କୋଇଲା ମନ୍ତ୍ରଣାଳୟ

କୋଇଲା ମନ୍ତ୍ରଣାଳୟର କ୍ୟାପଟିଭ କୋଇଲା ବ୍ଲକ ଉତ୍ପାଦନ ସମୀକ୍ଷା

Posted On: 12 APR 2022 12:23PM by PIB Bhubaneshwar

କୋଇଲା ମନ୍ତ୍ରଣାଳୟର ମନୋନୀତ କର୍ତ୍ତୃପକ୍ଷ କ୍ୟାପଟିଭ କୋଇଲା ବ୍ଲକ ନେଇଥିବା କୋଇଲା  ଉତ୍ପାଦନକାରୀଙ୍କୂ ଉତ୍ପାଦନର ସମୀକ୍ଷା କରିଛନ୍ତି । ଏହି କୋଇଲା ବ୍ଲକଗୁଡିକରୁ ୨୦୨୨-୨୩ ଆର୍ଥିକ ବର୍ଷରେ କୋଇଲା ଉତ୍ତୋଳନ ଆରମ୍ଭ ହେବ ।

ଏହି ସମୀକ୍ଷା ବୈଠକରେ କୋଇଲା ମନ୍ତ୍ରଣାଳୟର ସଚିବ ଡକ୍ଟର ଅନୀଲ କୁମାର ଜୈନ ଅଧ୍ୟକ୍ଷତା କରିଥିଲେ। ୨୦୨୦-୨୧ ଆର୍ଥିକ ବର୍ଷରେ ୬୩ ନିୟୁତ ଟନ୍ କୋଇଲା ଉତ୍ତୋଳନ ହୋଇଥିବା ସ୍ଥଳେ ୨୦୨୧-୨୨ ଆର୍ଥିକ ବର୍ଷରେ ୮୫ନିୟୁତ ମେଟ୍ରିକ ଟନ୍ କୋଇଲା ଉତ୍ତୋଳନ କରାଯାଇଛି । ଏହା ଗତବର୍ଷ ତୁଳନାରେ ୩୫ଶତାଂଶ ଅଧିକ ହୋଇଥିବାରୁ ସଚିବ ଏହାର ପ୍ରଶଂସା କରିଥିଲେ । ଘରୋଇ ବଜାରରେ କୋଇଲା ଚାହିଦା ଏବଂ ଯୋଗାଣ ମଧ୍ୟରେ ଥିବା ଦୂରତାକୁ ଏହା କମାଇବ ।

କୋଇଲା ଉତ୍ତୋଳନ କ୍ଷେତ୍ରରେ ମନ୍ତ୍ରଣାଳୟ ବିଭିନ୍ନ ଆଇନରେ ପରିବର୍ତ୍ତନ, କୋଇଲା କ୍ଷେତ୍ର ପାଇଁ ଉଦାରନୀତି, ରାଜ୍ୟ ସରକାରମାନଙ୍କ ସହିତ ନିୟମିତ ଆଲୋଚନା ମାଧ୍ୟମରେ କୋଇଲା ଖଣିଗୁଡିକୁ ସଚଳ କରିବା, ବିଭିନ୍ନ ବୈଧାନିକ ମଞ୍ଜୁରୀ ଦେବା ନିମନ୍ତେ ଏକ ପ୍ରକଳ୍ପ ପରିଚାଳନା ୟୁନିଟ୍‌ର ସ୍ଥାପନ ଆଦି ପଦକ୍ଷେପ ନେଇ ଥିବା ଯୋଗୁଁ କ୍ୟାପଟିଭ କୋଇଲା କ୍ଷେତ୍ରରୁ ଉତ୍ତୋଳନ ବୃଦ୍ଧି ପାଇଛି ଏବଂ ସୁଫଳ ମିଳିଛି ।

ବର୍ତ୍ତମାନ ୧୦୬ଟି କୋଇଲା ବ୍ଲକକୁ ବିଭିନ୍ନ କର୍ତ୍ତୃପକ୍ଷଙ୍କ ଆବଣ୍ଟନ କରାଯାଇଛି । ମନ୍ତ୍ରଣାଳୟ ଅଧୀନରେ ସି.ଏମ.ଏସ୍‌.ପି. ଆଇନ ୨୦୧୫ ଅନୁଯାୟୀ ୪୭ଟି କୋଇଲା ବ୍ଲକ ଖଣି ଖୋଲାଯିବାକୁ ଅନୁମତି ଦିଆଯାଇଛି। ଚଳିତ ୨୦୨୨-୨୩ ଆର୍ଥିକ ବର୍ଷରେ ଏହି ସଂଖ୍ୟା ୬୦କୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । କାର୍ଯ୍ୟକ୍ଷମ କୋଇଲା ବ୍ଲକଗୁଡିକର  ସର୍ବାଧିକ ବାର୍ଷିକ ଉତ୍ତୋଳନ କ୍ଷମତା ପ୍ରାୟ ୨୩୦ନିୟୁତ ଟନ୍ ରହିଛି । ତେବେ ୨୦୨୨-୨୩ ଆର୍ଥିକ ବର୍ଷରେ ଆଉ ୧୪୦ ନିୟୁତ ଟନ୍ ଅଧିକ ଉତ୍ତୋଳିତ ହୋଇ ପାରିବାର ଆଶା ରହିଛି । ଏହି ବର୍ଦ୍ଧିତ ଉତ୍ପାଦନ ଫଳରେ ଉଲ୍ଲେଖନୀୟ ଭାବରେ ତାପଜ ପ୍ରକଳ୍ପଗୁଡିକର କୋଇଲା ଆମଦାନୀ କମିବ ଏବଂ ବୈଦେଶିକ ମୁଦ୍ରା ସଞ୍ଚୟ କରି ହେବ ।

ଏହି ସମୀକ୍ଷା ବୈଠକର ଆଲୋଚନା ସମୟରେ ଡଃ ଅନୀଲ କୁମାର ଜୈନ କହିଛନ୍ତି ଯେ ବର୍ତ୍ତମାନ ଆମଦାନୀ ହେଉଥିବା କୋଇଲାର ମୂଲ୍ୟ ଅଧିକ ଥିବାରୁ ତଥା ଦେଶର ବିଦ୍ୟୁତ ଚାହିଦା ଅଧିକ ଥିବାରୁ କୋଇଲା ବ୍ଲକ  ବାଣ୍ଟିତ ହୋଇଥିବା ପକ୍ଷମାନଙ୍କ ପାଇଁ ଅଧିକ କୋଇଲା ଉତ୍ତୋଳନ ନିମିନ୍ତେ ସୁବର୍ଣ୍ଣ ସୁଯୋଗ ରହିଛି । କ୍ୟାପଟିଭ କୋଇଲା ବ୍ଲକରୁ ଉତ୍ତୋଳିତ ହେଉଥିବା ୫୦ଶତାଂଶ ପର୍ଯ୍ୟନ୍ତ ବିକ୍ରି କରିପାରିବାର ଅନୁମତି ଦିଆଯାଇଛି । ଏପରିକି ଉତ୍ତୋଳନର ସବା ଶେଷ ପର୍ଯ୍ୟାୟରେ ବ୍ୟବହାରକାରୀ କାରାଖାନାଗୁଡିକ କୋଇଲା ବ୍ୟବହାର ନ କରିଲେ  ମଧ୍ୟ ଉତ୍ପାଦନ ବ୍ୟାହତ ହେବ ନାହିଁ । ବାଣିଜ୍ୟିକ ଉଦ୍ଦେଶ୍ୟରେ ବର୍ତ୍ତମାନ  ନୂଆ କୋଇଲା ବ୍ଲକଗୁଡିକ ଉତ୍ସାହୀପକ୍ଷମାନଙ୍କୁ ବଣ୍ଟନ କରାଯାଉଛି । ଆସନ୍ତା ବର୍ଷକ ମଧ୍ୟରେ ଏଥିମଧ୍ୟରୁ କେତେକ ଉତ୍ପାଦନ ଆରମ୍ଭ ହେବ ବୋଲି ଡଃ ଜୈନ କହିଛନ୍ତି  ।

 

****

SSD / SLP



(Release ID: 1816169) Visitor Counter : 142