ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜାନୁଆରୀ ୧୨ ତାରିଖ ଦିନ ଜାତୀୟ ଯୁବ ଉତ୍ସବ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ



ଯୁବବର୍ଗଙ୍କ ବିକାଶ ବିଭିନ୍ନ ଆହ୍ୱାନ ଓ ସମସ୍ୟାର ସମାଧାନ ନେଇ ହେବ ଆଲୋଚନା

ଅଲିମ୍ପିଆନ ଓ ପାରା ଅଲିମ୍ପିଆନମାନଙ୍କ ସହ ଖୋଲା କଥାବାର୍ତ୍ତା

ପ୍ରଧାନମନ୍ତ୍ରୀ ନିର୍ବାଚିତ ପ୍ରବନ୍ଧ ‘ମେରେ ସପନୋ କା ଭାରତ’ ଏବଂ ଲୋକଲୋଚନ ଅନ୍ତରାଳରେ ରହିଯାଇଥିବା ଭାରତୀୟ ସ୍ୱାଧୀନତା ସଂଗ୍ରାମର ବୀରଗାଥା ସମ୍ପର୍କିତ ପୁସ୍ତକର କରିବେ ଉନ୍ମୋଚନ

ପ୍ରଧାନମନ୍ତ୍ରୀ ମଧ୍ୟ ଏକ ଏମଏସଏମଇ କେନ୍ଦ୍ର ଓ ପେରୁନଥାଲାୟଭାର କାମରାଜର ମଣିମଣ୍ଡପମ-ମୁକ୍ତାକାଶ ଥିଏଟର ସହ ଏକ ଅଡିଟୋରିୟମର ମଧ୍ୟ କରିବେ ଉଦଘାଟନ

Posted On: 10 JAN 2022 12:40PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୨ ତାରିଖ ଦିନ ୧୧ଟା ବେଳେ ପୁଡୁଚେରୀଠାରେ ୨୫ତମ ଜାତୀୟ ଯୁବ ଉତ୍ସବ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିବେ । ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଦିବସକୁ ଏହି ଦିନ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଇଥାଏ ।

ଏହି ଉତ୍ସବ ଭାରତୀୟ ଯୁବକଯୁବତୀମାନଙ୍କ ମନକୁ ସୁଗଠିତ କରିବା ସହ ରାଷ୍ଟ୍ର ଗଠନରେ ସେମାନଙ୍କୁ ଏକ ମିଳିତ ଶକ୍ତି କରି ଗଢ଼ି ତୋଳିଥାଏ । ସାମାଜିକ ସୌହାର୍ଦ୍ଦ୍ୟ ଏବଂ ମେଧା ଓ ସାଂସ୍କୃତିକ ସଂହତିର ଏହା ହେଉଛି ଏକ ବିରାଟ ପ୍ରଦର୍ଶନ । ଏହା ଭାରତର ବିବିଧ ସଂସ୍କୃତିକୁ ସମନ୍ୱିତ କରି ଏକତା ସୂତ୍ରରେ  ‘ଏକ ଭାରତ ଶ୍ରେଷ୍ଠ ଭାରତ’ କରି ବାନ୍ଧିଥାଏ ।

କୋଭିଡ ପରିସ୍ଥିତିକୁ ଆଖି ଆଗରେ ରଖି ଚଳିତ ବର୍ଷ ୧୨-୧୩ ଜାନୁଆରୀ ୨୦୨୨ ରେ ଏହି ଉତ୍ସବକୁ ଭର୍ଚୁଆଲ ମୋଡରେ ପାଳନ କରିବାକୁ ସ୍ଥିର କରାଯାଇଛି । ଉଦଘାଟନ ପରେ ପରେ ଚାରିଟି ଚୟନିତ ବିଷୟକୁ ନେଇ ଜାତୀୟ ଯୁବ ଶିଖର ବୈଠକରେ ଏକ ଦଳଗତ ଆଲୋଚନା ହେବ । ଯୁବ ବର୍ଗର ବିକାଶ ଓ ସେମାନଙ୍କୁ ଦେଶ ଗଠନରେ ପ୍ରୋତ୍ସାହନ ଦେବାକୁ ଯେଉଁ ଚାରିଟି ବିଷୟ ବଛାଯାଇଛି ସେଗୁଡିକ ହେଲା ପରିବେଶ, ଜଳବାୟୁ ଓ ଏସଡିଜି ବା ନିରନ୍ତର ବିକାଶ ଲକ୍ଷ୍ୟ, ପ୍ରଯୁକ୍ତି, ଔଦ୍ୟୋଗିକତା ଓ ନବୀକରଣ, ଭାରତୀୟ ଓ ପ୍ରାଚୀନ ଜ୍ଞାନ, ଜାତୀୟ ଚରିତ୍ର ଗଠନ, ଦେଶ ଗଠନ ଓ ଘରୋଇ ପୃଷ୍ଠଭୂମିର ଅଭିବୃଦ୍ଧି ।

ରେକର୍ଡ ହୋଇଥିବା ଭିଡିଓ କ୍ୟାପସୁଲ ପୁଡୁଚେରୀ, ଅରୋଭିଲ ନଗର ଅଭିଜ୍ଞତା, ଭାରତୀୟ ଖେଳକୁଦ ଏବଂ ଲୋକ ନୃତ୍ୟ ଇତ୍ୟାଦି ଅଂଶଗ୍ରହଣକାରୀଙ୍କ ନିମନ୍ତେ ପ୍ରଦର୍ଶିତ ହେବ । ଅଲିମ୍ପିଆନ ଓ ପାରା ଅଲିମ୍ପିଆନମାନଙ୍କ ସହ ଖୋଲା କଥାବାର୍ତ୍ତା ସାଙ୍ଗକୁ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସକାଳୁ ଭର୍ଚୁଆଲ ଯୋଗଶ୍ରେଣୀ ମଧ୍ୟ ଆୟୋଜିତ ହେବ ।

ଏହି ସମୟରେ ପ୍ରଧାନମନ୍ତ୍ରୀ ‘ମେରେ ସପନୋ କା ଭାରତ’ ଉପରେ ବଛା ବଛା ପ୍ରବନ୍ଧ ଓ ଭାତୀୟ ସ୍ୱାଧୀନତା ସଂଗ୍ରାମର ଅନ୍ତରାଳରେ ରହି ଯାଇଥିବା ବୀରମାନଙ୍କ ଗାଥା ଉପରେ ପୁସ୍ତକ ଉନ୍ମୋଚନ କରିବେ । ଦୁଇଟି ବିଷୟ ବସ୍ତୁ ଉପରେ ଆଧାରିତ ଏକ ଲକ୍ଷରୁ ଅଧିକ ଯୁବକଯୁବତୀଙ୍କ ଲେଖା ମଧ୍ୟରୁ ଏହି ପ୍ରବନ୍ଧ ଗୁଡିକୁ ବଛାଯାଇଛି ।

ପ୍ରଧାନମନ୍ତ୍ରୀ ପୁଡୁଚେରୀଠାରେ ୧୨୨ କୋଟି ଟଙ୍କାରେ ଏମଏସଏମଇ ମନ୍ତ୍ରଣାଳୟ ପକ୍ଷରୁ ନିର୍ମିତ ଏକ ପ୍ରଯୁକ୍ତି କେନ୍ଦ୍ର ମଧ୍ୟ ଉଦଘାଟନ କରିବେ । ଇଲେକ୍ଟ୍ରୋନିକ ପଦ୍ଧତି, ପରିପାଟୀ ଓ ନିର୍ମାଣ କ୍ଷେତ୍ର ଉପରେ ପର୍ଯ୍ୟବେସିତ ଏହି କେନ୍ଦ୍ର ଅତ୍ୟାଧୁନିକ ପ୍ରଯୁକ୍ତି ଜ୍ଞାନ ଦ୍ୱାରା ପରିପୁଷ୍ଟ । ଏହା ବାର୍ଷିକ ୬୪୦୦ ବିଦ୍ୟାର୍ଥୀଙ୍କୁ କୌଶଳ ବିକାଶ ତାଲିମ ପ୍ରଦାନ କରିବ ।

ପ୍ରଧାନମନ୍ତ୍ରୀ ମଧ୍ୟ ପେରୁନଥାଲାଭାୟର କାମରାଜର ମଣିମଣ୍ଡପମକୁ ଉଦଘାଟନ କରିବେ । ଏହି ମୁକ୍ତାକାଶ ରଙ୍ଗମଞ୍ଚ ପୁଡୁଚେରୀ ସରକାରଙ୍କ ଦ୍ୱାରା ପ୍ରାୟ ୨୩ କୋଟି ଟଙ୍କାରେ ନିର୍ମିତ ହୋଇଛି । ଏହା ପ୍ରାଥମିକ ଭାବେ ଶିକ୍ଷା ଉଦ୍ଦେଶ୍ୟରେ ବ୍ୟବହୃତ ହେବ ଓ ଏଥିରେ ଏକ ହଜାର ବ୍ୟକ୍ତି ବସିପାରିବା ବ୍ୟବସ୍ଥା ଅଛି ।

SM/DD



(Release ID: 1788930) Visitor Counter : 242