ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ

ଆଜି ପର୍ଯ୍ୟାବରଣ ଉପରେ ପ୍ରଥମ ଭାରତ-ଜାପାନ ଉଚ୍ଚସ୍ତରୀୟ ନୀତି କଥାବର୍ତ୍ତା ଅନୁଷ୍ଠିତ

Posted On: 07 SEP 2021 6:24PM by PIB Bhubaneshwar

କେନ୍ଦ୍ର ପର୍ଯ୍ୟାବରଣ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୂପେନ୍ଦର ଯାଦବ ଏବଂ ଜାପାନର ପର୍ଯ୍ୟାବରଣ ମନ୍ତ୍ରୀ ଶ୍ରୀ କୋଇଜୁମି ସିଂନ୍‌ଜିରୋଙ୍କ ମଧ୍ୟରେ ପ୍ରଥମ ଭାରତ-ଜାପାନ ଉଚ୍ଚସ୍ତରୀୟ ନୀତି କଥାବାର୍ତ୍ତା ସେପ୍ଟେମ୍ବର ୭ତାରିଖ ୨୦୨୧ ଦିନ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବାୟୁ ପ୍ରଦୂଷଣ, ନିରନ୍ତର ପ୍ରଯୁକ୍ତି ବିଦ୍ୟା ଏବଂ ପରିବହନ, ଜଳବାୟୁ ପରିବର୍ତ୍ତନ, ସାମୁଦ୍ରିକ ବର୍ଜ୍ୟ, ଫ୍ଲୋରୋକାର୍ବନ ଏବଂ ସି.ଓ.ପି.- ୨୬ ଆଦି ବିଷୟଗୁଡିକ ଉପରେ ବିଚାରବିମର୍ଶ କରାଯାଇଥିଲା ।

ଏହି ବୈଠକରେ ଶ୍ରୀ ଭୂପେନ୍ଦର ଯାଦବ ପର୍ଯ୍ୟାବରଣ ସମ୍ପର୍କରେ ଭାରତ-ଜାପାନ ଦ୍ୱିପାକ୍ଷିକ ସହଯୋଗର ମହତ୍ୱକୁ ରେଖାଙ୍କିତ କରିଥିଲେ ଏବଂ ଭାରତକୁ ନୂତନ ପ୍ରଯୁକ୍ତି ବିଦ୍ୟା ଆଣିବା ପାଇଁ ଜାପାନ ଦ୍ୱାରା କରାଯାଉଥିବା ବିଭିନ୍ନ ପ୍ରଚେଷ୍ଠାର ପ୍ରଶଂସା ମଧ୍ୟ କରିଥିଲେ । ଶ୍ରୀ ଯାଦବ ଆଉ ମଧ୍ୟ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଦ୍ୱାରା ହାସଲ କରାଯାଇଥିବା ବିଭିନ୍ନ ସଫଳତା ଉପରେ ମଧ୍ୟ ଆଲୋକପାତ କରିଥିଲେ ।

ଶ୍ରୀ ଭୂପେନ୍ଦର  ଯାଦବ କହିଥିଲେ ଯେ ବୃତ୍ତାକାର ଅର୍ଥ ବ୍ୟବସ୍ଥା ଓ ସମ୍ବଳ ଦକ୍ଷତା, ସ୍ୱଳ୍ପ ଅଙ୍ଗାରକାମ୍ଳ ନିର୍ଗମନ କରୁଥିବା ପ୍ରଯୁକ୍ତି, ସବୁଜ ଉଦ୍‌ଜାନ ଆଦି ବିଷୟରେ ଭାରତ ଏବଂ ଜାପାନ ଦ୍ୱିପାକ୍ଷିକ ସହଯୋଗକୁ ଆହୁରୀ ଦୃଢୀଭୂତ କରିବା ସମ୍ପର୍କରେ ମଧ୍ୟ ପ୍ରୟାସ କରିବା ଉଚିତ ।

ସ୍ୱଳ୍ପ ଅଙ୍ଗାରକାମ୍ଳ ନିର୍ଗମନ ଦକ୍ଷତା ଥିବା ପ୍ରଯୁକ୍ତି ବିଦ୍ୟା ଉପରେ ଜାପାନର ଅଭିଜ୍ଞତା ଦୃଷ୍ଟିରୁ ଭାରତ ଏବଂ ସ୍ୱିଡେନ ଦ୍ୱାରା ଆରମ୍ଭ କରାଯାଇଥିବା ଉଦ୍ୟୋଗ ପରିବର୍ତ୍ତନ ସକାଶେ ଲିଡରସିପ୍ ଗ୍ରୁପରେ ସାମିଲ ହେବା ପାଇଁ ପର୍ଯ୍ୟାବରଣ ମନ୍ତ୍ରୀ ଜାପାନକୁ ଅନୁରୋଧ କରିଥିଲେ ।

ଜାପାନର ପର୍ଯ୍ୟାବରଣ ମନ୍ତ୍ରୀ ଶ୍ରୀ କୋଇଜୁମି ସିଂନ୍‌ଜିରୋ କହିଥିଲେ ଯେ କ୍ୱାଲିସନ ଫର ରେସିଲିୟେନସ୍ ଇନ୍‌ଫାଷ୍ଟ୍ରକ୍‌ଚର ‌(ସିଡିଆରଆଇ) ଏବଂ ଜଏଣ୍ଟ କ୍ରେଡିଟ୍ ମେକାନିଜମ୍‌(ଜେସିଏମ୍‌) ଆଦି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ମଜବୁତ କରାଯାଇପାରିବ ଏବଂ ଉଭୟ ଦେଶ ବିଶେଷଭାବରେ ଜଳବାୟୁ, ପର୍ଯ୍ୟାବରଣ ଏବଂ ଶକ୍ତି ଆଦି କ୍ଷେତ୍ରରେ ଜି-୨୦ଦ୍ୱାରା ଅନୁମୋଦିତ ବିଷୟଗୁଡିକ ଉପରେ ସହଯୋଗର ଉପାୟ ଖୋଜିପାରିବେ ।

ଉଭୟ ପକ୍ଷ ପର୍ଯ୍ୟାବରଣ ଉପରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ମଜବୁତ କରିବା ଏବଂ ଜେସିଏମ ଉପରେ ବିଚାରବିମର୍ଶକୁ ଆଗେଇ ନେବା ପାଇଁ ରାଜି ହୋଇଥିଲେ ।

*****

 

 NS/ SLP



(Release ID: 1753043) Visitor Counter : 216


Read this release in: English , Urdu , Hindi , Telugu