ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ମହାମାରୀର ପରିବର୍ତ୍ତିତ ସ୍ଥିତି ଉପରେ ଭାରତ ସରକାରଙ୍କ ତୀକ୍ଷ୍ମ ନଜର;


ସ୍ୱରାଷ୍ଟ୍ର ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ପରିସ୍ଥିତି ଉପରେ ଆଲୋଚନା

‘ବିପଦାପନ୍ନ’ ଦେଶ ସମୂହରୁ ଆସୁଥିବା ଯାତ୍ରୀମାନଙ୍କ ଜେନୋମିକ୍ ସର୍ଭେଲାନ୍ସ ବୃଦ୍ଧି ଉପରେ ଗୁରୁତ୍ୱ

ବିମାନବନ୍ଦର ଓ ବନ୍ଦରରେ କଠୋର ତଦାରଖ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ର ସରକାରଙ୍କ ପରାମର୍ଶ

ସବୁ ବିମାନବନ୍ଦର ଓ ବନ୍ଦରରେ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିୟମକୁ କଡାକଡି କରିବାକୁ ସମ୍ପୃକ୍ତ ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ

Posted On: 28 NOV 2021 7:02PM by PIB Bhubaneshwar

  ବୈଶ୍ୱିକ ମହାମାରୀ କରୋନା ବିରୋଧରେ କେନ୍ଦ୍ର ସରକାର ସମଗ୍ର ସରକାର ଓ ସମଗ୍ର ସମାଜଆଭିମୁଖ୍ୟ ନେଇ ଲଢେଇ ଜାରି ରଖିଛନ୍ତି । ଏଥିରେ କୌଣସି ଢିଲା ଦିଆଯାଉନାହିଁ । କେନ୍ଦ୍ର ସରକାର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ, ସମ୍ପୃକ୍ତ ସମସ୍ତ ପକ୍ଷ, ବିଭିନ୍ନ ନୋଡାଲ ଏଜେନ୍ସିକୁ ପରିବର୍ତ୍ତିତ ସ୍ଥିତିକୁ ଦେଖି କି ପ୍ରକାର ପଦକ୍ଷେପ ନିଆଯିବ, ସେ ବିଷୟରେ ପରାମର୍ଶ ଦେଇ ଆସୁଛନ୍ତି । କରୋନାର ନୂଆ ରୂପ ଓ ସଂକ୍ରମଣକୁ ଦେଖି ସରକାର ନିୟମିତ ଭାବେ ତାଙ୍କର ରଣନୀତି ବଦଳାଉଛନ୍ତି ଏବଂ ତଦନୁସାରେ ପ୍ରତିକାର ବ୍ୟବସ୍ଥା କରାଯାଉଛି । ଏବେ କରୋନାର ଏକ ନୂଆ ଭୂତାଣୁ ଓମିକ୍ରନ(ବି.୧.୧୫୨୯) ଚିହ୍ନଟ ହେବା ସହିତ କେତକ ଦେଶରେ ଏହାର ସଂକ୍ରମଣ ଆରମ୍ଭ ହୋଇଛି । ଏହି ନୂଆ ଭୂତାଣୁକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଉଦ୍‌ବେଗ ସୃଷ୍ଟିକାରୀ ଭୂତାଣୁ (ଭାରିଆଣ୍ଟ ଅପ୍ କନ୍‌ସର୍ଣ୍ଣ) ଭାବେ ବର୍ଗୀକୃତ କରିବା ପରେ ସମ୍ଭାବ୍ୟ ବିପଦକୁ ନିଜରରେ ରଖି ଭାରତ ସରକାର ଏହାର ମୁକାବିଲା ପାଇଁ ତତ୍ପର ହୋଇଉଠିଛନ୍ତି ।

 ପ୍ରଧାନମନ୍ତ୍ରୀ ଏହି ପରିପ୍ରେକ୍ଷୀରେ ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକରେ ନୂଆ ପରିସ୍ଥିତିର ସମୀକ୍ଷା କରିଥିଲେ । ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ସ୍ୱାସ୍ଥ୍ୟସେବା ଓ ଅନ୍ୟାନ୍ୟ କ୍ଷେତ୍ରରେ ଭାରତର ପ୍ରସ୍ତୁତି ନେଇ ସେ ସମ୍ପୃକ୍ତ ବରିଷ୍ଠ ଅଧିକାରୀ ଓ କର୍ମକର୍ତ୍ତାଙ୍କଠାରୁ ପଚାରି ବୁଝିଥିଲେ ।

ନୂଆ ଭୂତାଣୁର ସମ୍ଭାବ୍ୟ ସଂକ୍ରମଣକୁ ରୋକିବା ପାଇଁ ଟେଷ୍ଟିଂ, ସର୍ଭେଲାନ୍ସ, ହଟସ୍ପଷ୍ଟ ମନିଟରିଂ, ସ୍ୱାସ୍ଥ୍ୟ ଭିତ୍ତିଭୂମି  ଓ ସୁବିଧା ସୁଯୋଗ ବଢାଇବା, ଜେନମ୍ ସିକ୍ୟୁଏନ୍‌ସିଂ ଓ ଜନସଚେତନତା ଆଦି ବୃଦ୍ଧି କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଚଳିତମାସ ୨୫ଓ ୨୭ତାରିଖରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠିଲେଖି ଅବଗତ କରାଇଛନ୍ତି ।

ନୂଆ ଓମିକ୍ରନଭୂତାଣୁକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ  ଚିନ୍ତା ଉଦ୍ରେକକାରୀ ଘୋଷଣା କରିବା ପରେ ପରେ ଭାରତ ପକ୍ଷରୁ ତୁରନ୍ତ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

ନୂଆ ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ତିନିସୂତ୍ରୀ ରଣନୀତି ଗ୍ରହଣ କରାଯାଇଛି । ସେଗୁଡିକ ହେଲା-ପର୍ଯ୍ୟବେକ୍ଷଣ ବ୍ୟବସ୍ଥାକୁ ଅଧିକ ସଘନ ଓ ବ୍ୟାପକ କରିବା, ଆନ୍ତର୍ଜାତିକ ଯାତ୍ରୀ ଏବଂସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କର  ସେଣ୍ଟିନେଲ ସର୍ଭେଲାନ୍ସ ଓ ସର୍ଜ ସର୍ଭେଲାନ୍ସ କରିବା ତଥା ଆରଟି-ପିସିଆର ପଜିଟିଭ   ସାମ୍ପଲଗୁଡିକୁ କାଳବିଳମ୍ବ ନ କରି ଅଧିକୃତ ଇନ୍‌ସାକ୍‌ଗ୍‌ଜେନମ୍ ସିକ୍ୟୁଏନ୍‌ସିଂ ଲାବୋରେଟାରୀ (ଆଇଜିଏସ୍‌ଲ)ଗୁଡିକୁ ପଠାଇବ । ଏହାଛଡା କରୋନା ହଟସ୍ପଟ୍‌ଗୁଡିକରେ ଟେଷ୍ଟିଂ ଓ ମନିଟରିଂ କମକୁ ମଧ୍ୟ ବୃଦ୍ଧି କରାଯାଇଛି ।

ଏବେ ଅବଶ୍ୟ ପାଳନୀୟ କାମଟି ହୋଇଛି ଯେ ବିପଦାପନ୍ନ ଓ ସଂକ୍ରମିତ ଦେଶରୁ ଭାରତକୁ ଆସୁଥିବା ବା ଭାରତ ଦେଇ ଯାତାୟତ କରୁଥିବା ସବୁ ଆନ୍ତର୍ଜାତିକ ଯାତ୍ରୀଙ୍କ ଉପରେ ତୀକ୍ଷ୍ମ ନଜର ରଖିବା । ଏସବୁ ଯାତ୍ରୀଙ୍କ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଚଳିତ ନଭେମ୍ବର ୧୧ତାରିଖରେ  ଏହି ସଂଶୋଧିତ ନିୟମ ଆନ୍ତର୍ଜାତିକ ଯାତ୍ରୀଙ୍କ ପାଇଁ ଜାରି ହୋଇଛି । ତଦନୁସାରେ ସମ୍ପୃକ୍ତ ସବୁ ଯାତ୍ରୀଙ୍କାର ଟେଷ୍ଟିଂ ଓ ସ୍କ୍ରିନିଂକୁ କଡାକଡିଭାବେ ସରକାରୀ ନିୟମ ଅନୁସାରେ କରାଯାଉଛି । ସେହିଭଳି ସମ୍ପୃକ୍ତ ଆନ୍ତର୍ଜାତିକ ଯାତ୍ରୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଠାବ କରି ସେମାନଙ୍କର ଆବଶ୍ୟକ ପରୀକ୍ଷାନିରୀକ୍ଷା ଘୋଷିତ କୋଭିଡ ନିର୍ଦ୍ଦେଶାବଳୀ ଅନୁସାରେ ହେଉଛି ।

ଏହି ପରିପ୍ରେକ୍ଷୀରେ ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଏଥିରେ ଓମିକ୍ରନଭୂତାଣୁର ଉଦ୍‌ଭବ ଓ ସଂକ୍ରମଣ ଯୋଗୁଁ ସମଗ୍ର ବିଶ୍ୱରେ ସୃଷ୍ଟି ହୋଇଥିବା ସ୍ଥିତି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରାଯାଇଥିଲା । ଏଥିରେ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ ଯଥା-ନୀତି ଆୟୋଗର ସଦସ୍ୟ(ସ୍ୱାସ୍ଥ୍ୟ) ଡକ୍ଟର ଭି.କେ.ପାଲ୍‌, ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ଡକ୍ଟର ବିଜୟ ରାଘବନ, ସ୍ୱାସ୍ଥ୍ୟ, ବେସାମରିକ ବିମାନ ଚଳାଚଳ ଓ ଅନ୍ୟାନ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ ।

ଏଥିରେ ଗ୍ରହଣ କରାଯାଇଥିବା ବିଭିନ୍ନ ପ୍ରତିଷେଧକ ପଦକ୍ଷେପଗୁଡିକର ସମୀକ୍ଷା କରାଯିବା ସହିତ ଆଉ କି କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ୟପାରେ ସେ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । ବର୍ତ୍ତମାନ ଦେଶକୁ ଆସୁଥିବା ଓ ଭାରତ ଦେଇ ଯାତ୍ରା କରୁଥିବା ଆନ୍ତର୍ଜାତିକ ଯାତ୍ରୀମାନଙ୍କର ଟେଷ୍ଟିଂ ଓ ସର୍ଭେଲାନ୍ସ କରିବାବେଳେ ଯେଉଁ ଦେଶରେ ନୂଆ ଭୂତାଣୁ ସଂକ୍ରମଣ ଦେଖାଦେଇଛି ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ସମ୍ପୃକ୍ତ ଦେଶ ବିପଦାପନ୍ନ ଘୋଷିତ ହୋଇଛି ସେଠାକାର ଯାତ୍ରୀଙ୍କ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ଆଜିର ବୈଠକରେ  ମତପ୍ରକାଶ ପାଇଛି । ଏହି ଟେଷ୍ଟିଂ ଓ ସର୍ଭେଲାନ୍ସ ଷ୍ଟାଣ୍ଡାର୍ଡ ଅପରେସନ ପ୍ରୋସିଡ୍ୟୁୟର ନୀତିରେ କରାଯିବ । ଏହାଛଡା ଇନ୍‌ସାକଗ୍‌ନେଟୱାର୍କ ମାଧ୍ୟମରେ ନୂଆ ପ୍ରଜାତିର ଭୂତାଣୁ ସଂକ୍ରମଣକୁ ଚିହ୍ନଟ କରିବା ପାଇଁ ଜେନୋମିକ୍ ସର୍ଭେଲାନ୍ସକୁ ବ୍ୟାପକ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଦେଶର ସବୁ ବିମାନବନ୍ଦର ଓ ବନ୍ଦର କର୍ତ୍ତୃପକ୍ଷଙ୍କୁ ଏଥିପାଇଁ ସତର୍କ କରାଇଦିଆଯାଇଛି । ସମ୍ପୃକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଆନ୍ତର୍ଜାତିକ ଯାତ୍ରୀଙ୍କ ଟେଷ୍ଟିଂ ଓ ସର୍ଭେଲାନ୍ସ ବ୍ୟବସ୍ଥାକୁ ତ୍ରୁଟିଶୂନ୍ୟ ଭାବେ ପାଳନ କରିବେ । ନୂଆ ଭୂତାଣୁ ସଂକ୍ରମଣ ପରିପ୍ରେକ୍ଷୀରେ ଭାରତରେ ଏହାର ମୁକାବିଲା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରାଯିବ ।

କୋଭିଡ ସଂକ୍ରମଣ ସଂକ୍ରାନ୍ତ ସବିଶେଷ ତଥ୍ୟ ଓ ନିର୍ଦ୍ଦେଶାବଳୀ ଆଦି ଜାଣିବାକୁ ବା କିଛି ପ୍ରଶ୍ନର ଉତ୍ତର ପାଇବାକୁ ନିମ୍ନ ଠିକଣାରେ ଯୋଗାଯୋଗ କରନ୍ତୁ - https://www.mohfw.gov.in/pdf/coronvavirushelplinenumber.pdf

 

*****

TM / SLP



(Release ID: 1777998) Visitor Counter : 121