ନିର୍ବାଚନ ଆୟୋଗ

ପଞ୍ଜାବ ରାଜ୍ୟର ବିଧାନସଭା ନିର୍ବାଚନ କାର୍ଯ୍ୟସୂଚୀରେ ପରିବର୍ତ୍ତନ


୨୦ ଫେବୃଆରୀ ୨୦୨୨ (ରବିବାର) ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ

Posted On: 17 JAN 2022 3:24PM by PIB Bhubaneshwar

ଭାରତର ନିର୍ବାଚନ ଆୟୋଗ ପଞ୍ଜାବ ରାଜ୍ୟର ବିଧାନସଭା ପାଇଁ ହେବାକୁ ଥିବା ନିର୍ବାଚନ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ଉପଲବ୍ଧ ସମସ୍ତ ତଥ୍ୟକୁ ବିଚାର କରିବା ପରେ, ପଞ୍ଜାବ ରାଜ୍ୟର ବିଧାନସଭା ପାଇଁ ୨୦୨୨ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ୮ ଜାନୁଆରୀ ୨୦୨୨ରେ କାର୍ଯ୍ୟସୂଚୀ ଘୋଷଣା କରିଥିଲେ। ଏହି ଘୋଷଣା ଅନୁଯାୟୀ, ୨୧ ଜାନୁଆରୀ ୨୦୨୨ରେ ବିଜ୍ଞପ୍ତି ଜାରି କରାଯିବା ସହିତ ୧୪ ଫେବୃଆରୀ ୨୦୨୨ରେ ମତଦାନ ଅନୁଷ୍ଠିତ ହୋଇଥାନ୍ତା।

ତେବେ ରାଜ୍ୟ ସରକାର, ବିଭିନ୍ନ ରାଜନୈତିକ ଦଳ ଏବଂ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ନିର୍ବାଚନ ଆୟୋଗଙ୍କୁ କେତେକ ଅନୁରୋଧ ପ୍ରାପ୍ତ ହୋଇଥିଲା। ଏଥିରେ ଦର୍ଶାଯାଇଥିଲା ଯେ ୧୬ ଫେବୃଆରୀ ୨୦୨୨ରେ ଶ୍ରୀ ଗୁରୁ ରବି ଦାସଙ୍କ ଜୟନ୍ତୀ ପାଳନ କରାଯିବ। ଏଥିରେ ଅଂଶଗ୍ରହଣ କରିବା ଲାଗି ପଞ୍ଜାବରୁ ବହୁସଂଖ୍ୟକ ଭକ୍ତ ବାରାଣସୀ ଯାତ୍ରା କରିବେ।  ଅନୁରୋଧରେ ଆହୁରି ଦର୍ଶାଯାଇଥିଲା ଯେ, ଜୟନ୍ତୀ ସମାରୋହର ଗୋଟିଏ ସପ୍ତାହ ପୂର୍ବରୁ ବହୁସଂଖ୍ୟାରେ ଭକ୍ତ ବାରାଣସୀ ଅଭିମୁଖେ ଯାତ୍ରା କରିଥାନ୍ତି। ଫେବୃଆରୀ ୧୪ ତାରିଖରେ ଭୋଟ ଗ୍ରହଣ ପାଇଁ ଦିନ ଧାର୍ଯ୍ୟ କରାଗଲେ ବହୁ ସଂଖ୍ୟାରେ ମତଦାତା ମତଦାନରୁ ବଞ୍ଚିତ ରହିବେ । ଏହି ସ୍ଥିତିକୁ ଦୃଷ୍ଟିରେ ରଖି ମତଦାନର ତାରିଖକୁ ବଦଳାଇ ୧୬ ଫେବୃଆରୀ ଠାରୁ କିଛି ଦିନ ପରେ ଧାର୍ଯ୍ୟ କରିବା ଲାଗି ଅନୁରୋଧ କରାଯାଇଥିଲା। ଏ ସଂକ୍ରାନ୍ତରେ ନିର୍ବାଚନ ଆୟୋଗ ରାଜ୍ୟ ସରକାର ଏବଂ ପଞ୍ଜାବ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଠାରୁ ମତାମତ ଗ୍ରହଣ କରିଥିଲେ।

ଏସବୁ ଅନୁରୋଧ – ପତ୍ର, ରାଜ୍ୟ ସରକାର ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା, ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତି ଏବଂ ଏ ସଂକ୍ରାନ୍ତରେ ଜଡ଼ିତ ବିଭିନ୍ନ ଦିଗ ଓ ପରିସ୍ଥିତି କାରଣରୁ ସୃଷ୍ଟି ହୋଇଥିବା ନୂତନ ତଥ୍ୟ ଉପରେ ବିଚାର କରିବା ପରେ ଏବେ ଆୟୋଗ ପଞ୍ଜାବ ବିଧାନସଭାର ସାଧାରଣ ନିର୍ବାଚନ ଆୟୋଜନ ପାଇଁ ପୁଣିଥରେ କାର୍ଯ୍ୟସୂଚୀ ନିମ୍ନମତେ ନିର୍ଦ୍ଧାରଣ କରିଛନ୍ତି:

 

ବିଜ୍ଞପ୍ତି ଜାରି ହେବାର ତାରିଖ : ୨୫ ଜାନୁଆରୀ ୨୦୨୨ (ମଙ୍ଗଳବାର)

ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ : ୧ ଫେବୃଆରୀ ୨୦୨୨ (ମଙ୍ଗଳବାର)

ପ୍ରାର୍ଥିପତ୍ର ଯାଞ୍ଚର ଶେଷ ତାରିଖ : ୨ ଫେବୃଆରୀ ୨୦୨୨ (ବୁଧବାର)

ପ୍ରାର୍ଥିପତ୍ର ପ୍ରତ୍ୟାହାର ତାରିଖ : ୪ ଫେବୃଆରୀ ୨୦୨୨ (ଶୁକ୍ରବାର)

ମତଦାନ ତାରିଖ : ୨୦ ଫେବୃଆରୀ (ରବିବାର)

 

ଭୋଟ୍‌ଗଣତି ୧୦ ମାର୍ଚ୍ଚ ୨୦୨୨ (ଗୁରୁବାର) ଅନୁଷ୍ଠିତ ହେବ।

 

********

P.S.



(Release ID: 1790561) Visitor Counter : 160