ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଦେଶରେ କୋଭିଡ଼ ୧୯ ମହାମାରୀ ସ୍ଥିତି ଏବଂ ଟିକାକରଣ ଅଭିଯାନ ସମ୍ପର୍କରେ ରାଜ୍ୟପାଳମାନଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆଲୋଚନା

କୋଭିଡ଼ ବିରୋଧରେ ଲାଗିଥିବା ଏହି ସଂଗ୍ରାମରେ ରାଜ୍ୟପାଳମାନେ ହେଉଛନ୍ତି ଜନଭାଗୀଦାରୀର ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ: ପ୍ରଧାନମନ୍ତ୍ରୀ

ସାମାଜିକ ଗୋଷ୍ଠୀ, ରାଜନୈତିକ ଦଳ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ସାମାଜିକ ସଂଗଠନଙ୍କ ସାମୂହିକ ଶକ୍ତିକୁ ଏହି ସଂଗ୍ରାମରେ ଉପଯୋଗ କରାଯିବା ଉଚିତ: ପ୍ରଧାନମନ୍ତ୍ରୀ

ଟ୍ରାକିଂ, ଟ୍ରେସିଂ ଏବଂ ଟେଷ୍ଟିଂ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ ; ଆରଟିପିସିଆର ଟେଷ୍ଟ ମାତ୍ରା ବୃଦ୍ଧି ଉପରେ ପ୍ରାଧାନ୍ୟ ଦେଲେ ପ୍ରଧାନମନ୍ତ୍ରୀ

ପର୍ଯ୍ୟାପ୍ତ ସଂଖ୍ୟକ ପ୍ରତିଷେଧକ ଟିକା ଉପଲବ୍ଧ କରାଇବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ: ପ୍ରଧାନମନ୍ତ୍ରୀ

Posted On: 14 APR 2021 9:05PM by PIB Bhubaneshwar

ଦେଶର ସାମ୍ପ୍ରତିକ କୋଭିଡ଼ ୧୯ ପରିସ୍ଥିତି ଏବଂ ଭାରତସାରା ଚାଲିଥିବା ଟିକାକରଣ ଅଭିଯାନ ସଂପର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ରାଜ୍ୟର ରାଜ୍ୟପାଳମାନଙ୍କ ସହ ଆଲୋଚନା କରିଛନ୍ତି ।

ଏହି ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବୈଶ୍ୱିକ ମହାମାରୀ କରୋନା ବିରୁଦ୍ଧରେ ଜାରି ଏହି ସଂଗ୍ରାମରେ ଟିକା ଗ୍ରହଣ ସହିତ ମୂଲ୍ୟବୋଧ ଏବଂ କର୍ତ୍ତବ୍ୟବୋଧ ହେଉଛି ଆମର ସବୁଠାରୁ ବଡ଼ ସାମର୍ଥ୍ୟ । ଗତ ବର୍ଷ ଠାରୁ ଏହି ସଂଗ୍ରାମରେ ସାମିଲ ହୋଇଥିବା ନାଗରିକମାନଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ ଯେ ସେମାନେ ଏହାକୁ ନିଜର କର୍ତ୍ତବ୍ୟ ବୋଲି ବିବେଚନା କରି ଏହି ସଂଗ୍ରାମରେ ଲିପ୍ତ ରହିଛନ୍ତି । ଜନଭାଗୀଦାରୀର ଏହି ଭାବନାକୁ ହିଁ ବର୍ତ୍ତମାନ ପ୍ରୋତ୍ସାହିତ କରାଯିବା ଆବଶ୍ୟକ । ପ୍ରଧାନମନ୍ତ୍ରୀ କହିଲେ ଯେ ସେମାନଙ୍କର ସାମାଜିକ କ୍ଷମତାର ଉପଯୁକ୍ତ ଉପଯୋଗ ମାଧ୍ୟମରେ ଜନସାଧାରଣ କିଭଳି ଭାବେ ଏହି ସଂଗ୍ରାମରେ ନିୟୋଜିତ ହୋଇପାରିବେ ତାହାକୁ ପ୍ରୋତ୍ସାହିତ କରିବା ହେଉଛି ରାଜ୍ୟପାଳମାନଙ୍କ ଭୂମିକା । ତଦ୍ୱାରା ଏହି ଜଟିଳ ସଂକଟକୁ ଆମେ ସହଜରେ ମୁକାବିଲା କରିପାରିବା । ରାଜ୍ୟପାଳମାନେ ରାଜ୍ୟ ସରକାର ଏବଂ ଜନସାଧାରଣଙ୍କ ମଧ୍ୟରେ ସଂଯୋଗର ସେତୁ ଭାବେ କାର୍ଯ୍ୟ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ ପ୍ରଧାନମନ୍ତ୍ରୀ ଆହୁରି କହିଲେ ଯେ ସମସ୍ତ ସାମାଜିକ ଗୋଷ୍ଠୀ ସଂଗଠନ, ରାଜନୈତିକ ଦଳ, ସ୍ୱେଚ୍ଛାସେବୀ ସଂଗଠନ ଏବଂ ସାମାଜିକ   ଅନୁଷ୍ଠାନ ମିଳିତ ଭାବେ ଏହି ସଂଗ୍ରାମରେ ସେମାନଙ୍କର ଶକ୍ତି ପ୍ରଦର୍ଶନ କରିବା ଉଚିତ ।

          ଏହି ଆଲୋଚନା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ରାଜ୍ୟପାଳମାନଙ୍କୁ ପରାମର୍ଶ ଦେଇଥିଲେ ଯେ ରାଜ୍ୟ ସରକାରମାନଙ୍କ ସହିତ ସାମାଜିକ ଅନୁଷ୍ଠାନମାନେ କିଭଳି ନିରବଚ୍ଛିନ୍ନ ଭାବେ ସହଯୋଗରେ ରହି ଏ ଦିଗରେ କାର୍ଯ୍ୟ କରିବେ ରାଜ୍ୟପାଳମାନେ ତାହା ସୁନିଶ୍ଚିତ କରିବା ବାଂଛନୀୟ । ଏହା ଦ୍ୱାରା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‍ ସୃଷ୍ଟି କରାଯିବା ସହଜସାଧ୍ୟ ହୋଇପାରିବ । ସେ କହିଲେ ଯେ ସେମାନଙ୍କର ସାମାଜିକ ନେଟୱାର୍କ ଆମ୍ବୁଲାନ୍ସର କ୍ଷମତା ତଥା ହସପିଟାଲମାନଙ୍କରେ ଭେଣ୍ଟିଲେଟର ଏବଂ ଅକ୍ସିଜେନ ମହଜୁଦ କ୍ଷମତାକୁ ବୃଦ୍ଧିକୁ ସୁନିଶ୍ଚିତ କରିପାରିବ । ସେହିଭଳି ଟିକାକରଣ ଏବଂ ଚିକିତ୍ସାର ବାର୍ତ୍ତାକୁ ମଧ୍ୟ ସେମାନେ ଅଧିକ ବ୍ୟାପକ ଭାବେ ପ୍ରସାରିତ କରିପାରିବେ ଏବଂ ଆୟୁଷ ସମ୍ପର୍କିତ କୋଭିଡ଼ ଉପଚାର ସଂପର୍କରେ ମଧ୍ୟ ରାଜ୍ୟପାଳମାନେ ଜନ ସଚେତନତା ବୃଦ୍ଧି କରିପାରିବେ ।

          ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ଆମର ଯୁବକମାନେ, ଆମର ଶ୍ରମଶକ୍ତି ଦେଶର ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ତେଣୁ ଦେଶର ଯୁବଶକ୍ତି କୋଭିଡ଼ ସଂପର୍କୀତ ନିର୍ଦ୍ଦେଶିକା ଓ ସତର୍କତା ଅବଲମ୍ବନ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ସେ କହିଲେ ଯେ ରାଜ୍ୟପାଳମାନଙ୍କ ଭୂମିକା ଏ ଦିଗରେ ଅତୀବ ମହତ୍ତ୍ୱପୂର୍ଣ୍ଣ ଯେ ସେମାନେ ବିଶ୍ୱବିଦ୍ୟାଳୟ ପରିସରରେ ରହୁଥିବା ଛାତ୍ରଛାତ୍ରୀମାନଙ୍କୁ ଜନଭାଗୀଦାରୀରେ ଅଧିକ ମାତ୍ରାରେ ସାମିଲ ହେବାକୁ ପ୍ରବର୍ତ୍ତାଇପାରିବେ । ସେହିଭଳି ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ପରିସରରେ ଉପଲବ୍ଧ ସଂସାଧନର କିଭଳି ଉତ୍ତମ ଉପଯୋଗ ହୋଇପାରିବ ତାହା ଉପରେ ମଧ୍ୟ ଆମକୁ ଧ୍ୟାନ ଦେବାକୁ ପଡ଼ିବ । ଗତ ବର୍ଷ ଭଳି, ଏନସିସି ଏବଂ ଏନଏସଏସକୁ ମଧ୍ୟ ଚଳିତ ବର୍ଷ ସେହିଭଳି ଦାୟିତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ପଡ଼ିବ । ପ୍ରଧାନମନ୍ତ୍ରୀ କହିଲେ ଯେ କରୋନା ବିରୋଧୀ ସଂଗ୍ରାମରେ ଜନଭାଗୀଦାରୀରେ ରାଜ୍ୟପାଳମାନେ ହେଉଛନ୍ତି ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଏବଂ ସେମାନେ ରାଜ୍ୟ ସରକାରଙ୍କ ସହ ସବୁ ଗୋଷ୍ଠୀଙ୍କ ଉପଯୁକ୍ତ ସମନ୍ୱୟ ପ୍ରତି ଧ୍ୟାନ ଦେବା ଉଚିତ ଏବଂ ରାଜ୍ୟର ପ୍ରତ୍ୟେକ ଅନୁଷ୍ଠାନକୁ ମାର୍ଗ ପ୍ରଦର୍ଶନ କରିବା ଆବଶ୍ୟକ । ଏହା ରାଷ୍ଟ୍ରକୁ କରୋନା ବିରୋଧୀ ଲଢ଼େଇରେ ଆହୁରି ଶକ୍ତିଶାଳୀ କରିପାରିବ ।

          ଦେଶରେ କୋଭିଡ଼ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଏହି ପର୍ଯ୍ୟାୟରେ କୋଭିଡ଼ ଭୂତାଣୁ ବିରୋଧରେ ହିଁ ଆମେ ପ୍ରକୃତ ସଂଗ୍ରାମ କରିପାରିବା । ଗତ ବର୍ଷ ଏହା ବିରୁଦ୍ଧରେ ଲଢ଼େଇ କରି ଆମେ ଅଜସ୍ର ଅନୁଭୂତି ଲାଭ କରିଛୁ ଏବଂ ଆମର ସ୍ୱାସ୍ଥ୍ୟସେବା କ୍ଷମତାକୁ ମଧ୍ୟ ଯଥେଷ୍ଟ ବୃଦ୍ଧି କରିଛୁ । ଆରଟିପିସିଆର ଟେଷ୍ଟିଂ କ୍ଷମତା ବୃଦ୍ଧି ଉପରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଲେ ଯେ କିଟ୍‍ ଏବଂ ଟେଷ୍ଟିଂ ସଂପର୍କୀତ ଅନ୍ୟାନ୍ୟ ସାଧନ କ୍ଷେତ୍ରରେ ଏବେ ଦେଶ ସଂପୂର୍ଣ୍ଣ ଆତ୍ମନିର୍ଭରଶୀଳ ହୋଇସାରିଛି । ଏଥିଯୋଗୁ ଆରଟିପିସିଆର ପରୀକ୍ଷଣର ମୂଲ୍ୟକୁ ଯଥେଷ୍ଟ ମାତ୍ରାରେ ହ୍ରାସ ପରିପାରିଛି । ସେ କହିଲେ ଯେ ଏବେ ଜିଇଏମ ପୋର୍ଟାଲରେ ନମୁନା ପରୀକ୍ଷଣ ସଂପର୍କୀତ ସମସ୍ତ ପ୍ରକାର ଉପକରଣ ଉପଲବ୍ଧ ହୋଇପାରିଛି ।  ଟ୍ରାକିଂ, ଟ୍ରେସିଂ ଏବଂ ଟେଷ୍ଟିଂ ଉପରେ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯିବା ଉପରେ ପ୍ରାଧାନ୍ୟ ଆରୋପ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଏବେ ଦେଶରେ ଆରଟିପିସିଆର ଟେଷ୍ଟିଂ ମାତ୍ରାକୁ ୬୦ରୁ ୭୦ ପ୍ର୍ରତିଶତକୁ ବୃଦ୍ଧି କରାଯିବା ଉଚିତ । ଏହା ଦ୍ୱାରା ଅଧିକରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟ ଓ ନମୁନା ପରୀକ୍ଷା ସୁନିଶ୍ଚିତ ହୋଇପାରିବ ବୋଲି ସେ ମତ ପୋଷଣ କରିଥିଲେ ।

          ପ୍ରଧାନମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରି କହିଲେ ଯେ ସରକାର ଦେଶରେ ପର୍ଯ୍ୟାପ୍ତ ପ୍ରତିଷେଧକ ଟିକା ଉପଲବ୍ଧ କରାଇବା ସୁନିଶ୍ଚିତ କରୁଛନ୍ତି । ଏଥିପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଦେଶର ୧୦ କୋଟି ଲୋକଙ୍କୁ ସର୍ବନିମ୍ନ ସସମୟସୀମା ମଧ୍ୟରେ ଟିକାକରଣ କରିବାରେ ଭାରତ ହେଉଛି ବିଶ୍ୱର ପ୍ରଥମ ରାଷ୍ଟ୍ର । ଗତ ଚାରି ଦିନ ଧରି ଦେଶରେ ଆୟୋଜିତ ଟିକା ଉତ୍ସବର ସକାରାତ୍ମକ ପ୍ରଭାବ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଏହା ଦ୍ୱାରା ଟିକାକରଣକୁ ଯେତିକି ବ୍ୟାପକ କରାଯାଇଛି ତତୋଧିକ ସଂଖ୍ୟକ ଟିକାକେନ୍ଦ୍ର ଖୋଲାଯାଇଛି ।

ଭାବ ବିନିମୟ

          ଏହି ଭାବ ବିନିମୟ କାର୍ଯ୍ୟକ୍ରମରେ ଭାରତର ଉପ ରାଷ୍ଟ୍ରପତି, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମଧ୍ୟ ସାମିଲ ହୋଇଥିଲେ ।

          କୋଭିଡ଼ ବିରୋଧୀ ସଂଗ୍ରାମ ଅଭିଯାନର ନେତୃତ୍ୱ ନେଇଥିବାରୁ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସକୁ ଭୂୟସୀ ପ୍ରଶଂସା କରି ଉପ ରାଷ୍ଟ୍ରପତି ଶ୍ରୀ ଏମ ଭେଙ୍କେୟା ନାଇଡ଼ୁ କହିଲେ ଯେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ଓ ପ୍ରଚେଷ୍ଟା କ୍ରମେ ଏହି ମହାମାରୀକୁ ନିୟନ୍ତ୍ରଣ କରିବା ସକାଶେ ଦେଶରେ ପର୍ଯ୍ୟାପ୍ତ ପରିମାଣର ସଂସାଧନର ବିକାଶ ଘଟିପାରିଛି । ଭାରତ ତଥା ସମଗ୍ର ବିଶ୍ୱକୁ ପ୍ରତିଷେଧକ ଟିକା ପ୍ରଦାନରେ ବୈଜ୍ଞାନିକ ଗୋଷ୍ଠୀଙ୍କ ଅବଦାନ ଉପରେ ଗୁରୁତ୍ୱ ସେ ଗୁରୁତ୍ୱ ଆରୋପ କରିଥିଲେ । ସେହିଭଳି ସ୍ୱାସ୍ଥ୍ୟସେବା ଯୋଗାଣକାରୀ କର୍ମୀ, ପରିମଳ କର୍ମଚାରୀ ଏବଂ ଅନ୍ୟାନ୍ୟ ଛାମୁଆ କର୍ମୀମାନେ ଏହି ସଂଗ୍ରାମରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଯାହାକି ଅତୀବ ପ୍ରଶଂସନୀୟ ବୋଲି ସେ ମତ ପୋଷଣ କରିଥିଲେ । 

          ଉପ ରାଷ୍ଟ୍ରପତି ଏହି ଅବସରରେ ରାଜ୍ୟପାଳମାନଙ୍କୁ ଆହ୍ୱାନ ଜଣାଇ କହିଥିଲେ ଯେ ସେମାନେ ରାଜ୍ୟଗୁଡ଼ିକର ପ୍ରମୁଖ ରାଜନୈତିକ ଦଳମାନଙ୍କର ଏକ ସର୍ବଦଳୀୟ ବୈଠକ ଡ଼କାଇ ଏଥିପାଇଁ ଏକ ସମନ୍ୱୟ ଫ୍ରଣ୍ଟ୍‍ ଗଠନ କରାଯିବା ଉଚିତ ଏଥିରେ ସିଭିଲ ସୋସାଇଟି ସଂଗଠନମାନଙ୍କୁ କୋଭିଡ ସଂକ୍ରମଣକୁ ପ୍ରତିହତ କରିବା ସକାଶେ ଉପଯୁକ୍ତ ଆଚରଣ ସଂପର୍କୀତ ସଚେତନତା ବୃଦ୍ଧି ଦାୟିତ୍ୱ ଅର୍ପଣ କରାଯିବା ଉଚିତ । ଟିମ୍‍ ଇଣ୍ଡିଆ ମନୋଭାବର ସହ ଏଥିପାଇଁ କାର୍ଯ୍ୟ କରାଯିବା ଆବଶ୍ୟକ । ଏଥିରେ ଦଳମତ ନିର୍ବିଶେଷରେ ଏକ ନୀତି ନିର୍ଦ୍ଧାରଣ କରାଯିବା ବାଂଛନୀୟ ।  ରାଜ୍ୟପାଳମାନେ ହେଉଛନ୍ତି ରାଜ୍ୟର ମୁରବୀଏବଂ ଏ ସଂପର୍କରେ ସେମାନେ ରାଜ୍ୟ ସରକାରମାନଙ୍କୁ ମାର୍ଗ ପ୍ରଦର୍ଶନ କରିପାରିବେ ବୋଲି ଉପ ରାଷ୍ଟ୍ରପତି ମତ ପୋଷଣ କରିଥିଲେ ।

          ଏହି ଆଲୋଚନାରେ ଅଂଶ ଗ୍ରହଣ କରି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହା କହିଲେ ଯେ ପ୍ରତ୍ୟେକ ନାଗରିକଙ୍କ ଜୀବନ ରକ୍ଷା ହେଉଛି ଗୁରୁତ୍ୱପୂର୍ଣ୍ଣ । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଦେଶରେ କୋଭିଡ଼ ସ୍ଥିତି ତଥା ଟିକାକରଣ ଅଭିଯାନ ସମ୍ପର୍କରେ ସଦ୍ୟତମ ସ୍ଥିତି ଉପସ୍ଥାପନ କରିଥିଲେ । ଭାରତ କିଭଳି ସକାରାତ୍ମକ ଏବଂ ଆଗୁଆ କାର୍ଯ୍ୟପନ୍ଥା ଗ୍ରହଣ କରି କୋଭିଡ଼ ସଂକ୍ରମଣକୁ ରୋକିବା ଦିଗରେ କାର୍ଯ୍ୟ କରୁଛି ସେ ସମ୍ପର୍କରେ ସେ ସମସ୍ତଙ୍କୁ ଅବଗତ କରାଇଥିଲେ ।

          ରାଜ୍ୟପାଳମାନେ ସେମାନଙ୍କର ନିଜ ନିଜ ରାଜ୍ୟର କୋଭିଡ଼ ସ୍ଥିତି ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ ଏବଂ ଏହି ଭୂତାଣୁ ସଂକ୍ରମଣକୁ ରୋକିବା ଦିଗରେ କିଭଳି ସମନ୍ୱିତ ଭାବେ କାର୍ଯ୍ୟ କରାଯାଉଛି ଓ ଭବିଷ୍ୟତରେ ଏହି ପ୍ରୟାସକୁ ବ୍ୟାପକ କରାଯିବ ସେ ସମ୍ପର୍କରେ ସୂଚନା ଦେଇଥିଲେ । ସେହିଭଳି ଟିକାକରଣ ଅଭିଯାନ ପ୍ରସଙ୍ଗରେ ସେମାନେ ଅବଗତ କରାଇଥିଲେ । ଏଥି ସହିତ ନିଜ ନିଜ ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଥିବା ଅଭାବ ଓ ଦୁର୍ବଳତା ସମ୍ପର୍କରେ ମଧ୍ୟ ସେମାନେ ପ୍ରଧାନମନ୍ତ୍ରୀ ଓ ଅନ୍ୟମାନଙ୍କୁ ଅବଗତ କରାଇଥିଲେ ।

          ସେମାନେ ମତ ପୋଷଣ କରିଥିଲେ ଜନଭାଗୀଦାରୀକୁ କିଭଳି ଅଧିକ ଉନ୍ନତ ଓ ସୁଦୃଢ଼ କରାଯାଇପାରିବ ଏବଂ ବିଭିନ୍ନ ଗୋଷ୍ଠୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇହେବ ଏ ଦିଗରେ ପ୍ରଚେଷ୍ଟା ଜାରି ରହିବା ଉଚିତ ।

******

SS



(Release ID: 1711996) Visitor Counter : 202