ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-୧୯ ଟିକାକରଣ କ୍ଷେତ୍ରରେ ସଫଳତା ହାର ବଢୁଛି

Posted On: 23 JUN 2021 2:22PM by PIB Bhubaneshwar

କୋଭିଡ ପ୍ରତିଷେଧକ ଟିକାଦାନ କ୍ଷେତ୍ରରେ ଥିବା ୯ଟି ପରିଚୟ ସମ୍ବଳିତ ଦସ୍ତାବିଜ୍ କିମ୍ବା ମୋବାଇଲ ଫୋନ ନ ଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ଟିକା ଦିଆଯାଉଛି । ଏଭଳି ବ୍ୟକ୍ତିମାନଙ୍କୁ ସ୍ୱତନ୍ତ୍ର ଭାବରେ ସାମୂହିକ ଟିକାକରଣ କାର୍ଯ୍ୟ ମାଧ୍ୟମରେ ଅନ୍ତର୍ଭୁକ୍ତ କରାଯାଇଛି । ବୟୋଜ୍ୟେଷ୍ଠ ନାଗରିକ ଏବଂ ଭିନ୍ନକ୍ଷମମାନଙ୍କ ପାଇଁ ମଧ୍ୟ ଘର ନିକଟରେ ଟିକାଦାନ ବ୍ୟବସ୍ଥା ହୋଇଛି । ଗ୍ରାମାଞ୍ଚଳ ଏବଂ ଜନଜାତି ଅଧ୍ୟୁଷିତ ଜିଲ୍ଲାମାନଙ୍କରେ ଟିକାଦାନ ହାର ଜାତୀୟ ହାରଠାରୁ ଅଧିକ ଅଛି ।

କେତେକ ଗଣମାଧ୍ୟମରେ ମୋବାଇଲ ଫୋନ ନ ଥିବା ଏବଂ ଅନ୍ୟାନ୍ୟ ପ୍ରମାଣପତ୍ର ନ ଥିବା ବ୍ୟକ୍ତିମାନଙ୍କ  ସମ୍ପର୍କରେ ସମ୍ବାଦ ପ୍ରକାଶ ପାଇଥିବା ଦେଖାଯାଇଛି । ଗୃହହୀନ ବ୍ୟକ୍ତିମାନେ କୋଭିଡ-୧୯ ଟିକାଦାନ କାର୍ଯକ୍ରମରୁ ବାଦ ପଡିଯାଇଥିବା ଏହି ସମ୍ବାଦରେ ପ୍ରକାଶ ପାଇଛି । ସମାଜରେ ବହୁ ସଂଖ୍ୟାରେ ଏଭଳି ବ୍ୟକ୍ତି ଅଛନ୍ତି ।  ଟିକାକରଣ କ୍ଷେତ୍ରରେ ବୈଷୟିକ ଆବଶ୍ୟକତା ନିମନ୍ତେ ସେମାନଙ୍କ ନିକଟରେ ପ୍ରମାଣପତ୍ର ନାହିଁ । ଏମାନେ ଇଂରାଜୀ ଭାଷା ଜାଣିନାହାନ୍ତି, କମ୍ପ୍ୟୁଟର କିମ୍ବା ସ୍ମାଟଫୋନଜନିତ ଜ୍ଞାନ ଏମାନଙ୍କର ନାହିଁ, ତେଣୁ ସେମାନଙ୍କୁ ଟିକାଦାନ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଉ ନାହିଁ ବୋଲି ଅଭିଯୋଗ ହୋଇଛି । କେନ୍ଦ୍ର ସରକାରେ ଏଭଳି ଅଭିଯୋଗଗୁଡିକୁ  ଭିତ୍ତିହୀନ ବୋଲି  ଏକ ସ୍ପଷ୍ଟୀକରଣରେ ପ୍ରକାଶ କରିଛନ୍ତି ।

କୋଭିଡ-୧୯ ଟିକାକରଣ କ୍ଷେତ୍ରରେ ମୋବାଇଲ ଫୋନ ଏକ ଅପରିହାର୍ଯ୍ୟ ଆବଶ୍ୟକତା ନୁହେଁଏପରିକି କୋୱିନ ପ୍ଲାଟଫର୍ମରେ ଅନଲାଇନ ଯୋଗେ ପ୍ରାକ୍ ପଞ୍ଜୀକରଣ ଜରୁରୀ ନୁହେଁ କିମ୍ବା ଠିକଣା ସମ୍ପର୍କୀତ ପ୍ରମାଣପତ୍ର ଦର୍ଶାଇବା ଜରୁରୀ ନୁହେଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଛି । ଓଡିଆ,ହିନ୍ଦୀ, ମାଲାୟାଲମ୍‌, କନ୍ନଡ, ତେଲୁଗୁ, ତାମିଲ, ପଞ୍ଜାବୀ, ବଙ୍ଗଳା, ଆସାମୀ, ମରାଠୀ, ଗୁଜୁରାତି ଏବଂ ଇଂରାଜୀ ଭାଷାରେ କୋୱିନ ପ୍ଲାଟଫର୍ମ ବ୍ୟବହାର ପାଇଁ ବ୍ୟବସ୍ଥା ହୋଇଛି । ଏହି ପ୍ଲାଟଫର୍ମ ବ୍ୟବହାର କ୍ଷେତ୍ରରେ ସୂଚନା ଓ ପ୍ରଯୁକ୍ତି କୌଶଳକୁ ସରଳ କରାଯାଇ ଦେଶର ଗ୍ରାମାଞ୍ଚଳରେ ଲୋକମାନେ ବ୍ୟବହାର କରିବା ତଥା କରୋନା ସଂକ୍ରମଣ ପ୍ରତି ସମ୍ବେଦନଶୀଳ ଲୋକଙ୍କ ଦ୍ୱାରା ବ୍ୟବହାର କରାଯାଇପାରିବାର ବ୍ୟବସ୍ଥା କରାଯାଇଛି । ଟିକା ନେବା କ୍ଷେତ୍ରରେ କୌଣସି ଫଟୋ ପରିଚୟପତ୍ର, ଆଧାରକାର, ରେସନକାର୍ଡ, ଭିନ୍ନକ୍ଷମ ପ୍ରମାଣପତ୍ର ଆଦି ୯ଟି ପ୍ରମାଣ ମଧ୍ୟରୁ କୌଣସି ଗୋଟିକର ଆବଶ୍ୟକତା ରହିଥିଲେ ମଧ୍ୟ ଏସବୁ ନ ଥିବା ଲୋକଙ୍କ ପାଇଁ ଟିକାଦାନର ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ।  ସାମୂହିକ ଭାବରେ ଟିକାଦାନ ବ୍ୟବସ୍ଥାରେ କୌଣସି ପ୍ରକାରର ପରିଚୟ ପତ୍ର ନଥିବା କିମ୍ବା ମୋବାଇଲ ଫୋନ ନ ଥିବା ଲୋକମାନଙ୍କୁ ମଧ୍ୟ ଟିକାଦିଆଯିବା ବ୍ୟବସ୍ଥା ହୋଇଛି । ଏପର୍ଯ୍ୟନ୍ତ ଏଭଳି ଗୋଷ୍ଠୀରେ ଆସୁଥିବା ୨ଲକ୍ଷ ବ୍ୟକ୍ତିଙ୍କୁ  ଟିକା ଦିଆଗଲାଣି । ଘର ନିକଟରେ ଟିକାଦାନ କେନ୍ଦ୍ର ଖୋଲି ବୟସ୍କ ନାଗରିକ ଏବଂ ଭିନ୍ନକ୍ଷମମାନଙ୍କୁ ମଧ୍ୟ ଟିକା ଦିଆଯାଉଛି । ଏଭଳି କେନ୍ଦ୍ର ଖୋଲିବାକୁ କେନ୍ଦ୍ର ସରକାର ଗତ ମେ’ ମାସ ୨୭ତାରିଖ ଦିନ ମାର୍ଗଦର୍ଶିକା ଜାରି କରିଛନ୍ତିଏହି ମାର୍ଗଦର୍ଶିକା ଅନୁଯାୟୀ ଇଣ୍ଟରନେଟ ବ୍ୟବହାର କିମ୍ବା ସ୍ମାର୍ଟଫୋନ ଆଦି ନ ଥିବା ଲୋକମାନେ ସରକାରୀ ଟିକାଦାନ କେନ୍ଦ୍ରମାନଙ୍କରେ ତତ୍‌କାଳ ଆସି ଟିକା ନେଇପାରିବେ । ୮୦ଶତାଂଶ ଟିକା ଏହିଭଳିଭାବରେ ଦିଆଗଲାଣି । ଟିକା ନେଉଥିବା ବ୍ୟକ୍ତିଙ୍କୁ ତାଙ୍କ ସମ୍ପର୍କରେ ସର୍ବନିମ୍ନ ତଥ୍ୟ ଦିଆଯିବା ପରେ ତାଙ୍କୁ ଟିକା ଦିଆଯାଇ ପ୍ରମାଣପତ୍ର ମଧ୍ୟ ଦିଆଯାଉଛି । ଜନଜାତି ଅଧ୍ୟୁଷିତ ଜିଲ୍ଲାଗୁଡିକରେ ଅଧିକ ସଂଖ୍ୟାରେ ଟିକାକରଣ ହୋଇଥିବା ଲକ୍ଷ୍ୟ କରାଯାଇଛି । ୨୬ହଜାର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ୨୬ହଜାର ଉପ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟରୁ ଶତକଡା ୭୦ଭାଗ ଗ୍ରାମାଞ୍ଚଳରେ ରହିଛି ଏବଂ ଏଠାରେ ସମସ୍ତଙ୍କ ପାଇଁ ଟିକାଦିଆଯିବା ବ୍ୟବସ୍ଥା ହୋଇଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇଛି ।

 

****

SSD / SLP



(Release ID: 1729853) Visitor Counter : 212