କୋଇଲା ମନ୍ତ୍ରଣାଳୟ

ଏକକ ଇ-ଅକ୍ସନ ବ୍ୟବସ୍ଥାରେ କୋଇଲା କମ୍ପାନୀମାନେ ଏବେ କୋଇଲା ବିକିବେ: ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ


ଆଉ ରହିବନାହିଁ କ୍ଷେତ୍ରଭିତ୍ତିକ କୋଇଲା ଯୋଗାଣ ବ୍ୟବସ୍ଥା

Posted On: 26 FEB 2022 2:04PM by PIB Bhubaneshwar

ଅର୍ଥନୀତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟିର ବୈଠକ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ନିମ୍ନଲିଖିତ ପ୍ରସ୍ତାବମାନ ଅନୁମୋଦନ ଲାଭ କରିଛି ।

୧) ସିଂଗାରେଣୀ ଏବଂ ଅନ୍ୟ କୋଇଲା କମ୍ପାନୀଗୁଡିକ ଦ୍ୱାରା ସମସ୍ତ ଅଣ-ଲିଙ୍କେଜ କୋଇଲା ଯୋଗାଣ ସିଆଇଏଲର ଗୋଟିଏ ଇ-ଅକ୍ସନ୍ ଉଇଣ୍ଡୋ(ଏକକ ବାତାୟନ ଇ-ନିଲାମ) ଦ୍ୱାରା କରାଯିବ । ଶକ୍ତିକ୍ଷେତ୍ର, ଅଣନିୟନ୍ତ୍ରିତ କ୍ଷେତ୍ର ଓ ବ୍ୟବସାୟ ଆଦି କ୍ଷେତ୍ରକୁ କ୍ଷେତ୍ରଭିତ୍ତିରେ କୋଇଲା ଯୋଗାଇବାର ଯେଉଁ ବ୍ୟବସ୍ଥା ବର୍ତ୍ତମାନ ରହିଛି ତାହାର ଅବସାନ ଘଟିବ ଏବଂ ସବୁକ୍ଷେତ୍ରକୁ  ଏହି ଇ-ଅକ୍ସନ ମାଧ୍ୟମରେ କୋଇଲା ଯୋଗାଇ ସେସବୁର ଆବଶ୍ୟକତା ପୂରଣ କରାଯିବ ।

୨) ଉପରୋକ୍ତ ବ୍ୟବସ୍ଥା କୋଲଇଣ୍ଡିଆ ଲିମିଟେଡ/ ସିଂଗାରେଣୀ କୋଲିଆରି କମ୍ପାନୀ ଲିମିଟେଡର କୋଇଲା ଲିଙ୍କେଜ ଆବଶ୍ୟକତାକୁ ଦେଖି କାର୍ଯ୍ୟକାରୀ ହେବ । ଏବେ ଏହି କମ୍ପାନୀମାନେ ଲିଙ୍କେଜ ବ୍ୟବସ୍ଥାରେ ଚୁକ୍ତିବଦ୍ଧ ମୂଲ୍ୟରେ ଶକ୍ତି ଓ ଅଣଶକ୍ତି କ୍ଷେତ୍ରକୁ ଯେଉଁ କୋଇଲା ଯୋଗାଉଛନ୍ତି ତାହାକୁ ପ୍ରଥମ ପୂରଣ କରିବେ । ସେହି ଆବଶ୍ୟକତା ପୂରଣ କରିବା ପରେ ସମ୍ପୃକ୍ତ କମ୍ପାନୀଙ୍କ ପାଖରେ ଯଦି କୋଇଲା ଉପଲବ୍ଧ ହୁଏ, ତେବେ ସେମାନେ ଅଣ-ଲିଙ୍କେଜ ବ୍ୟବସ୍ଥାରେ ତାହାକୁ ଅନ୍ୟ ଶକ୍ତିକ୍ଷେତ୍ର ଓ ଅଣଶକ୍ତି କ୍ଷେତ୍ରର ଖାଉଟିଙ୍କୁ ଯୋଗାଇବେ ।

୩) ଏକକ ବାତାୟନ ଓ ସିଙ୍ଗଲ ଉଇଣ୍ଡୋ ଇ-ଅକ୍ସନ ମାଧ୍ୟମରେ ଯୋଗାଇ ଦିଆଯିବାକୁ ଥିବା କୋଇଲା କେଉଁ ମାଧ୍ୟମରେ ପରିବହନ କରାଯିବ ତାହା ନିର୍ଦ୍ଦିଷ୍ଟ ବା ସ୍ପଷ୍ଟ ନୁହେଁ । ତେବେ କ୍ରେତା ଏହି କୋଇଲା ରେଳ ପଥରେ ନେବାର ବିକଳ୍ପ ପାଇବେ । ଖାଉଟି ବିକ୍ରେତା ଚାହିଁଲେ ନିଜ ସୁବିଧା ଅନୁସାରେ ସଡକ କିମ୍ବା ଅନ୍ୟାନ୍ୟ ପଥରେ କୋଇଲା ନେଇପାରିବେ ଏବଂ ଏଥିପାଇଁ ସେମାନଙ୍କୁ କମ୍ପାନୀକୁ ଅତିରିକ୍ତ ଦେୟ କିମ୍ବା ଡିସକାଉଣ୍ଟ ଦେବାକୁ ପଡିବ ନାହିଁ ।

୪) ସିଆଇଏଲ ଏସ୍‌ସିସଏଲ୍‌ରେ ନିଜର କୋଇଲା ବାଷ୍ପୀକରଣ ପ୍ଳାଣ୍ଟକୁ କମ୍ପାନୀ ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟରେ ଦୀର୍ଘମିଆଦି ନୀତିରେ କୋଇଲା ଯୋଗାଇବାକୁ ଅନୁମତି ପାଇବେ । ତେବେ ଏ କ୍ଷେତ୍ରରେ ପ୍ରଥମ ସର୍ତ୍ତ ହେଲା ସେମାନେ ବର୍ତ୍ତମାନର କୋଲ ଲିଙ୍କେଜ ବ୍ୟବସ୍ଥାରେ ଯେଉଁ କୋଇଲା ଯୋଗାଉଛନ୍ତି ତାହାକୁ ଅବ୍ୟାହତ ରଖିବାକୁ ପଡିବ । ନିଜସ୍ୱ ବାଷ୍ପୀକରଣ ଫ୍ଲାଣ୍ଟକୁ କୋଇଲ ଯୋଗାଣ ଜନିତ ଟିକସ, ଶୁଳ୍କ ଓ ରୟାଲିଟି ଆଦିକୁ କମ୍ପାନୀକୁ ଦେବାକୁ ହେବ । ଏ କ୍ଷେତ୍ରରେ ଶକ୍ତି ଉତ୍ପାଦନ ପାଇଁ ଯୋଗାଇ ଦିଆଯାଉଥିବା କୋଇଲାର ଯେଉଁ ବିଜ୍ଞପିତ ମୂଲ୍ୟ ରହିଛି ସେହି ମୂଲ୍ୟ ଅନୁସାରେ ଟିକସ, ଶୁଳ୍କ ଓ ରାଜଭାଗ ନିର୍ଦ୍ଧାରିତ ହେବ ।

ନୂଆ ବ୍ୟବସ୍ଥାରେ ପ୍ରଭାବ:- ଇ-ଅକ୍ସନ ବ୍ୟବସ୍ଥା ଦ୍ୱାରା କୋଇଲା ବଜାରରେ ଥିବା ଅସଂଗତି ଦୂର ହେବ । ସବୁ ଶ୍ରେଣୀର ଖାଉଟିଙ୍କ ପାଇଁ ଏକପ୍ରକାର ମୂଲ୍ୟ ପ୍ରଚଳନର ବ୍ୟବସ୍ଥା ତିଆରି ହେବ । ଏହା ଦ୍ୱାରା କୋଇଲା କମ୍ପାନୀଗୁଡିକର ପରିଚାଳନା ଓ କାର୍ଯ୍ୟ ଦକ୍ଷତା ବଢିବ ଏବଂ ଘରୋଇ କୋଇଲାର ଚାହିଦା ବଢିବ । ଏବେ ବିଭିନ୍ନ କ୍ଷେତ୍ରର କୋଇଲା ଖାଉଟିଙ୍କୁ ଭିନ୍ନ ଭିନ୍ନ ଉପାୟରେ କୋଇଲା ଯୋଗାଣର ଯେଉଁ ନୀତି ପ୍ରଚଳିତ ଅଛି ନୂଆ ବ୍ୟବସ୍ଥାରେ ତାହାର ଅବସାନ ଘଟିବ ଏବଂ ସବୁ କ୍ଷେତ୍ର ପ୍ରତି ସମାନ ବ୍ୟବସ୍ଥା ଅବଲମ୍ବନ କରାଯିବ । ନୂଆ ବ୍ୟବସ୍ଥାରେ କୋଇଲା କମ୍ପାନୀମାନେ ନିଜସ୍ୱ ଖଣିରୁ ସଂଗୃହୀତ କୋଇଲା  ନିଜର କୋଇଲା ବାଷ୍ପୀକରଣ ପ୍ଲାଣ୍ଟକୁ ଯୋଗାଇପାରିବ । ଏହାଫଳରେ ସେମାନେ ନୂଆ ବାଷ୍ପୀକରଣ ପ୍ଲାଣ୍ଟ ସ୍ଥାପନ କରିବାକୁ ଆଗ୍ରହୀ ହେବେ। ନୂତନ ବ୍ୟବସ୍ଥା ଦେଶର ସ୍ୱଚ୍ଛ କୋଇଲା ପ୍ରଯୁକ୍ତି ବିକାଶରେ ସହାୟକ ହେବ ଏବଂ ସ୍ୱଚ୍ଛ ଇନ୍ଧନ ଉତ୍ପାଦନ ବଢିବ ।

ଇ-ଅକ୍ସନ ଦ୍ୱାରା ସମାନ ମୂଲ୍ୟରେ ସବୁ ଶ୍ରେଣୀର ଖାଉଟି କୋଇଲା କିଣିବାର ସୁବିଧା ପାଇବା ଦ୍ୱାରା ଘରୋଇ କୋଇଲାର ଚାହିଦା ବଢିବ । ଲୋକେ ଦେଶୀ କୋଇଲା କିଣିବାକୁ ଆଗ୍ରହୀ ହେବେ । ନିକଟ ଭବିଷ୍ୟତରେ କୋଲଇଣ୍ଡିଆ ଲିମିଟେଡ ଏକ ବୃହତାକାଂକ୍ଷୀ ଉତ୍ପାଦନନୀତି କାର୍ଯ୍ୟକାରୀ କରିବାକୁ ଯାଉଛି । ୨୦୨୩-୨୪ରେ ଏକ ବିଲିୟନ ଟନ୍ କୋଇଲା ଉତ୍ପାଦନ କରିବାକୁ ସିଆଇଏଲ ଲକ୍ଷ୍ୟ ରଖିଛି । ଅତଏବ  ଦେଶୀ କୋଇଲା ଭଲଦାମରେ ଅଧିକ ପରିମାଣରେ ମିଳିଲେ ବଜାର ସ୍ଥିର ରହିବ ଏବଂ କୋଇଲା ଆମଦାନୀ ହ୍ରାସ ପାଇବ । ଭାରତ କୋଇଲା କ୍ଷେତ୍ରରେ ଆତ୍ମନିର୍ଭର ହୋଇପାରିବ । ଏହି ପ୍ରକ୍ରିୟା ଦ୍ୱାରା କୋଇଲା ବାଷ୍ପୀକରଣ କାମ ତ୍ୱରାନ୍ୱିତ ହୋଇ ଦେଶରେ ସ୍ୱଚ୍ଛ ଇନ୍ଧନ ଉତ୍ପାଦନ ବଢିବ ଏବଂ ପରିବେଶ ସୁରକ୍ଷାରେ ଏହା ସହାୟକ ହେବ ।

ଆର୍ଥିକ ପ୍ରଭାବ:- ଇ-ଅକ୍ସନ ବ୍ୟବସ୍ଥାକୁ ଏକକ କରାଯିବ ।ଫଳରେ କୋଇଲା କମ୍ପାନୀଗୁଡିକୁ କୌଣସି ଅତିରିକ୍ତ ଖର୍ଚ୍ଚ ବହନ କରିବାକୁ ପଡିବ ନାହିଁ ।

ପୃଷ୍ଠଭୂମି:- ଦେଶର କୋଇଲା ବଜାର ବିଖଣ୍ଡିତ ଓ ବିିଭିନ୍ନ କ୍ଷେତ୍ରରେ ନିୟନ୍ତ୍ରିତ ହୋଇ ରହିବା ଫଳରେ ପ୍ରତ୍ୟେକ ବଜାରରେ ବିକ୍ରେତାମାନେ ଏକା ମାନର କୋଇଲାର ବିଭିନ୍ନ ପ୍ରକାର ମୂଲ୍ୟ ନିଜ ନିଜ ବଜାରରେ ନିର୍ଦ୍ଧାରଣ  କରି ତାହା ବିକୁଥିଲେ । କୋଇଲା କ୍ଷେତ୍ରରେ ଏହି ସଂସ୍କାର ଫଳରେ ପ୍ରତ୍ୟେକ ଗ୍ରେଡର କୋଇଲା ସମସ୍ତ ପ୍ରକାର ବଜାରରେ ସମାନ ମୂଲ୍ୟରେ ବିକ୍ରିହେବ । ଏହାଫଳରେ ‘ୱାନଗ୍ରେଡ, ୱାନ ରେଟ୍‌’ ବ୍ୟବସ୍ଥା  ସମ୍ଭବ ହୋଇପାରିବ । କୋଇଲା ପରିବହନରେ ରେଳବାଇକୁ ଡିଫିଲ୍ଡ ମୋଡ ଭାବେ ଗ୍ରହଣ କରାଯାଇଥିବାରୁ ଇ-ଅକ୍ସନ ଓ କୋଇଲା ପରିବହନରେ ସ୍ୱଚ୍ଛତା ଆସିବ । ଏକକ ଇ-ଅକ୍ସନ ଦ୍ୱାରା କୋଇଲା କମ୍ପାନୀମାନେ ବଜାର ଦ୍ୱାରା ନିର୍ଣ୍ଣିତ ମୂଲ୍ୟରେ କୋଇଲା ବିକିବାକୁ ସମର୍ଥ ହେବେ । ଏହାଦ୍ୱାରା ସବୁ ବର୍ଗର ଉପଭୋକ୍ତାଙ୍କୁ ଲାଭ ମିଳିବ  । ଏବେ ପାରମ୍ପରିକ କୋଇଲା ଉତ୍ତୋଳନ, ବିକ୍ରିବଟା ଓ ବ୍ୟବହାର ଆଉ ଯୁଗଉପେଯାଗୀ ହୋଇନାହିଁ । ନୂଆ ଟେକ୍ନୋଲୋଜି ଏହି କ୍ଷେତ୍ରରେ ପରିବର୍ତ୍ତନ ଆଣିଛି । କୋଇଲାରୁ  ପ୍ରଦୂଷଣମୁକ୍ତ  ଓ ସ୍ୱଚ୍ଛ ଇନ୍ଧନ ପ୍ରସ୍ତୁତ କରି ତାହାର ବହୁଳ ବ୍ୟବହାର କରିବାର ଆବଶ୍ୟକତା ପହଞ୍ଚିଛି ।  କୋଇଲା ଗ୍ୟାସିଫିକେସନ ପ୍ଳାଣ୍ଟ ସ୍ଥାପନ କରି କୋଇଲା  କମ୍ପାନୀମାନେ ସ୍ୱଚ୍ଛ ଇନ୍ଧନ ଶସ୍ତାରେ ଉତ୍ପାଦନ କରିପାରିବେ ଏବଂ ଏହା ଦ୍ୱାରା ପରିବେଶ ସହିତ ଖାଉଟିଙ୍କୁ ଲାଭ ମିଳିବ ।

****

TM



(Release ID: 1801456) Visitor Counter : 162