍ତ୍ରୀ ଏହି ସାହସୀ ହିରୋମାନଙ୍କର ବୀରତା ଏବଂ ଅଦମ୍ୟ ସାହସର ମଧ୍ୟ ପ୍ରଶଂସା କରିଛନ୍ତି, ଯାହାକି ଭାରତର ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲେଖା ଯିବ।
କାରଗିଲ୍ ଯୁଦ୍ଧର ଏହି ସହୀଦଙ୍କ ସ୍ମୃତିରେ ଦ୍ରାସ ସ୍ଥିତ କାରଗିଲ୍ ଯୁଦ୍ଧ ସ୍ମାରକ ସମେତ ଦେଶବ୍ୟାପୀ ଅନେକ କାର୍ଯ୍ୟକ୍ରମ ଆୟୋଜିତ କରାଯାଉଛି। କାରଗିଲ୍ ଯୁଦ୍ଧ ସମୟରେ ଭାରତୀୟ ସେନାର ବୀର ଯବାନ ଭାରତୀୟ ବାୟୁ ସେନାଙ୍କ ସହାୟତାରେ ଦୁର୍ଗମ କ୍ଷେତ୍ର, ବହୁତ ଖରାପ ଜଳବାୟୁ ପରି ବିଷମ ପରିସ୍ଥିତିରେ ସେହି ଶତ୍ରୁ ଉପରେ ବିଜୟ ପ୍ରାପ୍ତ କରିଛନ୍ତି ଯିଏ ଉଚ୍ଚ ପାହାଡ଼କୁ କବ୍ଜା କରି ରଖିଥିଲେ।
BS
(Release ID: 1845098)
Visitor Counter : 171