ଅର୍ଥ ମନ୍ତ୍ରଣାଳୟ

ବଳକା ଜମିର ମୁଦ୍ରୀକରଣ କରିବା ଲାଗି ଏକ ସ୍ବତନ୍ତ୍ର ଉଦ୍ଦେଶ୍ୟ ବାହନ (ଏସପିଭି) ଆକାରରେ ଜାତୀୟ ଜମି ମୁଦ୍ରୀକରଣ ନିଗମ ଗଠନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

Posted On: 09 MAR 2022 1:33PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଜାତୀୟ ଜମି ମୁଦ୍ରୀକରଣ ନିଗମ (ଏନଏଲଏମସି) ଗଠନ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଭାରତ ସରକାରଙ୍କ ସମ୍ପୂର୍ଣ୍ଣ ମାଲିକାନା ଆଧାରିତ କମ୍ପାନୀ ଭାବେ ଏହାର ଗଠନ କରାଯିବ । ପ୍ରାରମ୍ଭରେ ଏହି ନିଗମରେ ୫୦୦୦ କୋଟି ଟଙ୍କାର ଅଧିକୃତ ପୁଞ୍ଜି ଅଂଶଧନ ଏବଂ ୧୫୦ କୋଟି ଟଙ୍କାର ପେଡ୍‌ - ଅପ୍‌ ଶେୟାର ରହିବ । କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ କ୍ଷେତ୍ର ଉଦ୍ୟୋଗ (ସିପିଏସଇ) ଏବଂ ଅନ୍ୟ ସରକାରୀ ସଂସ୍ଥାଗୁଡ଼ିକର ବଳକା ଜମି ଏବଂ ଅଟ୍ଟାଳିକା ସମ୍ପତ୍ତିର ମୁଦ୍ରୀକରଣକୁ ଏନଏଲଏମସି କାର୍ଯ୍ୟକାରୀ କରିବ । ୨୦୨୧-୨୨ ବଜେଟ ଘୋଷଣା ମୁତାବକ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି ।

ଅଣ-ପ୍ରମୁଖ ସମ୍ପତ୍ତିର ମୁଦ୍ରୀକରଣ ସହିତ, ସରକାର ଅବ୍ୟବହୃତ ଏବଂ କମ୍‌ ବ୍ୟବହୃତ ସମ୍ପତ୍ତିର ମୁଦ୍ରୀକରଣ ଜରିଆରେ ଯଥେଷ୍ଟ ପରିମାଣରେ ରାଜସ୍ବ ସଂଗ୍ରହଣ କରିବାରେ ସକ୍ଷମ ହୋଇପାରିବେ।

ବର୍ତ୍ତମାନ, ସିପିଏସଇଗୁଡ଼ିକରେ ଯଥେଷ୍ଟ ପରିମାଣରେ ବଳକା, ଅବ୍ୟବହୃତ ଏବଂ କମ୍‌ ବ୍ୟବହୃତ ଅଣପ୍ରମୁଖ ସମ୍ପତ୍ତି ଜମି ଏବଂ ଅଟ୍ଟାଳିକା ଆକାରରେ ରହିଛି । ଯେଉଁ ସିପିଏସଇଗୁଡ଼ିକର ରଣନୈତିକ ପୁଞ୍ଜି ପ୍ରତ୍ୟାହାର ହେଉଛି କିମ୍ବା ସେଗୁଡ଼ିକୁ ବନ୍ଦ କରି ଦିଆଯାଉଛି, ସେଥିରୁ ଆବଶ୍ୟକ ରାଜସ୍ବ ପ୍ରାପ୍ତି ନିମନ୍ତେ  ବଳକା ଜମି ଏବଂ ଅଣପ୍ରମୁଖ ସମ୍ପତ୍ତିଗୁଡ଼ିକର ମୁଦ୍ରୀକରଣ ଜରୁରି । ଏନଏଲଏମସି ଏସବୁ ସମ୍ପତ୍ତିକୁ ସମର୍ଥନ ଯୋଗାଇ ଦେବ ଏବଂ ମୁଦ୍ରୀକରଣ କାର୍ଯ୍ୟକାରୀ କରିବ । ଏହା ଘରୋଇ କ୍ଷେତ୍ରର ନିବେଶ, ନୂତନ ଆର୍ଥିକ କାର୍ଯ୍ୟକଳାପକୁ ପ୍ରେତ୍ସାହନ ଦେବା ସହିତ ସ୍ଥାନୀୟ ଅର୍ଥବ୍ୟବସ୍ଥାକୁ ବଢ଼ାଇବ ଏବଂ ଆର୍ଥିକ ଓ ସାମାଜିକ ଭିତ୍ତିଭୂମି ପାଇଁ ଆର୍ଥିକ ସମ୍ବଳ ସୃଷ୍ଟି କରିବା ଲାଗି ଏହିସବୁ ଅବ୍ୟବହୃତ ସମ୍ପତ୍ତିର ଲାଭଜନକ ଉପଯୋଗ ନିମନ୍ତେ ମାର୍ଗ ପ୍ରଶସ୍ତ କରିବ।

ରଣନୈତିକ ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟାରେ ରହିଥିବା ଏବଂ ବନ୍ଦ ହୋଇସାରିଥିବା ସିପିଏସଇ ସହିତ ସରକାରଙ୍କ ମାଲିକାନାରେ ଥିବା ସିପିଏସଇଗୁଡ଼ିକର ବଳକା ଜମି ଏବଂ ଅଟ୍ଟାଳିକା ପରିସମ୍ପତ୍ତିର ମାଲିକାନା ଏନଏଲଏମସି ହାସଲ କରିବ, ପରିଚାଳନା କରିବା ଏବଂ ମୁଦ୍ରୀକରଣ କରିବ । ଏହାଫଳରେ ସିପିଏସଇଗୁଡ଼ିକୁ ବନ୍ଦ କରିବାର ପ୍ରକ୍ରିୟା ତ୍ବରାନ୍ବିତ ହେବ ଏବଂ ସରକାରଙ୍କ ମାଲିକାନାରେ ଥିବା ସିପିଏସଇଗୁଡ଼ିକର ରଣନୈତିକ ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ଆହୁରି ସହଜ ହେବ। ଏସବୁ ପରିସମ୍ପତ୍ତିକୁ ଏନଏଲଏମସିର ମାଲିକାନାକୁ ହସ୍ତାନ୍ତର କରାଯାଇପାରିବ ଯାହାକି ଏଗୁଡ଼ିକର ପରିଚାଳନା ଓ ମୁଦ୍ରୀକରଣରେ ସକ୍ଷମ ହେବ। ଏନଏଲଏମସି ଅନ୍ୟ ସରକାରୀ କମ୍ପାନୀ (ସିପିଏସଇ ସମେତ)ଗୁଡ଼ିକୁ ପରାମର୍ଶ ଏବଂ ସହାୟତା ଯୋଗାଇ ଦେବ ଯାହାଫଳରେ ସେମାନେ ନିଜର ଅଣ-ପ୍ରମୁଖ ସମ୍ପତ୍ତିର ଦକ୍ଷତାପୂର୍ବକ ଚିହ୍ନଟ କରିପାରିବେ, ସେଗୁଡ଼ିକର ମୁଦ୍ରୀକରଣ କରିବା ସହିତ ସର୍ବାଧିକ ମୂଲ୍ୟ ପାଇପାରିବେ । ଏପରି ମାମଲାରେ (ଯଥା ବର୍ତ୍ତମାନର ସିପିଏସଇ ଏବଂ ରଣନୈତିକ ପୁଞ୍ଜି ପ୍ରତ୍ୟାହାର ଅଧୀନରେ ତାଲିକାଭୁକ୍ତ ସିପିଏସଇ), ଏନଏଲଏମସି ଏକ କାର୍ଯ୍ୟକାରୀ ଏଜେନ୍ସି ଭାବେ ବଳକା ଜମି ସମ୍ପତ୍ତିର ମୁଦ୍ରୀକରଣ କରିବ । ଆଶା କରାଯାଉଛି ଯେ ଏନଏଲଏମସି ଉନ୍ନତ ପଦ୍ଧତି ଆପଣାଇ ଜମି ମୁଦ୍ରୀକରଣ କରିବ ଏବଂ ସମ୍ପତ୍ତି ମୁଦ୍ରୀକରଣ କାର୍ଯ୍ୟକ୍ରମକୁ ଲାଗୁ କରିବାରେ ସରକାରଙ୍କୁ ସହାୟତା କରିବା ସହିତ ବୈଷୟିକ ପରାମର୍ଶ ମଧ୍ୟ ଦେବ ।

ସିପିଏସଇ ଏବଂ ଅନ୍ୟ ସରକାରୀ ଏଜେନ୍ସିଗୁଡ଼ିକ ପାଇଁ କାର୍ଯ୍ୟ କରିବା ସହିତ ଏନଏଲଏମସି ଜମି ସମ୍ପତ୍ତିର ପରିଚାଳନା ଏବଂ ମୁଦ୍ରୀକରଣ କରିବ ଏବଂ ଏହି କାର୍ଯ୍ୟ ପାଇଁ ନିଗମ ନିକଟରେ ଆବଶ୍ୟକ ବୈଷୟିକ ଦକ୍ଷତା ମଧ୍ୟ ରହିବ । ଏନଏଲଏମସିର ନିର୍ଦ୍ଦେଶକ ମଣ୍ଡଳୀରେ କେନ୍ଦ୍ର ସରକାରଙ୍କ ଅଧିକାରୀ ଏବଂ ପ୍ରମୁଖ ବିଶେଷଜ୍ଞମାନେ ରହିବେ ଯେଉଁମାନେ କମ୍ପାନୀର ଉନ୍ନତ ପରିଚାଳନା କରିପାରିବେ । ଏନଏଲଏମସିର ଅଧ୍ୟକ୍ଷ ଏବଂ ଅଣସରକାରୀ ନିର୍ଦ୍ଦେଶକମାନଙ୍କ ନିଯୁକ୍ତି ପ୍ରତିଭା ଆଧାରିତ ଚୟନ ପ୍ରକ୍ରିୟା ମାଧ୍ୟମରେ କରାଯିବ ।

ରିୟଲ ଇଷ୍ଟେଟ୍‌ ବଜାରରେ ସମ୍ପତ୍ତି ମୁଦ୍ରୀକରଣ ଲାଗି ବିଶେଷ କାର୍ଯ୍ୟଦକ୍ଷତା ଏବଂ ଉଦ୍ୟମିତା ଆବଶ୍ୟକ ହୋଇଥାଏ ଏବଂ ଏହା ଅଧୀନରେ ଗବେଷଣା, ଆଇନଗତ ଯାଞ୍ଚ, ମୂଲ୍ୟ ନିର୍ଦ୍ଧାରଣ, ମାଷ୍ଟର ପ୍ଲାନ ପ୍ରସ୍ତୁତି, ନିବେଶ ବ୍ୟାଙ୍କିଙ୍ଗ୍‌, ଜମି ପରିଚାଳନା ଆଦି ସାମିଲ ରହିଥାଏ ଘରୋଇ କ୍ଷେତ୍ର, ଜାତୀୟ ନିବେଶ ଭିତ୍ତିଭୂମି ପାଣ୍ଠି (ଏନଆଇଆଇଏଫ) ଏବଂ ଇନଭେଷ୍ଟ ଇଣ୍ଡିଆ ଭଳି ସରକାରୀ କମ୍ପାନୀରୁ ବିଶେଷଜ୍ଞମାନଙ୍କୁ ନିଯୁକ୍ତି ଦିଆଯିବ । ଏନଏଲଏମସି ପୂର୍ଣ୍ଣକାଳୀନ କର୍ମଚାରୀମାନଙ୍କ ସଂଖ୍ୟା ଦୃଷ୍ଟିରୁ ଏକ ଛୋଟ ସଂଗଠନ ହେବ ଏବଂ କର୍ମୀମାନଙ୍କୁ ସିଧାସଳଖ ଚୁକ୍ତି ଭିତ୍ତିରେ ନିଯୁକ୍ତି ଦିଆଯିବ । ଘରୋଇ କ୍ଷେତ୍ରର ଅଭିଜ୍ଞ ବିଶେଷଜ୍ଞମାନଙ୍କୁ ନିଯୁକ୍ତି ଦେବା, ଅର୍ଥ ପଇଠ କରିବା ଏବଂ ଦୀର୍ଘ ଅବଧି ପର୍ଯ୍ୟନ୍ତ ସେମାନଙ୍କର ସେବା ପାଇବାର ସୁବିଧା ଏନଏଲଏମସି ବୋର୍ଡ ନିକଟରେ ରହିବ ।

ଅର୍ଥ ମନ୍ତ୍ରଣାଳୟର ଲୋକ ଉଦ୍ୟୋଗ ବିଭାଗ ଏହି କମ୍ପାନୀର ଗଠନ କରିବ ଏବଂ ଏଥିପାଇଁ ପ୍ରଶାସନିକ ମନ୍ତ୍ରଣାଳୟ ଭାବେ କାର୍ଯ୍ୟ କରିବ ।

 

********

P.S.

 



(Release ID: 1804439) Visitor Counter : 168