ନିର୍ବାଚନ ଆୟୋଗ

ଜାନୁଆରୀ ୩୧, ୨୦୨୨ ପର୍ଯ୍ୟନ୍ତ ଜନ ସମାବେଶ ଓ ରୋଡ୍‌ ଶୋ’ ଉପରେ କଟକଣା ବଢ଼ାଇଲେ ନିର୍ବାଚନ ଆୟୋଗ


ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ପାଇଁ ଜାନୁଆରୀ ୨୮, ୨୦୨୨ ଠାରୁ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ପାଇଁ ଫେବୃଆରୀ ୧, ୨୦୨୨ ଠାରୁ ଜନସଭା କରିବା ଲାଗି ଅନୁମତି ମିଳିବ

ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କରିବା ଲାଗି ସର୍ବାଧିକ ୫ ଜଣ ପରିବର୍ତ୍ତେ ୧୦ ଜଣ ବ୍ୟକ୍ତି ଭାଗ ନେଇପାରିବେ

କୋଭିଡ କଟକଣା ସହିତ ପୂର୍ବ ନିର୍ଦ୍ଧାରିତ ଖୋଲା ସ୍ଥାନରେ ପ୍ରଚାର ପାଇଁ ଭିଡିଓ ଭ୍ୟାନ ରଖିବାକୁ ଅନୁମତି ମିଳିବ

Posted On: 22 JAN 2022 6:51PM by PIB Bhubaneshwar


ଭାରତୀୟ ନିର୍ବାଚନ ଆୟୋଗ ଏବଂ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମଧ୍ୟରେ ଏକ ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା। ବିଧାନସଭା ନିର୍ବାଚନ ହେବାକୁ ପାଞ୍ଚଟି ରାଜ୍ୟ ଗୋଆ, ମଣିପୁର, ପଞ୍ଜାବ, ଉତ୍ତରାଖଣ୍ଡ ଓ ଉତ୍ତର ପ୍ରଦେଶର ମୁଖ୍ୟ ଶାସନ ସଚିବ, ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ସ୍ୱାସ୍ଥ୍ୟ ସଚିବମାନଙ୍କ ସହିତ ମଧ୍ୟ ଆୟୋଗ ଏକ ଭର୍ଚୁଆଲ ବୈଠକ ଆୟୋଜନ କରିଥିଲେ।

ମୁଖ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ସୁଶୀଲ ଚନ୍ଦ୍ରାଙ୍କ ସମେତ ନିର୍ବାଚନ ଆୟୁକ୍ତ ଶ୍ରୀ ରାଜୀବ କୁମାର ଏବଂ ଶ୍ରୀ ଅନୁପ ଚନ୍ଦ୍ର ପାଣ୍ଡେଙ୍କ ସହିତ ମହାସଚିବ ଏବଂ ସମ୍ପୃକ୍ତ ଉପ ନିର୍ବାଚନ ଆୟୁକ୍ତମାନେ ଏହି ସମୀକ୍ଷା ବୈଠକରେ ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ମୁଖ୍ୟତଃ ଦେଶରେ ବର୍ତ୍ତମାନର କୋଭିଡ ମହାମାରୀ ସ୍ଥିତି ଏବଂ ନିର୍ବାଚନ ହେବାକୁ ଥିବା ପାଞ୍ଚଟି ରାଜ୍ୟରେ କୋଭିଡ ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଟିକାକରଣ ସ୍ଥିତି ଏବଂ ଯୋଗ୍ୟ ହିତାଧିକାରୀମାନଙ୍କୁ ପ୍ରଥମ, ଦ୍ୱିତୀୟ ଡୋଜ୍‌ ଟିକା ଏବଂ ନିର୍ବାଚନ ଡ୍ୟୁଟି କରୁଥିବା କର୍ମଚାରୀମାନଙ୍କୁ ବୁଷ୍ଟର ଡୋଜ୍‌ ଯଥାଶୀଘ୍ର ପ୍ରଦାନ କରାଯିବା ପାଇଁ କାର୍ଯ୍ୟ ଯୋଜନାର ମଧ୍ୟ ଆୟୋଗ ସମୀକ୍ଷା କରିଥିଲେ। ବର୍ତ୍ତମାନର ପରିସ୍ଥିତିକୁ ଧ୍ୟାନରେ ରଖି ଜନ ସମାବେଶ ଆୟୋଜନ ଉପରେ ରହିଥିବା କଟକଣା କୋହଳ କରିବା ଉପରେ ଆୟୋଗ ବିଚାରବିମର୍ଶ କରିଥିଲେ।

ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାନୁଆରୀ ୨୭, ୨୦୨୨ରେ ଚୂଡ଼ାନ୍ତ ହେବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଜାନୁଆରୀ ୩୧, ୨୦୨୨ରେ ପ୍ରକାଶ ପାଇବ। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ଠାରୁ ମିଳିଥିବା ସୂଚନା ଏବଂ କ୍ଷେତ୍ରସ୍ତରୀୟ ରିପୋର୍ଟକୁ ବିଚାର କରିବା ପରେ ନିର୍ବାଚନ ଆୟୋଗ ପର୍ଯ୍ୟାୟକ୍ରମେ ନିର୍ବାଚନ ପ୍ରଚାର ଆବଶ୍ୟକତା ଉପରେ ନିଷ୍ପତ୍ତି ନେଇଥିଲେ।

ବର୍ତ୍ତମାନର ପରିସ୍ଥିତି, ତଥ୍ୟ ଓ ସ୍ଥିତି ସହିତ ଏସବୁ ବୈଠକରୁ ପ୍ରାପ୍ତ ପରାମର୍ଶକୁ ଭଲ ଭାବେ ବିଚାର କରିବା ପରେ, ଆୟୋଗ ନିମ୍ନ ନିଷ୍ପତ୍ତି ଗ୍ରହଣ କରିଛନ୍ତି:

  1. ଜାନୁଆରୀ ୩୧, ୨୦୨୨ ପର୍ଯ୍ୟନ୍ତ କୌଣସି ପଦଯାତ୍ରା, ରୋଡ୍‌ ଶୋ, ସାଇକେଲ/ବାଇକ/ଗାଡ଼ି ରାଲି କିମ୍ବା ଶୋଭାଯାତ୍ରା  ଆୟୋଜନ କରାଯାଇପାରିବ ନାହିଁ।
  2. ଜାନୁଆରୀ ୨୭, ୨୦୨୨ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ତାଲିକା ଚୁଡ଼ାନ୍ତ ହେଉଥିବାରୁ ସମ୍ପୃକ୍ତ ରାଜନୈତିକ ଦଳ କିମ୍ବା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କୁ କେତେକ କଟକଣା ସହିତ ଜନ ସମାବେଶ ଆୟୋଜନ କରିବା ଲାଗି ଅନୁମତି ମିଳିବ। ସମ୍ପୃକ୍ତ ପ୍ରାର୍ଥୀ ଓ ରାଜନୈତିକ ଦଳ ପକ୍ଷରୁ ଅନୁମତିପ୍ରାପ୍ତ ସ୍ଥାନରେ ସର୍ବାଧିକ ୫୦୦ ବ୍ୟକ୍ତି କିମ୍ବା ପଡ଼ିଆର ୫୦ ପ୍ରତିଶତ କ୍ଷମତା କିମ୍ବା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ଦ୍ୱାରା ସୁପାରିସ ସୀମା, ଯେଉଁ ସଂଖ୍ୟ କମ ହୋଇଥିବ, ସେହି ଅନୁଯାୟୀ ଜନ ସମାବେଶ ଆୟୋଜନ କରାଯାଇପାରିବ। ସେମାନେ ଜାନୁଆରୀ ୨୮, ୨୦୨୨ ଠାରୁ ଫେବୃଆରୀ ୮, ୨୦୨୨ (ନିଷେଧ ଅବଧିକୁ ବାଦ୍‌ ଦେଇ) ଜନସଭା କରିପାରିବେ ।
  3. ଜାନୁଆରୀ ୩୧, ୨୦୨୨ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ତାଲିକା ଚୁଡ଼ାନ୍ତ ହେଉଥିବାରୁ ସମ୍ପୃକ୍ତ ରାଜନୈତିକ ଦଳ କିମ୍ବା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କୁ କେତେକ କଟକଣା ସହିତ ଜନ ସମାବେଶ ଆୟୋଜନ କରିବା ଲାଗି ଅନୁମତି ମିଳିବ। ସମ୍ପୃକ୍ତ ପ୍ରାର୍ଥୀ ଓ ରାଜନୈତିକ ଦଳ ପକ୍ଷରୁ ଅନୁମତିପ୍ରାପ୍ତ ସ୍ଥାନରେ ସର୍ବାଧିକ ୫୦୦ ବ୍ୟକ୍ତି କିମ୍ବା ପଡ଼ିଆର ୫୦ ପ୍ରତିଶତ କ୍ଷମତା କିମ୍ବା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ଦ୍ୱାରା ସୁପାରିସ ସୀମା, ଯେଉଁ ସଂଖ୍ୟ କମ ହୋଇଥିବ, ସେହି ଅନୁଯାୟୀ ଜନ ସମାବେଶ ଆୟୋଜନ କରାଯାଇପାରିବ। ସେମାନେ ଫେବୃଆରୀ ୧, ୨୦୨୨ ଠାରୁ ଫେବୃଆରୀ ୧୨, ୨୦୨୨ (ନିଷେଧ ଅବଧିକୁ ବାଦ୍‌ ଦେଇ) ଜନସଭା କରିପାରିବେ ।
  4. ପୂର୍ବରୁ କେବଳ ୫ ଜଣ ଲୋକଙ୍କୁ ଘରକୁ ଘର ବୁଲି ନିର୍ବାଚନ କରିବା ଲାଗି ଆୟୋଗ ଅନୁମତି ଦେଇଥିଲେ। ଏବେ ଏହି ସଂଖ୍ୟାକୁ ବଢ଼ାଇ ୧୦ କରି ଦିଆଯାଇଛି। ଏହି ସଂଖ୍ୟାରେ ସୁରକ୍ଷା କର୍ମୀଙ୍କୁ ଗଣାଯିବ ନାହିଁ। ତେବେ, ଘରକୁ ଘର ବୁଲି ନିର୍ବାଚନ କରିବାର ଅନ୍ୟ ସମସ୍ତ କଟକଣା ପୂର୍ବ ଭଳି ଲାଗୁ ରହିବ।
  5. ପୂର୍ବରୁ ନିର୍ଦ୍ଦିଷ୍ଟ କଟକଣା ସହିତ ଇନଡୋର ବୈଠକ ବା ସଭାଗୃହ ବୈଠକ ନିମନ୍ତେ ରାଜନୈତିକ ଦଳଗୁଡ଼ିକୁ ଆୟୋଗ ଅନୁମତି ଦେଇସାରିଛନ୍ତି। ସର୍ବାଧିକ ୩୦୦ ବ୍ୟକ୍ତି କିମ୍ବା ସଭାଗୃହ କ୍ଷମତାର ୫୦% କିମ୍ବା ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ଦ୍ୱାରା ସୁପାରିସ ସୀମା ମଧ୍ୟରେ ଇନ୍‌ଡୋର ବୈଠକ ଆୟୋଜନ କରାଯାଇପାରିବ।
  6. ନିର୍ବାଚନ ହେବାକୁ ଥିବା ରାଜ୍ୟରେ କୋଭିଡ କଟକଣା ସହିତ ଅନୁମତିପ୍ରାପ୍ତ ଖୋଲା ସ୍ଥାନରେ ପ୍ରଚାର ଲାଗି ଭିଡିଓ ଭ୍ୟାନ୍‌ ରଖାଯାଇପାରିବ। ଏହି ଭ୍ୟାନ ନିକଟରେ ସର୍ବାଧିକ ୫୦୦ ଦର୍ଶକ କିମ୍ବା ସର୍ବାଧିକ କ୍ଷମତାର ୫୦% କିମ୍ବା ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ଦ୍ୱାରା ସୁପାରିସ ସୀମା, ଯାହା ସବୁଠୁ କମ ହୋଇଥିବ, ମଧ୍ୟରେ ଲୋକ ଏକତ୍ରିତ ହୋଇପାରିବେ। ତେବେ ଏପରି କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ଯେପରି କୌଣସି ଅସୁବିଧା ନହୁଏ କିମ୍ବା ଟ୍ରାଫିକ୍‌ ପରିଚାଳନା ଯେପରି ସୁଚାରୁ ରୂପେ ଜାରି ରହିବ ସେଥିପ୍ରତି ଧ୍ୟାନ ଦିଆଯିବ। (ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ମାନଙ୍କୁ ପୃଥକ ଭାବେ ଏ ସଂକ୍ରାନ୍ତରେ ନିର୍ଦ୍ଦେଶନାମା ଜାରି କରାଯାଇସାରିଛି)
  7. ନିର୍ବାଚନ ସହ ଜଡ଼ିତ ଗତିବିଧି ସମୟରେ ସମସ୍ତ ଅବସରରେ ରାଜନୈତିକ ଦଳଗୁଡ଼ିକ ଏବଂ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନେ କୋଭିଡ ଉପଯୁକ୍ତ ବ୍ୟବହାର ଓ ମାର୍ଗଦର୍ଶିକା ତଥା ଆଦର୍ଶ ଆଚରଣ ସଂହିତାର ଅନୁପାଳନ ସୁନିଶ୍ଚିତ କରିବେ।
  8. ଜିଲ୍ଲା ନିର୍ବାଚନ ଅଧିକାରୀ ଉପରୋକ୍ତ ଉଦ୍ଦେଶ୍ୟ ଲାଗି ନିର୍ଦ୍ଧାରିତ ସ୍ଥାନ ଚିହ୍ନଟ କରିବା ସହ ବିଜ୍ଞପିତ କରିବାର ଦାୟିତ୍ୱ ନିର୍ବାହ କରିବେ।
  9. ୨୦୨୨ ନିର୍ବାଚନ ଆୟୋଜନ ପାଇଁ ଜାନୁଆରୀ ୮, ୨୦୨୨ରେ ଜାରି ହୋଇଥିବା ସଂଶୋଧିତ ବିସ୍ତୃତ ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଥିବା ଅବଶିଷ୍ଟ ସମସ୍ତ କଟକଣା ଲାଗୁ ରହିବ।

ସମସ୍ତ ସମ୍ପୃକ୍ତ ରାଜ୍ୟ/ଜିଲ୍ଲା କର୍ତ୍ତୃପକ୍ଷ ଏହିସବୁ ନିର୍ଦ୍ଦେଶନାମାର ସମ୍ପୂର୍ଣ୍ଣ ଅନୁପାଳନ ସୁନିଶ୍ଚିତ କରିବେ।

ପରବର୍ତ୍ତୀ ତାରିଖରେ ଆୟୋଗ ଏସବୁ ମାର୍ଗଦର୍ଶିକାର ସମୀକ୍ଷା କରିବେ।

 

********

P.S.



(Release ID: 1791848) Visitor Counter : 191