ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରୟାଗରାଜ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ

Posted On: 20 DEC 2021 9:04AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ଡିସେମ୍ବର ୨୧ ତାରିଖ ମଙ୍ଗଳବାର ଦିନ ପ୍ରୟାଗରାଜ ଗସ୍ତ କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତର ସ୍ୱାତନ୍ତ୍ର୍ୟ ହେଉଛି ୨ ଲକ୍ଷରୁ ଅଧିକ ମହିଳା ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ତୃଣମୂଳ ସ୍ତରରୁ ମହିଳାମାନଙ୍କୁ ସଶକ୍ତ କରିବା ନିମିତ୍ତ ପ୍ରଧାନମନ୍ତ୍ରୀଙ୍କର ରହିଥିବା ଲକ୍ଷ୍ୟକୁ ପୂରଣ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ଏହି ଅବସରରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର ୧୬ ଲକ୍ଷ ମହିଳାଙ୍କର କଲ୍ୟାଣ ପାଇଁ ୧ ହଜାର କୋଟି ଟଙ୍କା ପ୍ରଦାନ କରାଯିବ । ବ୍ୟବସାୟିକ ପ୍ରତିନିଧି- ସଖୀମାନଙ୍କୁ ପ୍ରଥମ ମାସର ବୃତ୍ତି ପ୍ରଦାନ କରାଯିବ ଏଥିସହିତ ପ୍ରଧାନମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାରେ ୧ ଲକ୍ଷ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ଦିଆଯିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ୨ଶହରୁ ଅଧିକ ଅତିରିକ୍ତ ପୁଷ୍ଟି ପ୍ରସ୍ତୁତି କେନ୍ଦ୍ରସମୂହର ଶିଳାନ୍ୟାସ କରିବେ ।

          ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ଅପରାହ୍ଣ ପ୍ରାୟ ଗୋଟାଏରେ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀଙ୍କ  ମହିଳାମାନଙ୍କୁ ସଶକ୍ତ କରିବା ସ୍ୱପ୍ନ ପୂରଣ ଦିଗରେ ସେମାନଙ୍କୁ ଆବଶ୍ୟକୀୟ କୌଶଳ ଶିକ୍ଷା ଦେବା, ପ୍ରୋତ୍ସାହନ ଯୋଗାଇବା ଏବଂ ଭିତ୍ତିଭୂମି ଯୋଗାଇବା ଆଦି କରାଯିବ । ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା-ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ସ୍ୱୟଂ ସହାୟକ ଗୋଷ୍ଠୀର ୧୬ ଲକ୍ଷ ମହିଳା ସଦସ୍ୟଙ୍କ ବ୍ୟାଙ୍କ୍ ଖାତାକୁ ଏହି ଅର୍ଥ ସିଧାସଳଖ ଯିବ । ପ୍ରାୟ ୮୦ ହଜାର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରୋତ୍ସାହନ ପାଣ୍ଠି ବାବଦରେ ଲକ୍ଷେ ୧୦ ହଜାର ଟଙ୍କା ଏବଂ ୬୦ ହଜାର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଚଳନ୍ତି ପୁଞ୍ଜି ବାବବରେ ୧୫ ହଜାର ଟଙ୍କା ଲେଖାଏଁ ଦିଆଯିବ । ଏଥିସହିତ ପ୍ରତି ବ୍ୟବସାୟିକ ପ୍ରତିନିଧି ସଖୀଙ୍କୁ ପ୍ରଥମ ମାସର ବୃତ୍ତି ୪ ହଜାର ଟଙ୍କା ଲେଖାଏଁ ୨୦ ହଜାର ‘ସଖୀ’ଙ୍କ ବ୍ୟାଙ୍କ ଖାତାକୁ ଯିବ । ସମାଜର ତୃଣମୂଳ ସ୍ତରରେ ଆର୍ଥିକ ସେବା ଯୋଗାଇବା ନିମିତ୍ତ ଏହି ସଖୀମାନଙ୍କୁ ୬ ମାସ ପାଇଁ ୪ ହଜାର ଟଙ୍କା ଲେଖାଏଁ ମାସିକ ବୃତ୍ତି ଦେବା ପରେ ସେମାନେ ଯୋଗାଉଥିବା ବିଭିନ୍ନ ଆର୍ଥିକ ସେବା ବାବଦରେ ପ୍ରୋତ୍ସାହନ ଅର୍ଥ ପାଇବେ ।

 

ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ୨୦ କୋଟିରୁ ଅଧିକ ଟଙ୍କା ସେମାନଙ୍କ ବ୍ୟାଙ୍କ ଖାତାକୁ ଯିବ । କନ୍ୟା ଶିଶୁମାନଙ୍କ ପାଇଁ ଜନ୍ମ ସମୟରେ ୨ ହଜାର ଟଙ୍କା, ୧ବର୍ଷ ପୂର୍ଣ୍ଣ ହେବା ସହ ସବୁ ଟିକା ନେବା ସରିବା ପରେ ୧ ହଜାର ଟଙ୍କା, ପ୍ରଥମ ଶ୍ରେଣୀରେ ନାମ ଲେଖା ସମୟରେ ୨ ହଜାର ଟଙ୍କା, ଷଷ୍ଠ ଶ୍ରେଣୀରେ ନାମଲେଖା ସମୟରେ ୨ ହଜାର ଟଙ୍କା, ନବମ ଶ୍ରେଣୀ ନାମଲେଖା ସମୟରେ ୩ ହଜାର ଟଙ୍କା, ଦ୍ୱାଦଶ ପରେ ଡିଗ୍ରୀ କିମ୍ବା ଡିପ୍ଲୋମା ପାଠ୍ୟକ୍ରମରେ ନାମଲେଖା ସମୟରେ ୫ ହଜାର ଟଙ୍କା, ଏହିପରି ଜୀବନର ବିଭିନ୍ନ ଅବସ୍ଥାରେ ପ୍ରତି କନ୍ୟାଙ୍କୁ ୧୫ ହଜାର ଟଙ୍କା ଦିଆଯିବ । ରାଜ୍ୟର ୬ ଶହ ବ୍ଲକରେ ଚାଲିଥିବା ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧୀନରେ ୨୦୨ଟି ଅତିରିକ୍ତ ପୁଷ୍ଟି ପ୍ରସ୍ତୁତି କେନ୍ଦ୍ର ନିର୍ମାଣ ନିମିତ୍ତ ଶିଳାନ୍ୟାସ କରାଯିବ । ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ହେବାକୁ ଥିବା ପ୍ରତି କେନ୍ଦ୍ର ନିର୍ମାଣ ବାବଦରେ ୧ କୋଟି ଟଙ୍କା ଲେଖାଏଁ ଖର୍ଚ୍ଚ କରାଯିବ ।

SSD/MT



(Release ID: 1783460) Visitor Counter : 195