ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ

ବର୍ଷାନ୍ତ ସମୀକ୍ଷା -୨୦୨୧ : ଶିଳ୍ପ ଓ ଅନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ, ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ


ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ୨୦.୧% ଏବଂ ଦ୍ଵିତୀୟ ତ୍ରୈମାସରେ ୮.୪% ଜିଡିପି ଅଭିବୃଦ୍ଧି ସହିତ କୋଭିଡ ଜନିତ ମାନ୍ଦାବସ୍ଥାରୁ ଅର୍ଥବ୍ୟବସ୍ଥା ମୁକ୍ତ ହୋଇ ଦ୍ରୁତ ସୁଧାର ପଥରେ ଅଗ୍ରସର ହେବାର ସଙ୍କେତ

ଇ-ୱେବିଲ, ରେଳ ମାଲ ପରିବହନ, ବନ୍ଦର କାରବାର, ଜିଏସଟି ସଂଗ୍ରହ ଏବଂ ବିଦ୍ୟୁତ ଶକ୍ତି ଉପଯୋଗ ଭଳି ବିଭିନ୍ନ ଉଚ୍ଚ ଆବୃତ୍ତି ସୂଚକାଙ୍କ କ୍ଷେତ୍ରରେ ‘V’ ଆକୃତିର ସୁଧାର ପରିଲକ୍ଷିତ

ଆଇଆଇପି ଓ ଆଇସିଆଇର ଧାରାରୁ ମିଳିଲା ଶିଳ୍ପ ଉତ୍ପାଦନରେ ପୁନଃସୁଧାର ସଙ୍କେତ

୨୦୨୧ ବର୍ଷର ଏପ୍ରିଲ-ଅକ୍ଟୋବର ଅବଧିରେ ଆଇଆଇପିରେ ୨୦% ଅଭିବୃଦ୍ଧି, ଗତବର୍ଷ ସମାନ ଅବଧିରେ ଏହା ବିଯୁକ୍ତ ୧୭.୩%କୁ ହ୍ରାସ ପାଇଥିଲା; ଖଣି, ଉତ୍ପାଦନ ଓ ବିଦ୍ୟୁତ କ୍ଷେତ୍ରରେ ପୂର୍ବ ବର୍ଷ ଉଲ୍ଲେଖନୀୟ ହ୍ରାସ ଦେଖିବାକୁ ମିଳିଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ଏହି କ୍ଷେତ୍ରରେ ରେକର୍ଡ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ପରିଲକ୍ଷିତ

ଭାରତକୁ ‘ଆତ୍ମନିର୍ଭରଶୀଳ’ କରିବା ସହିତ ଦେଶର ଉତ୍ପାଦନ କ୍ଷମତା ବୃଦ୍ଧି ଲାଗି ପିଏଲଆଇ ଯୋଜନା ପ୍ରଣୟନ

୧.୯୭ ଲକ୍ଷ କୋଟି ଟଙ୍କା (୨୬ ବିଲିୟନ ଆମେରିକୀୟ ଡଲାର) ବ୍ୟୟବରାଦ ସହିତ ୧୪ଟି ପ୍ରମୁଖ କ୍ଷେତ୍ରରେ କାର୍ଯ୍ୟକାରୀ କରାଯିବ ପିଏଲଆଇ ଯୋଜନା

ଏଫଡିଆଇ ନୀତି ଅଧିକ ଉଦାରୀକରଣ, ବୀମା କ୍ଷେତ୍ରରେ ଏଫଡିଆଇ ସୀମା ୪୯%ରୁ ୭୪%କୁ ବୃଦ୍ଧି ଏବଂ ପିଏନଜି ଓ ଟେଲିକମ କ୍ଷେତ୍ରରେ ସ୍ୱୟଂକ୍ରିୟ ମାର୍ଗରେ

Posted On: 29 DEC 2021 6:50PM by PIB Bhubaneshwar

୧. ପରିଚୟ

  • କୋଭିଡ -୧୯ ମହାମାରୀ କାରଣରୁ ବର୍ଷ ୨୦୨୦ରେ ଅନେକ କ୍ଷତି ଦେଖିବାକୁ ମିଳିଥିଲା, ଯାହାକି ଆର୍ଥିକ ଅଭିବୃଦ୍ଧି ପାଇଁ ସବୁଠୁ ବଡ଼ ବିପଦ ସାଜିଥିଲା। ଭାରତୀୟ ଅର୍ଥବ୍ୟବସ୍ଥା ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ୨୪.୪ ପ୍ରତିଶତ ଏବଂ ଦ୍ଵିତୀୟ ତ୍ରୈମାସରେ ୭.୩ ପ୍ରତିଶତ ହ୍ରାସ ପାଇଥିଲା।
  • କୋଭିଡ ମହାମାରୀ ଜନିତ ଆହ୍ବାନକୁ ସୁଯୋଗରେ ପରିଣତ କରିବା ଲାଗି ଭାରତ ସରକାର ଦେଶର ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ଏକାଧିକ ପଦକ୍ଷେପ ଗ୍ରହଣ କରିଥିଲେ। ଏଥିରେ ୨୯.୮୭ ଲକ୍ଷ କୋଟି ଟଙ୍କାର ଆତ୍ମନିର୍ଭର ପ୍ୟାକେଜ୍‌ ସାମିଲ ଥିଲା। ଅର୍ଥବ୍ୟବସ୍ଥା ଏବଂ ଜୀବିକାକୁ ସମର୍ଥନ ଯୋଗାଇ ଦେବା ଲାଗି ଲକ୍ଷ୍ୟ ଆଧାରିତ ହସ୍ତକ୍ଷେପ କରାଯାଇଥିଲା। ଅଧିକନ୍ତୁ, ଢାଞ୍ଚାଗତ ସଂସ୍କାରର ଗତିକୁ ତ୍ୱରାନ୍ବିତ କରାଯାଇଥିଲା।
  • ଆତ୍ମନିର୍ଭର ପ୍ୟାକେଜ ଅଧୀନରେ ଗ୍ରହଣ କରାଯାଇଥିବା ପ୍ରମୁଖ ସଂସ୍କାର ମଧ୍ୟରେ ସାମିଲ ରହିଛି-ଏମଏସଏମଇ ଋଣ ପାଇଁ କ୍ରେଡିଟ୍‌ ଗ୍ୟାରେଣ୍ଟି, କ୍ଷେତ୍ର ଆଧାରିତ ଢାଞ୍ଚାଗତ ସଂସ୍କାର, ସିପିଏସଇଗୁଡ଼ିକରୁ ରଣନୈତିକ ପୁଞ୍ଜି ପ୍ରତ୍ୟାହାର ପାଇଁ ନୀତି, ସରକାରୀ କ୍ରୟ କ୍ଷେତ୍ରରେ ସଂସ୍କାର, ନିବେଶକୁ ପ୍ରୋତ୍ସାହନ ଦେବା ଲାଗି କ୍ଷମତାସମ୍ପନ୍ନ ସଚିବ ଗୋଷ୍ଠୀ ଓ ପ୍ରକଳ୍ପ ବିକାଶ ସେଲ୍‌ ପ୍ରତିଷ୍ଠା କରିବା, ଅନୁପାଳନରେ ହ୍ରାସ ଓ ସିଙ୍ଗଲ ୱିଣ୍ଡୋ ମଞ୍ଜୁରି ବ୍ୟବସ୍ଥା।
  • ଏସବୁ ପଦକ୍ଷେପ ସହିତ ଢାଞ୍ଚାଗତ ସଂସ୍କାର ହାତକୁ ନିଆଯିବା ଫଳରେ ଅର୍ଥବ୍ୟବସ୍ଥା ଯଥାଶୀଘ୍ର ସୁଧାର ମାର୍ଗକୁ ପ୍ରତ୍ୟାବର୍ତ୍ତନ କରିଥିଲା। କରୋନା ମହାମାରୀ ପୂର୍ବରୁ ଭାରତରେ ଏନ-୯୫ ମାସ୍କ, ପିପିଇ କିଟ୍‌, ଭେଣ୍ଟିଲେଟର ଆଦି ଉତ୍ପାଦନ ହେଉନଥିଲା। ମହାମାରୀ ଆସିବା ପରେ ଭାରତରେ ଏସବୁ ସାମଗ୍ରୀ କେବଳ ଉତ୍ପାଦନ ହେଲା ନାହିଁ ବରଂ ଦେଶ ବିଶ୍ୱ ବଜାରକୁ ରପ୍ତାନି ମଧ୍ୟ କରିପାରିଲା। ଏବେ ଭାରତ ଏହି କ୍ଷେତ୍ରରେ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ ହୋଇପାରିଛି।
  • ସରକାର ଜାନୁଆରୀ, ୨୦୨୧ରେ ଟିକାକରଣ ଅଭିଯାନ ଆରମ୍ଭ କରିଥିଲେ। କୋଭିଡ ମହାମାରୀର ମୁକାବିଲା ଲାଗି ଦେଶର ବୟସ୍କ ହିତାଧିକାରୀମାନଙ୍କୁ ସ୍ୱଦେଶୀ ଭାବେ ବିକଶିତ କୋଭାକ୍ସିନ ଦିଆଗଲା। ବର୍ତ୍ତମାନ ସୁଦ୍ଧା ଭାରତରେ ୧୪୪ କୋଟିରୁ ଅଧିକ କୋଭିଡ ଟିକା ଡୋଜ୍‌ ଦିଆଯାଇସାରିଲାଣି। ଏହା କେବଳ ଜନସାଧାରଣଙ୍କ ଜୀବନ ରକ୍ଷା କରିବାରେ ସହାୟକ ହୋଇନାହିଁ, ବରଂ ଅର୍ଥବ୍ୟବସ୍ଥାର ଆଗୁଆ ସୁଧାରରେ ସହାୟକ ହୋଇଛି।
  • ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ୨୦.୧% ଏବଂ ଦ୍ଵିତୀୟ ତ୍ରୈମାସରେ ୮.୪% ଜିଡିପି ଅଭିବୃଦ୍ଧି ସହିତ କୋଭିଡ ଜନିତ ମାନ୍ଦାବସ୍ଥାରୁ ଦେଶର ଅର୍ଥବ୍ୟବସ୍ଥା ମୁକ୍ତ ହୋଇ ଦ୍ରୁତ ସୁଧାର ପଥରେ ଅଗ୍ରସର ହେବାର ସଙ୍କେତ ଦେଇଛି। ଇ-ୱେବିଲ, ରେଳ ମାଲ ପରିବହନ, ବନ୍ଦର କାରବାର, ଜିଏସଟି ସଂଗ୍ରହ ଏବଂ ବିଦ୍ୟୁତ ଶକ୍ତି ଉପଯୋଗ ଭଳି ବିଭିନ୍ନ ଉଚ୍ଚ ଆବୃତ୍ତି ସୂଚକାଙ୍କ କ୍ଷେତ୍ରରେ ‘V ଆକୃତିର ସୁଧାର ପରିଲକ୍ଷିତ ହୋଇଛି।

 

୨. ଔଦ୍ୟୋଗିକ ପ୍ରଦର୍ଶନ

  • ଜନ ସ୍ୱାସ୍ଥ୍ୟ ଉପରେ କୋଭିଡ-୧୯ ମହାମାରୀର ପ୍ରଭାବକୁ ସୀମିତ କରିବା ଲାଗି ସରକାର ମାର୍ଚ୍ଚ ୨୦୨୦ରେ ପ୍ରତିବନ୍ଧକ ଲାଗୁ କରିଥିଲେ। ଏହି କାରଣରୁ ଦେଶବ୍ୟାପୀ ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନ ବନ୍ଦ କରିବାକୁ ପଡ଼ିଥିଲା। ଫଳରେ ୨୦୨୦-୨୧ ଶିଳ୍ପ କ୍ଷେତ୍ରର ପ୍ରଦର୍ଶନ ଉଲ୍ଲେଖନୀୟ ଭାବେ -୮.୪ ପ୍ରତିଶତକୁ ହ୍ରାସ ପାଇଥିଲା। ଖଣି ଓ ଉତ୍ପାଦନ କ୍ଷେତ୍ର ବିଶେଷ ଭାବେ ପ୍ରଭାବିତ ହୋଇଥିଲା। ଏ ଦୁଇଟି କ୍ଷେତ୍ରରେ ଯଥାକ୍ରମେ -୭.୮% ଏବଂ -୯.୬% ହ୍ରାସ ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ -୦.୫% ହ୍ରାସ ପରିଲକ୍ଷିତ ହୋଇଥିଲା।
  • ୨୦୨୦ ଏପ୍ରିଲରୁ ଅକ୍ଟୋବର ଅବଧିରେ ମୋଟାମୋଟୀ ଶିଳ୍ପ ଉତ୍ପାଦନ ସୂଚକାଙ୍କରେ ୧୭.୩ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଥିଲା। ତେବେ,  ତେବେ ଟିକାକରଣ ଓ ଢାଞ୍ଚାଗତ ସଂସ୍କାର ଭଳି ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ଏକାଧିକ ପଦକ୍ଷେପ ତଥା ଭାରତୀୟ ଉଦ୍ୟୋଗଜଗତ ସହନଶୀଳତା ସାମର୍ଥ୍ୟ ଯୋଗୁ ଦେଶର ଅର୍ଥବ୍ୟବସ୍ଥା ଯଥାଶୀଘ୍ର ବିଯୁକ୍ତାତ୍ମକ ସ୍ଥିତିରୁ ମୁକୁଳି ଦ୍ରୁତ ସୁଧାର ଦିଗରେ ଅଗ୍ରସର ହୋଇପାରିଥିଲା। ଫଳରେ ୨୦୨୧ ବର୍ଷର ଏପ୍ରିଲ-ଅକ୍ଟୋବର ମଧ୍ୟରେ ଆଇଆଇପି ୨୦.୦ ପ୍ରତିଶତ ବୃଦ୍ଧି ପାଇଥିଲା। ଅନୁରୂପ ଭାବେ ଖଣି, ଉତ୍ପାଦନ ଓ ବିଦ୍ୟୁତ କ୍ଷେତ୍ରରେ ଯଥାକ୍ରମେ ୨୦.୪%, ୨୧.୨% ଓ ୧୧.୪ ପ୍ରତିଶତ ଅଭିବୃଦ୍ଧି ଦେଖିବାକୁ ମିଳିଥିଲା।

୩. ଆଠଟି ପ୍ରମୁଖ ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧିର ଧାରା

  • କୋଇଲା, ଅଶୋଧିତ ତୈଳ, ପ୍ରାକୃତିକ ବାଷ୍ପ, ପେଟ୍ରୋଲିୟମ ବିଶୋଧନ ଉତ୍ପାଦ, ସାର, ଇସ୍ପାତ, ସିମେଣ୍ଟ ଓ ବିଦ୍ୟୁତ ଆଦି ଆଠଟି ପ୍ରମୁଖ ଶିଳ୍ପ କ୍ଷେତ୍ରର ପ୍ରଦର୍ଶନକୁ ‘ଆଠଟି ପ୍ରମୁଖ ଶିଳ୍ପ ସୂଚକାଙ୍କ (ଆଇସିଆଇ)’ ମାଧ୍ୟମରେ ହିସାବ କରାଯାଇଥାଏ। ଶିଳ୍ପ ଉତ୍ପାଦନ ସୂଚକାଙ୍କ (ଆଇଆଇପି)ରେ ଆଇସିଆଇରେ ସାମିଲ ଶିଳ୍ପଗୁଡ଼ିକର ଭାଗ ୪୦.୭ ପ୍ରତିଶତ ରହିଛି।
  • ୨୦୨୦-୨୧ ଆର୍ଥିକ ବର୍ଷରେ ଆଇସିଆଇର ଅଭିବୃଦ୍ଧି ହାର ବିଯୁକ୍ତ ୬.୪ ପ୍ରତିଶତ ଥିଲା। ୨୦୧୭-୧୮ ଠାରୁ ୨୦୧୯-୨୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଲଗାତାର ୩ ବର୍ଷ ଧରି ଏହି ଅଭିବୃଦ୍ଧି ହାରାହାରୀ ୩.୦ ପ୍ରତିଶତ ରହିଥିଲା। ତେବେ ଚଳିତ ଆର୍ଥିକ ବର୍ଷରେ ଏହି ଅଭିବୃଦ୍ଧି ହାର ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା ଯାହାକି ଏପ୍ରିଲରୁ ଅକ୍ଟୋବର ୨୦୨୧-୨୨ରେ ୧୫.୧% ରେକର୍ଡ କରାଯାଇଥିଲା। ଆଠଟି ପ୍ରମୁଖ କ୍ଷେତ୍ର ମଧ୍ୟରୁ ୬ଟି କ୍ଷେତ୍ରରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ଦେଖିବାକୁ ମିଳିଥିଲା। ସିମେଣ୍ଟ ଓ ଇସ୍ପାତ କ୍ଷେତ୍ରରେ ସର୍ବାଧିକ ଯଥାକ୍ରମେ ୩୩.୬% ଏବଂ ୨୮.୬% ଅଭିବୃଦ୍ଧି ରେକର୍ଡ କରାଯାଇଥିଲା। ଅଶୋଧିତ ତୈଳ ଓ ସାର କ୍ଷେତ୍ରରେ ଅଭିବୃଦ୍ଧି ସାମାନ୍ୟ ରହିଥିଲା। ଏହା ପ୍ରମୁଖ ଶିଳ୍ପ କ୍ଷେତ୍ରରେ ସୁଧାରକୁ ଦର୍ଶାଇଥିଲା।

4. ‘ବିଶ୍ୱ ପାଇଁ ଭାରତରେ ନିର୍ମାଣ’ ଲାଗି ଡିପିଆଇଆଇଟି ପକ୍ଷରୁ ସଂଖ୍ୟାଧିକ ପଦକ୍ଷେପ ଗ୍ରହଣ କରାଯାଇଛି। ଏ ଦିଗରେ ଗ୍ରହଣ କରାଯାଇଥିବା କେତେକ ପ୍ରମୁଖ ପଦକ୍ଷେପ ନିମ୍ନରେ ଦିଆଗଲା:

  1. ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନା:
  • ଭାରତର ‘ଆତ୍ମନିର୍ଭର’ ସଂକଳ୍ପକୁ ଦୃଷ୍ଟିରେ ରଖି ତଥା ଦେଶର ଉତ୍ପାଦନ ଓ ରପ୍ତାନି ସାମର୍ଥ୍ୟକୁ ବଢ଼ାଇବା ଲାଗି ୨୦୨୧-୨୨ ଆର୍ଥିକ ବର୍ଷର ସାଧାରଣ ବଜେଟରେ ୧.୯୭ ଲକ୍ଷ କୋଟି ଟଙ୍କା (୨୬ ବିଲିୟନ ଆମେରିକୀୟ ଡଲାର) ବ୍ୟୟବରାଦ କରାଯାଇଥିଲା। ୨୦୨୧-୨୨ ଆର୍ଥିକ ବର୍ଷ ଠାରୁ ୧୪ଟି ପ୍ରମୁଖ କ୍ଷେତ୍ରରେ ଏହିସବୁ ପିଏଲଆଇ ଯୋଜନା କାର୍ଯ୍ୟକାରୀ କରିବାକୁ ଘୋଷଣା କରାଯାଇଛି। ଏହି ୧୪ଟି କ୍ଷେତ୍ର ହେଉଛି : ଅଟୋମୋବାଇଲ ଓ ଅଟୋ ସରଞ୍ଜାମ, ଔଷଧ ଉତ୍ପାଦନ କ୍ଷେତ୍ର, ବିଶେଷ ଇସ୍ପାତ, ଟେଲିକମ ଓ ନେଟୱର୍କିଂ ଉତ୍ପାଦ, ଇଲେକ୍ଟ୍ରୋନିକ ପ୍ରଯୁକ୍ତି ଉତ୍ପାଦ, ଧଳା ସାମଗ୍ରୀ (ଏସି ଓ ଏଲଇଡି ଲାଇଟ), ଖାଦ୍ୟ ଉତ୍ପାଦ, ବୟନଶିଳ୍ପ ଉତ୍ପାଦ:ଏମଏମଏଫ ସେଗମେଣ୍ଟ ଓ ବୈଷୟିକ ବୟନ ଉତ୍ପାଦ, ଉଚ୍ଚ କୁଶଳୀ ସୋଲାର ପିଭି ମଡ୍ୟୁଲ ଓ ଉନ୍ନତ କେମିଷ୍ଟ୍ରୀ ସେଲ (ଏସିସି) ବ୍ୟାଟେରୀ, ମେଡ଼ିକାଲ ଉପକରଣ, ମୋବାଇଲ ଫୋନ ସମେତ ବୃହତ ପରିମାଣର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ, ଜଟିଳ ପ୍ରମୁଖ  ଷ୍ଟ୍ରାଟିଂ ଉପାଦାନ/ଔଷଧ ଇଣ୍ଟରମିଡିଆରିଜ ଓ ଏପପିଆଇ ଏବଂ  ଡ୍ରୋନ ଓ ଡ୍ରୋନ ଉପକରଣ। ପିଏଲଆଇ ଯୋଜନା ପାଇଁ ମାର୍ଗଦର୍ଶିକା ଜାରି କରାଯାଇସାରିଛି ଏବଂ ଅଧିକାଂଶ ଯୋଜନା ଅଧୀନରେ ଆବେଦନ ମଧ୍ୟ ସଂଗ୍ରହ କରାଯାଇସାରିଛି।
  • ଡିପିଆଇଆଇଟି ପିଏଲଆଇ ଯୋଜନା ପାଇଁ ସାମଗ୍ରିକ ସମନ୍ବୟ କାର୍ଯ୍ୟ କରୁଥିବା ସମୟରେ ଧଳା ଉତ୍ପାଦ (ଏୟାର କଣ୍ଡିସନର ଓ ଏଲଇଡି ଲାଇଟ) ପାଇଁ ଏହା ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରୁଛି, ଏଥିପାଇଁ ୬୨୩୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ୪ ଜୁନ ୨୦୨୧ରେ ଯୋଜନାର ମାର୍ଗଦର୍ଶିକା ପ୍ରକାଶିତ ହୋଇଥିଲା। ୪,୬୧୪ କୋଟି ଟଙ୍କାର ନିବେଶ ପ୍ରତିବଦ୍ଧତା ସହିତ ପ୍ରାରମ୍ଭିକ ସ୍ତରରେ ୪୨ ଜଣ ଆବେଦନକାରୀଙ୍କୁ ପିଏଲଆଇ ଯୋଜନା ଅଧୀନରେ ହିତାଧିକାରୀ ଭାବେ ଚୟନ କରାଯାଇଛି। ଏହି ଚୟନିତ ଆବେଦନକାରୀଙ୍କ ମଧ୍ୟରେ ୩,୮୯୮ କୋଟି ଟଙ୍କାର ନିବେଶ ପ୍ରତିବଦ୍ଧତା ସହିତ ୨୬ ଜଣ ଏୟାର କଣ୍ଡିସନର ଉତ୍ପାଦନକାରୀ ଏବଂ ୭୧୬ କୋଟି ଟଙ୍କାର ନିବେଶ ପ୍ରତିବଦ୍ଧତା ସହିତ ୧୬ ଜଣ ଏଲଇଡି ଲାଇଟ ଉତ୍ପାଦନକାରୀ ରହିଛନ୍ତି।
  1. ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ (ଏନଏମପି)
  • ୧୩ ଅକ୍ଟୋବର, ୨୦୨୧ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ଭିତ୍ତିଭୂମି ବିକାଶ ପାଇଁ ଗତିଶକ୍ତି, ଏକ ଜାତୀୟ ମାଷ୍ଟର ପ୍ଲାନର ଶୁଭାରମ୍ଭ କରିଥିଲେ। ଗତି ଶକ୍ତି ହେଉଛି ଏକ ଡିଜିଟାଲ ପ୍ଲାଟଫର୍ମ ଯାହାକି ଭିତ୍ତିଭୂମି ଯୋଗାଯୋଗ ପ୍ରକଳ୍ପଗୁଡ଼ିକ ସମନ୍ବିତ ଯୋଜନା ଏବଂ ସଂଯୋଜିତ କାର୍ଯ୍ୟକାରିତା ପାଇଁ ରେଳବାଇ ଓ ସଡ଼କପଥ ସମେତ ୧୬ଟି ମନ୍ତ୍ରଣାଳୟକୁ ଗୋଟିଏ ପ୍ଲାଟଫର୍ମରେ ଏକତ୍ରିତ କରିବ।
  • ବୃହତ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଅଂଶୀଦାରମାନଙ୍କର ସାମଗ୍ରିକ ଯୋଜନାକୁ ସଂସ୍ଥାଗତ ରୂପ ଦେବା ମାଧ୍ୟମରେ ଅତୀତର ସମସ୍ୟା ସମାଧାନ କରିବା ଲାଗି ପିଏମ ଗତି ଶକ୍ତି ଯୋଜନାରେ ଲକ୍ଷ୍ୟ ରଖାଯାଇଛି। ଭିନ୍ନ ଭିନ୍ନ ଭାବେ ଯୋଜନା ଓ ଡିଜାଇନ ପ୍ରସ୍ତୁତି କରିବାରେ ଅନେକ ବାଧା ରହିଥାଏ। ଏହା ପରିବର୍ତ୍ତେ ପ୍ରକଳ୍ପଗୁଡ଼ିକୁ ଏକ ସାଧାରଣ ଲକ୍ଷ୍ୟ ନେଇ ଡିଜାଇନ ଓ କାର୍ଯ୍ୟକାରୀ କରାଯିବ। ଏହା ଭାରତମାଳା, ସାଗରମାଳା, ଅନ୍ତର୍ଦେଶୀୟ ଜଳପଥ, ଶୁଳ୍କ/ଭୂମି ବନ୍ଦର, ଉଡ଼ାନ ଆଦି ବିଭିନ୍ନ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ଭିତ୍ତିଭୂମି ଯୋଜନାକୁ ଏହା କାର୍ଯ୍ୟକାରୀ କରିବ। ବୟନ ଶିଳ୍ପ କ୍ଲଷ୍ଟର, ଫାର୍ମସ୍ୟୁଟିକାଲ କ୍ଲଷ୍ଟର, ଡିଫେନ୍ସ କରିଡର, ଇଲେକ୍ଟ୍ରୋନିକ ପାର୍କ, ଶିଳ୍ପ କରିଡର, ମତ୍ସ୍ୟଚାଷ କ୍ଲଷ୍ଟର, କୃଷି ଜୋନ ଆଦି ଆର୍ଥିକ ଜୋନକୁ ଏଥିରେ ସାମିଲ କରାଯିବ। ଯାହାଫଳରେ ଯୋଗାଯୋଗ ବା କନେକ୍ଟିଭିଟିରେ ସୁଧାର ଆସିବା ସହିତ ଭାରତୀୟ ବ୍ୟବସାୟ ଜଗତ ଅଧିକ ପ୍ରତିଯୋଗିତା ମୂଳକ ହୋଇପାରିବ। ଏହା ମଧ୍ୟ ଭାସ୍କରାଚାର୍ଯ୍ୟ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଫର୍ ସ୍ପେସ୍ ଆପ୍ଲିକେସନ୍ ଏବଂ ଜିଓ ଇନଫର୍ମେଟିକ୍ସ ବା ବିସାଗ-ଏନ ଦ୍ୱାରା ବିକଶିତ ଇସ୍ରୋ ଇମେଜରୀ ଭଳି ସ୍ଥାନିକ ଯୋଜନା ଉପକରଣଗୁଡ଼ିକୁ ବ୍ୟାପକ ଭାବେ ଉପଯୋଗ କରିବ।
  1. ଷ୍ଟାର୍ଟଅପ୍‌ ଇଣ୍ଡିଆ କାର୍ଯ୍ୟକ୍ରମ:

 

  • ଭାରତ ସରକାରଙ୍କ ଏକ ପ୍ରମୁଖ ଯୋଜନା ଭାବେ ୧୬ ଜାନୁଆରୀ ୨୦୧୬ରେ ପ୍ରଧାନମନ୍ତ୍ରୀ ଷ୍ଟାର୍ଟଅପ୍‌ ଇଣ୍ଡିଆ ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଯୋଜନାର ଲକ୍ଷ୍ୟ ଥିଲା ଭାରତରେ ଷ୍ଟାର୍ଟଅପ୍‌ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ଲାଗି ଏକ ଦୃଢ଼ ଇକୋସିଷ୍ଟମ ବିକଶିତ କରିବା ଯାହାକି ଆମର ଆର୍ଥିକ ଅଭିବୃଦ୍ଧିକୁ ଆଗେଇ ନେବ। ଏହି ଯୋଜନା ମାଧ୍ୟମରେ ଉଦ୍ୟମିତାକୁ ପ୍ରୋତ୍ସାହନ ଦିଆଯାଇଥିଲା ଏବଂ ଏହା ବ୍ୟାପକ ପରିମାଣରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥିଲା। ୬୦,୦୦୦ରୁ ଅଧିକ ମାନ୍ୟତା ପ୍ରାପ୍ତ ଷ୍ଟାର୍ଟଅପ ସହିତ, ଭାରତ ବିଶ୍ୱର ତୃତୀୟ ବୃହତମ ଷ୍ଟାର୍ଟଅପ୍‌ ଇକୋସିଷ୍ଟମ ପାଲଟିଛି ଯାହାକି ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ଆମର ଆତ୍ମନିର୍ଭରଶୀଳତାକୁ ବଢ଼ାଉଛି। ଟିୟର ୧ ବା ପ୍ରଥମ ଶ୍ରେଣୀର ସହର ବାହାରେ ଉଦ୍ୟୋମିତାକୁ ପ୍ରୋତ୍ସାହନ ଦେବା କ୍ଷେତ୍ରରେ ଷ୍ଟାର୍ଟଅପ୍‌ ଇଣ୍ଡିଆ ଏକ ପ୍ରମୁଖ ଭୂମିକା ନିର୍ବାହ କରିଛି। ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କ ଦ୍ୱାରା କରାଯାଇଥିବା ପ୍ରୟାସ ବଳରେ ଆଞ୍ଚଳିକ ଅଭିବୃଦ୍ଧି ଆମର ଆର୍ଥିକ ଲକ୍ଷ୍ୟ ହାସଲ କରିବା ଲାଗି ଏକ ଜାତୀୟ ଇକୋସିଷ୍ଟମ ତିଆରି କରିଛି। ଟିୟର ୧ ସହରରୁ ୫୫% ମାନ୍ୟତା ପ୍ରାପ୍ତ ଷ୍ଟାର୍ଟଅପ୍‌ ଆସିଥିବା ବେଳେ ୪୫% ଷ୍ଟାର୍ଟଅପ୍‌ ଟିୟର ୨ ଏବଂ ଟିୟର ୩ ସହରରୁ ଆସିଛନ୍ତି। ମହିଳା ଉଦ୍ୟମୀମାନେ ୪୫% ଷ୍ଟାର୍ଟଅପ୍‌ ଚଳାଉଛନ୍ତି। ଷ୍ଟାର୍ଟଅପର ମୂଳଦୂଆ ଦେଶରେ ଗଭୀର ଭାବେ ପ୍ରବେଶ କରିଥିବା ଏହା ଦର୍ଶାଉଛି।
  • ଟିୟର ୨ ଏବଂ ଟିୟର ୩ ସହରରେ ମାନ୍ୟତା ପ୍ରାପ୍ତ ଷ୍ଟାର୍ଟଅପ୍ସଗୁଡ଼ିକର ଗଭୀର ପ୍ରଭାବ ରହିଛି। ସମ୍ପ୍ରତି ୩୦ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ଷ୍ଟାର୍ଟଅପ୍‌ ନୀତି କାର୍ଯ୍ୟକାରୀ କରିଛନ୍ତି। ଦେଶର ୬୩୩ଟି ଜିଲଲାରେ ଷ୍ଟାର୍ଟଅପ ରହିଛି। ଡିପିଆଇଆଇଟିର ମାନ୍ୟତାପ୍ରାପ୍ତ ଷ୍ଟାର୍ଟଅପ୍‌ଗୁଡ଼ିକ ୨୦୨୧ ବର୍ଷରେ ୨ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି, ଏହା ଗତ ଚାରି ବର୍ଷ ମଧ୍ୟରେ ସର୍ବାଧିକ। ମୋଟାମୋଟି ଭାବେ ଦେଖିଲେ, ଷ୍ଟାର୍ଟଅପ୍‌ ଇଣ୍ଡିଆ ଯୋଜନା ଆରମ୍ଭ ହେବା ପରଠାରୁ ୬.୫ ଲକ୍ଷରୁ ଅଧିକ ଚାକିରି ସୃଷ୍ଟି ହୋଇଛି।
  • ଷ୍ଟାର୍ଟ-ଅପ୍ସଗୁଡ଼ିକ ପାଇଁ ଫଣ୍ଡ ଅଫ ଫଣ୍ଡସ୍‌ (ଏଫଏଫଏସ) ଯୋଜନା ଅଧୀନରେ ୮୦ଟି ବିକଳ୍ପ ନିବେଶ ପାଣ୍ଠି (ଏଆଇଏଫ)ରେ ୬,୪୯୫ ନିବେଶ ପାଇଁ ପ୍ରତିବଦ୍ଧତା ବ୍ୟକ୍ତ କରାଯାଇଛି। ଅନ୍ୟପକ୍ଷରେ ୫୪୦ଟି ଷ୍ଟାର୍ଟଅପ୍ସରେ ସହାୟକ ଏଆଇଏଫ ଜରିଆରେ ୮୦୮୫ କୋଟି ଟଙ୍କା ନିବେଶ କରାଯିବ। ଷ୍ଟାର୍ଟଅପ ଇଣ୍ଡିଆ ସିଡ୍‌ ଫଣ୍ଡ ଯୋଜନା (ଏସଆଇଏସଏଫଏସ) ପାଇଁ ୫୮ଟି ଇନକ୍ୟୁବେଟର୍ସକୁ ଚୟନ କରାଯାଇଛି ଏବଂ ଯୋଜନା ଅଧୀନରେ ୨୩୨.୭୫ କୋଟି ଟଙ୍କାର ଅନୁଦାନକୁ ମଞ୍ଜୁରି ମିଳିଛି।
  1. ନିବେଶ ପ୍ରୋତ୍ସାହନ

ନିବେଶ ମଞ୍ଜୁରି କେନ୍ଦ୍ର:

 

  • ୨୦୨୦-୨୧ ଆର୍ଥିକ ବର୍ଷର ସାଧାରଣ ବଜେଟ ଉପସ୍ଥାପନ କରିବା ସମୟରେ ଏକ ନିବେଶ ମଞ୍ଜୁରି ସେଲ (ଆଇସିସି) ପ୍ରତିଷ୍ଠା କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଥିଲେ। ଏହା ଗୋଟିଏ ସ୍ଥାନରେ ସବୁତକ ସୁବିଧା (ଏଣ୍ଡ ଟୁ ଏଣ୍ଡ) ଯୋଗାଇ ଦେବ ଏବଂ ନିବେଶକମାନଙ୍କୁ ସହାୟତା କରିବ। ପ୍ରାକ-ନିବେଶ ପରାମର୍ଶ ଦେବା ସହିତ ଏହା ଲ୍ୟାଣ୍ଡ ବ୍ୟାଙ୍କ ସଂକ୍ରାନ୍ତ ସୂଚନା ଦେବ ଏବଂ କେନ୍ଦ୍ର ଓ ରାଜ୍ୟ ସ୍ତରରେ ନିବେଶ ମଞ୍ଜୁରି ସୁବିଧା ପ୍ରଦାନ କରିବ। ଏକ ଅନଲାଇନ ଡିଜିଟାଲ ପୋର୍ଟାଲ ଜରିଆରେ ଏହି ସେଲ ପରିଚାଳିତ ହେବ ବୋଲି ପ୍ରସ୍ତାବ ରହିଛି।
  • ଘଟଣାକ୍ରମେ, ଇନଭେଷ୍ଟ ଇଣ୍ଡିଆ ସହିତ ମିଶି ଡିପିଆଇଆଇଟି ଏକ ଜାତୀୟ ସିଙ୍ଗଲ ୱିଣ୍ଡୋ ସିଷ୍ଟମ (ଏନଏସଡବ୍ଲୁଏସ) ଭାବେ ଏହି ପୋର୍ଟାଲକୁ ବିକଶିତ କରିବା ଲାଗି ପ୍ରକ୍ରିୟା ଆରମ୍ଭ କରାଯାଇଛି। ଦେଶରେ ସମସ୍ତ ନିୟାମକ ମଞ୍ଜୁରି ଓ ସେବାକୁ ଗୋଟିଏ ସ୍ଥାନରେ ପ୍ରଦାନ କରିବାର ଲକ୍ଷ୍ୟ ନେଇ ଏନଏସଡବ୍ଲୁଏସ [www.nsws.gov.in]କୁ ୨୨ ସେପ୍ଟେମ୍ବର ୨୦୨୧ରେ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ ପ୍ରାରମ୍ଭିକ ଭାବେ ଉନ୍ମୋଚନ କରିଛନ୍ତି।
  • ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗର ବର୍ତ୍ତମାନର ଆଇଟି ପୋର୍ଟାଲରେ କୌଣସି ବାଧା ସୃଷ୍ଟି ନକରି ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ/ବିଭାଗ ଏବଂ ରାଜ୍ୟ ସରକାରଙ୍କ ବର୍ତ୍ତମାନର ମଞ୍ଜୁରି ବ୍ୟବସ୍ଥାକୁ ଏହି ଜାତୀୟ ପୋର୍ଟାଲ ଏକୀକୃତ କରିବ। ପ୍ରଥମ ପର୍ଯ୍ୟାୟରେ ୧୮ଟି ମନ୍ତ୍ରଣାଳୟ/ବିଭାଗ ଏବଂ ୧୦ଟି ରାଜ୍ୟର ସିଙ୍ଗଲ ୱିଣ୍ଡୋ ସିଷ୍ଟମକୁ  ମଞ୍ଜୁରି ମିଳିଛି। ପରବର୍ତ୍ତୀ ପର୍ଯ୍ୟାୟରେ ୩୨ଟି କେନ୍ଦ୍ରୀୟ ବିଭାଗ ଏବଂ ୧୪ଟି ରାଜ୍ୟର ଅନବୋର୍ଡିଂ ସମ୍ପୂର୍ଣ୍ଣ କରାଯିବ। ଅବଶିଷ୍ଟ ରାଜ୍ୟମାନଙ୍କୁ ପର୍ଯ୍ୟାୟକ୍ରମେ ସାମିଲ କରାଯିବ।
  1. ବ୍ୟବସାୟିକ ସୁଗମତା:
  • ତିନୋଟି ପ୍ରମୁଖ ଯୋଜନା ମାଧ୍ୟମରେ ଦେଶରେ ବ୍ୟବସାୟିକ ସୁଗମତାରେ ସୁଧାର ଆଣିବା ଲାଗି ଡିପିଆଇଆଇଟି ପକ୍ଷରୁ ନିରନ୍ତର ପ୍ରୟାସ କରାଯାଉଛି। ବିଶ୍ୱବ୍ୟାଙ୍କ ବ୍ୟବସାୟିକ ସୁଗମତାରେ ସୁଧାର ଆଣିବା, ରାଜ୍ୟ ଓ ଜିଲ୍ଲା ସଂସ୍କାର କାର୍ଯ୍ୟ ଯୋଜନା ଏବଂ ବ୍ୟବସାୟ ଉପରେ ନିୟାମକ ଅନୁପାଳନ ବୋଝ ହ୍ରାସ କରିବା ଲାଗି ବ୍ୟବସ୍ଥାଗତ ଦୃଷ୍ଟିକୋଣ ଉପରେ ଧ୍ୟାନ ଦିଆଯାଇ ଏସବୁ ପଦକ୍ଷେପ ଗ୍ରହଣ କରାଯାଉଛି। ଯାହାଫଳରେ ବିଶ୍ୱ ବ୍ୟାଙ୍କର ବ୍ୟବସାୟିକ ସୁଗମତା ବା ଇଜ୍‌ ଅଫ ଡୁଇଂ ବିଜନେସ ରିପୋର୍ଟରେ ଭାରତର ସ୍ଥାନ ୨୦୧୪ରେ ୧୪୨ରେ ଥିବା ବେଳେ ୨୦୨୦ରେ ଏହା ୬୩କୁ ଉନ୍ନୀତ ହୋଇଛି।
  • ବିଭିନ୍ନ କେନ୍ଦ୍ର ମନ୍ତ୍ରଣାଳୟ/ବିଭାଗ ଏବଂ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶରେ ଅନୁପାଳନର ଏକ ବୃହତ ଡାଟାବେସକୁ ଅନୁଧ୍ୟାନ କରିବା ଉଦ୍ଦେଶ୍ୟରେ ଡିପିଆଇଆଇଟି ପକ୍ଷରୁ ଜାନୁଆରୀ ପହିଲା ୨୦୨୧ରେ ଏକ ନିୟାମକ ଅନୁପାଳନ ପୋର୍ଟାଲ (https://eodbrcp.dpiit.gov.in/)ର ଶୁଭାରମ୍ଭ କରାଯାଇଥିଲା। ନିୟାମକ ଅନୁପାଳନ ପୋର୍ଟାଲରେ ଅପଲୋଡ୍‌ ହୋଇଥିବା ଡାଟାକୁ ଆଧାର କରି କେନ୍ଦ୍ରୀୟ ମନ୍ତ୍ରଣାଳୟ/ବିଭାଗ ଏବଂ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶରେ ୨୫ ହଜାରରୁ ଅଧିକ ଅନୁପାଳନକୁ ହ୍ରାସ କରାଯାଇପାରିଛି।
  • ପେସୋ, ବଏଲର, ଆଇପିଆର, ନିଡ୍ସ, ଶିଳ୍ପ ଲାଇସେନ୍ସ ପ୍ରଦାନ ଆଦି ସଂକ୍ରାନ୍ତ ୧୯୪ଟି ଅନୁପାଳନକୁ ଡିପିଆଇଆଇଟି ପକ୍ଷରୁ ଚିହ୍ନଟ କରାଯାଇଛି। ଏଥିମଧ୍ୟରୁ ୧୩୪ଟି ଅନୁପାଳନ ହ୍ରାସ କରାଯାଇଛି, ୩୧ଟି ସମୀକ୍ଷା କରାଯାଉଛି ଏବଂ ୨୯ଟିକୁ ରଖାଯାଇଛି। ହ୍ରାସ କରାଯାଇଥିବା ଅନୁପାଳନଗୁଡ଼ିକ ହେଉଛି: ପ୍ରମାଣପତ୍ର, ଲାଇସେନ୍ସ ଓ ମଞ୍ଜୁରି, ଦାଖଲ, ନିରୀକ୍ଷଣ, ପରୀକ୍ଷା ଓ ଅଡିଟ, ରେଜିଷ୍ଟର ଓ ରେକର୍ଡ, ଡିସପ୍ଲେ ଆବଶ୍ୟକତା, ଅନାବଶ୍ୟକତା, ନିରପରାଧିକରଣ, ପ୍ରଯୁକ୍ତି ଓ ଅନ୍ୟାନ୍ୟ ସାମିଲ ରହିଛି।
  1. ପ୍ରକଳ୍ପ ବିକାଶ ସେଲ:

କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ବୟ ସହିତ ନିବେଶକୁ ତ୍ୱରାନ୍ବିତ କରିବା ଲାଗି ୨୯ଟି ମନ୍ତ୍ରଣାଳୟ/ବିଭାଗରେ ପ୍ରକଳ୍ପ ବିକାଶ ସେଲ (ପିଡିସି) ପ୍ରତିଷ୍ଠା କରାଯାଇଛି। ଏହା ଭାରତରେ ନିବେଶଯୋଗ୍ୟ ପ୍ରକଳ୍ପଗୁଡ଼ିକର ପାଇପଲାଇନକୁ ସମ୍ପ୍ରସାରିତ କରିଛି ଏବଂ ଘରୋଇ ନିବେଶ ଓ ଏଫଡିଆଇ ପ୍ରବାକୁ ବଢ଼ାଇଛି।

  1. ଭାରତୀୟ ଶିଳ୍ପ ଭୂମି ବ୍ୟାଙ୍କ (ଆଇଆଇଏଲବି):

ଆଇଆଇଏଲବି ହେଉଛି ଡିପିଆଇଆଇଟି ଦ୍ୱାରା ବିକଶିତ କରାଯାଇଥିବା ଏକ ଜିଆଇଏସ ଆଧାରିତ ପୋର୍ଟାଲ ଯାହାକି ସମସ୍ତ ଶିଳ୍ପ ଭିତ୍ତିଭୂମି ସଂକ୍ରାନ୍ତ ସୂଚନା ପାଇଁ ଗୋଟିଏ କେନ୍ଦ୍ର ବା ୱାନ ଷ୍ଟମ ରେପୋଜିଟୋରୀ ଭାବେ କାମ କରିବ। ଏଥିରେ ଯୋଗାଯୋଗ, ଭିତ୍ତିଭୂମି, ପ୍ରାକୃତିକ ସମ୍ପଦ ଓ ଭୂଖଣ୍ଡ, ଖାଲିଥିବା ଜମିରେ ପ୍ଲଟ୍‌ସ୍ତରୀୟ ସୂଚନା, କାର୍ଯ୍ୟକଳାପର ଲାଇନ ଏବଂ ଯୋଗାଯୋଗ ବିବରଣୀ ଏଥିରୁ ମିଳିପାରିବ। ସମ୍ପ୍ରତି, ଆଇଆଇଏଲବି ଆନୁମାନିକ ୪୫୦୦ ଶିଳ୍ପ ପାର୍କ ଚିହ୍ନଟ କରିଛି ଯାହାର କ୍ଷେତ୍ରଫଳ ୫.୧୧ ହେକ୍ଟର ରହିଛି। ନିବେଶକମାନଙ୍କୁ ନିଷ୍ପତ୍ତି ନେବାରେ ସହାୟତା ଦେବା ଲାଗି ଏହି ବ୍ୟବସ୍ଥା କରାଯାଇଛି। ଏହି ବ୍ୟବସ୍ଥାକୁ ୨୪ଟି ରାଜ୍ୟ ତଥା କେନ୍ଦ୍ର ଶାସିତ ପ୍ରଦେଶ ଯଥା ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ଦାଦର ଓ ନଗର ହାଭେଳୀ, ଡାମନ ଓ ଡିଉ, ଗୋଆ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଓଡ଼ିଶା, ପଞ୍ଜାବ, ପୁଡୁଚେରୀ, ସିକ୍କିମ, ତାମିଲନାଡ଼ୁ, ତ୍ରିପୁରା, ତେଲଙ୍ଗାନା, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶର ଶିଳ୍ପ ଆଧାରିତ ଜିଆଇଏସ ବ୍ୟବସ୍ଥା ସହିତ ଯୋଡ଼ା ଯାଇଛି। ଏଥିରେ ୨୧୧୩ଟି ଜିଆଇଏସ ସଂଯୁକ୍ତ ପାର୍କର ରିଅଲ ଟାଇମ୍‌ ଆଧାରରେ ବିବରଣୀ ରହିଛି। ନିବେଶକମାନଙ୍କ ସୁବିଧା ଲାଗି ଆଣ୍ଡ୍ରଏଡ ଏବଂ ଆଇଓଏସ ଷ୍ଟୋରରେ ଆଇଆଇଏଲବିର ଏକ ମୋବାଇଲ ଆପ୍ଲିକେସନ (ଯେଉଁଠି ଲଗଇନ ଅନାବଶ୍ୟକ) ଉପଲବ୍ଧ ରହିଛି।

  1. ପ୍ରତ୍ୟକ୍ଷ ବିଦେଶୀ ନିବେଶ

ଭାରତକୁ ଏକ ଆକର୍ଷଣୀୟ ନିବେଶ ଲକ୍ଷ୍ୟସ୍ଥଳୀରେ ପରିଣତ କରିବା ଲାଗି ନିକଟ ଅତୀତରେ ପ୍ରତ୍ୟକ୍ଷ ବିଦେଶୀ ନିବେଶ (ଏଫଡିଆଇ) ନୀତି ବ୍ୟବସ୍ଥାକୁ ପ୍ରଗତିଶୀଳ ଭାବେ ଉଦାର ଏବଂ ସରଳୀକରଣ କରାଯାଇଛି। ଏଫଡିଆଇ ନୀତିରେ ସଂସ୍କାର ଆଣିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବା ଫଳରେ ଦେଶରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫଡିଆଇ) ପ୍ରବାହ ବୃଦ୍ଧି ପାଇଛି। ଏଫଡିଆଇ ନିବେଶ ଗୋଟିଏ ପରେ ଗୋଟିଏ ବର୍ଷ ନୂଆ ରେକର୍ଡ କରୁଛି। ୨୦୧୪-୧୫ ଆର୍ଥିକ ବର୍ଷରେ ଭାରତରେ ଏଫଡିଆଇ ନିବେଶ ପରିମାଣ ୪୫.୧୫ ବିଲିୟନ ଆମେରିକୀୟ ଡଲାର ଥିଲା। ସେବେ ଠାରୁ ଏହା ଲଗାତାର ଭାବେ ବୃଦ୍ଧି ପାଉଛି। ୨୦୧୫-୧୬ରେ ଏଫଡିଆଇ ନିବେଶ ପରିମାଣ ୫୫.୫୬ ବିଲିୟନ ଆମେରିକୀୟ ଡଲାରକୁ ବୃଦ୍ଧି ପାଇଥିଲା। ୨୦୧୬-୧୭ ଆର୍ଥିକ ବର୍ଷରେ ଏହା ବୃଦ୍ଧି ପାଇ ୬୦.୨୨ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଥିଲା। ୨୦୧୭-୧୮ ଆର୍ଥିକ ବର୍ଷରେ ଏହି ପରିମାଣ ୬୦.୯୭ ବିଲିୟନ ଆମେରିକୀୟ ଡଲାକୁ ବଢ଼ିଥିଲା। ୨୦୧୮-୧୯ରେ ଏଫଡିଆଇ ନିବେଶ ପରିମାଣ ୬୨.୦୦ ବିଲିୟନକୁ ବଢ଼ିଥିଲା। ୨୦୧୯-୨୦ରେ ଏହା ୭୪.୩୯ ବିଲିୟନ ଆମେରିକୀୟ ଡଲାରକୁ ବୃଦ୍ଧି ପାଇଥିଲା। ୨୦୨୦-୨୧ ଆର୍ଥିକ ବର୍ଷରେ ଭାରତ ରେକର୍ଡ ସର୍ବାଧିକ ପରିମାଣର ଏଫଡିଆଇ ନିବେଶ ପ୍ରାପ୍ତ କରିଥିଲା ଯାହାକି ପ୍ରାରମ୍ଭିକ ତଥ୍ୟ ଅନୁଯାୟୀ ୮୧.୯୭ ବିଲିୟନ ଆମେରିକୀୟ ଡଲାର ରହିଥିଲା। ଏହି ତଥ୍ୟ ପ୍ରମାଣିତ କରୁଛି ଯେ ବିଶ୍ୱ ନିବେଶକମାନଙ୍କ ମଧ୍ୟରେ ଭାରତ ଏକ ପସନ୍ଦଯୋଗ୍ୟ ନିବେଶ ଲକ୍ଷ୍ୟସ୍ଥଳୀରେ ପରିଣତ ହୋଇଛି।

୨୦୨୧ରେ ଏଫଡିଆଇ ସଂସ୍କାର:

  • ବୀମା କ୍ଷେତ୍ର : ସ୍ୱୟଂକ୍ରିୟ ମାର୍ଗରେ ସରକାର ବୀମା କମ୍ପାନୀଗୁଡ଼ିକର ମଞ୍ଜୁରିପ୍ରାପ୍ତ ଏଫଡିଆଇ ସୀମାକୁ ୪୯%ରୁ ୭୪%କୁ ବଢ଼ାଇବା ଏବଂ  ସୁରକ୍ଷା ପଦକ୍ଷେପ ସହିତ ବିଦେଶୀ ମାଲିକାନା ଓ ନିୟନ୍ତ୍ରକୁ ମଞ୍ଜୁରି ଦେବା ନିମନ୍ତେ ୧୪.୦୬.୨୦୨୧ରେ ସରକାର ଏକ ପ୍ରେସ ନୋଟ୍‌ ୨ (୨୦୨୧) ଜାରି କରିଥିଲେ। ଏହା ଦୀର୍ଘକାଳୀନ ପୁଞ୍ଜି ନିବେଶ ବଢ଼ାଇବା ସହିତ ବିଶ୍ୱସ୍ତରୀୟ ପ୍ରଯୁକ୍ତି, ପ୍ରକ୍ରିୟା ଏବଂ ଅନ୍ତର୍ଜାତୀୟ ଶ୍ରେଷ୍ଠ ବିଧିର ପ୍ରଚଳନ ନିମନ୍ତେ ସୁବିଧା ପ୍ରଦାନ କରିବ ଯାହାକି ଭାରତର ବୀମା କ୍ଷେତ୍ରର ଅଭିବୃଦ୍ଧିରେ ସହାୟକ ହେବ।
  • ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ କ୍ଷେତ୍ର: ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ କ୍ଷେତ୍ରରେ ନିୟୋଜିତ ରହିଥିବା ଏକ ରାଷ୍ଟ୍ରାୟତ୍ତ କ୍ଷେତ୍ରର ଉଦ୍ୟୋଗ (ପିଏସୟୁ)ରୁ ରଣନୈତିକ ପୁଞ୍ଜି ପ୍ରତ୍ୟାହାର ପାଇଁ ଯେଉଁଠି ସରକାର ‘ନୀତିଗତ ମଞ୍ଜୁରି’ ପ୍ରଦାନ କରିଛନ୍ତି ସେପରି କ୍ଷେତ୍ରରେ ସ୍ୱୟଂକ୍ରିୟ ମାର୍ଗରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ବିଦେଶୀ ନିବେଶକୁ ମଞ୍ଜୁରି ଦେବା ଲାଗି ସରକାରଙ୍କ ପକ୍ଷରୁ ୨୯.୦୭.୨୦୨୧ରେ ଏକ ପ୍ରେସ ନୋଟ ୩ (୨୦୨୧) ଜାରି କରାଯାଇଥିଲା।
  • ଟେଲିକମ କ୍ଷେତ୍ର : ଟେଲିକମ ସେବା କ୍ଷେତ୍ରରେ ସ୍ୱୟଂ କ୍ରିୟ ମାର୍ଗରେ ୧୦୦% ବିଦେଶୀ ପୁଞ୍ଜିନିବେଶକୁ ମଞ୍ଜୁରି ଦେବା ଲାଗି ୦୬.୧୦.୨୦୨୧ରେ ଏକ ପ୍ରେସ ନୋଟ ୪ ଜାରି କରାଯାଇଥିଲା।
  1. ବୌଦ୍ଧିକ ସମ୍ପତ୍ତି ଅଧିକାର (ଆଇପିଆର) : ବିଦେଶୀ ନିବେଶକମାନଙ୍କୁ ଆକୃଷ୍ଟ କରିବା, ସୃଜନଶୀଳତାର ପ୍ରସାର ଏବଂ ସ୍ଥାନୀୟ ଉଦ୍ଭାବକମାନଙ୍କୁ ଉତ୍ସାହିତ କରିବା ଲାଗି ଫ୍ରେମୱର୍କ

ବିଦେଶୀ ନିବେଶକମାନଙ୍କୁ ଆକୃଷ୍ଟ କରିବା, ସୃଜନଶୀଳତାର ପ୍ରସାର ଏବଂ ନିଜର ଉପାୟରେ ନିବେଶ କରିବା ଲାଗି ସ୍ଥାନୀୟ ଉଦ୍ଭାବନକାରୀମାନଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ଏକ ପ୍ରଭାବୀ ଆଇପିଆର ଫ୍ରେମୱର୍କ ଅପରିହାର୍ଯ୍ୟ। ଏହି ପରିପ୍ରେକ୍ଷୀରେ, ଡିପିଆଇଆଇଟି ଭାରତରେ ଆଇପି ଇକୋସିଷ୍ଟମକୁ ସୁଦୃଢ଼ କରିବା ଲାଗି ପ୍ରତିବଦ୍ଧ। ୨୦୨୧ରେ ଏଦିଗରେ ଗ୍ରହଣ କରାଯାଇଥିବା ପ୍ରମୁଖ ପଦକ୍ଷେପଗୁଡ଼ିକ ନିମ୍ନରେ ଦିଆଗଲା:

  • ଡିଜାଇନ (ସଂଶୋଧନ) ନିୟମାବଳୀ, ୨୦୨୧ ଗେଜେଟ୍‌ ଅଫ ଇଣ୍ଡିଆରେ ୨୫.୦୧.୨୦୨୧ରେ ବିଜ୍ଞପିତ କରାଯାଇଛି। ଏହା ଷ୍ଟାର୍ଟଅପ୍ସ ଓ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ସେମାନଙ୍କର ଡିଜାଇନକୁ ସୁରକ୍ଷିତ ରଖିବା ଓ ଡିଜାଇନ ଦାଖଲ କରିବା ଲାଗି ପ୍ରୋତ୍ସାହନ ଦେଇଥାଏ। ପ୍ୟାଟେଣ୍ଟ ଓ ଟ୍ରେଡମାର୍କ ନିୟମାବଳୀ ଅଧୀନରେ ଅନୁରୂପ ଭାବେ ଶୁଳ୍କ ମଧ୍ୟ ହ୍ରାସ କରାଯାଇଛି।
  • କପିରାଇଟ (ସଂଶୋଧନ) ନିୟମାବଳୀ, ୨୦୨୧ କୁ ୩୦.୦୩.୨୦୨୧ରେ ବିଜ୍ଞପିତ କରାଯାଇଥିଲା। ଅନ୍ୟ ପ୍ରଜୁଯ୍ୟ ନିୟମ ସହିତ ବର୍ତ୍ତମାନର ନିୟମାବଳୀରେ ସମାନତା ଆଣିବାର ଲକ୍ଷ୍ୟ ନେଇ ଏହାକୁ ଲାଗୁ କରାଯାଇଥିଲା। କପିରାଇଟ ସୋସାଇଟିଗୁଡ଼ିକ ଦ୍ୱାରା ଏକ ବାଧ୍ୟତାମୂଳକ ବାର୍ଷିକ ପାରଦର୍ଶିତା ରିପୋର୍ଟ ଜାରି କରିବାକୁ ଏଥିରେ ବାଧ୍ୟତାମୂଳକ କରାଯାଇଛି। ଏହି ନିୟମାବଳୀର ଉଦ୍ଦେଶ୍ୟ ହେଉଛି, ଡିଜିଟାଲ ଯୁଗରେ ପ୍ରଯୁକ୍ତିଗତ ବିକାଶକୁ ଦୃଷ୍ଟିରେ ରଖି ଯୋଗାଯୋଗର ପ୍ରମୁଖ ମାଧ୍ୟମ ଏବଂ କପିରାଇଟ୍‌ କାର୍ଯ୍ୟାଳୟରେ କାମ କରିବା ଲାଗି ଇଲେକ୍ଟ୍ରୋନିକ୍ସ ମାଧ୍ୟମକୁ ଗ୍ରହଣ କରିବା ଜରିଆରେ ଅନୁପାଳନକୁ ସହଜ ଓ ବାଧାମୁକ୍ତ କରିବା ।
  • ପେଟେଣ୍ଟ (ସଂଶୋଧନ) ନିୟମାବଳୀ, ୨୦୨୧: ପେଟେଣ୍ଟ୍ସ (ସଂଶୋଧନ ନିୟମାବଳୀ) ୨୧ ସେପ୍ଟେମ୍ବର ୨୦୨୧ରେ ଲାଗୁ କରାଯାଇଥିଲା। ଏହା ମାଧ୍ୟମରେ ଶିକ୍ଷାନୁଷ୍ଠାନଗୁଡ଼ିକର ପେଟେଣ୍ଟ ଶୁଳ୍କ ୮୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରାଯାଇଛି। ଏହି ସଂଶୋଧନ ଏମଏସଏମଇ ଓ ଷ୍ଟାର୍ଟଅପ୍ସଗୁଡ଼ିକ ଭଳି ଶିକ୍ଷାନୁଷ୍ଠାନଗୁଡ଼ିକୁ ସମାନ ସ୍ତରର ସହାୟତା ଯୋଗାଇ ଦେବ ଏବଂ ଆଇପି ଇକୋସିଷ୍ଟମରେ ଶିକ୍ଷାନୁଷ୍ଠାନଗୁଡ଼ିକର ଅଧିକ ସହଭାଗିତା ସୁନିଶ୍ଚିତ କରିବ।

ଜାତୀୟ ଆଇପିଆର ନୀତି ପ୍ରଣୟନ କରାଯିବା ପରଠାରୁ, ଭାତରରେ ଆଇପି ଫାଇଲିଂ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। ଭାରତରେ କୋଭିଡ ଜନିତ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଆଇପି ଫାଇଲିଂ ଉପରେ କୌଣସି ନକାରାତ୍ମକ ପ୍ରଭାବ ପଡ଼ିନାହିଁ। ଆହୁରି, ଟ୍ରେଡମାର୍କ ଓ ଜିଆଇ ଆବେଦନ ଦାଖଲ ଗତ କିଛି ବର୍ଷ ହେବ ବୃଦ୍ଧି ପାଇଛି।

  1. ଏକ ଜିଲ୍ଲା ଏକ ଉତ୍ପାଦ (ଓଡିଓପି)

ଦେଶର ସମସ୍ତ ଜିଲ୍ଲାରେ କ୍ଷେତ୍ରୀୟ ବିକାଶରେ ସନ୍ତୁଳନ ଆଣିବା ଲାଗି ଭାରତ ସରକାର ଅନେକ ଗୁଡ଼ିଏ ପରିବର୍ତ୍ତନକାରୀ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହାକୁ ଏକ ଜିଲ୍ଲା ଏକ ଉତ୍ପାଦ (ଓଡିଓପି) କୁହାଯାଉଛି, ଏହାର ଉଦ୍ଦେଶ୍ୟ ହେଉଛି ଭାରତର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ନିର୍ଦ୍ଦିଷ୍ଟ ଉତ୍ପାଦକୁ ପ୍ରୋତ୍ସାହନ ଦେବା ଯାହାଫଳରେ ଏହିସବୁ ଉତ୍ପାଦକୁ ବିଶ୍ୱସ୍ତରରେ ବିକ୍ରି କରାଯାଇପାରିବ। ଏହା ସମ୍ପୃକ୍ତ ଜିଲ୍ଲାର ବାସ୍ତବ ସମ୍ଭାବନାକୁ ଉଜାଗର କରିବ, ଆର୍ଥିକ ଅଭିବୃଦ୍ଧିକୁ ଇନ୍ଧନ ଯୋଗାଇବ, ନିଯୁକ୍ତି ସୁଯୋଗ ଏବଂ ଗ୍ରାମୀଣ ଉଦ୍ୟମିତାକୁ ପ୍ରୋତ୍ସାହନ ଦେବ। ବାଣିଜ୍ୟ ମନ୍ତ୍ରଣାଳୟ ଅଧୀନ ଡିଜିଏଫଟି ଏବଂ ଡିପିଆଇଆଇଟି ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ‘ଜିଲ୍ଲା ରପ୍ତାନି କେନ୍ଦ୍ର’ ଯୋଜନା ସହିତ ଓଡିଓପି ଯୋଜନାକୁ ସାମିଲ କରାଯାଇଛି। ଏଥିରେ ଅନ୍ୟ ବୃହତ ଅଂଶୀଦାରମାନଙ୍କୁ ସାମିଲ କରିବା ଲାଗି ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି। ଓଡିଓପି ଯୋଜନା ଅଧୀନରେ ଡିପିଆଇଟି ପକ୍ଷରୁ ଇନଭେଷ୍ଟ ଇଣ୍ଡିଆ ସହିତ ମିଶି ଉତ୍ପାଦନ, ବିପଣନ, ବ୍ରାଣ୍ଡିଂ, ଅନ୍ତରୀଣ ବାଣିଜ୍ୟ, ଇ-କମର୍ସ ଆଦି ଗତିବିଧିକୁ ପ୍ରୋତ୍ସାହିତ କରାଯାଉଛି।

ପ୍ରଥମ ପର୍ଯ୍ୟାୟରେ ୧୦୩ଟି ଜିଲ୍ଲାର ୧୦୬ଟି ଉତ୍ପାଦକୁ ତାଲିକାଭୁକ୍ତ କରାଯାଇଛି। ଦ୍ଵିତୀୟ ପର୍ଯ୍ୟାୟରେ ୭୩୯ ଜିଲ୍ଲାରେ ୭୩୯ଟିରୁ ଅଧିକ ଉତ୍ପାଦକୁ ସାମିଲ କରାଯାଇଛି।

  1. ସ୍ୱଚ୍ଛତା ଅଭିଯାନ

 

  • ଏହି ବିଶେଷ ଅଭିଯାନ ସମୟରେ ଡିପିଆଇଆଇଟି ଏବଂ ଏହାର ସହ-ସଂଗଠନଗୁଡ଼ିକ ଦ୍ୱାରା ୪୯,୬୮୬ ଫାଇଲର ସମୀକ୍ଷା କରାଯାଇଛି। ସମୀକ୍ଷା କରାଯାଇଥିବା ଫାଇଲ ମଧ୍ୟରୁ, ୪୯,୪୪୯ଟି ଫାଇଲକୁ ନିଷ୍କ୍ରିୟ କରି ଦିଆଯାଇଛି। ଫଳରେ ଡିପିଆଇଆଇଟି ଏବଂ ଏହାର ଉପସଂଗଠନଗୁଡ଼ିକରେ ୨୨୨୨ ବର୍ଗଫୁଟ କ୍ଷେତ୍ର ଖାଲି କରାଯାଇଛି। ନିଷ୍କ୍ରିୟ ସାମଗ୍ରୀଗୁଡ଼ିକୁ ଅପସାରଣ କରାଯିବା ଫଳରେ ୩୨୭୭ ବର୍ଗଫୁଟ କ୍ଷେତ୍ର ଖାଲି ହୋଇପାରିଛି, ଯାହାକି ସ୍ୱଚ୍ଛତା ଓ ପରିଚ୍ଛନ୍ନତା ସ୍ଥିତିରେ ସୁଧାର ଆସିଛି। ଏହାଛଡ଼ା ୫,୬୦,୦୦୦ ଟଙ୍କାର ରାଜସ୍ୱ ହାସଲ କରାଯାଇଛି।
  • ୩୧ଟି ସାଧାରଣ ଅଭିଯୋଗ ଏବଂ ୩ଟି ଜନ ଅଭିଯୋଗ ସମାଧାନ ଜରିଆରେ ବିଭାଗ ଅଭିଯୋଗ ସମାଧାନ କ୍ଷେତ୍ରରେ ଶତପ୍ରତିଶତ ଲକ୍ଷ୍ୟ ହାସଲକରିପାରିଛି। ଆହୁରି ୪୮ଟି ଭିଆଇପି ରେଫରେନ୍ସ ମଧ୍ୟରୁ, ୨୯ଟି ମାମଲାର ସମାଧାନ କରାଯାଇଛି। ‘‘ଇଜ୍‌ ଅଫ ଡୁଇଂ ବିଜନେସ’’ ଅଧୀନରେ ସରଳୀକରଣ ପାଇଁ ୧୯୪ଟି ନିୟମାବଳୀ/ନିୟାମକକୁ ବିଭାଗ ଚିହ୍ନଟ କରିଛି। ଏଥିମଧ୍ୟରୁ ୧୩୪ଟି ନିୟମକୁ ସରଳ କରାଯାଇଛି।
  • ପୁରୁଣା ଫାଇଲ/ରେକର୍ଡର ଡିଜିଟାଇଜେସନ : ଏପରିକି ବିଶେଷ ଅଭିଯାନ ପୂର୍ବରୁ ସିଆଇଏମର ନିର୍ଦ୍ଦେଶ ମୁତାବକ ପୁରୁଣା ଫାଇଲ/ରେକର୍ଡଗୁଡ଼ିକର ଡିଜିଟାଇଜେସନ ପ୍ରକ୍ରିୟାକୁ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟକାରୀ କରାଯାଇଛି। ଏହି ଅବଧି ମଧ୍ୟରେ, ୧୯,୫୩,୬୬୬ ପୃଷ୍ଠାର ୧୨,୩୮୭ଟି ଫାଇଲର ସ୍କାନିଂ ଓ ଡିଜିଟାଇଜେସନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି। ଏହି ସବୁ ସ୍କାନ ହୋଇଥିବା ଫାଇଲକୁ ଭବିଷ୍ୟତର ରେଫରେନ୍ସ ପାଇଁ ଇ-ଅଫିସ ସହିତ ଯୋଡ଼ାଯାଇଛି।
  • କ୍ୟାବିନେଟ ସଚିବ ଏବଂ ଡିଏଆରପିଜିର ପରାମର୍ଶକ୍ରମେ ସରକାରୀ ସ୍ତରରେ ନିଷ୍ପତ୍ତି ନେବାର ପ୍ରକ୍ରିୟାରେ ଦକ୍ଷତା ବଢ଼ାଇବା ଲାଗି, କ୍ଷମତାପ୍ରାପ୍ତ କର୍ତ୍ତପକ୍ଷଙ୍କ ଅନୁମୋଦନ ଆଧାରରେ ଡିପିଆଇଆଇଟି ସବମିସନ ଚ୍ୟାନେଲ ଏବଂ ସମାଧାନ ସ୍ତରରେ ସଂଶୋଧନ ଆଣିଛି। ନିଷ୍ପତ୍ତି ନେବା ପ୍ରକ୍ରିୟାକୁ ବଢ଼ାଇବା ଓ ସର୍ବାଧିକ ୪ ପର୍ଯ୍ୟନ୍ତ ସ୍ତରକୁ ହ୍ରାସ କରିବା ଲାଗି ବିଭାଗ ଏହି ପଦକ୍ଷେପ ନେଇଛି। ଏହା ମାମଲା ସମାଧାନ ପ୍ରକ୍ରିୟାକୁ ଦ୍ରୁତ କରିବା ସହିତ ନିଷ୍ପତ୍ତି ନେବାର ପ୍ରକ୍ରିୟାରେ ସୁଧାର ଆଣିବ।
  • ସିଆଇଏମ ଦ୍ୱାରା ସମୀକ୍ଷା : ଅଭିଯାନ ଅବଧି କାଳରେ ସିଆଇଏମ ନିରନ୍ତର ଭାବେ ବିଶେଷ ଅଭିଯାନର ସମୀକ୍ଷା କରିଛି। ୩୧.୧୦.୨୦୨୧ରେ ବିଶେଷ ଅଭିଯାନ ସମ୍ପୂର୍ଣ୍ଣ ହେବା ପରେ, ସିଆଇଏମ ସାପ୍ତାହିକ ଆଧାରରେ ସ୍ୱଚ୍ଛତା ଅଭିଯାନର ସମୀକ୍ଷା କରୁଛି। ପରିସରରେ ସ୍ୱଚ୍ଛତାର ସମୀକ୍ଷା କରିବା ଲାଗି ସିଆଇଏମ ମଧ୍ୟ ନିୟମିତ ଭାବେ ଉଦ୍ୟୋଗ ଭବନ ପରିଦର୍ଶନ କରୁଛି।
  1. ୨୦୨୧ରେ ଭାରତର ବ୍ରିକ୍ସ ଅଧ୍ୟକ୍ଷତା ସମୟରେ ଡିପିଆଇଆଇଟି ପକ୍ଷରୁ ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମ:
  • ୨୦୨୧ରେ ଭାରତର ଅଧ୍ୟକ୍ଷତାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରାଯାଇଥିଲା। ୨୦୧୨ ଏବଂ ୨୦୧୬ ପରେ ତୃତୀୟ ଥର ପାଇଁ ଭାରତ ବ୍ରିକ୍ସ ଶିଖର ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲା। ଭାରତର ଅଧ୍ୟକ୍ଷତାରେ ବ୍ରିକ୍ସର ବିଷୟବସ୍ତୁ ଥିଲା ‘ବ୍ରିକ୍ସ ଆଟ୍‌ ୧୫ : ନିରନ୍ତରତା, ସହଭାଗିତା ଓ ସହମତି ପାଇଁ ସହଯୋଗ’। ଭାରତ ବ୍ରିକ୍ସରେ ଅଧ୍ୟକ୍ଷତା କରିବା ସମୟରେ ଡିପିଆଇଆଇଟି ପକ୍ଷରୁ ୪ଟି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ସବୁ କାର୍ଯ୍ୟକ୍ରମ ଶିଳ୍ପ ସଂକ୍ରାନ୍ତ ପ୍ରସଙ୍ଗକୁ ନେଇ ଥିଲା - ଶିଳ୍ପ ମନ୍ତ୍ରୀମାନଙ୍କର ବୈଠକ, ନିବେଶ, ଶିଳ୍ପାୟନ, ନବସୃଜନ, ସମାବେଶୀତା ଓ ଡିଜିଟାଇଜେସନକୁ ପ୍ରୋତ୍ସାହନ ଦେବା ଲାଗି ପାର୍ଟଏନଆଇଆର ବୈଠକ (ନୂତନ ଶିଳ୍ପ ବିପ୍ଳବ ଉପରେ ସହଭାଗିତା), ୧୩ତମ ଏଚଆଇପିଓ (ବୌଦ୍ଧିକ ସମ୍ପତ୍ତି କାର୍ଯ୍ୟାଳୟର ମୁଖ୍ୟ) ବୈଠକ ଏବଂ ବ୍ରିକ୍ସର ବାଣିଜ୍ୟ ଓ ନିବେଶ ଏଜେନ୍ସି ମାନଙ୍କ ମଧ୍ୟରେ ରାଉଣ୍ଡ ଟେବୁଲ ବୈଠକ।
  1. ଆଜାଦୀ କା ଅମୃତ ମହୋତ୍ସବ (ଏକେଏଏମ) ଅଧୀନରେ ଡିପିଆଇଆଇଟି ପକ୍ଷରୁ ନିମ୍ନ କାର୍ଯ୍ୟକ୍ରମଗୁଡ଼ିକ ଆୟୋଜନ କରାଯାଇଥିଲା:
  • ଏହି କାର୍ଯ୍ୟକ୍ରମ ପାଇଁ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟକୁ ୨୦.୦୯.୨୦୨୧ ଠାରୁ ୨୬.୦୯.୨୦୨୧ ପର୍ଯ୍ୟନ୍ତ ଗୋଟିଏ ସପ୍ତାହ ଆବଣ୍ଟନ କରାଯାଇଥିଲା। ତଦନୁଯାୟୀ ଡିପିଆଇଆଇଟି ପକ୍ଷରୁ ୨୦ରୁ ୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ ‘ଉଦ୍ୟୋଗ ସପ୍ତାହ’ ପାଳନ କରାଯାଇଥିଲା ଏବଂ ଏହି କାର୍ଯ୍ୟକ୍ରମକୁ ବିଭିନ୍ନ ମଞ୍ଚ ଜରିଆରେ ବ୍ୟାପକ ଭାବେ ପ୍ରଚାରପ୍ରସାର କରାଯାଇଥିଲା। ଡିପିଆଇଆଇଟି ପକ୍ଷରୁ ଆହୁରି କେତେକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା ସେଗୁଡ଼ିକ ହେଲା:
  • ପେଟ୍ରୋଲିୟମ ଏବଂ ବିସ୍ଫୋରକ କ୍ଷେତ୍ରରେ ଶିଳ୍ପ ନିରାପତ୍ତା ସୁନିଶ୍ଚିତ କରିବା ଲାଗି ଗ୍ରହଣ କରାଯାଇଥିବା ପଦକ୍ଷେପ, ବ୍ୟବସାୟିକ ସୁଗମତା ଖର୍ଚ୍ଚ ହ୍ରାସ କରିବା ଏବଂ ଘରୋଇ ଓ ଅନ୍ତର୍ଜାତୀୟ ନିବେଶକମାନଙ୍କ ପାଇଁ ଏକ ଇକୋସିଷ୍ଟମ ପ୍ରସ୍ତୁତ କରିବା ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ୨୧ ସେପ୍ଟେମ୍ବର ୨୦୨୧ରେ ଡିପିଆଇଆଇଟିର ଅତିରିକ୍ତ ସଚିବ ଗଣମାଧ୍ୟମକୁ ସୂଚନା ଦେଇଥିଲେ।
  • ଏଣ୍ଡ ଟୁ ଏଣ୍ଡ ସୁବିଧା, ସହାୟତା, ପ୍ରାକ୍‌ ନିବେଶକ ମାର୍ଗଦର୍ଶିକା, ଲ୍ୟାଣ୍ଡ ବ୍ୟାଙ୍କ ସଂକ୍ରାନ୍ତ ସୂଚନା, କେନ୍ଦ୍ର ଓ ରାଜ୍ୟ ସ୍ତରରେ ମଞ୍ଜୁରି ସୁବିଧା ଯୋଗାଇଦେବା, ଇକୋସିଷ୍ଟମରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ପ୍ରତିବଦ୍ଧତା ଆଣିବା ସହିତ ଗୋଟିଏ ସିଙ୍ଗଲ ଡ୍ୟାଶବୋର୍ଡରେ ସମସ୍ତ ସୂଚନା ଉପଲବ୍ଧ କରିବାର ଲକ୍ଷ୍ୟ ନେଇ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ ସେପ୍ଟେମ୍ବର ୨୨ ତାରିଖ, ୨୦୨୧ରେ ଜାତୀୟ ସିଙ୍ଗଲ ୱିଣ୍ଡୋ ସିଷ୍ଟମର ଲୋକାର୍ପଣ କରିଥିଲେ।
  • କ୍ଷେତ୍ରୀୟ ସ୍ତରରେ ଉଦ୍ୟମିତାକୁ ପ୍ରୋତ୍ସାହନ ଦେବାର ଲକ୍ଷ୍ୟ ନେଇ ବିଭିନ୍ନ ପ୍ରକାରର ଷ୍ଟାର୍ଟଅପ କାର୍ଯ୍ୟକ୍ରମ ଆୟୋଜନ କରିବା ଓ ସେଥିରେ ଅଂଶଗ୍ରହଣ କରିବା, ଷ୍ଟାର୍ଟଅପ ଶିଖର ସମ୍ମିଳନୀର ଉଦଘାଟନ, ଷ୍ଟାର୍ଟଅପ ନୀତିର ଉନ୍ମୋଚନ ଆଦି କାର୍ଯ୍ୟକ୍ରମ ୨୧.୦୯.୨୦୨୧ରୁ ୨୬.୦୯.୨୦୨୧ ମଧ୍ୟରେ କରିବା ଲାଗି ଷ୍ଟାର୍ଟଅପ୍‌ ଇଣ୍ଡିଆ ପକ୍ଷରୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ସହିତ ଯୋଗାଯୋଗ କରାଯାଇଥିଲା।
  • ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସୋମ ପ୍ରକାଶଙ୍କ ଉପସ୍ଥିତିରେ ୨୩ ସେପ୍ଟେମ୍ବର, ୨୦୨୧ରେ ଉତ୍ତର ପୂର୍ବାଞ୍ଚଳ ବ୍ୟବସାୟିକ ରାଉଣ୍ଡ ଟେବୁଲ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ଉତ୍ତର ପୂର୍ବାଞ୍ଚଳରେ ରହିଥିବା ବ୍ୟବସାୟ ଏବଂ ନିବେଶ ସୁଯୋଗ ପ୍ରଦର୍ଶିତ କରାଯିବା ସହ ଏହି ଅଞ୍ଚଳରେ କାର୍ଯ୍ୟକାରୀ କରାଯାଇଥିବା ସଂସ୍କାର ବିଷୟରେ ମଧ୍ୟ ସୂଚନା ଦିଆଯାଇଥିଲା।
  • ମାନନୀୟ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ, ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସୋମ ପ୍ରକାଶ ଓ ଶ୍ରୀମତୀ ଅନୁପ୍ରିୟା ପଟେଲଙ୍କ ଉପସ୍ଥିତିରେ ୨୮ ସେପ୍ଟେମ୍ବର ୨୦୨୧ରେ ଅନୁପାଳନ ବୋଝ ହ୍ରାସ ପାଇଁ କର୍ମଶାଳା ଆୟୋଜନ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ମନ୍ତ୍ରଣାଳୟ, ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କ ଦ୍ୱାରା ୨୫ ହଜାରରୁ ଅଧିକ ଅନୁପାଳନ ହ୍ରାସ କରାଯାଇଛି।
  • କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ସୋମ ପ୍ରକାଶ ୫ ଅକ୍ଟୋବର ୨୦୨୧ରେ ଶିଳ୍ପ ପାର୍କ ରେଟିଂ ସିଷ୍ଟମ ରିପୋର୍ଟ ୨.୦ ଉନ୍ମୋଚନ କରିଥିଲେ।
  • ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୩ ଅକ୍ଟୋବର ୨୦୨୧ରେ ବହୁମୁଖି ଯୋଗାଯୋଗ ନିମନ୍ତେ ପିଏମ ଗତିଶକ୍ତି ମାଷ୍ଟର ପ୍ଲାନ ଯୋଜନାର ଶୁଭାରମ୍ଭ କରିଥିଲେ।
  • ୨୦-୨୫ ଡିସେମ୍ବର ପର୍ଯ୍ୟନ୍ତ ଉତ୍ତମ ପ୍ରଶାସନ ସପ୍ତାହ: ‘‘ଜୀବନ ଦାରଣକୁ ସହଜ କରିବା’’ ଏବଂ ‘‘ବ୍ୟବସାୟିକ ସୁଗମତା’’କୁ ପ୍ରୋତ୍ସାହନ ଦେବା ଲାଗି ଦେଶର ଲକ୍ଷ୍ୟକୁ ସାକାର କରିବା ନିମନ୍ତେ ୨୨ ଡିସେମ୍ବର, ୨୦୨୧ରେ ‘‘ଅନୁପାଳନ ବୋଝ ହ୍ରାସ ପାଇଁ ପରବର୍ତ୍ତୀ ପର୍ଯ୍ୟାୟର ସଂସ୍କାର’’ ଉପରେ ଡିପିଆଇଆଇଟି ପକ୍ଷରୁ ଏକ ଜାତୀୟ କର୍ମଶାଳା ଆୟୋଜନ କରାଯାଇଥିଲା। ଏହି କର୍ମଶାଳାରେ ମାନନୀୟ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ ଉଦବୋଧନ ଦେଇଥିଲେ।
  • ଡିପିଆଇଆଇଟି ମଧ୍ୟ ନବସୃଜନ ଇକୋସିଷ୍ଟମ ସପ୍ତାହ (୧୦ରୁ ୧୬ ଜାନୁଆରୀ, ୨୦୨୨ ପର୍ଯ୍ୟନ୍ତ) ପାଳନ କରିବାକୁ ଯାଉଛି : ଏହି ପ୍ରସ୍ତାବିତ କାର୍ଯ୍ୟକ୍ରମରେ ଡିପିଆଇଆଇଟି ପକ୍ଷରୁ ୟୁନିକର୍ଣ୍ଣସ ଓ ଷ୍ଟାର୍ଟଅପ୍ସଗୁଡ଼ିକର ପ୍ରୋତ୍ସାହନ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ପ୍ରଦର୍ଶିତ କରାଯିବ। ଶିକ୍ଷା ମନ୍ତ୍ରଣାଳୟ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହେବ।

 

*******

P.S.



(Release ID: 1786708) Visitor Counter : 183