ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

‘ଆତ୍ମନିର୍ଭର ନାରୀଶକ୍ତି ସେ ସମ୍ବାଦ’ରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

• କରୋନା କାଳରେ ଅଭୂତପୂର୍ବ ସେବା ନିମନ୍ତେ ମହିଳା ଗୋଷ୍ଠୀ ମାନଙ୍କ ଭୂମିକାକୁ ପ୍ରଶଂସା
• ସରକାର ନିରନ୍ତର ଭାବେ ଏପରି ଏକ ପରିବେଶ ଓ ପରିସ୍ଥିତି ସୃଷ୍ଟି କରୁଛନ୍ତି ଯେଉଁଠି ଭଉଣୀମାନେ ସେମାନଙ୍କ ଗ୍ରାମ ଗୁଡ଼ିକୁ ସମୃଦ୍ଧି ସହ ଯୋଡ଼ି ପାରିବେ : ପ୍ରଧାନମନ୍ତ୍ରୀ
• ଭାରତୀୟ ଖେଳନା ଉତ୍ପାଦନ ନିମନ୍ତେ ସ୍ୱୟଂ ସହାୟକ ଗୋଷ୍ଠୀ ନିକଟରେ ଅପାର ସମ୍ଭାବନା ରହିଛି : ପ୍ରଧାନମନ୍ତ୍ରୀ
• ୪ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ୧୬୨୫ କୋଟି ଟଙ୍କା ମୂଲ୍ୟର ପୁଞ୍ଜି ସହାୟତା ଜାରି କଲେ ପ୍ରଧାନମନ୍ତ୍ରୀ
• ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରଣାଳୟର ପିଏମଏଫଏମଇ (ପ୍ରଧାନମନ୍ତ୍ରୀ ଲଘୁ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗର ଔପଚାରିକରଣ) ଯୋଜନାରେ ୭୫୦୦ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କୁ ୨୫ କୋଟି ଟଙ୍କାର ସିଡ୍ ମନି ପ୍ରଦାନ ଏବଂ ମିଶନ ଜରିଆରେ ୭୫ଟି ଏଫପିଓ (ଚାଷୀ ଉତ୍ପାଦକ ସଂଗଠନ)କୁ ପ୍ରୋତ୍ସାହନ ପାଇଁ ୪.୧୩ କୋଟି ଟଙ୍କାର ସହାୟତା

Posted On: 12 AUG 2021 3:09PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ଆତ୍ମନିର୍ଭର ନାରୀଶକ୍ତି ସେ ସମ୍ବାଦ’ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ଜରିଆରେ ଅଂଶଗ୍ରହଣ କରିବା ସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ସଦସ୍ୟା/ଗୋଷ୍ଠୀ ସମ୍ବଳ ବ୍ୟକ୍ତିବିଶେଷଙ୍କ ସହିତ ଆଲୋଚନା କରିଛନ୍ତି। ଏମାନଙ୍କୁ ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା-ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଡିଏୱାଇ-ଏନଆରଏଲଏମ) ଅନ୍ତର୍ଗତ ପ୍ରୋତ୍ସାହିତ କରାଯାଉଛି। କାର୍ଯ୍ୟକ୍ରମ ଅବସରରେ, ମହିଳା ଏସଏଚଜି ସଦସ୍ୟମାନଙ୍କ ସଫଳତାର କାହାଣୀକୁ ନେଇ ଏକ ସଂକଳନ ଏବଂ ଚାଷ ଜୀବିକାର ସାର୍ବଜନୀକରଣ ଉପରେ ଏକ ପୁସ୍ତିକା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମଧ୍ୟ ୪ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ୧୬୨୫ କୋଟି ଟଙ୍କା ମୂଲ୍ୟର ପୁଞ୍ଜି ସହାୟତା ଜାରି କରିଥିଲେ। ଏହାଛଡ଼ା ସେ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରଣାଳୟର ପିଏମଏଫଏମଇ (ପ୍ରଧାନମନ୍ତ୍ରୀ ଲଘୁ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗର ଔପଚାରିକରଣ) ଯୋଜନାରେ ୭୫୦୦ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କୁ ୨୫ କୋଟି ଟଙ୍କାର ସିଡ୍ ମନି ପ୍ରଦାନ କରିଥିଲେ। ସେହିପରି ମିଶନ ଜରିଆରେ ୭୫ଟି ଏଫପିଓ (ଚାଷୀ ଉତ୍ପାଦକ ସଂଗଠନ)କୁ ପ୍ରୋତ୍ସାହନ ପାଇଁ ୪.୧୩ କୋଟି ଟଙ୍କାର ସହାୟତା ରାଶି ପ୍ରଧାନମନ୍ତ୍ରୀ ପ୍ରଦାନ କରିଥିଲେ।

କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ଗିରିରାଜ ସିଂ, କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ପଶୁପତି କୁମାର ପାରସ, କେନ୍ଦ୍ର ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ସାଧ୍ଵୀ ନିରଞ୍ଜନ ଜ୍ୟୋତି ଏବଂ ଶ୍ରୀ ଫଗନ ସିଂ କୁଲସ୍ତେ, ପଞ୍ଚାୟତି ରାଜ ରାଷ୍ଟ୍ରମନ୍ତ୍ରୀ କପିଲ ମୋରେଶ୍ୱର ପାଟିଲ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ସିଂ ପଟେଲ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। କରୋନା କାଳରେ ଅଭୂତପୂର୍ବ ସେବା ନିମନ୍ତେ ମହିଳା ଗୋଷ୍ଠୀ ମାନଙ୍କ ଭୂମିକାକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ। ମାସ୍କ ଓ ସାନିଟାଇଜର ତିଆରି କରିବା ଏବଂ ଅଭାବୀ ଲୋକମାନଙ୍କୁ ଖାଦ୍ୟ ଯୋଗାଇବା ଓ ସଚେତନତା ସୃଷ୍ଟି କରିବାରେ ସେମାନଙ୍କ ଭୂମିକା ଅତୁଳନୀୟ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ମହିଳାମାନଙ୍କ ମଧ୍ୟରେ ଉଦ୍ୟମିତାର ସମ୍ଭାବନାକୁ ବଢ଼ାଇବା ଏବଂ ଆତ୍ମନିର୍ଭର ଭାରତ ସଂକଳ୍ପରେ ସେମାନଙ୍କର ଅଧିକ ଅଂଶଗ୍ରହଣ ଉଦ୍ଦେଶ୍ୟରେ ରକ୍ଷା ବନ୍ଧନ ପର୍ବର ଅବ୍ୟବହିତ ପୂର୍ବରୁ ଆଜି ୪ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଏକ ବୃହତ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ସେ କହିଥିଲେ ଯେ, ଗ୍ରାମୀଣ ଭାରତରେ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଦୀନ ଦୟାଲ ଅନ୍ତ୍ୟୋଦୟ ଯୋଜନା ଏକ ନୂତନ ବିପ୍ଳବ ଆଣିଛି। ସେ ଉଲ୍ଲେଖ କରିଥିଲେ ଯେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଏହି ଆନ୍ଦୋଳନ ବିଗତ ୬-୭ ବର୍ଷ ମଧ୍ୟରେ ବ୍ୟାପକ ହୋଇଛି। ସେ କହିଥିଲେ ଯେ ଆଜି ଦେଶରେ ୭୦ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ରହିଛନ୍ତି । ଏହା ୬-୭ ବର୍ଷ ତଳେ ରହିଥିବା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ସଂଖ୍ୟା ଠାରୁ ତିନି ଗୁଣ ଅଧିକ।

ପ୍ରଧାନମନ୍ତ୍ରୀ ସ୍ମରଣ କରି କହିଥିଲେ ଯେ ଏ ସରକାର ଆସିବା ପୂର୍ବରୁ କୋଟି କୋଟି ଭଉଣୀମାନଙ୍କର ବ୍ୟାଙ୍କ ଆକାଉଣ୍ଟ ନଥିଲା, ସେମାନେ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଠାରୁ ମାଇଲ ମାଇଲ ଦୂରରେ ଥିଲେ। ଏହି କାରଣରୁ ସରକାର ଜନ ଧନ ଆକାଉଣ୍ଟ ଖୋଲିବା ଲାଗି ବିଶାଳ ଅଭିଯାନ ଆରମ୍ଭ କରିଥିଲେ ବୋଲି ସେ କହିଥିଲେ। ସେ ଆହୁରି ଉଲ୍ଲେଖ କରିଥିଲେ ଯେ ଏବେ ୪୨ କୋଟିରୁ ଅଧିକ ଜନ ଧନ ଆକାଉଣ୍ଟ ରହିଛି ଏଗୁଡ଼ିକ ମଧ୍ୟରୁ ୫୫ ପ୍ରତିଶତ ହେଉଛି ମହିଳାମାନଙ୍କର। ସେ କହିଥିଲେ ବ୍ୟାଙ୍କ ଆକାଉଣ୍ଟ ଖୋଲାଯିବା ଫଳରେ ଏବେ ବ୍ୟାଙ୍କ ଗୁଡ଼ିକରୁ ଋଣ ନେବା ସହଜ ହୋଇପାରିଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜାତୀୟ ଜୀବିକା ମିଶନ ଅନ୍ତର୍ଗତ ଭଉଣୀମାନଙ୍କୁ ସରକାର ଯୋଗାଇ ଦେଇଥିବା ସହାୟତା ପରିମାଣ ପୂର୍ବ ସରକାରଙ୍କ ତୁଳନାରେ ବହୁଗୁଣ ଅଧିକ। ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ବିନା ବନ୍ଧକରେ ୪ ଲକ୍ଷ କୋଟି ଟଙ୍କାର ଋଣ ଉପଲବ୍ଧ କରାଯାଇଛି। ସେ କହିଥିଲେ  ବିଗତ ୭ ବର୍ଷ ମଧ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀମାନେ ବ୍ୟାଙ୍କ ଋଣ ପରିଶୋଧ କରିବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଏକଦା ୯ ପ୍ରତିଶତ ପାଖାପାଖି ବ୍ୟାଙ୍କ ଋଣ ଏନପିଏ ଘୋଷିତ ହେଉଥିଲା। ବର୍ତ୍ତମାନ ଏହା ୨-୩ ପ୍ରତିଶତକୁ ଖସି ଆସିଛି। ଏଥିପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ସଚ୍ଚୋଟତାକୁ ସେ ପ୍ରଶଂସା କରିଥିଲେ।

ପ୍ରଧାନମନ୍ତ୍ରୀ ମଧ୍ୟ ଘୋଷଣା କରିଥିଲେ ଯେ ବର୍ତ୍ତମାନ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ବିନା ବନ୍ଧକରେ ମିଳୁଥିବା ଋଣ ପରିମାଣକୁ ଦୁଇ ଗୁଣ ବୃଦ୍ଧି କରାଯାଇ ୨୦ ଲକ୍ଷ କରି ଦିଆଯାଇଛି। ସେ କହିଥିଲେ ଯେ ଆପଣଙ୍କ ଜମା ଖାତାକୁ ଋଣ ଖାତା ସହିତ ଯୋଡ଼ିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। ସେ ଉଲ୍ଲେଖ କରିଥିଲେ ଯେ, ଏପରି ଅନେକ ପ୍ରୟାସ ଫଳରେ, ଆତ୍ମନିର୍ଭର ଅଭିଯାନରେ ଆପଣମାନେ ଆହୁରି ଅଧିକ ଉତ୍ସାହ ସହିତ ଆଗକୁ ବଢ଼ିବା ଲାଗି ସକ୍ଷମ ହେବେ।

ପ୍ରଧାନମନ୍ତ୍ରୀ କହିଥିଲେ ଏହା ହେଉଛି ସ୍ୱାଧୀନତାର ୭୫ତମ ବର୍ଷର ସମୟ। ବର୍ତ୍ତମାନ ନୂଆ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ଏବଂ ନୂତନ ଉତ୍ସାହର ସହିତ ଆଗକୁ ବଢ଼ିବାର ସମୟ ଆସିଛି। ସରକାର ନିରନ୍ତର ଭାବେ ଏପରି ଏକ ପରିବେଶ ଓ ପରିସ୍ଥିତି ସୃଷ୍ଟି କରୁଛନ୍ତି ଯେଉଁଠି ଭଉଣୀମାନେ ସେମାନଙ୍କ ଗ୍ରାମ ଗୁଡ଼ିକୁ ସମୃଦ୍ଧି ସହ ଯୋଡ଼ି ପାରିବେ।

କୃଷି ଏବଂ କୃଷି ଆଧାରିତ ଉଦ୍ୟୋଗ କ୍ଷେତ୍ରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ପାଇଁ ଅସୀମିତ ସମ୍ଭାବନା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ ଏକ ସ୍ୱତନ୍ତ୍ର ପାଣ୍ଠି ସୃଷ୍ଟି କରାଯାଇଛି ଯାହାଫଳରେ ସ୍ୱୟଂ ସହାୟକ ଗୋଷ୍ଠୀମାନେ ଏହି ପାଣ୍ଠିରୁ ସହାୟତା ନେଇ କୃଷି ଆଧାରିତ ଭିତ୍ତିଭୂମି ନିର୍ମାଣ କରିପାରିବେ। ସୁଲଭ ଦର ନିର୍ଦ୍ଧାରଣ କରିବା ଏବଂ ଅନ୍ୟମାନଙ୍କୁ ଭଡ଼ାରେ ଦେବା ଜରିଆରେ ଏସବୁ ସୁବିଧାର ଲାଭ ସମସ୍ତ ସଦସ୍ୟମାନେ ନେଇପାରିବେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ନୂତନ କୃଷି ସଂସ୍କାର ଦ୍ୱାରା କେବଳ ଆମ ଚାଷୀମାନେ ଲାଭବାନ ହେବେ ନାହିଁ, ବରଂ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଅସୀମିତ ସମ୍ଭାବନା ମଧ୍ୟ ସୃଷ୍ଟି ହେବ। ସେ କହିଥିଲେ ଯେ ବର୍ତ୍ତମାନ ସ୍ୱୟଂ ସହାୟକ ଗୋଷ୍ଠୀମାନେ ସିଧାସଳଖ ଚାଷୀଙ୍କ ଠାରୁ ଡାଲିଜାତୀୟ ସାମଗ୍ରୀ କିଣି ପାରିବେ ଏବଂ ସେଗୁଡ଼ିକୁ ସିଧାସଳଖ ଗ୍ରାହକଙ୍କୁ ହୋମ ଡେଲିଭରୀ କରିପାରିବେ।

 

ସେ ଆହୁରି ଉଲ୍ଲେଖ କରିଥିଲେ ଯେ ବର୍ତ୍ତମାନ ଉତ୍ପାଦ ସଂରକ୍ଷିତ ରଖିବା ଲାଗି କୌଣସି କଟକଣା ନାହିଁ। ଜମିରୁ ସିଧାସଳଖ ସାମଗ୍ରୀ ବିକ୍ରି କରିବା ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ପ୍ରତିଷ୍ଠା କରିବା ପରେ ଭଲ ପ୍ୟାକେଜିଂ କରି ସେଗୁଡ଼ିକୁ ବିକ୍ରି କରିବାର ବିକଳ୍ପ ଏବେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ନିକଟରେ ରହିଛି। ଅନଲାଇନ କମ୍ପାନୀଗୁଡ଼ିକ ସହିତ ସହଭାଗିତା ଜରିଆରେ ସ୍ୱୟଂ ସହାୟକ ଗୋଷ୍ଠୀମାନେ ସେମାନଙ୍କର ଉତ୍ପାଦକୁ ଭଲ ଭାବେ ପ୍ୟାକେଜିଂ କରି ସହରଗୁଡ଼ିକରେ ବିକ୍ରି କରିପାରିବେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ମଧ୍ୟ ଭାରତ ନିର୍ମିତ ଖେଳନାକୁ ପ୍ରୋତ୍ସାହିତ କରୁଛନ୍ତି ଏବଂ ଏଥିପାଇଁ ଯଥାସମ୍ଭବ ସହାୟତା ଯୋଗାଇ ଦେଉଛନ୍ତି। ବିଶେଷ କରି ଏହା ସହିତ ପାରମ୍ପରିକ ଭାବେ ଜଡ଼ିତ ହୋଇ ରହିଥିବା ଆମର ଆଦିବାସୀ ଭଉଣୀ ମାନଙ୍କୁ ଏହି ସହାୟତା ମିଳିପାରୁଛି। ସେ କହିଥିଲେ ଯେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ବ୍ୟାପକ ସମ୍ଭାବନା ମଧ୍ୟ ରହିଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶକୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ମୁକ୍ତ କରିବା ଲାଗି ଏବେ ଅଭିଯାନ ଜାରି ରହିଛି। ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ଏଥିରେ ଏକ ଦ୍ୱୈତ ଭୂମିକା ରହିଛି। ସିଙ୍ଗଲ ୟୁଜ ପ୍ଲାଷ୍ଟିକ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ଏହାର ବିକଳ୍ପ ଦିଗରେ କାମ କରିବା ଲାଗି ସେ ଏସଏଚଜି ମାନଙ୍କୁ ନିବେଦନ କରିଥିଲେ। ସରକାରୀ ଇ-ମାର୍କେଟପ୍ଲେସର ସମ୍ପୂର୍ଣ୍ଣ ଲାଭ ନେବା ନିମନ୍ତେ ସେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ନିବେଦନ କରିଥିଲେ। ସେ କହିଥିଲେ ଆଜି, ପରିବର୍ତ୍ତିତ ଭାରତରେ, ଦେଶର ଭଉଣୀ ଓ ଝିଅ ମାନଙ୍କ ପାଇଁ ଆଗକୁ ବଢ଼ିବା ଲାଗି ସୁଯୋଗ ବୃଦ୍ଧି ପାଇବାରେ ଲାଗିଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସମସ୍ତ ଭଉଣୀମାନଙ୍କୁ ଆବାସ, ଶୌଚାଳୟ, ବିଦ୍ୟୁତ ସଂଯୋଗ, ଜଳ ଓ ଗ୍ୟାସ ସଂଯୋଗ ଯୋଗାଇ ଦିଆଯାଉଛି। ସେ ଉଲ୍ଲେଖ କରିଥିଲେ ଯେ ଏହି କାରଣରୁ କେବଳ ମହିଳାମାନଙ୍କର ସମ୍ମାନ ବୃଦ୍ଧି ପାଇନାହିଁ ବରଂ ଭଉଣୀ ଓ ଝିଅମାନଙ୍କର ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ପାଇଛି।

ଅମ୍ରିତ ମହୋତ୍ସବ ସହିତ ସେମାନଙ୍କର ରାଷ୍ଟ୍ର ନିର୍ମାଣ ପ୍ରୟାସକୁ ଯୋଡ଼ିବା ଲାଗି ପ୍ରଧାନମନ୍ତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ନିବେଦନ କରିଥିଲେ। ସେ କହିଥିଲେ ଯେ ୮ କୋଟି ଭଉଣୀ ଓ ଝିଅମାନଙ୍କର ସାମୂହିକ ଶକ୍ତି ବଳରେ, ଅମ୍ରିତ ମହୋତ୍ସବକୁ ଏକ ନୂତନ ଉଚ୍ଚତାରେ ପହଞ୍ଚାଇବା ସମ୍ଭବ ହୋଇପାରିବ। ସେବା ଭାବନା ସହିତ ସେମାନେ କିପରି ଭାବେ ସହଯୋଗ କରିପାରିବେ ସେ ସମ୍ପର୍କରେ ଚିନ୍ତା କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ସେମାନଙ୍କୁ କହିଥିଲେ। ମହିଳାମାନଙ୍କ ପାଇଁ ପୋଷକ ସଚେତନତା ଅଭିଯାନ କରିବା, କୋଭିଡ-୧୯ ଟିକା ନେବା ଲାଗି ସଚେତନତା ସୃଷ୍ଟି କରିବା ଏବଂ ନିଜ ନିଜ ଗ୍ରାମରେ ସ୍ୱଚ୍ଛତା ଓ ଜଳ ସଂରକ୍ଷଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଭଳି ଉଦାହରଣ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ନିକଟସ୍ଥ ଦୁଗ୍ଧ ଉତ୍ପାଦନ କେନ୍ଦ୍ର, ଗୋବର ପ୍ଲାଣ୍ଟ, ସୌର ପ୍ଲାଣ୍ଟ ଗସ୍ତ କରି ଶ୍ରେଷ୍ଠ ପ୍ରଚଳନ ସମ୍ପର୍କରେ ଶିକ୍ଷା ଲାଭ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ  କହିଥିଲେ।

ପ୍ରଧାନମନ୍ତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ପ୍ରଶଂସା କରିବା ସହିତ ଅମ୍ରିତ ମହୋତ୍ସବ ସଫଳତାର ସୁଗନ୍ଧ ଏମାନଙ୍କ ପ୍ରୟାସ ବଳରେ ସର୍ବତ୍ର ପରିବ୍ୟାପ୍ତ ହେବ ଏବଂ ଦେଶ ଏଥିରୁ ଲାଭବାନ ହେବ।

 

*********

P.S.

 



(Release ID: 1745784) Visitor Counter : 167