ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ

ସାରା ଦେଶରେ ପିୟୁସି (ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର) ପ୍ରଦାନ ପାଇଁ ସାର୍ବଜନିକ ଫର୍ମାଟ୍ ନେଇ ବିଜ୍ଞପ୍ତି ଜାରି କଲା ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ

Posted On: 17 JUN 2021 1:05PM by PIB Bhubaneshwar

କେନ୍ଦ୍ରୀୟ ମୋଟର ଯାନ ନିୟମ ୧୯୮୯ ଅନୁଯାୟୀ ସାରା ଦେଶରେ ଦିଆଯିବାକୁ ଥିବା ପିୟୁସି (ପଲ୍ୟୁସନ୍ ଅଣ୍ଡର୍ କଣ୍ଟ୍ରୋଲ୍) ପ୍ରମାଣପତ୍ରର ସାର୍ବଜନିକ ଫର୍ମାଟ୍ ପାଇଁ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ୨୦୨୧ ଜୁନ୍ ୧୪ ତାରିଖରେ ଏକ ବିଜ୍ଞପ୍ତି ଜାରି କରିଛି । ପିୟୁସିସିର ପ୍ରମୁଖ ବୈଶିଷ୍ଟ୍ୟ ନିମ୍ନରେ ପ୍ରଦାନ କରାଗଲା-

 

(କ) ସାରା ଦେଶରେ ଏକକ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସି)ର ପ୍ରଚଳନ ଏବଂ ଜାତୀୟ ରେଜିଷ୍ଟର ସହିତ ପିୟୁସି ଡାଟାବେସର ସଂଯୋଗ କରିବା ।

 

(ଖ) ପ୍ରଥମ ଥର ପାଇଁ ରିଜେକସନ ସ୍ଲିପର ସଂକଳ୍ପନା ପ୍ରବର୍ତ୍ତନ କରାଯାଉଛି । ପ୍ରଚଳିତ ଅଙ୍ଗାରକ ନିର୍ଗମନ ନିୟମ ଅନୁସାରେ ସର୍ବାଧିକ ଅନୁମତିଯୋଗ୍ୟ ମୂଲ୍ୟଠାରୁ ଯଦି ପରୀକ୍ଷା ଫଳାଫଳ ମୂଲ୍ୟ ଅଧିକ ହୁଏ, ତେବେ ଯାନ ମାଲିକଙ୍କୁ ରିଜେକସନ୍ ସ୍ଲିପ୍ ର ଏକ ସାର୍ବଜନିକ ଫର୍ମାଟ୍ ପ୍ରଦାନ କରାଯିବ । ଅନ୍ୟ ଏକ କେନ୍ଦ୍ରରେ ପରୀକ୍ଷା ସମୟରେ ଯଦି ପିୟୁସିସି ସେଣ୍ଟର ଡିଭାଇସ୍ ଭଲ ଭାବେ କାର୍ଯ୍ୟ କରୁ ନ ଥାଏ, ତେବେ ଗାଡ଼ିର ସର୍ଭିସ୍ କରାଇବା ପାଇଁ ଏହି କାଗଜପତ୍ର ସର୍ଭିସ୍ ସେଣ୍ଟରରେ ଦେଖାଯାଇ ପାରିବ ଅଥବା ବ୍ୟବହାର କରାଯାଇ ପାରିବ ।

 

(ଗ) ସୂଚନାର ଗୋପନୀୟତା ରହିବ ଯଥା (୧) ଯାନ ମାଲିକଙ୍କ ମୋବାଇଲ ଫୋନ୍ ନମ୍ବର, ନାମ ଓ ଠିକଣା (୨) ଇଞ୍ଜିନ୍ ନମ୍ବର ଓ ଚେସିସ୍ ନମ୍ବର (କେବଳ ଶେଷ ୪ଟି ସଂଖ୍ୟା ଦୃଶ୍ୟମାନ ହେବ, ଅନ୍ୟ ସଂଖ୍ୟାଗୁଡ଼ିକ ଲୁକ୍କାୟିତ ରହିବ) ।

 

(ଘ) ମାଲିକଙ୍କ ମୋବାଇଲ ନମ୍ବର ବାଧ୍ୟତାମୂଳକ କରାଯାଇଛି, ଯେଉଁଥିରେ ବୈଧତା ଓ ଦେୟ ପାଇଁ ଏସଏମଏସ୍ ଆଲର୍ଟ ପ୍ରେରଣ କରାଯିବ ।

 

(ଚ) ଅଙ୍ଗାରକ ନିର୍ଗମନ ନିୟମର ବ୍ୟବସ୍ଥାଗୁଡ଼ିକୁ ଗୋଟିଏ ମୋଟର ଯାନ ପାଳନ କରୁନାହିଁ ବୋଲି ଯଦି ପ୍ରବର୍ତ୍ତନ ଅଧିକାରୀ ବିଶ୍ୱାସ କରନ୍ତି, ତେବେ ଯେ କୌଣସି ଗୋଟିଏ ପ୍ରାଧିକୃତ ପଲ୍ୟୁସନ୍ ଅଣ୍ଡର୍ କଣ୍ଟ୍ରୋଲ (ପିୟୁସି) ଟେଷ୍ଟିଙ୍ଗ୍ ଷ୍ଟେସନରେ ଗାଡ଼ିର ପରୀକ୍ଷା ପାଇଁ ଗାଡ଼ିକୁ ଦାଖଲ କରିବା ଲାଗି ସମ୍ପୃକ୍ତ ଚାଳକ ଅଥବା ଗାଡ଼ିର ଦାୟିତ୍ୱରେ ଥିବା ଯେ କୌଣସି ବ୍ୟକ୍ତିଙ୍କୁ ନିର୍ଦ୍ଦେଶ ଦେବା ପାଇଁ ସେ ଲିଖିତ କିମ୍ବା ଇଲେକ୍ଟ୍ରୋନିକ୍ ଭାବେ ଯୋଗାଯୋଗ କରିପାରନ୍ତି । ଅନୁପାଳନ ପାଇଁ ଗାଡ଼ିକୁ ଦାଖଲ କରିବାରେ ଯଦି ସମ୍ପୃକ୍ତ ଚାଳକ ଅଥବା ଗାଡ଼ି ଦାୟିତ୍ୱରେ ଥିବା ବ୍ୟକ୍ତି ବିଫଳ ହୁଅନ୍ତି, କିମ୍ବା ଗାଡ଼ିଟି ଅନୁପାଳନରେ ବିଫଳ ହୁଏ, ତେବେ ଜରିମାନା ପୈଠ ନିମନ୍ତେ ଗାଡ଼ିର ମାଲିକ ଉତ୍ତରଦାୟୀ ରହିବେ ।

 

ଯଦି ମାଲିକ ଏହାକୁ ପାଳନ କରିବାରେ ବିଫଳ ହୁଅନ୍ତି, ପଞ୍ଜୀକରଣ କର୍ତ୍ତୃପକ୍ଷ, ଲିଖିତ ଭାବେ ରେକର୍ଡ ହେବାକୁ ଥିବା କାରଣ ପାଇଁ, ଗାଡ଼ିର ପଞ୍ଜୀକରଣ ପ୍ରମାଣପତ୍ର ଏବଂ କୌଣସି ପ୍ରକାର ପରମିଟକୁ ସେ ପର୍ଯ୍ୟନ୍ତ ସସପେଣ୍ଡ କରିଦେବେ, ଯେ ପର୍ଯ୍ୟନ୍ତ ଏକ ବୈଧ ‘ପଲୁ୍ୟସନ୍ ଅଣ୍ଡର୍ କଣ୍ଟ୍ରୋଲ’ ପ୍ରମାଣପତ୍ର ବାହାର କରା ନ ଯାଇଛି ।

 

(ଛ) ଏହିଭଳି ଭାବେ, ପ୍ରବର୍ତ୍ତନ ଆଇଟି-ସମର୍ଥିତ ହେବ ଏବଂ ପ୍ରଦୂଷଣ ସୃଷ୍ଟିକାରୀ ଗାଡ଼ି ଉପରେ ଉତ୍ତମ ନିୟନ୍ତ୍ରଣ ଆଣିବାରେ ସହାୟକ ହେବ ।

 

(ଜ) ଫର୍ମରେ କ୍ୟୁଆର କୋଡ୍ ଛପାଯିବ । ଏହା ପିୟୁସି ସେଣ୍ଟର ସଂକ୍ରାନ୍ତରେ ସମ୍ପୂର୍ଣ୍ଣ ସୂଚନା ଧାରଣ କରିବ ।

 

SR



(Release ID: 1727965) Visitor Counter : 224