ରସାୟନ ଓ ସାର ମନ୍ତ୍ରଣାଳୟ

କେନ୍ଦ୍ରମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମର ଓ ସାର ଏବଂ ରସାୟନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବୀୟଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସମୂହର କୃଷିମନ୍ତ୍ରୀମାନଙ୍କର ବୈଠକରେ ଦେଶର ସାର ସ୍ଥିତିର ସମୀକ୍ଷା


ଦେଶରେ ସାରର ଉପଲବ୍ଧତା ଚାହିଦା ଠାରୁ ଯଥେଷ୍ଟ ଅଧିକ ରହିଛି; ତେଣୁ ଏଥିପାଇଁ ଛାନିଆଁ ହେବାର କୌଣସି କାରଣ ନାହିଁ: ଡକ୍ଟର ମନସୁଖ ମାଣ୍ଡବୀୟ

ସାରର ବେଆଇନ ମହଯୁଦ, କଳାବଜାରୀ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ବ୍ୟବହାରକୁ ରୋକିବାକୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ଡକ୍ଟର ମାଣ୍ଡବୀୟ

କୃଷି ଆମ ପାଇଁ ଏକ ଅଗ୍ରାଧିକାର କ୍ଷେତ୍ର ଏବଂ ଏଥି ନିମନ୍ତେ ସମସ୍ତ ସହାୟତା ଯୋଗାଇ ଦେବାକୁ ଆମେ ଅଙ୍ଗୀକୃତ: ଶ୍ରୀ ନରେନ୍ଦ୍ର ସିଂହ ତୋମର

୨୦୨୨ ଖରିଫ ଋତୁ ପାଇଁ ନ୍ୟୁଟ୍ରେଣ୍ଟଭିତ୍ତିକ ସବ୍‌ସିଡି (ଏନ୍‌ବିଏସ୍‌) ଆକାରରେ ୬୦, ୯୩୯ କୋଟି ୨୩ଲକ୍ଷ ଟଙ୍କାର ରିହାତି ଯୋଗାଇ ଦେବାକୁ କ୍ୟାବିନେଟ ବୈଠକରେ ପ୍ରସ୍ତାବ ଅନୁମୋଦିତ ହୋଇଛି; ବିଗତ ବର୍ଷ ତୁଳନାରେ ଏହି ସବ୍‌ସିଡି ପରିମାଣ ସାର ବସ୍ତା ପିଛା ୫୦ଶତାଂଶ ଅଧିକ

Posted On: 02 MAY 2022 6:01PM by PIB Bhubaneshwar

କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମର ଓ ସାର ଏବଂ ରସାୟନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବୀୟଙ୍କ ମିଳିତ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ କୃଷିମନ୍ତ୍ରୀମାନଙ୍କ ବୈଠକରେ ଦେଶରେ ସାରର ସ୍ଥିତିର ସମୀକ୍ଷା କରାଯାଇଛି । ଆଭାସୀ ବ୍ୟବସ୍ଥାରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଦେଶରେ ରାସାୟନିକ ସାର ଏବେ ଯଥେଷ୍ଟ ପରିମାଣରେ ମହଜୁଦ ଅଛି ଏବଂ ଏହା ଖରିଫ ଚାଷର ଚାହିଦାଠାରୁ ବହୁ ଅଧିକ । ତେଣୁ ସାରର ଅଭାବ ଘେନି ଛାନିଆଁ ହେବାର କୌଣସି କାରଣ ନାହିଁ ବୋଲି ବିଭାଗୀୟ ମନ୍ତ୍ରୀ ଏହି ସମୀକ୍ଷା ବୈଠକରେ ସୂଚନା ଦେଇଛନ୍ତି । 

ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୨୦୨୨ ଖରିଫ ଋତୁ ପାଇଁ ନୁଟ୍ରେଣ୍ଟଭିତ୍ତିକ ସବ୍‌ସିଡି ସ୍କିମ୍ (ଏନ୍‌ବିଏସ୍‌)ରେ ଚାଷୀମାନଙ୍କୁ ଫସ୍‌ଫେଟ ଓ ପୋଟାସିୟମ ଜାତୀୟ ସାର ରିହାତି ମୂଲ୍ୟରେ ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇ ଏକ ପ୍ରସ୍ତାବ ଅନୁମୋଦିତ ହୋଇଥିଲା । ୨୦୨୨ ଏପ୍ରିଲ ପହିଲାରୁ ୨୦୨୨ ସେପ୍ଟମ୍ବର ୩୦ତାରିଖ ପର୍ଯ୍ୟନ୍ତ ଚାଷୀଙ୍କୁ ରିହାତି ଦରରେ ଏସବୁ ସାର ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ଏ ବାବଦରେ ସରକାର ମୋଟ ୬୦,୯୩୯କୋଟି ୨୩ଲକ୍ଷ ଟଙ୍କା ସବ୍‌ସିଡି୍ ଦେବାକୁ କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଛି । ଏହି ସବ୍‌ସିଡି ଦେଶୀ ରାସାୟନିକ ସାର ପାଇଁ ମୁଖ୍ୟତଃ ପ୍ରଯୁଜ୍ୟ ଏବଂ ଏଥିରେ ପରିବହନ ଖର୍ଚ୍ଚ ମଧ୍ୟ ଅନ୍ତର୍ଭୁକ୍ତ । ଏହାଛଡା ଆମଦାନୀ ହେଉଥିବା ଡିଏପି ସାର ପାଇଁ ମଧ୍ୟ ସରକାରୀ ରିହାତି ଘୋଷଣା ଲାଗୁ କରାଯାଇଛି । 

ଏହି ଅବସରରେ ସାରମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବୀୟ କହିଛନ୍ତି ଯେ ସରକାରଙ୍କ ଆଗୁଆ ପଦକ୍ଷେପ ଫଳରେ ଦେଶରେ ଏବେ ୟୁରିଆ, ଡିଏସ୍‌ପି, ଏନ୍‌ପିକେ ସମେତ ଅନ୍ୟାନ୍ୟ ରାସାୟନିକ ସାରର ମହଜୁଦ୍ ସ୍ଥିତି ବେଶ୍ ଭଲ ଅଛି । ଏବେ ଖରିଫ ଚାଷ ପାଇଁ ଦେଶରେ ରାସାୟନିକ ସାରର ଯେଉଁ ଚାହିଦା ରହିଛି ତା’ଠାରୁ ଅଧିକ ପରିମାଣର ସାର ଉପଲବ୍ଧ । ବିଭିନ୍ନ ରାଜ୍ୟକୁ ମଧ୍ୟ ଚାହିଦା ଅନୁସାରେ ଏସବୁ ସାର ଯୋଗାଇ ଦିଆଯାଉଛି । ଚାଷୀମାନଙ୍କୁ ସାରର ଉପଲବ୍‌ଧତା ସମ୍ପର୍କରେ ନିର୍ଭୁଲ ତଥ୍ୟ ପ୍ରଦାନ କରିବାକୁ ସେ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ ଦେଶରେ ଏବେ ଖରିଫ ଚାଷ ପାଇଁ ଚାହିଦାଠାରୁ ଯଥେଷ୍ଟ ଅଧିକ ସାର ମହଜୁଦ ଥିବାରୁ ଏଥିନେଇ ଛାନିଆଁ ହେବାର କୌଣସି କାରଣ ନାହିଁ । ତେଣୁ ସାର ଅଭାବ ଘେନି ଅପପ୍ରଚାର ଓ ବିଭ୍ରାନ୍ତିକର ସମ୍ବାଦରୁ କ୍ଷାନ୍ତ ହେବାକୁ ସେ ପରାମର୍ଶ ଦେଇଛନ୍ତି ।

 ମନ୍ତ୍ରୀ ଆହୁରି କହିଛନ୍ତି ଯେ ସାରର ବେଆଇନ ମହଜୁଦ, କଳାବଜାରୀ, କୃତ୍ରିମ ଅଭାବ ଏବଂ ଅନ୍ୟାନ୍ୟ ଅଣକୃଷି କାମ ପାଇଁ ଏହାର ବ୍ୟବହାରକୁ ରୋକିବାକୁ ସରକାର ତତ୍ପର ଅଛନ୍ତି । ଏଭଳି ବେଆଇନ କାର୍ଯ୍ୟ ହେଲେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । 

ରାଜ୍ୟମାନେ ମଧ୍ୟ ନିଜ ନିଜର ଚାଷୀଙ୍କୁ ନାନୋ ୟୁରିଆ ବ୍ୟବହାର, ଜୈବିକ କୃଷି ଓ ବିକଳ୍ପ ଚାଷ ପଦ୍ଧତି ପାଇଁ ଉତ୍ସାହିତ କରିବାକୁ ସେ ପରାମର୍ଶ ଦେଇଛନ୍ତି । 

ଡକ୍ଟର ମାଣ୍ଡବୀୟ କହିଛନ୍ତି ଯେ ଡାଏ ଆମୋନିୟମ ଫସଫେଟ ବା ଡିଏପି ସାରର ଆନ୍ତର୍ଜାତିକ ମୂଲ୍ୟ ବଢିଛି ଏବଂ ଏହାର କଞ୍ଚାମାଲ ଦାମ ମଧ୍ୟ ବୃଦ୍ଧି ପାଇଛି । ଏହା ସତ୍ତ୍ୱେ ଚାଷୀ ଯେପରି ଶସ୍ତାରେ ଏସବୁ ସାର ପାଇବେ ସେଥିପାଇଁ ସରକାର ବର୍ଦ୍ଧିତ ମୂଲ୍ୟକୁ ବହନ କରୁଛନ୍ତି । ସେଥିପାଇଁ ରାସାୟନିକ ସାରା ଉପରେ ରିହାତି ପ୍ରଦାନ କରାଯାଉଛି । ଏବେ ଡିଏପି ସାରରେ ବସ୍ତା ପିଛା ସରକାର ୨୫୦୧ ଟଙ୍କା ରିହାତି ଦେଉଛନ୍ତି । ପୂର୍ବରୁ ଏହି ରିହାତି ପରିମାଣ ଥିଲା ୧୬୫୦ଟଙ୍କା । ତେଣୁ ଗତବର୍ଷ ଅପେକ୍ଷା ବସ୍ତା ପିଛା ସାର ମୂଲ୍ୟରେ ଦେଶର ସରକାର ୫୦ ଶତାଂଶ ରିହାତି ବଢାଇଛନ୍ତି । ଆନ୍ତର୍ଜାତିକ ବଜାରରେ ଡିଏପି ସାର ଓ ଏହାର କଞ୍ଚାମାଲର ମୂଲ୍ୟ ହାରାହାରି ୮୦ ଶତାଂଶ ବୃଦ୍ଧି ପାଇଥିଲେ ମଧ୍ୟ ସରକାର ରିହାତି ପ୍ରଦାନ କରି ଚାଷୀଙ୍କ ସ୍ୱାର୍ଥ ରକ୍ଷା କରୁଛନ୍ତି ।ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଚାଷୀ ଉପକୃତ ହେବେ ଓ କୃଷି କ୍ଷେତ୍ର ଲାଭବାନ ହେବ ବୋଲି ସେ କହିଛନ୍ତି । 

ସେ ଆହୁରି କହିଛନ୍ତି ଯେ ରାଜ୍ୟ ସରକାରମାନେ ନିଜ ନିଜ ପ୍ରଦେଶରେ ବିଭିନ୍ନ ସ୍ଥାନକୁ ସାର ପ୍ରେରଣ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଆବଶ୍ୟକ । ସାର ରେକ୍ ପହଞ୍ଚିବା ମାତ୍ରେ ସେସବୁକୁ ବିଭିନ୍ନ ଅଞ୍ଚଳକୁ ଚାହିଦା ଅନୁସାରେ ତୁରନ୍ତ ପଠାଇବାକୁ ସେ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହାଛଡା ସମବାୟ ସଂସ୍ଥା ମାଧ୍ୟବରେ ବିଭିନ୍ନ ଅଞ୍ଚଳକୁ ଚାହିଦା ଅନୁସାରେ ଆଗୁଆ ସାର ପଠାଇବାକୁ ସେ କହିଛନ୍ତି ।

ଦେଶରେ ରାସାୟନିକ ସାରର ସ୍ଥିତି ସମ୍ପର୍କରେ ଆଲୋଚନା କରିବା ଅବସରରେ କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମର କହିଲେ ଯେ କୃଷି କ୍ଷେତ୍ର ଦେଶର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର । ଏହା ବିପୁଳ ଜନତାଙ୍କୁ ନିଯୁକ୍ତି ଓ ରୋଜଗାରର ସୁଯୋଗ ଦେଉଛି ଏବଂ ଅଧିକାଂଶ ଲୋକଙ୍କର ଜୀବିକାର ମୁଖ୍ୟ ଉତ୍ସ । ସରକାର କୃଷି କ୍ଷେତ୍ରକୁ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ଏହା ଆମ ପାଇଁ ଏକ ଅଗ୍ରାଧିକାର କ୍ଷେତ୍ର। ପୁଞ୍ଜିନିବେଶଠାରୁ ଆରମ୍ଭ କରି କିଷାନ କ୍ରେଡିଟ୍ କାର୍ଡ, ବୀମା ଯୋଜନା, ବିଭିନ୍ନ ପ୍ରକାର ଫସଲ ଚାଷ ଓ ଉଦ୍ୟାନ କୃଷି ଆଦି ବିଭିନ୍ନ ବିଷୟରେ କାମ କରି ସରକାର କୃଷି କ୍ଷେତ୍ରକୁ ସୁଦୃଢ କରିବାକୁ ଉଦ୍ୟମ ଅବ୍ୟାହତ ରଖିଛନ୍ତି । କୃଷି ଉତ୍ପାଦନ କ୍ଷେତ୍ରରେ ଆମେ ସର୍ବଦା ଆଗରେ ରହିଛୁ ଏବଂ ଏବେ ବିଶ୍ୱରେ ନେତୃତ୍ୱ ସ୍ଥାନରେ ଅଛୁ । କୃଷି ଉତ୍ପାଦନରେ ସରେ ଏକ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ । ଆମର ଲକ୍ଷ୍ୟ ହେଲା ସାର ଆମଦାନୀକୁ ହ୍ରାସ କରି ଏ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆମେ ଆମ ଚାଷୀଙ୍କୁ ସୁଲଭ ମୂଲ୍ୟରେ ରାସାୟନିକ ସାର ଯୋଗାଇ ଦେବାକୁ ଅଙ୍ଗୀକୃତ ହୋଇ କାର୍ଯ୍ୟ କରୁଛୁ ବୋଲି ସେ କହିଥିଲେ ।

କୃଷିମନ୍ତ୍ରୀ ଆହୁରି କହିଥିଲେ ଯେ ସାରର ଆମଦାନୀ କମାଇ ଏଥିରେ ଆତ୍ମନିର୍ଭରୀ ହେବା ପାଇଁ ସମସ୍ତଙ୍କର ସହଯୋଗ ଲୋଡା ।ଆମ ଚାଷୀମାନେ ଅତି ଉଚ୍ଚମାନର କୃଷିଜାତ ସାମଗ୍ରୀ ଉତ୍ପାଦନ କରୁଛନ୍ତି ଏବଂ ଏହାର ରପ୍ତାନୀ ଚାହିଦା ବେଶ୍ ଭଲ । ଦେଶର କୃଷି କ୍ଷେତ୍ରର ଅଧିକ ଉନ୍ନତି ପାଇଁ ସରକାର ସବୁସ୍ତରରୁ ପ୍ରସ୍ତାବ ଆହ୍ୱାନ କରୁଛନ୍ତି । ଟେକ୍‌ନୋଲୋଜି ହେଉ ଅଥବା ଅନ୍ୟ କିଛି, ଚାଷୀ ଓ ଚାଷର ଉନ୍ନତ ପାଇଁ ଯାହା ଉଚିତ ତାହା କରିବାକୁ ସରକାର ପ୍ରସ୍ତୁତ । 

କେନ୍ଦ୍ର ସାର ସଚିବ ଶ୍ରୀ ଆର.କେ ଚତୁର୍ବେଦୀ ଏହି ବୈଠକରେ ଦେଶର ରାସାୟନିକ ସାରର ସ୍ଥିତି ସମ୍ପର୍କରେ ସବିଶେଷ ସୂଚନା ଦେଇଥିଲେ । ଏଥିରେ ସାରର ବ୍ୟବହାର, ଚାହିଦା, ଯୋଗାଣ, ଜାତୀୟ ଓ ଆନ୍ତର୍ଜାତିକ ମୂଲ୍ୟ, କଞ୍ଚାମାଲ ଓ ସବ୍‌ସିଡି ଏବଂ ଆମଦାନୀ ଆଦି ସମ୍ପର୍କରେ ଗତ ତିନିବର୍ଷର ତଥ୍ୟ ସେ ପ୍ରଦାନ କରିଥିଲେ । ଗତ ଦଶବର୍ଷ ମଧ୍ୟରେ ସରକାର ପ୍ରତି ବସ୍ତା ସାର ଉପରେ ଦେଉଥିବା ରିହାତି (ସବ୍‌ସିଡି)ର ଏକ ତୁଳନାତ୍ମକ ତଥ୍ୟ ମଧ୍ୟ ଏଥିରେ ସେ ଦେଇଥିଲେ । 

ବୈଠକରେ ଚଳିତ ଖରିଫ ଋତୁରେ ସାରର ଚାହିଦା, ମହଜୁଦ, ଯୋଗାଣଓ ମୂଲ୍ୟ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ନିଜର ଉପସଂହାର ବକ୍ତବ୍ୟରେ କେନ୍ଦ୍ର ସାରମନ୍ତ୍ରୀ କହିଥିଲେ ଯେ ମହାମାରୀ ପ୍ରଭାବରୁ ସାର ଓ ଏହାର କଞ୍ଚାମାଲର ଆନ୍ତର୍ଜାତିକ ମୂଲ୍ୟ ଯଥେଷ୍ଟ ବଢିଛି । ତେଣୁ ସରକାର ସାର ଉପରେ ଅଧିକ ସବ୍‌ସିଡି ଦେଇ ଏହାର ମୂଲ୍ୟ ସର୍ବନିମ୍ନ ସ୍ତରରେ ରଖିଛନ୍ତି । ଏହା ଫଳରେ ଆମ ଚାଷୀ ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ସେ କହିଥିଲେ ଯେ ଚଳିତବର୍ଷ ପ୍ରାୟ ୨. ୫ ଲକ୍ଷ କୋଟିର ସାର ସବ୍‌ସିଡି ଚାଷୀଙ୍କୁ ଯୋଗାଇ ଦିଆଯିବ । ତେଣୁ ସେହି ସାର ଯେପରି ଉପଯୁକ୍ତ ଭାବେ ଚାଷ କାର୍ଯ୍ୟରେ ବିନିଯୋଗ ହୁଏ ସେଥିପ୍ରତି ଆମକୁ ସତର୍କ ରହିିବାକୁ ପଡିବ । ସାରର କୃତ୍ରିମ ଅଭାବ ଓ ଯୋଗାଣ ବିଭ୍ରାଟକୁ ଏଡାଇବା ପାଇଁ ସେ ଜିଲ୍ଲାସ୍ତରୀୟ ସମନ୍ୱୟ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ । କଳାବଜାରୀ ଓ କୃତ୍ରିମ ଅଭାବକୁ ଦୃଢ ହସ୍ତରେ ଦମନ କରି ଚାଷୀଙ୍କୁ ସୁରକ୍ଷିତ ରଖିବାକୁ ସେ ରାଜ୍ୟମାନଙ୍କ ସହଯୋଗ କାମନା କରିଥିଲେ । ପୃଷ୍ଠଭୂମି: କେନ୍ଦ୍ର ସରକାର ରାସାୟନିକ ସାର ଉତ୍ପାଦକ / ଆମଦାନୀକାରୀଙ୍କ ମାଧ୍ୟମରେ ଚାଷୀଙ୍କୁ ୟୁରିଆ ଏବଂ ୨୫ଗ୍ରେଡମାନର ପି ଆଣ୍ଡ କେ ସାର ଉପରେ ରିହାତି ମୂଲ୍ୟରେ ଯୋଗାଇ ଦେଉଛନ୍ତି । ପିଆଣ୍ଡ କେ ସାର ଉପରେ ସବ୍‌ସିଡି ଏନବିଏମ୍ ସ୍କିମ୍‌ରେ ଚାଷୀଙ୍କୁ ୨୦୧୦ ଏପ୍ରିଲ ପହିଲାଠାରୁ ଯୋଗାଇ ଦିଆଯାଇଛି । ଏହି ଯୋଜନାଟି ଏକ ଚାଷୀ ସ୍ୱାର୍ଥ ରକ୍ଷାକାରୀ ବ୍ୟବସ୍ଥା । ଏହାଫଳରେ ଚାଷୀଙ୍କୁ ପ୍ରଚୁର ସବ୍‌ସିଡି ଦେଇ ସରକାର ସୁଲଭ ମୂଲ୍ୟରେ ସାର ଯୋଗାଉଛନ୍ତି ଏବଂ ଏଥିପାଇଁ ପ୍ରତିଶ୍ରୁତିବଦ୍ଧ ହୋଇ କାମ କରୁଛନ୍ତି । ଆନ୍ତର୍ଜାତିକ ବଜାରରେ ବିଭିନ୍ନ ସାର ଓ ଏହାର କଞ୍ଚାମାଲ ମୂଲ୍ୟ ଏବେ ବହୁତ ବଢିଛି । ଫଳରେ ୟୁରିଆ, ଡିଏପି, ଏମ୍‌ଓପି ଓ ସଲଫର ଆଦି ସାରର ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇଛି । ସରକାର ଏହି ବର୍ଦ୍ଧିତ ମୂଲ୍ୟକୁ ନିଜେ ବହନ କରି ସବ୍‌ସିଡି ମାଧ୍ୟମରେ ଚାଷୀଙ୍କୁ ସର୍ବନିମ୍ନ ମୂଲ୍ୟରେ ସାର ଯୋଗାଉଛନ୍ତି । 

ସାର ଉତ୍ପାଦନକାରୀ କମ୍ପାନୀମାନଙ୍କୁ ସରକାର ଅନୁସୃତ ନୀତି ଅନୁସାରେ ସବ୍‌ସିଡି ବାବଦ ଅର୍ଥ ପ୍ରଦାନ କରିବେ । ତେଣୁ ଚାଷୀଙ୍କୁ ଆଗୁଆ ସୁଲଭ ଓ ରିହାତି ମୂଲ୍ୟରେ ସାର ଯୋଗାଇ ଦେବାକୁ ସମ୍ପୃକ୍ତ ଉତ୍ପାଦନକାରୀ କମ୍ପାନୀମାନଙ୍କୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତଦନୁସାରେ ବଜାରକୁ ମଧ୍ୟ ସାର ଆସୁଛି ଓ ଚାଷୀଙ୍କ ପାଇଁ ଏହା ରିହାତି ମୂଲ୍ୟରେ ଉପଲବ୍ଧ ହେଉଛି ।

*****

TKM/SLP



(Release ID: 1822169) Visitor Counter : 146