ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କାମ୍ବୋଡିଆ ପ୍ରଧାନମନ୍ତ୍ରୀ ମହାମହିମ ସମଦେଚ ଅକ୍କା ମୋହା ସେନା ପଦଇ ତାକୋ ହୁନସେନଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆଭାସି ବୈଠକ

Posted On: 18 MAY 2022 8:40PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ କାମ୍ବୋଡିଆ ପ୍ରଧାନମନ୍ତ୍ରୀ ମହାମହିମ ସାମଦେକ ଅକ୍କା ମୋହାସେନା ପଦଇ ତାକୋ ହୁନସେନଙ୍କ ମଧ୍ୟରେ ଆଜି ଏକ ଆଭାସି ବୈଠକ ଅନୁଷ୍ଠିତ ହୋଇଛି । 

ଦୁଇ ନେତାଙ୍କ ମଧ୍ୟରେ ବାଣିଜ୍ୟ ଓ ନିବେଶ କ୍ଷେତ୍ରରେ ସହଯୋଗ, ମାନବ ସମ୍ବଳ ବିକାଶ, ପ୍ରତିରକ୍ଷା ଓ ସୁରକ୍ଷା, ବିକାଶ ସହଯୋଗ, ଯୋଗାଯୋଗ, ମହାମାରୀ ପରବର୍ତ୍ତୀ ଅର୍ଥନୈତିକ ସୁଧାର ଓ ଦୁଇ ଦେଶର ଲୋକଙ୍କ ମଧ୍ୟରେ ସୁସମ୍ପର୍କ ଭଳି ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଥିଲା । ସେମାନେ ଦ୍ୱିପାକ୍ଷିକ ସହଯୋଗର ଗତିରେ ସନ୍ତୋଷ ବ୍ୟକ୍ତ କରିଥିଲେ । 

ଭାରତ ସହ ସମ୍ପର୍କକୁ କାମ୍ବୋଡିଆ ବେଶ ଗୁରୁତ୍ୱ ପ୍ରଦାନ କରିଥାଏ ବୋଲି ପ୍ରଧାନମନ୍ତ୍ରୀ ହୁନସେନ ଜୋର ଦେଇଥିଲେ । ଏହି ଭାବନାକୁ ପ୍ରଧାନମନ୍ତ୍ରୀ ମୋଦୀ ସମ୍ମାନ ଦେବା ସହ ଭାରତର ଆକ୍ଟ ଇଷ୍ଟ ନୀତିରେ କାମ୍ବୋଡିଆର ଉପଯୋଗୀ ଭୂମିକା ତୁଲାଇବା ଉପରେ ଗୁରୁତ୍ୱାରୋପ କରିଥିଲେ । ଦୁଇ ନେତା ମେକଂଗ-ଗଙ୍ଗା ସହଯୋଗ ଯୋଜନା ଅନ୍ତର୍ଗତ ଦକ୍ଷତା ନିର୍ମାଣ କାର୍ଯ୍ୟକ୍ରମ ଓ ତ୍ୱରିତ ପ୍ରଭାବ ପ୍ରକଳ୍ପ ସହିତ ଦୁଇ ଦେଶ ମଧ୍ୟରେ ଦୃଢ ବିକାଶ ଭାଗିଦାରୀର ସମୀକ୍ଷା କରିଥିଲେ ।  

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦୁଇ ଦେଶ ମଧ୍ୟରେ ଥିବା ଐତିହାସିକ ଓ ସଭ୍ୟତାଗତ ଯୋଗାଯୋଗ ସମ୍ପର୍କରେ ଆଲୋକପାତ କରିବା ସହ ଅଙ୍ଗକୋର ଭାଟ ଓ ପ୍ରେହ ବିହାର ମନ୍ଦିରଗୁଡିକର ଜୀର୍ଣ୍ଣୋଦ୍ଧାରରେ ଭାଗିଦାର ହୋଇଥିବାରୁ ସନ୍ତୋଷ ବ୍ୟକ୍ତ କରିଥିଲେ । ଏହା ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ ଓ ଭାଷାଗତ ସମ୍ବନ୍ଧକୁ ଦର୍ଶାଇଥାଏ । 

କ୍ୱାଡ ଟିକା ଉପକ୍ରମ ଅନ୍ତର୍ଗତ ୩.୨୫ ଲକ୍ଷ ଭାରତରେ ପ୍ରସ୍ତୁତ କୋଭିଶିଲ୍ଡ ଟିକା କାମ୍ବୋଡିଆକୁ ଯୋଗାଇ ଥିବାରୁ ପ୍ରଧାନମନ୍ତ୍ରୀ ହୁନସେନ ଭାରତକୁ ଧନ୍ୟବାଦ ପ୍ରଦାନ କରିଥିଲେ । 

ଭାରତ ଓ କାମ୍ବୋଡିଆ କୂଟନୈତିକ ସମ୍ପର୍କ ପ୍ରତିଷ୍ଠାର ୭୦ତମ ବର୍ଷ ପୂର୍ତ୍ତି ସମାରୋହ ଚଳିତ ବର୍ଷ ପାଳନ ହୋଇଥିବାରୁ ଦୁଇ ନେତା ପରସ୍ପରକୁ ଶୁଭେଚ୍ଛା ଜଣାଇଥିଲେ । 

ସମାରୋହର ଅଂଶ ଭାବେ ପ୍ରଧାନମନ୍ତ୍ରୀ ମୋଦୀ କାମ୍ବୋଡିଆର ମହାମହିନ ରାଜା ଓ ରାଣୀଙ୍କୁ ପରସ୍ପରର ସୁବିଧାଜନକ ସମୟରେ ଭାରତ ଆସିବାକୁ ଆମନ୍ତ୍ରଣ ଜଣାଇଥିଲେ ।

ମିଳିତ ହିତ ଥିବା ବୈଶିକ ଓ ଆଞ୍ଚଳିକ ପ୍ରସଙ୍ଗ ଉପରେ ଦୁଇ ନେତା ପରସ୍ପରର ମତ ବିନିମୟ କରିଥିଲେ ।

ଆସିଆନ ଅଧ୍ୟକ୍ଷ ପଦ ଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ କାମ୍ବୋଡିଆକୁ ଶୁଭେଚ୍ଛା ଜଣାଇଥିଲେ ଓ ଅଧ୍ୟକ୍ଷ ଭାବେ ସଫଳ ହେବା ପାଇଁ କାମ୍ବୋଡିଆକୁ ଭାରତର ପୂର୍ଣ୍ଣ ସମର୍ଥନ ଓ ସହାୟତାର ଆଶ୍ୱାସନା ଦେଇଥିଲେ । 

 

SR


(Release ID: 1826530)