ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
azadi ka amrit mahotsav

ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର କାର୍ଯ୍ୟକାରିତାକୁ କ୍ୟାବିନେଟ ମଞ୍ଜୁରି; ପାଞ୍ଚ ବର୍ଷରେ ଖର୍ଚ୍ଚ ହେବ ୧,୬୦୦ କୋଟି ଟଙ୍କା


ଟେଲି ମେଡ଼ିସିନ ଭଳି ଜ୍ଞାନକୌଶଳର ବ୍ୟବହାରକୁ ପ୍ରୋତ୍ସାହନ ଏବଂ ଜାତୀୟସ୍ତରରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବିକଳ୍ପ ଚୟନ (ପୋର୍ଟେବଲିଟି)କୁ ସକ୍ଷମ କରିବା ଜରିଆରେ ଉନ୍ନତ ସ୍ୱାସ୍ଥ୍ୟସେବାର ସମାନତାପୂର୍ଣ୍ଣ ଉପଲବ୍ଧତା ସୁନିଶ୍ଚିତ କରିବ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ

ନାଗରିକମାନେ ସେମାନଙ୍କର ଆଭା (ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଆକାଉଣ୍ଟ) ନମ୍ବର ତିଆରି କରିବାରେ ସକ୍ଷମ ହେବ, ଯେଉଁଥିରେ ସେମାନଙ୍କର ଡିଜିଟାଲ ସ୍ୱାସ୍ଥ୍ୟ ରେକର୍ଡ ଯୋଡ଼ା ଯାଇପାରିବ

प्रविष्टि तिथि: 26 FEB 2022 2:00PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର କେନ୍ଦ୍ରୀୟ କ୍ଷେତ୍ର ଯୋଜନା, ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ (ଏବିଡିଏମ)କୁ ଅନୁମୋଦନ କରିଛନ୍ତି । ଆସନ୍ତା ପାଞ୍ଚ ବର୍ଷ ଲାଗି ଏହି ଯୋଜନାରେ ୧୬୦୦ କୋଟି ଟଙ୍କା ବଜେଟ୍‌ ବ୍ୟୟବରାଦ କରାଯାଇଛି । ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (ଏନଏଚଏ), କାର୍ଯ୍ୟକାରୀ ଏଜେନ୍ସି ଭାବେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନକୁ କାର୍ଯ୍ୟକାରୀ କରିବ ।

ସ୍ୱାସ୍ଥ୍ୟ ଇକୋସିଷ୍ଟମରେ ଡିଜିଟାଲ ସ୍ୱାସ୍ଥ୍ୟ ସମାଧାନ ଗତ କିଛି ବର୍ଷ ମଧ୍ୟରେ ଅତ୍ୟଧିକ ଲାଭଜନକ ସାବ୍ୟସ୍ତ ହୋଇଛି । ସ୍ୱାସ୍ଥ୍ୟସେବା ଯୋଗାଣ କ୍ଷେତ୍ରରେ ପ୍ରଯୁକ୍ତି କିଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ତାହା କୋ-ୱିନ, ଆରୋଗ୍ୟ ସେତୁ ଏବଂ ଇ-ସଞ୍ଜିବନୀ ଭଳି ଯୋଜନା ଦ୍ଵାରା ପ୍ରମାଣିତ ହୋଇଛି । ତେବେ, ନିରନ୍ତର ସ୍ୱାସ୍ଥ୍ୟସେବା ଏବଂ ସମ୍ବଳର ପ୍ରଭାବୀ ଉପଯୋଗ ଲାଗି ଏପରି ସମାଧାନକୁ ଏକୀକୃତ କରିବାର ଆବଶ୍ୟକତା ରହିଛି ।

ଜନ-ଧନ, ଆଧାର ଏବଂ ମୋବାଇଲ (ଜେଏଏମ) ଟ୍ରିନିଟୀ ଏବଂ ସରକାରଙ୍କ ଅନ୍ୟ ଡିଜିଟାଲ ପଦକ୍ଷେପ ଉପରେ ଆଧାରିତ, ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ (ଏବିଡିଏମ) ବିସ୍ତୃତ ଡାଟା ବ୍ୟବସ୍ଥା, ସୂଚନା ଏବଂ ଭିତ୍ତିଭୂମି ସେବା ମାଧ୍ୟମରେ ଏକ ସହଜ ଅନଲାଇନ ପ୍ଲାଟଫର୍ମ ନିର୍ମାଣ କରୁଛି । ମୁକ୍ତ ଓ ପାରସ୍ପରିକ ପରିଚାଳନା ଯୋଗ୍ୟ ତଥା ମାନକ ଆଧାରିତ ଡିଜିଟାଲ ପ୍ରଣାଳୀର ବିଧିବଦ୍ଧ ଲାଭ ଉଠାଇ ସ୍ୱାସ୍ଥ୍ୟ ସଂକ୍ରାନ୍ତ ବ୍ୟକ୍ତିଗତ ସୂଚନାର ସୁରକ୍ଷା, ଗୋପନୀୟତା ଓ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ମଧ୍ୟ ସୁନିଶ୍ଚିତ କରୁଛି ।

ଏବିଡିଏମ ଅଧୀନରେ, ନାଗରିକମାନେ ନିଜର ଆଭା (ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଆକାଉଣ୍ଟ) ନମ୍ବର ପ୍ରସ୍ତୁତ କରିପାରିବେ, ଏହି ନମ୍ବର ସହିତ ସେମାନଙ୍କର ଡିଜିଟାଲ ସ୍ୱାସ୍ଥ୍ୟ ରେକର୍ଡ ଯୋଡ଼ା ଯାଇ ପାରିବ । ବିଭିନ୍ନ ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କ ପାଇଁ ଏହା ଲୋକମାନଙ୍କର ବିସ୍ତୃତ ସ୍ୱାସ୍ଥ୍ୟ ରେକର୍ଡ ପ୍ରସ୍ତୁତ କରିବାରେ ସହାୟକ ହେବ ଏବଂ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ଦ୍ଵାରା ନିଷ୍ପତ୍ତି ନେବାର ପ୍ରକ୍ରିୟାକୁ ଆହୁରି ଉନ୍ନତ କରିବ । ମିଶନ ଟେଲି ମେଡ଼ିସିନ ଭଳି ଜ୍ଞାନକୌଶଳର ଉପଯୋଗକୁ ପ୍ରୋତ୍ସାହିତ କରି ଏହା ସ୍ୱାସ୍ଥ୍ୟ ସେବାର ଜାତୀୟ ସ୍ତରରେ ବିକଳ୍ପ ଚୟନ (ପୋର୍ଟେବଲିଟି)କୁ ସକ୍ଷମ କରିବ । ଯାହାଫଳରେ ସ୍ୱାସ୍ଥ୍ୟ ସେବାର ସମାନତାପୂର୍ଣ୍ଣ ଉପଲବ୍ଧତାରେ ସୁଧାର ଆସିବ ।

ଆୟୁଷ୍ମାନ ଭାରତ ଡିଜିଟାଲ ମିଶନକୁ ପରୀକ୍ଷାମୂଳକ ଭାବେ ଛଅଟି କେନ୍ଦ୍ର ଶାସିତ ପ୍ରଦେଶ ଲଦାଖ, ଚଣ୍ଡିଗଡ଼, ଦାଦରା ଓ ନଗର ହାଭେଳୀ, ଡାମନ ଓ ଡିଉ, ପୁଡୁଚେରୀ, ଆଣ୍ଡାମାନ ଓ ନିକୋବାର ଦ୍ବୀପ ସମୂହ ଏବଂ ଲାକ୍ଷାଦ୍ବୀପରେ କାର୍ଯ୍ୟକାରୀ କରାଯାଇଛି । ଜାତୀୟ ସ୍ୱାସ୍ଥ୍ୟ ପ୍ରାଧୀକରଣ (ଏନଏଚଏ) ଦ୍ଵାରା ବିକଶିତ ପ୍ରଯୁକ୍ତି ପ୍ଲାଟଫର୍ମର ସଫଳ ପ୍ରଦର୍ଶନ ସହିତ ଏହା ସମ୍ପୂର୍ଣ୍ଣ ହୋଇଛି । ପରୀକ୍ଷାମୂଳକ ପ୍ରକଳ୍ପ ସମୟରେ, ଡିଜିଟାଲ ସ୍ୟାଣ୍ଡବକ୍ସ ପ୍ରସ୍ତୁତ କରାଯାଇଛି ଯେଉଁଥିରେ ୭୭୪ରୁ ଅଧିକ ଭାଗୀଦାର ସମାଧାନ ଏକୀକରଣ ପର୍ଯ୍ୟାୟ ଦେଇ ଅଗ୍ରସର ହେଉଛନ୍ତି। ୨୪ ଫେବୃଆରୀ ୨୦୨୨ ସୁଦ୍ଧା ୧୭,୩୩,୬୯,୦୮୭ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଆକାଉଣ୍ଟ ପ୍ରସ୍ତୁତ କରାଯାଇଛି । ଆୟୁଷ୍ମାନ ଭାରତ ଡିଜିଟାଲ ମିଶନରେ ୧୦ ହଜାର ୧୧୪ ଜଣ ଡାକ୍ତର ଏବଂ ୧୭ ହଜାର ୩୧୯ ସ୍ୱାସ୍ଥ୍ୟ ସୁବିଧା କେନ୍ଦ୍ର ପଞ୍ଜିକୃତ ହୋଇଛନ୍ତି ।

ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଉପାୟ ସଂକ୍ରାନ୍ତରେ କେବଳ ପ୍ରମାଣ ଆଧାରିତ ନିଷ୍ପତ୍ତି ନେବାର ସୁବିଧା ପ୍ରଦାନ କରିବ ନାହିଁ ବରଂ ଏହା ନବସୃଜନକୁ ପ୍ରୋତ୍ସାହନ ଦେବ ଏବଂ ସ୍ୱାସ୍ଥ୍ୟସେବା ଇକୋସିଷ୍ଟମରେ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ।

 

********

P.S.

 


(रिलीज़ आईडी: 1801475) आगंतुक पटल : 174
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Punjabi , Gujarati , Telugu , Kannada , Malayalam