ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମଣିପୁର ରାଜ୍ୟର ୫୦ତମ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ


“ଐତିହାସିକ ଉତଥାନ ପତନ ମଧ୍ୟରେ ମଣିପୁରବାସୀଙ୍କ ଏକତା ଓ ନମନୀୟତା ସେମାନଙ୍କ ପ୍ରକୃତ ଶକ୍ତି”

“ବନ୍ଦ ଓ ଅବରୋଧରୁ ମୁକ୍ତି ଓ ଶାନ୍ତି ନିମନ୍ତେ ମଣିପୁର ହକଦାର”

“ମଣିପୁରକୁ ଦେଶର କ୍ରୀଡା ଶକ୍ତିକେନ୍ଦ୍ର କରିବା ପାଇଁ ସରକାର ଅଙ୍ଗୀକାରବଦ୍ଧ”

“ମଣିପୁରକୁ ଉତ୍ତର-ପୂର୍ବ ଆକ୍ଟଇଷ୍ଟ ନୀତିର କେନ୍ଦ୍ର କରିବା ପାଇଁ ମଣିପୁରର ଏକ ମୁଖ୍ୟ ଭୂମିକା ରହିଛି”

“ମଣିପୁରର ଅଭିବୃଦ୍ଧି ଯାତ୍ରା ପଥରେ ଥିବା ବାଧାବିଘ୍ନ ଘୁଞ୍ଚିଯାଇଛି ଓ ଆଗାମୀ ୨୫ ବର୍ଷ ମଣିପୁର ବିକାଶର ହେବ ଅମୃତ କାଳ”

Posted On: 21 JAN 2022 10:39AM by PIB Bhubaneshwar

ମଣିପୁର ରାଜ୍ୟର ୫୦ତମ ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଣିପୁରବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରର ଉଦବୋଧନ ଦେଇ ସେ ଏହି ମହିମାନ୍ୱିତ ଯାତ୍ରାରେ ଯୋଗଦାନ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ତ୍ୟାଗ ଓ ଉଦ୍ୟମ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଐତିହାସିକ ଉତଥାନ ପତନ ମଧ୍ୟରେ ମଣିପୁରବାସୀଙ୍କ ଏକତା ଓ ନମନୀୟତା ସେମାନଙ୍କ ପ୍ରକୃତ ଶକ୍ତି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି । ସେ ମଣିପୁରବାସୀଙ୍କ ଆଶା ଆକାଂକ୍ଷା ନେଇ ପ୍ରାଥମିକ ତଥ୍ୟ ହାସଲ କଲାପରେ ଯାଇ ଏହା ତାଙ୍କୁ ରାଜ୍ୟର ସମସ୍ୟା ସମାଧାନ ଦିଗରେ ବାଟ କଢ଼ାଇଥିଲା ବୋଲି ଦୃଢ଼ତାର ସହ ଦୋହରାଇଥିଲେ । ମଣିପୁରବାସୀ ସେମାନଙ୍କ ଆକାଂକ୍ଷିତ ଶାନ୍ତି ଫେରି ପାଇବା ଯୋଗୁ ସେ ଖୁସୀ ପ୍ରକଟ କରିଥିଲେ । ବନ୍ଦ ଓ ଅବରୋଧରୁ ମୁକ୍ତି ସହ ଶାନ୍ତି ପାଇଁ ମଣିପୁର ହକଦାର ବୋଲି ସେ କହିଥିଲେ ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ମଣିପୁରକୁ କ୍ରୀଡାର ଶକ୍ତିକେନ୍ଦ୍ର ଭାବେ ଗଢ଼ିତୋଳିବାକୁ ସରକାର ଅଙ୍ଗୀକାରବଦ୍ଧ  । ସେ କହିଥିଲେ ଯେ ମଣିପୁରର ପୁଅ-ଝିଅମାନେ କ୍ରୀଡା କ୍ଷେତ୍ରରେ ଦେଶପାଇଁ ଗୌରବ ଆଣିଛନ୍ତି ଓ ସେମାନଙ୍କ କ୍ରୀଡା ପ୍ରତି ଅନୁରାଗ ଓ ସାମର୍ଥ୍ୟକୁ ସମ୍ମାନ ଦେଇ ଦେଶର ପ୍ରଥମ କ୍ରୀଡା ବିଶ୍ୱବିଦ୍ୟାଳୟ ମଣିପୁରରେ ସ୍ଥାପନ କରାଯାଇଛି । ଷ୍ଟାର୍ଟଅପ କ୍ଷେତ୍ରରେ ମଧ୍ୟ ମଣିପୁର ଯୁବଗୋଷ୍ଠୀର ସଫଳତାର ସେ ଉଲ୍ଲେଖ କରିଥିଲେ । ସରକାର ସ୍ଥାନୀୟ ହସ୍ତକଳାର ପ୍ରଚାର ପ୍ରସାର ପାଇଁ ମଧ୍ୟ ଅଙ୍ଗୀକାରବଦ୍ଧ ବୋଲି ସେ କହିଥିଲେ ।

 

ଆକ୍ଟଇଷ୍ଟ ନୀତିରେ ଉତ୍ତରପୂର୍ବାଞ୍ଚଳର କେନ୍ଦ୍ର ଭାବେ ଗଢ଼ିତୋଳିବାରେ ମଣିପୁରର ପ୍ରମୁଖ ଭୂମିକା ରହିଛି ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ତାର ସହ କହିଥିଲେ । ଡବଲ ଇଞ୍ଜିନ ସରକାର ଯୋଗୁଁ ମଣିପୁର ରେଳବାଇ ଭଳି ବହୁ ପ୍ରତିକ୍ଷୀତ ସୁବିଧାସୁଯୋଗ ପାଉଛି ବୋଲି ସେ କହିଥିଲେ ।

 

ଜିରୀବମ-ଟୁପୁଲ-ଇମ୍ଫାଲ ରେଳ ଲାଇନ ସମେତ ହଜାର ହଜାର କୋଟି ଟଙ୍କା ବ୍ୟୟରେ ସଂଯୋଗୀକରଣ ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଛି । ସେହିପରି ଇମ୍ଫାଲ ବିମାନବନ୍ଦର ଆନ୍ତର୍ଜାତିକ ମାନ୍ୟତା ପାଇବା ଯୋଗୁ ଦିଲ୍ଲୀ, କୋଲକାତା ଓ ବାଙ୍ଗାଲୁରୁ ଇତ୍ୟାଦି ସହ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ସମୂହର ଯୋଗାଯୋଗରେ ଉନ୍ନତି ଘଟଛି । ଭାରତ-ମିଆଁମାର-ଥାଇଲାଣ୍ଡ ତ୍ରିସ୍ତରୀୟ ରାଜପଥ ଓ ୯ ହଜାର କୋଟି ଟଙ୍କାର ପ୍ରାକୃତିକ ଗ୍ୟାସ ପାଇପ ଲାଇନ ଯୋଗୁ ମଣିପୁର ଅନେକ ସୁବିଧା ପାଇବ ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ମଣିପୁରର ଅଭିବୃଦ୍ଧି ଯାତ୍ରା ପଥରେ ଥିବା ବାଧାବିଘ୍ନ ଘୁଞ୍ଚିଯାଇଛି ଓ ଆଗାମୀ ୨୫ ବର୍ଷ ମଣିପୁର ନିମନ୍ତେ ପ୍ରଗତିର ଅମୃତ କାଳ ହେବ । ଉପସଂହାରରେ ସେ ରାଜ୍ୟର ଡବଲ ଇଞ୍ଜିନ ଅଭବୃଦ୍ଧିର ଶୁଭେଚ୍ଛା କାମନା କରିଥିଲେ ।





SM/DD



(Release ID: 1791476) Visitor Counter : 143