ପ୍ରତିରକ୍ଷା ମନ୍ତ୍ରଣାଳୟ

‘ପିନାକ’ର ପରିବର୍ଦ୍ଧିତ ଲକ୍ଷ୍ୟଭେଦ ବ୍ୟବସ୍ଥା, ଏରିଆ ଡିନାଏଲ ମ୍ୟୁନିସନ୍ସ ଏବଂ ନୂଆ ସ୍ୱଦେଶୀ ଫ୍ୟୁଜ ପ୍ରଣାଳୀର ସଫଳ ପରୀକ୍ଷା

Posted On: 11 DEC 2021 11:17AM by PIB Bhubaneshwar

ସ୍ୱଦେଶୀ କାରିଗରୀ ଓ ଜ୍ଞାନକୌଶଳରେ ନିର୍ମିତ ଭାରତର ମଲ୍ଟିପୁଲ ରକେଟ ଲଞ୍ଚପିନାକର ପରିବର୍ଦ୍ଧିତ ଲକ୍ଷ୍ୟଭେଦ ବ୍ୟବସ୍ଥା (ଏକ୍ସଟେଣ୍ଡେଡ ରେଞ୍ଜ ସିଷ୍ଟମ), ନିଜର ପ୍ରଭାବ ଅନ୍ତର୍ଭୁକ୍ତ କ୍ଷେତ୍ରରେ ବାହ୍ୟ ଅସ୍ତ୍ରଶସ୍ତ୍ର କ୍ଷେପଣାସ୍ତ୍ରକୁ ପ୍ରବେଶ କରାଇ ନ ଦେବାର ଦକ୍ଷତା (ଏରିଆ ଡିନାଏଲ ମ୍ୟୁନିସନ୍ସ) ତଥା ନୂଆ ସ୍ୱଦେଶୀ ସଂଯୋଜନ(ନ୍ୟୁ ଇଣ୍ଡିଜେନ୍‌ସ ଫ୍ୟୁଜେସ୍‌) ପ୍ରଣାଳୀର ସଫଳ ପରୀକ୍ଷା ବିଭିନ୍ନ ପରୀକ୍ଷଣ କେନ୍ଦ୍ରରେ ସମ୍ପନ୍ନ ହୋଇଛି । ପିନାକ-ଇଆର ମଲ୍ଟି ବ୍ୟାରେଲ ରକେଟ ଲଞ୍ଚର ସିଷ୍ଟମର ଏହି ସଫଳ ପରୀକ୍ଷା ପୋଖରାନ୍ ରେଞ୍ଜରେ କରାଯାଇଛି ।

ଏହି  କ୍ଷେପଣାସ୍ତ୍ର ଲଂଚର ବ୍ୟବସ୍ଥାଟିର ଡିଜାଇନ ମିଳିତଭାବେ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ପ୍ରତିଷ୍ଠାନ (ଡିଆରଡିଓ)ର ବିଭିନ୍ନ ପରୀକ୍ଷାଗାର, ପୁଣେର ଅସ୍ତ୍ରଶସ୍ତ୍ର ଗବେଷଣା ଓ ବିକାଶ ପ୍ରତିଷ୍ଠାନ (ଏଆରଡିଇ) ଏବଂ ପୁଣେର ଉଚ୍ଚ ଊର୍ଜ୍ଜା ସାମଗ୍ରୀ ଗବେଷଣା ପରୀକ୍ଷାଗାର (ଏଚଇଏମ୍‌ଆରଏଲ୍‌) ଦ୍ୱାରା ପ୍ରସ୍ତୁତ ହୋଇଛି ।

ପିନାକର ପରିବର୍ଦ୍ଧିତ ପ୍ରୟୋଗ ରେଞ୍ଜର ପ୍ରଦର୍ଶନ ଓ ଦକ୍ଷତାକୁ ପରଖିବା ପରେ ଡିଆରଡିଓ ଏହି ଟେକ୍‌ନୋଲୋଜି ସିଷ୍ଟମକୁ ସମ୍ପୃକ୍ତ ଉଦ୍ୟୋଗକୁ ଉତ୍ପାଦନ ପାଇଁ ହସ୍ତାନ୍ତର କରିଥିଲା । ସମ୍ପୃକ୍ତ ଅଂଶୀଦାର ଉଦ୍ୟୋଗ  ଡିଆରଡିଓର ତତ୍ତ୍ୱାବଧାନରେ ପରିବର୍ଦ୍ଧିତ ପିନାକ ଏମକେ-୧ ରକେଟମାନ ଉତ୍ପାଦନ କରିଛି । ଏହି ରକେଟ ସବୁର ଗୁଣମାନକୁ ଡିଆରଡିଏ ଉତ୍ପାଦନର ପ୍ରତ୍ୟେକ ସ୍ତରରେ ଭଲଭାବେ ପରୀକ୍ଷାନିରୀକ୍ଷା କରିଥିଲା ।

ଟେକ୍‌ନୋଲୋଜି ହସ୍ତାନ୍ତର ପ୍ରକ୍ରିୟା ଭିତ୍ତିରେ ସମ୍ପୃକ୍ତ ଉଦ୍ୟୋଗ ଦ୍ୱାରା ନିର୍ମିତ ରକେଟଗୁଡିକର ମାନ, ଗୁଣ ଓ ଦକ୍ଷତାକୁ ନିରୀକ୍ଷଣ କରାଯାଇ ଏହାର ପରୀକ୍ଷା ପାଇଁ ଅନୁମତି ଦିଆଯାଇଥିଲା । ଡିଆରଡିଓର ପ୍ରତ୍ୟକ୍ଷ ତଦାରଖରେ ଏହି ରକେଟ ଉତ୍ପାଦନ କରାଯାଉଛି ଏବଂ ଏହାର ଦକ୍ଷତା ଓ ମାନକୁ ଡିଜାଇନ ଅନୁସାରେ ସୁନିଶ୍ଚିତ କରାଯାଇଛି ।

ବିଗତ ତିନିଦିନ ଧରି ଏହି ରକେଟଗୁଡିକର ପରୀକ୍ଷା ଡିଆରଡିଓ ପକ୍ଷରୁ ସ୍ଥଳସେନାର ସହଯୋଗରେ ଦେଶର ବିଭିନ୍ନ ଫିଲ୍ଡ ଫାଏରିଂ ରେଞ୍ଜରେ କରାଯାଇଥିଲା ।ଏହି ପରୀକ୍ଷାବେଳେ ସମ୍ପୃକ୍ତ ରକେଟଗୁଡିକରେ ବିଭିନ୍ନ ପ୍ରକାରର  ଓ ଓଜନର ଯୁଦ୍ଧାସ୍ତ୍ର (ୱାରହେଡ) ଖଞ୍ଜାଯାଇ ତାହାର ପ୍ରୟୋଗ   କରାଯାଇଥିଲା । ସମସ୍ତ ପରୀକ୍ଷଣ ସଫଳ ଓ ସନ୍ତୋଷଜନକ ହୋଇଛି । ଦେଶର ବିଭିନ୍ନ ଫାଏରିଙ୍ଗ ରେଞ୍ଜରୁ ଏଭଳି ୨୪ଟି ରକେଟ ପରୀକ୍ଷା କରାଯାଇଛି । ଲକ୍ଷ୍ୟଭେଦ କରିବାରେ ଏସବୁ ରକେଟ ସଫଳ ହୋଇଛି ଏବଂ ଏହା ତ୍ରୁଟିଶୂନ୍ୟ ରହିଛି । ଏଥି ସହିତ ଉତ୍ପାଦକଙ୍କୁ ଯେଉଁ ଟେକ୍‌ନୋଲୋଜି ହସ୍ତାନ୍ତର ହୋଇ ଉପଯୁକ୍ତ ରକେଟ ନିର୍ମାଣ ଦାୟିତ୍ୱ ଦିଆଯାଇଥିଲା ସେ ପର୍ଯ୍ୟାୟ ସଫଳତାର ସହିତ ଶେଷ ହୋଇଛି । ଏବେ ସମ୍ପୃକ୍ତ ଅଂଶୀଦାର ଉଦ୍ୟୋଗ ଏହି ରକେଟ ସିଷ୍ଟମର ବହୁଳ ଉତ୍ପାଦନ ପାଇଁ ପ୍ରସ୍ତୁତ ।

ପିନାକ-ଇଆର, ପୂର୍ବ ପିନାକ କ୍ଷେପଣାସ୍ତ୍ର ବ୍ୟବସ୍ଥାର ପରିବର୍ଦ୍ଧିତ ଓ ଉନ୍ନତ ସଂସ୍କରଣ । ଗତ ଦଶକରେ ପିନାକ ଭାରତୀୟ ସେନା ଦ୍ୱାରା ବ୍ୟବହୃତ ହେଉଥିଲା । ନୂଆ ଟେକ୍‌ନୋଲୋଜିର ପ୍ରୟୋଗ କରାଯାଇ ପିନାକର ଦକ୍ଷତା  ଓ ଲକ୍ଷ୍ୟଭେଦ ପରିସରକୁ ଏବେ ବଢାଇବାକୁ ଭାରତ ସକ୍ଷମ ହୋଇଛି । ପରିବର୍ତ୍ତିତ ପରିସ୍ଥିତିର ଆବଶ୍ୟକତା ପୂରଣ ଏବଂ ପ୍ରତିରକ୍ଷା ବାହିନୀର ଦକ୍ଷତା ବୃଦ୍ଧିରେ ଏହା ସହାୟକ ହେବ ।

ପିନାକର ନୂଆ ଏରିଆ ଡିନାଏଲ ମ୍ୟୁନିସେନ୍ (ଏଡିଏମ୍‌) ଶ୍ରେଣୀର ରକେଟକୁ ପୋଖରାନ ସ୍ଥିତି ଫିଲ୍‌ଡ ଫାଏରିଂ ରେଞ୍ଜରେ ସଫଳତାର ସହ ପରୀକ୍ଷା କରାଯାଇଛି । ନୂଆ ଟେକ୍‌ନୋଲୋଜି ପ୍ରୟୋଗ ଦ୍ୱାରା ପିନାକ ରକେଟ୍ସର ଶକ୍ତି, ସାମର୍ଥ୍ୟ ଓ ଲକ୍ଷ୍ୟଭେଦ କ୍ଷମତା କିପରି ବଢିଛି ତାହା ନିର୍ଣ୍ଣୟ କରିବା ଥିଲା ଏହି ପରୀକ୍ଷାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ।

ପିନାକ ରକେଟର ପ୍ରକ୍ସିମିଟି ଫ୍ୟୁଜ ବ୍ୟବସ୍ଥା ସ୍ୱଦେଶୀ କାରିଗରୀ  ଜ୍ଞାନ କୌଶଳରେ ବିକଶିତ ହୋଇଛି । ପୁଣେର ଏଆରଡିଇ ପିନାକ ପାଇଁ ବିଭିନ୍ନ ଫ୍ୟୁଜ ବିକଶିତ କରିଛି । ବିଭିନ୍ନ ପ୍ରକାରର ବ୍ୟବହାର ପାଇଁ ଏହି ଫ୍ୟୁଜକୁ ବ୍ୟବହାର କରାଯିବ ।କ୍ରମାଗତ ଭାବେ ବିଭିନ୍ନ ପରୀକ୍ଷା କରାଯାଇ ଏହି ଫୁଜର ଦକ୍ଷତା ଓ କାରିଗରୀ ଶକ୍ତିକୁ ଆକଳନ କରାଯାଇଛି । ଏହି କାର୍ଯ୍ୟ ସନ୍ତୋଷଜନକ ରହିଛି ।

ପ୍ରଥମଥର ପାଇଁ ଫ୍ୟୁଜ ଟେକ୍‌ନୋଲୋଜି ଦେଶୀୟ ଜ୍ଞାନ କୌଶଳରେ ବିକଶିତ କରାଯାଇଛି । ଏଥିପାଇଁ ନିରନ୍ତର ଚାଲିଥିବା ଗବେଷଣା ଓ ଉନ୍ନୟନ କାର୍ଯ୍ୟ ସଫଳ ପ୍ରମାଣିତ ହୋଇଛି । ଏହାଫଳରେ ଭାରତ ଆଉ ଆମଦାନୀ ହେଉଥିବା ବିଦେଶୀ ଫ୍ୟୁଜ ଉପରେ ନିର୍ଭର କରିବ ନାହିଁ ।ଏହାଫଳରେ ଦେଶର ମୂଲ୍ୟବାନ ବୈଦେଶିକ ମୁଦ୍ରା ବଂଚିବ । ଏଆରଡିଇ ମଧ୍ୟ ଏଡିଏମ୍ ପାଇଁ କ୍ଷୁଦ୍ର ଫ୍ୟୁଜର ଡିଜାଇନ କରିଛି । ସାମ୍ପ୍ରତି କ ପରୀକ୍ଷଣ ସମୟରେ ଟ୍ୟାଙ୍କ ବିଧ୍ୱଂସୀ ଏଟିଏମ୍ ଓ ଡିଏସ୍‌ଡି ଫ୍ୟୁଜର ଦ୍ୱୈତ ପରୀକ୍ଷା ମଧ୍ୟ ସଫଳ ହୋଇଛି ।

ମୋଟାମୋଟି ଭାବେ ପିନାକର ପରିବର୍ଦ୍ଧିତ ସଂସ୍କରଣକୁ ଉତ୍ପାଦନ ପାଇଁ ସବୁଜ ସଙ୍କେତ ଦେବା ନିମନ୍ତେ ଯେଉଁସବୁ ଗୁ୍‌ରୁତ୍ୱପୂର୍ଣ୍ଣ ପରକ୍ଷୀ କରାଯାଇଥିଲା ତାହା ସଫଳ ଓ ସନ୍ତୋଷଜନକ ରହିଛି ।

*****

 TM / SLP

 



(Release ID: 1780498) Visitor Counter : 193