ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ

ଅଦାଲତ କାର୍ଯ୍ୟର ରେକର୍ଡିଂ ଏବଂ ସିଧାପ୍ରସାରଣ ସଂକ୍ରାନ୍ତ ଚିଠା ଆଦର୍ଶ ନିୟମାବଳୀ ସୁପ୍ରିମକୋର୍ଟ ଇ-କମିଟି ଦ୍ୱାରା ପ୍ରକାଶିତ ସମ୍ପୃକ୍ତ ସମସ୍ତ ପକ୍ଷଙ୍କଠାରୁ ମଗାଗଲା ମତାମତ ଓ ପ୍ରସ୍ତାବ

ଚିଠା ଆଦର୍ଶ ନିୟମାବଳୀ ନ୍ୟାୟ ଉପଲବ୍ଧତା, ଅଧିକ ସ୍ୱଚ୍ଛତା ଓ ସମାବେଶିତା ଲକ୍ଷ୍ୟ ହାସଲ ପାଇଁ ଉଦ୍ଦିଷ୍ଟ

Posted On: 07 JUN 2021 3:06PM by PIB Bhubaneshwar

ଅଦାଲତ କାର୍ଯ୍ୟରେ ସିଧାପ୍ରସାରଣ ଓ ରେକର୍ଡିଂ ପାଇଁ ଆଦର୍ଶ ନିୟମାବଳୀ ପ୍ରଣୟନ କରିବାକୁ ଉଦ୍ଦିଷ୍ଟ ସୁପ୍ରିମକୋର୍ଟ ଇ-କମିଟି ଏ ସଂକ୍ରାନ୍ତ ଚିଠା ନିୟମ ପ୍ରକାଶ କରିଛି । ଏହି ଚିଠା ନିୟମ ଉପରେ ସମ୍ପୃକ୍ତ ସମସ୍ତ ପକ୍ଷଙ୍କଠାରୁ ପ୍ରସ୍ତାବ ଓ ମତାମତ ଆହ୍ୱାନ କରାଯାଇଛି । ଏହି ଚିଠା ନିୟମ ଇ-କମିଟି ୱେବସାଇଟ୍‌ରେ ଉପଲବ୍ଧ। ଏହା ଦେଖିବା ଓ ଡାଉନଲୋଡ କରିବା ପାଇଁ ଲଗ୍ ଅନ କରନ୍ତୁ      https://ecommitteesci.gov.in/document/draft-model-rules-for-live-streaming-and-recording-of court-proceedings. ସୁପ୍ରିମକୋର୍ଟର ଇ-କମିଟି, ଭାରତ ସରକାରଙ୍କ ନ୍ୟାୟ ବିଭାଗ ସହିତ ମିଶି ଭାରତୀୟ ନ୍ୟାୟପାଳିକାର ସୂଚନା, ଯୋଗାଯୋଗ ଓ ପ୍ରଯୁକ୍ତିବିଦ୍ୟା (ଆଇସିଟି) ପ୍ରବର୍ତନ କରିବାକୁ ଏକ ଜାତୀୟ ନୀତି ଅନୁସାରେ କାର୍ଯ୍ୟ କରୁଛି ।

ଏହି ଚିଠା ନିୟମ ଉପରେ ପ୍ରସ୍ତାବ ଓ ମତାମତ ସମ୍ପୃକ୍ତ ସମସ୍ତ ପକ୍ଷ ୨୦୨୧ ଜୁନ ୩୦ତାରିଖ ସୁଦ୍ଧା ଇ.ମେ ଆଇଡି ecommittee@aij.gov.in ରେ ପଠାଇ ପାରିବେ ।

କମିଟିର ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ବିଚାରପତି ଡକ୍ଟର ଜଷ୍ଟିସ ଧନଞ୍ଜୟ ୱାଇ ଚନ୍ଦ୍ରଚୂଡ ସବୁ ହାଇକୋର୍ଟର ମୁଖ୍ୟ ବିଚାରପତିମାନଙ୍କ ନିକଟକୁ ପତ୍ରଲେଖି ଏହି ଚିଠା ନିୟମ ଉପରେ ସେମାନଙ୍କର ପ୍ରସ୍ତାବ ଓ ମତାମତ ଦେବାକୁ ଜଣାଇଛନ୍ତି । ସେ ଲେଖିଛନ୍ତି ଯେ ନ୍ୟାୟ ପାଇବାର ଅଧିକାର, ଭାରତୀୟ ସମ୍ବିଧାନର ଧାରା-୨୧ ଅନୁସାରେ ସମସ୍ତଙ୍କୁ ସୁନିଶ୍ଚିତ କରାଯାଇଛି । ତଦନୁସାରେ ଅଦାଲତରେ କଣ ଶୁଣାଣି ଚାଲିଛି ତାହା ସିଧାସଳଖ ଦେଖିବାର ଅଧିକାର ନାଗରିକଙ୍କର ରହିଛି ।

ଅଦାଲତ କାର୍ଯ୍ୟରେ ଅଧିକ ସ୍ୱଚ୍ଛତା ଓ ସମାବେଶିତା ସହିତ ସମସ୍ତଙ୍କୁ ନ୍ୟାୟ ପ୍ରଦାନରେ ସୁଯୋଗ ଦେବାକୁ ଅଦାଲତ କାର୍ଯ୍ୟର ସିଧାପ୍ରସାରଣ ଉଦ୍ଦିଷ୍ଟ । ସେଥିପାଇଁ କମିଟି ଅଗ୍ରାଧିକାର ଭିତ୍ତିରେ ଏହି କାର୍ଯ୍ୟ କରୁଛି । ଏହା ଫଳରେ ଅଦାଲତ କାର୍ଯ୍ୟର ସିଧା ପ୍ରସାରଣ ମାଧ୍ୟମରେ ଜନସ୍ୱାର୍ଥ ସମ୍ବଳିତ ମାମଲା ଆଦିକୁ ସାମ୍ବାଦିକ, ନାଗରିକ ସମାଜ, ଶିକ୍ଷାବିତ୍ ଓ ଆଇନ ଛାତ୍ରଛାତ୍ରୀ ଠିକ୍ ସମୟରେ ଦେଖିପାରିବେ । ଭୌଗୋଳିକ, ସାଧନଗତ ଓ ଭିତ୍ତିଭୂମିଜନିତ ଅସୁବିଧା ଯୋଗୁଁ ଯାହା ସମ୍ଭବ ହେଉ ନ ଥିଲା, ସିଧା ପ୍ରସାରଣ ଦ୍ୱାରା ତାହା ହୋଇପାରିବ ।

ବମ୍ବେ, ଦିଲ୍ଲୀ, ମାଡ୍ରାସ ଓ କର୍ଣ୍ଣାଟକ ହାଇକୋର୍ଟର ବିଚାରପତିଙ୍କୁ ନେଇ ଏକ ସବ୍ କମିଟି ଗଠନ କରାଯାଇ ତାଉପରେ ସିଧାପ୍ରସାରଣ ନୀତି ନିୟମ ପ୍ରଣୟନ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । ସବ୍‌କମିଟି ବ୍ୟାପକ ବିଚାର ଆଲୋଚନା ପରେ ଏହି ଚିଠା ନିୟମ ପ୍ରସ୍ତୁତ କରିଛି  । ସ୍ୱପ୍ନିଲ ତ୍ରିପାଠୀ ବନାମ ଭାରତୀୟ ସୁପ୍ରିମକୋର୍ଟ (୨୦୧୮) ମାମଲାର ନିର୍ଯାସ ଅନୁସାରେ ଏହି ନୀତିନିୟମ ପ୍ରସ୍ତୁତ କରାଯାଇଛି । ବ୍ୟକ୍ତିଗତ ଗୋପନୀୟତା, ବିବାଦରତ ପକ୍ଷ ଓ ସାକ୍ଷୀଙ୍କ ଗୋପନୀୟତା ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ଏଥିରେ ବିଚାରକୁ  ନିଆଯାଇଛି ।

ଆହୁରୀ ମଧ୍ୟ କେନ୍ଦ୍ରୀୟ ଓ ପ୍ରାଦେଶିକ ଆଇନ ଅନୁସାରେ ଯେଉଁଠି ଜନସ୍ୱାର୍ଥ ଦୃଷ୍ଟିରୁ ସମ୍ବେଦନଶୀଳ ମାମଲାରେ ଅଦାଲତ ଶୁଣାଣିକୁ ଗୁପ୍ତ ରଖାଯିବାର ବ୍ୟବସ୍ଥା ଅଛି ତାହାକୁ ମଧ୍ୟ ସୁରକ୍ଷିତ କରିବାର ବ୍ୟବସ୍ଥା  ଚିଠା ଆଇନରେ ରହିଛି । ଏହି ଚିଠା ନିୟମରେ ଅଦାଲତଙ୍କ କାର୍ଯ୍ୟକ୍ରମର ରେକର୍ଡିଂ  ଓ ସିଧାପ୍ରସାରଣ କରିବା ଘେନି ସମତୁଲ ନିୟାମକ ବ୍ୟବସ୍ଥା କରାଯାଇଛି ।

 

*****

TKM



(Release ID: 1725323) Visitor Counter : 221