ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-୧୯: ବାସ୍ତବତା ଓ କଳ୍ପନା

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସବୁ କୋଭିଡ ରୋଗୀଙ୍କ ଯକ୍ଷ୍ମା (ଟିବି) ପରୀକ୍ଷା ଏବଂ ଟିବି ଆକ୍ରାନ୍ତ ସବୁ ରୋଗୀଙ୍କ କୋଭିଡ୍ ସ୍କ୍ରିନିଂ ପାଇଁ ସୁପାରିସ କରିଛନ୍ତି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବହୁବିଧ ମାର୍ଗଦର୍ଶିକା ଓ ପରାମର୍ଶ ଜାରି କରାଯାଇ ଟିବି-କୋଭିଡ୍ ଓ ଟିବି-ଇଲି/ସାରି ସ୍କ୍ରିନିଂ ଉପରେ ଗୁରୁତ୍ୱ ଦିଆଯାଇଛି

କୋଭିଡ-୧୯ ସଂକ୍ରମଣ ଯୋଗୁ ଟିବି ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ବୋଲି ଯାହା କୁହାଯାଉଛି ତାହାର କୌଣସି ପ୍ରମାଣ ନାହିଁ

Posted On: 17 JUL 2021 4:13PM by PIB Bhubaneshwar

କେତେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ଯେ କୋଭିଡ-୧୯ସଂକ୍ରମଣ ଯୋଗୁଁ ଦେଶରେ ଯକ୍ଷ୍ମା (ଟିବି) ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଯେଉଁମାନେ କରୋନାରେ ସଂକ୍ରମିତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ କେତେକ ଯକ୍ଷ୍ମାରେ ଆକ୍ରାନ୍ତ ହେଉଛନ୍ତି । ପ୍ରତିଦିନ ଏଭଳି ୧୦/୧୨ ରୋଗୀ ଟିବିରେ ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ଚିକିତ୍ସକମାନେ ଚିନ୍ତାରେ ପଡିଯାଇଛନ୍ତି ବୋଲି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ସବୁ କୋଭିଡ ଆକ୍ରାନ୍ତଙ୍କ ଯକ୍ଷ୍ମା ପରୀକ୍ଷା ଏବଂ ସବୁ ଟିବି ଆକ୍ରାନ୍ତଙ୍କ କୋଭିଡ ପରୀକ୍ଷା ପାଇଁ ସୁପାରିସ୍ କରାଯାଇଛି । ଏସବୁ ପରୀକ୍ଷା କରିବା ପାଇଁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଭଳି ଘଟଣା ପ୍ରତି ତୀକ୍ଷ୍ମ ନଜର ରଖିବା ସହ ଯଦି କୌଣସି ଘଟଣା ନଜରକୁ ଆସେ ତାହାର ତଥ୍ୟ ଅଗଷ୍ଟ ମାସ ଆରମ୍ଭ ସୁଦ୍ଧା ଜଣାଇବାକୁ କୁହାଯାଇଛି ।

ଏହା ବ୍ୟତୀତ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ବହୁବିଧ ମାର୍ଗଦର୍ଶିକା ଓ ପରାମର୍ଶ ରାଜ୍ୟମାନଙ୍କ ପାଇଁ ଜାରି କରାଯାଇଛି । ଏଥିରେ ସମ୍ପୃକ୍ତ ରୋଗୀମାନଙ୍କର ବାଇ-ଡାଇରେକସନାଲ ସ୍କ୍ରିନିଂ (ପରୀକ୍ଷା) ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ବ୍ୟବସ୍ଥାରେ ପ୍ରତ୍ୟେକ କରୋନା ରୋଗୀଙ୍କ ଟିବି ପରୀକ୍ଷା ଏବଂ ପ୍ରତ୍ୟେକ ଟିବି ରୋଗୀଙ୍କର କରୋନା ସଂକ୍ରମଣ ପରୀକ୍ଷା କରାଯିବାର ବ୍ୟବସ୍ଥା ହୋଇଛି । ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏହି ନିୟମ ପାଳନ କରୁଛନ୍ତି ।

କୋଭିଡ କଟକଣା ଜନିତ ପ୍ରଭାବରୁ ୨୦୨୦ରେ ଟିବି ଚିହ୍ନଟ ପ୍ରକ୍ରିୟା ବ୍ୟାହତ ହୋଇଥିଲା । ଫଳରେ ସେହିବର୍ଷ ଟିବି ପରୀକ୍ଷା ସଂଖ୍ୟା ଧାର୍ଯ୍ୟ ଲକ୍ଷ୍ୟରୁ ୨୫% ହ୍ରାସ ପାଇଥିଲା । ତେବେ ପରବର୍ତ୍ତୀ ସମୟରେ ଟିବି ପରୀକ୍ଷା କାର୍ଯ୍ୟକ୍ରମ ଓ ବ୍ୟବସ୍ଥାକୁ ଦେଶବ୍ୟାପୀ ସଘନ ଓ ବ୍ୟାପକ କରାଯାଉଛି ।

ଆହୁରି ମଧ୍ୟ କୋଭିଡ ସଂକ୍ରମଣ ଯୋଗୁଁ ଦେଶରେ ଟିବି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି ବୋଲି ଯାହା କୁହାଯାଇଛି ତାହାର କୌଣସି ପ୍ରମାଣ ନାହିଁ । ଟିବି ଓ କରୋନା (କୋଭିଡ-୧୯) ଉଭୟ ସଂକ୍ରାମକ ଏବଂ ଫୁସ୍‌ଫୁସ୍‌କୁ ଆକ୍ରମଣ କରିଥାଏ । ଉଭୟ ରୋଗରେ କାଶ, ଜ୍ୱର, ପ୍ରଶ୍ୱାସ ଦେବାରେ କଷ୍ଟ ଓ କଫ ଆଦିର ଲକ୍ଷଣ ପ୍ରକାଶ ପାଇଥାଏ । ତେବେ ଟିବି ମଣିଷକୁ ସଂକ୍ରମିତ କରିବାକୁ ଅଧିକ ସମୟ ନେଇଥାଏ । ଏହାର ସଂକ୍ରମଣ ଗତି ମନ୍ଥର ଏବଂ ଏହା ମଣିଷକୁ ସମ୍ପୂର୍ଣ୍ଣ ସଂକ୍ରମିତ କରିବାକୁ ଅଧିକ ସମୟ  ନିଏ ।

ଏହା ବ୍ୟତୀତ ଟିବି ଜୀବାଣୁ (ବେସିଲି) ମଣିଷ ଶରୀରରେ ସୁପ୍ତ ଅବସ୍ଥାରେ ରହିପାରେ । ଯେତେବେଳେ ମଣିଷର ରୋଗପ୍ରତିରୋଧ ଶକ୍ତି ଦୁର୍ବଳ ହୁଏ, ସେତିକିବେଳେ ଏହା ସକ୍ରିୟ ହୋଇ ରୋଗ ସୃଷ୍ଟି କରିଥାଏ । କରୋନା ବା କୋଭିଡ-୧୯ ପରିବର୍ତ୍ତୀ କ୍ଷେତ୍ରରେ ସଂକ୍ରମଣର ପର୍ଯ୍ୟାୟ ମଧ୍ୟ ଏକା ପ୍ରକାରର ।

ଭୂତାଣୁ ପ୍ରଭାବରେ କୋଭିଡ ସଂକ୍ରମିତଙ୍କର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇପାରେ କିମ୍ବା ଚିକିତ୍ସା ଅଥବା ଷ୍ଟିରଏଡ୍ ଭଳି ଇମ୍ୟୁନୋ ସପ୍ରେସାଣ୍ଟ ବ୍ୟବହାର ଫଳରେ ପ୍ରତିରୋଧ ଶକ୍ତି କମିଯାଇପାରେ ।

ସାର୍ସ-କୋଭ-୨ ସଂକ୍ରମଣ ଦ୍ୱାରା ମଣିଷ ଟିବି ଦ୍ୱାରା  ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ । ଏହାର କାରଣ ହେଲା ବ୍ଲାକ ଫଙ୍କସ୍ ବା କବକ ଭଳି ଟିବି ବା ଯକ୍ଷ୍ମା ମଧ୍ୟ ଏକ ସୁବିଧାବାଦୀ ସଂକ୍ରାମକ ରୋଗ, ଯାହା ସୁଯୋଗ ପାଇଲେ ଆକ୍ରମଣ କରେ ।

 

*****

TKM / SLP



(Release ID: 1736471) Visitor Counter : 191