ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ

ପେଟ୍ରୋଲରେ ୧୦ଶତାଂଶ ଇଥାନଲ ମିଶ୍ରଣ ଲକ୍ଷ୍ୟ ଭାରତ ଧାର୍ଯ୍ୟ ସମୟର ୫ମାସ ପୂର୍ବରୁ ପୂରଣ କଲା

Posted On: 05 JUN 2022 2:11PM by PIB Bhubaneshwar

ଭାରତ ସରକାର ପେଟ୍ରୋଲରେ ଇଥାନଲ ମିଶ୍ରଣ କାର୍ଯ୍ୟକୁ ପ୍ରୋତ୍ସାହିତ କରୁଛନ୍ତି । ଉର୍ଜା ନିରାପତ୍ତା ହାସଲ, ଇନ୍ଧନର ଆମଦାନୀ ହ୍ରାସ କରିବା, ବୈଦେଶିକ ବିନିମୟ ମୁଦ୍ରା ବଞ୍ଚାଇବା, ପରିବେଶ ସୁରକ୍ଷା ଏବଂ ସର୍ବୋପରି ଘରୋଇ କୃଷିକ୍ଷେତ୍ରକୁ ଲାଭବାନ କରିବାକୁ ସରକାର ଏହି ବ୍ଲେଡିଙ୍ଗ ବା ମିଶ୍ରଣ ନୀତିକୁ ଅଗ୍ରାଧିକାର ଦେଇ କାର୍ଯ୍ୟ କରୁଛନ୍ତି ।

ସେଥିପାଇଁ ଏକ ଜାତୀୟ ଜୈବ ଇନ୍ଧନ ନୀତି୨୦୧୮ରେ ପ୍ରସ୍ତୁତ କରାଯାଇ ଏ ଦିଗରେ କାର୍ଯ୍ୟ ଚାଲିଛି । ଏହି ନୀତି ଅନୁସାରେ ୨୦୩୦ ସୁଦ୍ଧା ଦେଶରେ ପେଟ୍ରୋଲରେ ୨୦ଶତାଂଶ ଇଥାନଲ ମିଶ୍ରଣର ଲକ୍ଷ୍ୟ ରଖାଯାଇଛି । ତେବେ ଊର୍ଜା ନିରାପତ୍ତା କ୍ଷେତ୍ରରେ କେନ୍ଦ୍ର ସରକାର ୨୦୧୪ରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାରୁ ଏହାର ଉତ୍ସାହଜନକ ଫଳାଫଳ ମିଳୁଛି । ସରକାରଙ୍କ ବିଭିନ୍ନ କାମ ଓ ହସ୍ତକ୍ଷେପ ଏ କ୍ଷେତ୍ରରେ ନୂଆ ଧାରା ସୃଷ୍ଟି କରିଛି । ତାହାକୁ ଦୃଷ୍ଟିରେ ରଖି ସରକାର ଏହି ୨୦% ବ୍ଲେଡିଂ ଲକ୍ଷ୍ୟକୁ ୨୦୩୦ ରୁ ୨୦୨୫-୨୬କୁ ହ୍ରାସ କରିଛନ୍ତି ।

୨୦୨୧ଜୁନ ମାସରେ ମାନ୍ୟବର ପ୍ରଧାନମନ୍ତ୍ରୀ ମଧ୍ୟ ୨୦୨୦-୨୫ପାଇଁ ଉଦ୍ଦିଷ୍ଟ ଇଥାନଲ ମିଶ୍ରଣ ସଂକ୍ରାନ୍ତ ଏକ ଯୋଜନା ଖସଡାକୁ ଉନ୍ମୋଚନ କରିଥିଲେ । ଏଥିରେ ୨୦% ଇଥାନଲ ବ୍ଲେଡିଂ ସମ୍ପର୍କରେ ସବିଶେଷ ନିର୍ଦ୍ଦେଶାବଳୀ ଓ ମାର୍ଗ ରହିଛି । ଏହି ଯୋଜନା ଖସଡାରେ ପେଟ୍ରୋଲରେ ୧୦ଶତାଂଶ ଇଥାନଲ ମିଶ୍ରଣ ୨୦୨୨ନଭେମ୍ବର ସୁଦ୍ଧା ହାସଲ କରିବାକୁ ଏକ ମଧ୍ୟବର୍ତ୍ତୀକାଳୀନ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ।

ତେବେ ସେ ଯାହେଉ ରାଷ୍ଟ୍ରାୟତ୍ତ ତୈଳ ବିପଣନକାରୀ କମ୍ପାନୀଗୁଡିକରେ ସମନ୍ୱିତ ଉଦ୍ୟମ ଯୋଗୁଁ ଏହି ୧୦% ବ୍ଲେଡିଂ ଲକ୍ଷ୍ୟ ଧାର୍ଯ୍ୟ ସମୟରୁ ଯଥେଷ୍ଟ ଆଗରୁ ପୂରଣ ହୋଇଛି । ବର୍ତ୍ତମାନ ସୁଦ୍ଧା  ଦେଶର ସବୁ ତୈଳ ବିପଣନକାରୀ କମ୍ପାନୀ ପେଟ୍ରୋଲରେ ହାରାହାରୀ ୧୦ଶତାଂଶ ଇଥାନଲ ମିଶ୍ରଣ କରିବାକୁ ସକ୍ଷମ ହୋଇଛନ୍ତି  ଏବଂ  କରୁଛନ୍ତି  ମଧ୍ୟ ।

ବିଗତ ଆଠବର୍ଷର ପ୍ରୟାସଲବ୍ଧ ଏହି ସଫଳତା ଦ୍ୱାରା ଭାରତର ଊର୍ଜା ନିରାପତ୍ତା କେବଳ ବଢିନାହିଁ, ଏହାଫଳରେ ଦେଶ, ୪୧, ୫୦୦କୋଟି ଟଙ୍କାର ବୈଦେଶିକ ବିନିମୟ ମୁଦ୍ରା ବଞ୍ଚାଇବାରେ ସଫଳ ହୋଇଛି । ତୈଳ ଆମଦାନୀ ହ୍ରାସ ପାଇବା ସହିତ ଏହି ସମୟରେ ଗ୍ରୀନ ହାଉସ ଗ୍ୟାସର ନିର୍ଗମନ ୨୭ଲକ୍ଷ ମେଟ୍ରିକ ଟନ୍ ହ୍ରାସ ପାଇଛି । ସେହିଭଳି ଆଖୁଚାଷୀମାନଙ୍କୁ ୪୦, ୬୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।

କେନ୍ଦ୍ର ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଉଥିବା ସମସ୍ତ ପ୍ରକାର ପ୍ରୟାସ ଫଳରେ ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମ ଠିକ୍ ବାଟରେ ଚାଲିଛି । ଏହାଫଳରେ ଧାର୍ଯ୍ୟ ସମୟ ୨୦୨୫-୨୬ ସୁଦ୍ଧା ଭାରତ ପେଟ୍ରୋଲରେ ୨୦% ଇଥାନଲ ମିଶ୍ରଣ ଲକ୍ଷ୍ୟ ଅଚିରେ ପୂରଣ କରିପାରିବ ।

ସୂଚନାଯୋଗ୍ୟ ଯେ, ଆଖୁରସରୁ ପ୍ରସ୍ତୁତ ସୂରାସାର ବା ଇଥାନଲ ଉତ୍ପାଦନକୁ ସରକାର ଏବେ ଉତ୍ସାହିତ କରୁଛନ୍ତି। ତେଣୁ ଚିନିକଳ ମାଲିକମାନେ ଚାଷୀଙ୍କ ଠାରୁ ଆଖୁ କିଣି ଇଥାନଲ ଉତ୍ପାଦନ କାମରେ ଅନବରତ ଲାଗିଛନ୍ତି ।

****

TKM/SLP



(Release ID: 1831389) Visitor Counter : 270