ଖଣି ମନ୍ତ୍ରଣାଳୟ
କୋଭିଡ-୧୯ ଦ୍ୱିତୀୟ ଲହର ସଂକ୍ରମଣ କାଳରେ ଖଣି ମନ୍ତ୍ରଣାଳୟ ଅନ୍ତର୍ଗତ ପିଏସୟୁ ମାନଙ୍କର ବିଭିନ୍ନ ପଦକ୍ଷେପ
ଓଡିଶା ପାଇଁ ନାଲ୍କୋର ପ୍ରଶଂସନୀୟ କାର୍ଯ୍ୟ
Posted On:
16 MAY 2021 5:44PM by PIB Bhubaneshwar
କୋଭିଡ ମହାମାରୀ ମୁକାବିଲାରେ ସରକାର ଅହୋରାତ୍ର ଲାଗି ପଡିଥିବା ବେଳେ ଏହାର ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗମାନେ ମଧ୍ୟ ବେଶ୍ ତତ୍ପରତା ପ୍ରକାଶ କରିଛନ୍ତି । ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ସରକାରୀ ଉଦ୍ୟୋଗମାନେ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରି ସ୍ୱତନ୍ତ୍ର ଉତ୍ସର୍ଗୀକୃତ କୋଭିଡ ଯତ୍ନ କେନ୍ଦ୍ର ଖୋଲିବା ସହ ନିଜର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଧ୍ୟ ଉନ୍ନୀତ କରୁଛନ୍ତି । କରୋନା ଦ୍ୱିତୀୟ ଲହର ମୁକାବିଲା ପାଇଁ ସରକାରୀ ଉଦ୍ୟୋଗମାନେ ସଘନ ଟିକାକରଣ ମଧ୍ୟ କରୁଛନ୍ତି ।
ଜାତୀୟ ଆଲୁମିନିୟମ କମ୍ପାନୀ(ନାଲ୍କୋ) ଓଡିଶାର କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ହସ୍ପିଟାଲରେ କୋଭିଡ ଯତ୍ନ କେନ୍ଦ୍ର ସ୍ଥାପନ ପାଇଁ ଏକ କୋଟି ୧୬ଲକ୍ଷ ଟଙ୍କା ପ୍ରଦାନ କରିଛି । ଏହାଛଡା ରାଜ୍ୟର ଅନୁଗୋଳ ଜିଲ୍ଲା ବଅଁରପାଳ ସ୍ଥିତ ଇଏସଆଇ ହସ୍ପିଟାଲରେ କୋଭିଡ ଯତ୍ନ କେନ୍ଦ୍ର ପାଇଁ ମାସିକ ୩୦ଲକ୍ଷ ଟଙ୍କା ପ୍ରଦାନ କରୁଛି । ନାଲ୍କୋ ମଧ୍ୟ ଏହାର ୟୁନିଟ୍, ଆବାସିକ ଓ ଆଖାପାଖ ଅଞ୍ଚଳରେ ବଡଧରଣର ବିଶୋଧନ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେଇଛି । ଓଡିଶାରେ କୋଭିଡ ଟିକା ପରିବହନ ନିମନ୍ତେ ନାଲ୍କୋ ଏକ ଶୀତଳୀକୃତ ଟ୍ରକ ମଧ୍ୟ ପ୍ରଦାନ କରିଛି । ଏଥିରେ ୨୫ଲକ୍ଷ ୭୦ହଜାର ପର୍ଯ୍ୟନ୍ତ କୋଭିଡ ଟିକା ମାତ୍ରା ରାଜ୍ୟର ବିଭିନ୍ନ ସ୍ଥାନକୁ ଅନାୟାସରେ ପରିବହନ କରିହେବ ।
ଓଡିଶାରେ ଦୁଇଟି ଭେଣ୍ଟିଲେଟର ଆମ୍ବୁଲାନ୍ସ କ୍ରୟ ପାଇଁ ନାଲ୍କୋ ଏକ କୋଟି ୧୬ଲକ୍ଷ ଟଙ୍କା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ସହାୟତା ଆକାରରେ ଦେଇଛି । ଏହାଛଡା ଭୁବନେଶ୍ୱର ପୌର ନିଗମ (ବି.ଏମ୍.ସି.) ହସ୍ପିଟାଲକୁ ଡିଜିଟାଲ ଏକ୍ସରେ ମେସିନ କିଣିବା ପାଇଁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରିଛି । ନାଲ୍କୋ ସବୁବେଳେ କୋଭିଡ ମାର୍ଗଦର୍ଶିକା ପାଳନ ସଂକ୍ରାନ୍ତ ତଥ୍ୟ ନିଜର ୱେବସାଇଟ୍, ସାମାଜିକ ଗଣମାଧ୍ୟମ, ବ୍ୟାନର ଓ ହୋଡିଂ ଜରିଆରେ ପ୍ରଦର୍ଶିତ କରୁଛି । ଦିନ ମଜୁରିଆ ଓ ଅନ୍ୟ ରାଜ୍ୟରୁ ଆସିଥିବା ଶ୍ରମିକମାନଙ୍କ ସୁବିଧା ପାଇଁ ମଧ୍ୟ ଶୁଖିଲା ରାସନ ଓ ଅନ୍ୟାନ୍ୟ ସାମଗ୍ରୀ ବାଣ୍ଟିବା କାର୍ଯ୍ୟ ହାତକୁ ନେଇଛି ।
ହିନ୍ଦୁସ୍ଥାନ କପର ଲିମିଟେଡ(ଏଚ.ସି.ଏଲ) ୟୁନିଟ୍ ହସ୍ପିଟାଲଗୁଡିକରେ କୋଭିଡ କେନ୍ଦ୍ର ଖୋଲାଯିବା ସହ ଅମ୍ଳଜାନ ସୁବିଧା ପାଇଁ ଶଯ୍ୟା ଓ ଔଷଧପତ୍ର ବ୍ୟବସ୍ଥା ରହିଛି । ମଧ୍ୟପ୍ରଦେଶ ସ୍ଥିତ ମାଲନଖଣ୍ଡ କପର ପ୍ରୋଜେକ୍ଟ(ଏମ୍ସିପି) ଏହାର ନିକଟବର୍ତ୍ତୀ କେନ୍ଦାଟୋଲା କୋଭିଡ କେନ୍ଦ୍ରକୁ ୧୦ଟି ଅମ୍ଳଜାନ କନ୍ସେନଟ୍ରେଟର ଯୋଗାଇ ଦେଇଛି । କୋଭିଡ ମାମଲା ବୃଦ୍ଧି ତଥା ଅମ୍ଳଜାନ ନିଅଂଟ କାଳରେ ଏହା ପ୍ରଶାସନକୁ ସାହାଯ୍ୟ କରିବ ।
ରାଜସ୍ଥାନର ଖେତ୍ରୀ ଏଚ.ସି.ଏଲ ୟୁନିଟ ନିକଟରେ ବ୍ଲକର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅମ୍ଳଜାନ ଭର୍ତ୍ତି ସିଲିଣ୍ଡର, ଅମ୍ଳଜାନ ନିର୍ଗମନ ମିଟର, ଟ୍ୟୁବ ଓ ମାସ୍କ ସହ ପଲ୍ସ ଅକ୍ସିମିଟର ମଧ୍ୟ ପ୍ରଦାନ କରିଛି । ଝାଡଖଣ୍ଡର ଘାଟଶିଳା ଏଚ.ସି.ଏଲ ୟୁନିଟ୍ରେ ୩୦ଟି ଶଯ୍ୟା ଥିବା କୋଭିଡ୍ ସୁଧାର କେନ୍ଦ୍ର ନିଜର କର୍ମଚାରୀ ଓ ସ୍ଥାନୀୟ ଅଧିବାସୀଙ୍କ ନିମନ୍ତେ ଖୋଲାଯାଇଛି । ରାଜ୍ୟ ସରକାରଙ୍କ ସହଯୋଗରେ ଏଚ.ସି.ଏଲ ୟୁନିଟ୍ରେ ଟିକାକରଣ କାର୍ଯ୍ୟ ମଧ୍ୟ ହାତକୁ ନିଆଯାଇଛି।
କୋଭିଡ୍ ନିରାକରଣ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଏଚସିଏଲ ପକ୍ଷରୁ ହାତକୁ ନିଆଯାଇଛି । ପ୍ରାଚୀରପତ୍ର, ମାର୍ଗଦର୍ଶିକା ସମ୍ବନ୍ଧିତ ବ୍ୟାନର ଇତ୍ୟାଦି ଦ୍ୱାରା କର୍ମଚାରୀ, ଠିକାଶ୍ରମିକ ଓ ଟାଉନସିପ ମଧ୍ୟରେ ବସବାସ କରୁଥିବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି । ଏଚ.ସି.ଏଲ କର୍ମଶାଳା, ଖଣି, କାରଖାନା ଓ କାର୍ଯ୍ୟାଳୟକୁ ପ୍ରବେଶ ବେଳେ ଥର୍ମାଲ ସ୍କିନିଂ, ହାତ ବିଶୋଧନ ଓ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି ।
କର୍ଣ୍ଣାଟକରେ ଧରୱାଡରେ ଖଣି ଉତ୍ତୋଳନ ନିଗମ ଲିମିଟେଡ (ଏମ.ଇ.ସି.ଏଲ) ପକ୍ଷରୁ ଜିଲ୍ଲାକୁ ଅମ୍ଳଜାନ କନ୍ସେନଟ୍ରେଟର ଆହରଣ ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । କୋଭିଡ ମାର୍ଗଦର୍ଶିକା ପାଳନ ସମ୍ପର୍କୀତ ବ୍ୟାନର, ଷ୍ଟାଣ୍ଡି ଇତ୍ୟାଦି ନାଗପୁର, ଆଜନୀ ଓ ଇଟାୱାରୀ ରେଳଷ୍ଟେସନ ଓ ଆଇଆଇଏମ୍ ନାଗପୁରଠାରେ ଲଗାଯାଇଛି ।
ଖଣି ମନ୍ତ୍ରଣାଳୟ ଅନ୍ତର୍ଗତ ସରକାରୀ ଉଦ୍ୟୋଗଗୁଡିକ କରୋନାର ପ୍ରଥମ ଲହର କାଳରେ ନିଜର ଅବସ୍ଥିତି ଅଞ୍ଚଳରେ କୋଭିଡ-୧୯ ମୁକାବିଲା ପାଇଁ ବିଶେଷ ଭୂମିକା ଗ୍ରହଣ କରିଥିଲେ । ନାଲ୍କୋ ମୋଟ ୧୦କୋଟି ୨୦ଲକ୍ଷ ଟଙ୍କା କୋଭିଡ ରିଲିଫ ପାଣ୍ଠିକୁ ପ୍ରଦାନ କରିଥିଲା । ସେଥିରେ ୫କୋଟି ଓ କର୍ମଚାରୀଙ୍କ ଗୋଟିଏ ଦିନର ଦରମା ୨.୬କୋଟି ଟଙ୍କା ପିଏମ କେୟାର ପାଣ୍ଠିକୁ ଦାନ କରାଯାଇଥିଲା । ଏହାଛଡା କର୍ମଚାରୀଙ୍କ ଗୋଟିଏ ଦିନର ଦରମା ୨.୬କୋଟି ଟଙ୍କା ଓଡିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରାଯାଇଥିଲା ।
ଓଡିଶାର ନବରଙ୍ଗପୁରଠାରେ ଅବିଭକ୍ତ କୋରାପୁଟ ଜିଲ୍ଲା ନିମନ୍ତେ ଏକ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ-୧୯ ହସ୍ପିଟାଲ ଖୋଲିବା ପାଇଁ ନାଲ୍କୋ ଅର୍ଥ ପ୍ରଦାନ କରିଥିବାବେଳେ ଓଡିଶାର ଦାମନଯୋଡିର ଏମ.ଆର.ଆର. କମ୍ପେ୍ଲକ୍ସ ଓ ଏସ୍ ଆଣ୍ଡ ପି କମ୍ପେ୍ଲକ୍ସ ଅନୁଗୋଳଠାରେ ଗୋଟିଏ ଲେଖାଏଁ କୋଭିଡ ସୁଧାରଗୃହ ସ୍ଥାପନ କରିଛି ।
ଏମଇସିଏଲ କର୍ମଚାରୀମାନେ ମଧ୍ୟ ସେମାନଙ୍କ ଗୋଟିଏ ଦିନର ଦରମା ବାବଦ ୨କୋଟି ଟଙ୍କା ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି ଓ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ଦାନ କରିଛନ୍ତି ।ରାଞ୍ଚି ଜିଲ୍ଲା ମୁଖ୍ୟାଳୟକୁ ଏମ୍ଇସିଏଲ ଏକ ଆମ୍ବୁଲାନ୍ସ ମଧ୍ୟ ଯୋଗାଇଦେଇଛି । ନାଗପୁର ମହାନଗରୀରେ ବିଭିନ୍ନ ମାନବ ହିତୈଷୀ ସଂଗଠନ ସହ ମିଶି ଏମ୍ଇସିଏଲ ବିଭିନ୍ନ ସୁବିଧାରୁ ବଞ୍ଚିତ ଜନସାଧାରଣଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରୁଛନ୍ତି । କମ୍ପାନୀ ୫ହଜାର ଲିଟର ସାନିଟାଇଜର ଓ ୨ହଜାର ମାସ୍କ ଭଣ୍ଡାରାସ୍ଥିତ ଆୟୁଧ କାରଖାନା ବୋର୍ଡରୁ ଆଣି ନାଗପୁର ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିଛି ।
*****
SM/SLP
(Release ID: 1719211)
Visitor Counter : 192