ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
azadi ka amrit mahotsav

ଭୁବନେଶ୍ୱରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ସବୁ ବିଭାଗର କାର୍ଯ୍ୟ ସମୀକ୍ଷା କଲେ ମନ୍ତ୍ରଣାଳୟ ସଚିବ ଶ୍ରୀ ଅପୂର୍ବ ଚନ୍ଦ୍ର


ଜନସାଧାରଣଙ୍କ ନିକଟତର ହେବା ଲାଗି ଅଭିନବ ଉପାୟରେ ସହଭାଗିତା ସୁନିଶ୍ଚିତ କରିବା ନିମନ୍ତେ ପରାମର୍ଶ ଦେଲେ ଶ୍ରୀ ଚନ୍ଦ୍ର

ସବୁ ଗଣମାଧ୍ୟମ ବିଭାଗରେ ଆଞ୍ଚଳିକ ଏବଂ ସ୍ଥାନୀୟ ବିଷୟବସ୍ତୁ ପ୍ରତି ଧ୍ୟାନ ଦିଆଯିବା ଉଚିତ୍‌ : ଶ୍ରୀ ଚନ୍ଦ୍ର

Posted On: 01 APR 2022 7:58PM by PIB Bhubaneshwar

ଭୁବନେଶ୍ୱର, ଏପ୍ରିଲ 1 : ଶୁକ୍ରବାର ଦିନ ଭୁବନେଶ୍ୱର ଠାରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଶ୍ରୀ ଅପୂର୍ବ ଚନ୍ଦ୍ର ମନ୍ତ୍ରଣାଳୟ ଅଧୀନ ସବୁ ବିଭାଗର ପରିଚାଳନା କାର୍ଯ୍ୟ  ସମୀକ୍ଷା କରିଛନ୍ତି । ଦୂରଦର୍ଶନ, ଆକାଶବାଣୀ, ଏନଏବିଏମ, ସିବିଏଫସି, ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟ ଏବଂ ପତ୍ର ସୂଚନା କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ସଚିବଙ୍କ ସହ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

 

ଏହି ଅବସରରେ ସେ କହିଛନ୍ତି ଯେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ସବୁ ଗଣମାଧ୍ୟମ ବିଭାଗଗୁଡ଼ିକ ସରକାରଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଏବଂ ଯୋଜନା ବିଷୟରେ ଅଧିକରୁ ଅଧିକ ପ୍ରଚାର କରିବା ଉପରେ ଧ୍ୟାନ ଦେବା ଉଚିତ୍‌ । ଜନ ଭାଗୀଦାରୀ ଆକୃଷ୍ଟ କରିବା ଲାଗି ଅଭିନବ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ବୋଲି ସଚିବ ଶ୍ରୀ ଚନ୍ଦ୍ର କହିଥିଲେ । ସ୍ଥାନୀୟ ଜନସାଧାରଣଙ୍କ ସହିତ ସହଜରେ ଯୋଡ଼ି ହେବା ଲାଗି ଆଞ୍ଚଳିକ ଏବଂ ସ୍ଥାନୀୟ ବିଷୟବସ୍ତୁ ପ୍ରସାରଣ କରିବା ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ସଚିବ ପରାମର୍ଶ ଦେଇଥିଲେ । ‘‘ଆଞ୍ଚଳିକ ବିଷୟବସ୍ତୁ ଉପରେ ଗୁରୁତ୍ବାରୋପ କରାଯିବା ଉଚିତ୍‌ । ଫଳରେ ସ୍ଥାନୀୟ ଲୋକମାନେ ଯୋଡ଼ି ହୋଇପାରିବେ ଏବଂ ଆପଣମାନେ ପ୍ରଭାବୀ ବାର୍ତ୍ତା ଦେବାରେ ସକ୍ଷମ ହୋଇପାରିବେ’’, ବୋଲି ସେ କହିଥିଲେ ।

ମାନବ ସମ୍ବଳ ପ୍ରସଙ୍ଗରେ ଆଲୋଚନା କରି ସେ କହିଥିଲେ ଯେ ଡିଜିଟାଲ ପ୍ରଯୁକ୍ତିର ଲାଭ ଉଠାଇ ବର୍ତ୍ତମାନ ଶ୍ରମ ଶକ୍ତିର ସର୍ବାଧିକ ଉପଯୋଗ କରାଯିବା ଉଚିତ୍‌ । ପ୍ରସାର ଭାରତୀ ଅଧୀନରେ ପରିଚାଳିତ ଆକାଶବାଣୀ ଏବଂ ଦୂରଦର୍ଶନ ମାଧ୍ୟମରେ ରାଜସ୍ବ ଉତ୍ପାଦନ ଉପରେ ସଚିବ ଜୋର ଦେଇଥିଲେ । ସେ କହିଥିଲେ ଯେ, ଏହି ଉଦ୍ଦେଶ୍ୟ ଲାଗି ଏକ ଅନୁକୂଳ ବିପଣନ ରଣନୀତି ବିକଶିତ କରାଯିବା ଆବଶ୍ୟକ । ପାଠକ/ଶ୍ରୋତାମାନଙ୍କୁ ଅଧିକ ମାତ୍ରାରେ ସାମିଲ କରୁଥିବା ପ୍ରଶ୍ନୋତ୍ତର ପ୍ରତିଯୋଗିତା ଭଳି ଅଭିନବ କାର୍ଯ୍ୟକ୍ରମ ଆୟୋଜନ ପାଇଁ ସେ ଆକାଶବାଣୀ ଓ ଦୂରଦର୍ଶନ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ମନ୍ତ୍ରଣାଳୟ ଅଧୀନରେ ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟ ଭଳି ବିଭିନ୍ନ ଗଣମାଧ୍ୟମ ୟୁନିଟ୍‌ ଦ୍ବାରା ଆୟୋଜନ କରାଯାଉଥିବା କାର୍ଯ୍ୟକ୍ରମର ପ୍ରଭାବ ଆକଳନ କରିବା ଲାଗି ଏକ ଉପଯୁକ୍ତ ମତାମତ ସଂଗ୍ରହ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି ସେ ଜୋର ଦେଇଥିଲେ । ସଚିବ ଶ୍ରୀ ଚନ୍ଦ୍ର କହିଥିଲେ ଯେ ଜନସାଧାରଣଙ୍କ ଉପରେ ବିଭିନ୍ନ ପ୍ରକାରର ଜନ ସମ୍ପର୍କ କାର୍ଯ୍ୟକ୍ରମର ପ୍ରଭାବ ଆକଳନ କରିବା ଲାଗି ପ୍ରୟାସ କରାଯିବା ଉଚିତ୍‌ । ଏହା ଉତ୍ତମ ଯୋଗାଯୋଗ ରଣନୀତି ବିକଶିତ କରିବା ପାଇଁ ମାର୍ଗ ପ୍ରଶସ୍ତ କରିବ ।

ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ବିଭିନ୍ନ ବିଭାଗର ପରିଚାଳନା କାର୍ଯ୍ୟକୁ ନେଇ ସଚିବ ସନ୍ତୋଷ ବ୍ୟକ୍ତ କରିଥିଲେ । ପରେ ସଚିବ ଶ୍ରୀ ଚନ୍ଦ୍ର ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ପରିଦର୍ଶନ କରିଥିଲେ ।

*****



(Release ID: 1812573) Visitor Counter : 201