ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ

ଜାରି ହେଲା ଚିଠା ବିଜ୍ଞପ୍ତି


୧ ଅକ୍ଟୋବର ୨୦୨୨ ପରେ ନିର୍ମିତ ଏମ1 ବର୍ଗର ବାହାନରେ ଦୁଇ ପାର୍ଶ୍ୱ / ସାଇଡ ଟର୍ସୋ ଏୟାର ବ୍ୟାଗ ଏବଂ ଦୁଇ ପାର୍ଶ୍ୱ ପରଦା/ଟ୍ୟୁବ ଏୟାର ବ୍ୟାଗ ଲାଗିବା ବାଧ୍ୟତାମୂଳକ

Posted On: 15 JAN 2022 8:57AM by PIB Bhubaneshwar

ମୋଟର ଯାନରେ ବସିଥିବା ଯାତ୍ରୀମାନଙ୍କୁ ପାର୍ଶ୍ୱବର୍ତ୍ତୀ ଧକ୍କା ବା ଦୁର୍ଘଟଣା ପ୍ରଭାବରୁ ସୁରକ୍ଷିତ ରଖିବା ଲାଗି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ (ସିଏମଭିଆର) ୧୯୮୯ରେ ସଂଶୋଧନ ଅଣାଯାଇ ସୁରକ୍ଷା ବୈଶିଷ୍ଟ୍ୟରେ ବୃଦ୍ଧି କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ତଦନୁଯାୟୀ, ଅକ୍ଟୋବର ପହିଲା ୨୦୨୨ ପରେ ନିର୍ମିତ ଏମ1 ବର୍ଗର ବାହାନଗୁଡ଼ିକରେ ଦୁଇ ପାର୍ଶ୍ୱ / ସାଇଡ ଟର୍ସୋ ଏୟାର ବ୍ୟାଗ ଏବଂ ଦୁଇ ପାର୍ଶ୍ୱ ପରଦା/ଟ୍ୟୁବ ଏୟାର ବ୍ୟାଗ ଲଗାଇବା ବାଧ୍ୟତାମୂଳକ ହେବ। ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ୧୪ ଜାନୁଆରୀ ୨୦୨୨ରେ ଏକ ଚିଠା ବିଜ୍ଞପ୍ତି ଜାରି କରାଯାଇଛି। ନୂଆ ନିୟମ ଅନୁଯାୟୀ, ଗାଡ଼ିର ଆଗ ଧାଡ଼ିରେ ଆଉଟବୋର୍ଡ ସିଟିଂ ପୋଜିସନ ବା କଡ଼ ସିଟରେ ବସୁଥିବା ଦୁଇଜଣ ବ୍ୟକ୍ତିଙ୍କ ପାଇଁ ଗୋଟିଏ ଲେଖାଏଁ ଦୁଇ ପାର୍ଶ୍ୱ / ସାଇଡ ଟର୍ସୋ ଏୟାର ବ୍ୟାଗ ଲଗାଯିବ। ସେହିପରି ପଛ କଡ଼ ସିଟ୍‌ରେ ବସୁଥିବା ପ୍ରତ୍ୟେକଙ୍କ ପାଇଁ ଦୁଇ ପାର୍ଶ୍ୱ ପରଦା/ଟ୍ୟୁବ ଏୟାର ବ୍ୟାଗ ଲଗାଯିବ।

ଏଥିପୂର୍ବରୁ ଏମ 1 ବର୍ଗର ସମସ୍ତ ମୋଟରଯାନ ପାଇଁ ବାଧ୍ୟତାମୂଳକ ଭାବେ ଡ୍ରାଇଭର ଏୟାରବ୍ୟାଗ ସଂଯୋଗ ନିମନ୍ତେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ନିୟମ ପ୍ରଣୟନ କରାଯାଇଥିଲା। ଯାତ୍ରୀ ପରିବହନ ଲାଗି ବ୍ୟବହୃତ, ଡ୍ରାଇଭରଙ୍କ ସିଟ୍‌ ସହିତ ଆଠଟିରୁ ଅଧିକ ସିଟ୍‌ ନଥିବା ମୋଟର ଯାନକୁ ଏମ1 ବର୍ଗରେ ଅନ୍ତର୍ଭୂକ୍ତ କରାଯାଇଛି। ଡ୍ରାଇଭରଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଜୁଲାଇ ପହିଲା ୨୦୧୯ ପରଠାରୁ ନିର୍ମିତ ବାହନରେ ମନ୍ତ୍ରଣାଳୟ ପକ୍ଷରୁ ଏହି ନିୟମ ଲାଗୁ କରାଯାଇଥିଲା। ଏୟାର ବ୍ୟାଗ ହେଉଛି ବାହନରେ ସଂଯୁକ୍ତ ଏକ ପ୍ରତିରୋଧକ ବ୍ୟବସ୍ଥା। ଏହା ଗାଡ଼ି ଧକ୍କା ହେବା ସମୟରେ ଗାଡ଼ିର ଡାଶବୋର୍ଡ ଏବଂ ଡ୍ରାଇଭରଙ୍କ ମଝିରେ ଏକ ପ୍ରତିରୋଧକ ଭାବେ କାର୍ଯ୍ୟ କରିଥାଏ ଯାହାକି ଗୁରୁତର ଭାବେ ଆଘାତ ହେବା ସମସ୍ୟାକୁ ଏଡ଼ାଇବାରେ ସହାୟକ ହୋଇଥାଏ। 

ଏହାପରେ, ମନ୍ତ୍ରଣାଳୟ ପକ୍ଷରୁ ଜାନୁଆରୀ ପହିଲା ୨୦୨୨ ପରେ ନିର୍ମିତ ହୋଇଥିବା ବାହନରେ ଡ୍ରାଇଭରଙ୍କ ବ୍ୟତୀତ ଆଗ ସିଟ୍‌ରେ ବସୁଥିବା ବ୍ୟକ୍ତିଙ୍କ ପାଇଁ ଫ୍ରଣ୍ଟ ଏୟାର ବ୍ୟାଗ ସଂଯୋଗ କରିବାର ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିଥିଲା।

‘‘ସାଇଡ୍‌/ସାଇଡ୍‌ ଟର୍ସୋ ଏୟାର ବ୍ୟାଗ’’ର ଅର୍ଥ ହେଉଛି ଯେକୌଣସି ଏକ ବାୟୁଭର୍ତ୍ତି ସ୍ଥାନଗ୍ରହଣକାରୀ ପ୍ରତିରୋଧକ ଉପକରଣ ଯାହାକି ଗାଡ଼ି ଭିତରର ସିଟ୍‌ କିମ୍ବା ସାଇଡ୍‌ ଷ୍ଟ୍ରକ୍ଚରରେ ଲାଗିଥାଏ। ଏହା ଗାଡ଼ି ଆଗ ଧାଡ଼ିରେ ଆଉଟବୋର୍ଡ ସିଟିଂ ପୋଜିସନ ବା କଡ଼ ସିଟରେ ବସୁଥିବା ଯାତ୍ରୀଙ୍କୁ ପାର୍ଶ୍ୱ ଭାଗରୁ ହେଉଥିବା ଧକ୍କା ଏବଂ/କିମ୍ବା ବାହାରକୁ ବାହାରି ପଡ଼ିଯିବାରୁ ସୁରକ୍ଷା ଦେବା ଲାଗି ଡିଜାଇନ୍‌ କରାଯାଇଥାଏ।

ଦୁଇ ପାର୍ଶ୍ୱ ପରଦା/ଟ୍ୟୁବ ଏୟାର ବ୍ୟାଗ ଅର୍ଥ ହେଲା, ଯେକୌଣସି ଗାଡ଼ିରେ ଲାଗୁଥିବା ଏକ ବାୟୁଭର୍ତ୍ତି ସ୍ଥାନଗ୍ରହଣକାରୀ ପ୍ରତିରୋଧକ ଉପକରଣ । ଏହା ଗାଡ଼ି ଭିତରର ସାଇଡ୍‌ ଷ୍ଟ୍ରକ୍ଚରରେ ଲାଗିଥାଏ। ଏହା ଗାଡ଼ିର ପଛରେ ଆଉଟବୋର୍ଡ ସିଟିଂ ପୋଜିସନ ବା କଡ଼ ସିଟରେ ବସୁଥିବା ଯାତ୍ରୀଙ୍କୁ ପାର୍ଶ୍ୱ ଭାଗରୁ ହେଉଥିବା ଧକ୍କା କିମ୍ବା ଗାଡ଼ି ଓଲଟି ପଡ଼ିବା ସମୟରେ ବାହାରକୁ ବାହାରି ପଡ଼ିଯିବାରୁ ସୁରକ୍ଷା ଦେବା ଲାଗି ଡିଜାଇନ୍‌ କରାଯାଇଥାଏ।

 

*********

P.S.



(Release ID: 1790115) Visitor Counter : 160