ବୟନ ଶିଳ୍ପ ମନ୍ତ୍ରଣାଳୟ

କଞ୍ଚା ଝୋଟ ଉପରେ ଥିବା ମୂଲ୍ୟ କଟକଣା ମେ ୨୦ରୁ ଉଠାଇବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି


ଏହି ନିଷ୍ପତ୍ତି ଫଳରେ ଚାଷୀ, ଚଟକଳ ଓ ଝୋଟ ବ୍ୟବହାରକାରୀ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥା ଉପକୃତ ହେବେ

ମୂଲ୍ୟ ହ୍ରାସ ଫଳରେ ଝୋଟରୁ ପ୍ରସ୍ତୁତ ସାମଗ୍ରୀର ରପ୍ତାନୀ ଉଦ୍ୟୋଗ ଲାଭବାନ ହେବ

ଝୋଟଜାତ ସାମଗ୍ରୀ ଉତ୍ପାଦନକାରୀ ଉଦ୍ୟୋଗର ମୋଟ କାରବାରର ରପ୍ତାନୀ ଭାଗ ୩୦%

Posted On: 19 MAY 2022 6:08PM by PIB Bhubaneshwar

କଞ୍ଚା ଝୋଟର ବଜାର ଚାହିଦା ଓ ସ୍ଥିତିକୁ ଭଲଭାବେ ଅନୁଧ୍ୟାନ କରିବା ପରେ କେନ୍ଦ୍ର ସରକାର ଏହା ଉପରେ ଥିବା ମୂଲ୍ୟ କଟକଣାକୁ ଚଳିତମାସ ୨୦ତାରିଖରୁ ଉଠାଇ ନେବାକୁ ନିଷ୍ପତ୍ତି ନେଇଛନ୍ତି । ଅତଏବ ଏହି ବ୍ୟବସ୍ଥା ଆସନ୍ତାକାଲିଠାରୁ କାର୍ଯ୍ୟକାରୀ ହେବ । କଞ୍ଚା ଝୋଟ ବ୍ୟବହାରକାରୀ ବିଭିନ୍ନ ମିଲ୍ ଓ ସଂସ୍ଥାଙ୍କ ପାଇଁ ସରକାରର ୨୦୨୧ ସେପ୍ଟେମ୍ବର ୩୦ତାରିଖରୁ ସର୍ବୋଚ୍ଚ ମୂଲ୍ୟ ନିର୍ଦ୍ଧାରଣ କରିଥିଲେ । ଏଥିରେ ଟିଡିଏସ୍ ୫ଗ୍ରେଡର କଞ୍ଚା ଝୋଟର କୁଇଣ୍ଟାଲ ପିଛା ମୂଲ୍ୟ ୬୫୦୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା । 

ଝୋଟ କମିଶନର ଦପ୍ତର ପକ୍ଷରୁ ଦେଶରେ ଝୋଟର ମୂଲ୍ୟ ସମ୍ପର୍କରେ ଉଭୟ ଆନୁଷ୍ଠାନିକ ଓ ଅଣଆନୁଷ୍ଠାନିକ ବ୍ୟବସ୍ଥାରେ ତଥ୍ୟ ସଂଗ୍ରହ କରାଯାଇଥିଲା । ଏହି ତଥ୍ୟରୁ ଜଣାପଡିଲା ଯେ ବର୍ତ୍ତମାନ ଯେଉଁ ମୂଲ୍ୟରେ ଝୋଟ ବିକ୍ରି ହେଉଛି ତାହା ସରକାରୀ ଧାର୍ଯ୍ୟ କରିଥିବା ମୂଲ୍ୟର ପ୍ରାୟ ପାଖାପାଖି । ତେଣୁ ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ଝୋଟର ସର୍ବୋଚ୍ଚ ମୂଲ୍ୟ ନିର୍ଦ୍ଧାରଣ ବ୍ୟବସ୍ଥାକୁ ଉଠାଇ ନେଇଛନ୍ତି । 

ଆଶା କରାଯାଉଛି ଯେ ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଚାଷୀ, ମିଲ୍ ଓ ଝୋଟ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗ ଉପକୃତ ହେବେ । ଝୋଟ ଉଦ୍ୟୋଗରେ ସାତଲକ୍ଷରୁ ଅଧିକ ଲୋକ କାମ କରୁଥିବାବେଳେ ପ୍ରାୟ ୪୦ଲକ୍ଷ ଚାଷୀ ଝୋଟ ଚାଷ କରୁଛନ୍ତି । ଝୋଟର ମୂଲ୍ୟ ହ୍ରାସ ଫଳରେ ଝୋଟରୁ ପ୍ରସ୍ତୁତ ସାମଗ୍ରୀ ରପ୍ତାନୀ ବାଣିଜ୍ୟ ବଢିବ ବୋଲି ଆଶା କରାଯାଉଛି । ଝୋଟରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଥିବା ଉଦ୍ୟୋଗର ମୋଟ କାରବାରର ପ୍ରାୟ ୩୦ ଶତାଂଶ ରପ୍ତାନୀ କରାଯାଇଥାଏ ।  

*****

TKM /SLP



(Release ID: 1826771) Visitor Counter : 130