ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ
azadi ka amrit mahotsav

କର୍ମଚାରୀ ରାଜ୍ୟ ବୀମା ନିଗମ ପକ୍ଷରୁ ଟିକା ନେଇ ନ ଥିବା ଜନସାଧାରଣଙ୍କ ମଧ୍ୟରେ କୋଭିଡ-୧୯ ଟିକାକରଣ ଅଭିଯାନ ତ୍ୱରାନ୍ୱିତ


କୋଭିଡ-୧୯ ସହାୟତା ଯୋଜନା ଅଧୀନରେ ଏପର୍ଯ୍ୟନ୍ତ ୧୨, ୩୦୯ ହିତାଧିକାରୀଙ୍କ ମଧ୍ୟରେ ୩୪କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର ସହାୟତା ବଣ୍ଟାଯାଇଛି

ଉନ୍ନତ ଓ ତ୍ୱରିତ ଡାକ୍ତରୀ ସେବା ନିୟମିତ ଯୋଗାଇ ଦେବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସମସ୍ତ କୋଭିଡ ମାର୍ଗଦର୍ଶିକାକୁ ପାଳନ କରୁଛନ୍ତି କର୍ମଚାରୀ ରାଜ୍ୟ ବୀମା(ଇଏସ୍‌ଆଇସି) ହସ୍‌ପିଟାଲ

Posted On: 15 FEB 2022 7:24PM by PIB Bhubaneshwar

ଦେଶରେ ଟିକା ନ ନେଇଥିବା ଜନସାଧାରଣଙ୍କୁ କୋଭିଡ-୧୯ ଟିକା ପ୍ରଦାନ ନିମନ୍ତେ କର୍ମଚାରୀ ରାଜ୍ୟ ବୀମା ନିଗମ ଏହାର ସମସ୍ତ ଇଏସ୍‌ଆଇସି / ଇଏସଆଇଏସ ହସ୍‌ପିଟାଲ, ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକ ଓ ଆବଶ୍ୟକ ସ୍ଥଳେ ସ୍ୱତନ୍ତ୍ର ଶିବିର ଜରିଆରେ ଟିକା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛି । 

କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ କୋଭିଡ-୧୯ ସହାୟତା ଯୋଜନା ମଧ୍ୟ ଆରମ୍ଭ କରାଯାଇଛି । କରୋନା ଭୂତାଣୁ ଦ୍ୱାରା ପ୍ରାଣ ହରାଉଥିବା ବୀମାଭୁକ୍ତ ପରିବାର ସଦସ୍ୟଙ୍କୁ ମଧ୍ୟ ସହାୟତା ରାଶି ପ୍ରଦାନ କରାଯାଉଛି । 

ଏହି ଯୋଜନା ଅଧୀନରେ କୋଭିଡ ଯୋଗୁଁ ପ୍ରାଣ ହରାଉଥିବା ବୀମାଭୁକ୍ତ ବ୍ୟକ୍ତିଙ୍କ ହକ୍‌ଦାର ଉତ୍ତରାଧିକାରୀଙ୍କୁ ହାରାହାରି ବେତନର ଶତକଡା ୯୦ଭାଗ ଅର୍ଥ ପ୍ରଦାନ କରାଯାଉଛି । ମୃତ ବ୍ୟକ୍ତିଙ୍କ ପତି ବା ପତ୍ନୀ ସର୍ବମୋଟ ୧୨୦ ଟଙ୍କା ଜମା କରି ବର୍ଷକ ନିମନ୍ତେ ସ୍ୱାସ୍ଥ୍ୟସେବା ମଧ୍ୟ ପାଇପାରିବେ । ହିତାଧିକାରୀମାନେ ସେମାନଙ୍କ ନାଯ୍ୟ ମାସିକ ଅବସରକାଳୀନ ଭତା ମଧ୍ୟ ପାଇପାରିବେ ।

ଏହି ଯୋଜନା ୨୩.୩.୨୦୨୨ ପର୍ଯ୍ୟନ୍ତ ବଳବତ୍ତର ରହିଥିଲେ ମଧ୍ୟ ସମସ୍ତ ବର୍ତମାନର ହିତାଧିକାରୀ ମଧ୍ୟ ସେମାନଙ୍କ ସୁବିଧା ପାଇପାରିବେ । କ୍ଷେତ୍ରୀୟ ଏକାଂଶଗୁଡିକ ଠାରୁ ତଥ୍ୟ ପାଇବା ପରେ ଯୋଜନାର ସମୀକ୍ଷା କରାଯିବ ।

କୋଭିଡ-୧୯ ସହାୟତା ଯୋଜନାରେ ଏପର୍ଯ୍ୟନ୍ତ ଇଏସଆଇସି ୫, ୧୪୧ଟି ଦାବିର ସମାଧାନ କରିଛି । ଏଥିସହ ୧୨ହଜାର ୩୦୯ ହିତାଧିକାରୀଙ୍କ ନିକଟ ସମ୍ପର୍କୀୟଙ୍କୁ ୩୪କୋଟି ୧୫ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛି ।

ଏହାଛଡା କୋଭିଡ ମହାମାରୀ ପୁର୍ନପ୍ରକାଶ ପରବର୍ତ୍ତୀ ଆହ୍ୱାନର ମୁକାବିଲା ନିମନ୍ତେ ଇଏସଆଇସି ଏହାର ହିତାଧିକାରୀ ଓ ଜନସାଧାରଣଙ୍କ ନିମନ୍ତେ ମଧ୍ୟ କେତେକ ପଦକ୍ଷେପ ନେଇଛି । ଇଏସଆଇସି ହସ୍‌ପିଟାଲର ଶତକଡା ୨୦ଭାଗ ଶଯ୍ୟାକୁାକେବଳ କୋଭିଡ ନିମନ୍ତେ ସଂରକ୍ଷିତ ରଖାଯାଇଥିବାବେଳେ ସ୍ଥାନୀୟ ଆବଶ୍ୟକତା ଅନୁସାରେ କେବଳ କୋଭିଡ ଚିକିତ୍ସା ପାଇଁ ଏହାର ସଂଖ୍ୟା ମଧ୍ୟ ବୃଦ୍ଧି କରିବାର ବ୍ୟବସ୍ଥା ରହିଛି । 

କୋଭିଡ ଦ୍ୱିତୀୟ ଲହର କାଳରେ ୩୩ଟି ଇଏସଆଇସିର ୪୫୦୦ଶଯ୍ୟା , ୪୦୦ ଭେଣ୍ଟିଲେଟର ସହିତ କୋଭିଡ ଚିକିତ୍ସା ପାଇଁ ରଖାଯାଇଥିଲା । ରାଜ୍ୟ ବା ସ୍ଥାନୀୟ କର୍ତ୍ତୃପକ୍ଷ ଆବଶ୍ୟକ କଲେ ଇଏସଆଇସି ଏହାର ୫୦ଟି ହସ୍‌ପିଟାଲକୁ ସର୍ବସାଧାରଣଙ୍କ ଚିକିତ୍ସା ପାଇଁ ଉତ୍ସର୍ଗୀକୃତ କୋଭିଡ ହସ୍‌ପିଟାଲରେ ପରିଣତ କରିବାକୁ ପ୍ରସ୍ତୁତ ଅଛି । 

ଆଇସିଏମଆର ଅନୁମୋଦିତ ଆରଟି-ପିସିଆର ପରୀକ୍ଷାଗାର ଦେଶର ସାତଟି ଇଏସଆଇସି ହସ୍‌ପିଟାଲରେ କାର୍ଯ୍ୟ କରୁଛି । ସେଗୁଡିକ ହେଲା ହରିୟାଣାର ଫରିଦାବାଦସ୍ଥିତ ଇଏସଆଇସି ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲ, ତେଲଙ୍ଗାନାର ହାଇଦ୍ରାବାଦ ସ୍ଥିତ ସନ୍ଥନଗର, ବେଙ୍ଗାଲୁରର ରାଜାଜୀନଗର, ପଶ୍ଚିମବଙ୍ଗର ଜୋକା, କର୍ଣ୍ଣାଟକର ଗୁଲବର୍ମା, ତାମିଲନାଡୁ(ଚେନ୍ନାଇ)ର କେ. କେ. ନଗର ଏବଂ ଇଏସ୍‌ଆଇସି-ପିଜିଆଇଏମଏସଆର, ବସେଧାରାପୁର ଓ ଇଏସଆଇସି ଏଚ ଓଖଲା, ଦ୍ୱିତୀୟ ଲହର କାଳରେ ୩୩ଟି ଇଏସଆଇସି ଓ ୨୦ଟି ଇଏସଆଇଏସ୍ ହସପିଟାଲ ଆଇପିଡି କୋଭିଡ ସୁବିଧା ଯୋଗାଇଥିଲେ ।

ଉନ୍ନତ ଓ ସମୟ ଉପଯୋଗୀ ସ୍ୱାସ୍ଥ୍ୟସେବା ପ୍ରଦାନ ଦୃଷ୍ଟିରୁ ଇଏସଆଇସି ହସ୍‌ପିଟାଲଗୁଡିକ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଜାରି ସର୍ବଶେଷ କୋଭିଡ ମାର୍ଗଦର୍ଶିକାର ଉପଯୋଗ କରୁଛନ୍ତି । ଇଏସଆଇସି ମୁଖ୍ୟାଳୟ ପକ୍ଷରୁ ତ୍ୱରାନ୍ୱିତ ହେଉଥିବା ପଦକ୍ଷେପଗୁଡିକର ସମୀକ୍ଷା ଭିଡିଓ କନ୍‌ଫରେନ୍ସି ଜରିଆରେ ଦେଶବ୍ୟାପୀ କରାଯାଉଛି ।

*****

SM / SLP

                                                


(Release ID: 1798635) Visitor Counter : 134