ଜଳ ଶକ୍ତି ମନ୍ତ୍ରଣାଳୟ

ଜଳ ଜୀବନ ମିଶନ ଅନ୍ତର୍ଗତ ବାର୍ଷିକ କାର୍ଯ୍ୟ ଯୋଜନା ଉପସ୍ଥାପନ କଲେ ଓଡ଼ିଶା ଏବଂ ହରିୟାଣା

2023-24 ସୁଦ୍ଧା ଓଡ଼ିଶାରେ ଶତପ୍ରତିଶତ ଟ୍ୟାପ ଜଳ ସଂଯୋଗ ଲକ୍ଷ୍ୟ

ଜଳ ଜୀବନ ମିଶନ ଅନ୍ତର୍ଗତ ଦେଢ଼ ବର୍ଷରେ ରାଜ୍ୟର 20.15 ଲକ୍ଷ ଗ୍ରାମୀଣ ଘରକୁ ଟ୍ୟାପ ଜଳ ଯୋଗାଣ

Posted On: 13 APR 2021 4:21PM by PIB Bhubaneshwar

ଓଡ଼ିଶା ଏବଂ ହରିୟାଣା ଜଳ ଜୀବନ ମିଶନ ଅନ୍ତର୍ଗତ ସେମାନଙ୍କର ବାର୍ଷିକ କାର୍ଯ୍ୟ ଯୋଜନା ଉପସ୍ଥାପନ କରିଛନ୍ତି। ଏହି ଦୁଇ ରାଜ୍ୟ ଆଜି ଭିଡିଓ କନଫରେନ୍ସିଂ ଜରିଆରେ 2021-22 ଆର୍ଥିକ ବର୍ଷ ପାଇଁ ସେମାନଙ୍କର କାର୍ଯ୍ୟ ଯୋଜନା ଉପସ୍ଥାପନ କରିବା ସହିତ ସେମାନଙ୍କ ରାଜ୍ୟରେ ପ୍ରତ୍ୟେକ ଗ୍ରାମୀଣ ଘରକୁ ଟ୍ୟାପ ଯୋଗେ ସମ୍ପୂର୍ଣ୍ଣ ଜଳଯୋଗାଣ ନିମନ୍ତେ ଧାର୍ଯ୍ୟ ଲକ୍ଷ୍ୟ ଓ କାର୍ଯ୍ୟଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ।

ଏହି ଉପସ୍ଥାପନା କାଳରେ ଜଳ ଜୀବନ ମିଶନ ଅନ୍ତର୍ଗତ 2024 ସୁଦ୍ଧା ଶତପ୍ରତିଶତ ଟ୍ୟାପ ଜଳ ଯୋଗାଣ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ଓଡ଼ିଶା ସୂଚନା ଦେଇଥିଲା। ଅନୁରୂପ ଭାବେ ନଭେମ୍ବର ପହିଲା 2022 ସୁଦ୍ଧା ସମ୍ପୂର୍ଣ୍ଣ ଟ୍ୟାପ ଯୋଗେ ପାଇପ ଜଳ ଯୋଗାଣ ଲାଗି ନିଜର ପ୍ରତିବଦ୍ଧତା ଦୋହରାଇଥିଲା ହରିୟାଣା।

କେନ୍ଦ୍ର ପାନୀୟ ଜଳ ଓ ସ୍ବଚ୍ଛତା ବିଭାଗ ସଚିବଙ୍କ ଅଧ୍ୟତାରେ ତଥା ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ/ବିଭାଗ ଓ ନୀତି ଆୟୋଗ ସଦସ୍ୟଙ୍କ ସଦସ୍ୟତାରେ ଗଠିତ ସମିତି ଦ୍ବାରା ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକର ବାର୍ଷିକ କାର୍ଯ୍ୟ ଯୋଜନା ଗ୍ରହଣ କରିବା ନିମନ୍ତେ ଏକମାସ ବ୍ୟାପୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ପକ୍ଷରୁ ପ୍ରସ୍ତାବିତ ବାର୍ଷିକ କାର୍ଯ୍ୟ ଯୋଜନାକୁ ଚୂଡ଼ାନ୍ତ ଅନୁମୋଦନ କରିବା ପୂର୍ବରୁ ସମିତି ଏହାର ବ୍ୟାପକ ଯାଞ୍ଚ କରିବ। ଏହାପରେ ସାରା ବର୍ଷ ପାଣ୍ଠି ଯୋଗାଇ ଦିଆଯିବ ଏବଂ ଜଳ ଜୀବନ ମିଶନର ଲକ୍ଷ୍ୟ ହାସଲ ନିମନ୍ତେ ଏସବୁ ବାର୍ଷିକ କାର୍ଯ୍ୟ ଯୋଜନାର କାର୍ଯ୍ୟକାରିତା ସମୀକ୍ଷା ନିମନ୍ତେ ନିୟମିତ କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା ବୈଠକ ଆୟୋଜନ କରାଯିବ।

ଏହି ସମୀକ୍ଷା ସମିତି ଉଭୟ ରାଜ୍ୟର ବାର୍ଷିକ କାର୍ଯ୍ୟ ଯୋଜନା ବିଶ୍ଳେଷଣ କରିବ ଏବଂ ପରାମର୍ଶ ଦେବ। ସମନ୍ବୟର କ୍ଷେତ୍ରକୁ ଚିହ୍ନଟ କରିବା ଏବଂ ବାସ୍ତବ ସମୟରେ ଅନୁଧ୍ୟାନ ଓ ଜଳଯୋଗାଣ ଆକଳନ ନିମନ୍ତେ ସେନ୍ସର ଆଧାରିତ ଆଇଓଟି ପ୍ରଯୁକ୍ତିରେ ନିବେଶ କରିବା ଲାଗି ସମିତି ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛି। ଲୋକମାନଙ୍କ ମଧ୍ୟରେ ଅଭ୍ୟାସଗତ ପରିବର୍ତ୍ତନ ଆଣିବା ଲାଗି ଏହି ସମିତି ଉନ୍ନତ ସୂଚନା, ଶିକ୍ଷା ଓ ସଚେତନତା ରଣନୀତି ଉପରେ ଗୁରୁତ୍ବାରୋପ କରିଛି।

ଓଡ଼ିଶାରେ 85.66 ଲକ୍ଷ ଗ୍ରାମୀଣ ପରିବାର ରହିଛନ୍ତି, ଏମାନଙ୍କ ମଧ୍ୟରୁ 27.15% ଅର୍ଥାତ୍ 23.25 ଲକ୍ଷ ପରିବାରକୁ ଟ୍ୟାପ ଯୋଗେ ଜଳ ସଂଯୋଗ ହୋଇସାରିଛି। ଜଳ ଜୀବନ ମିଶନ 15 ଅଗଷ୍ଟ 2019ରେ ଆରମ୍ଭ ହେବା ସମୟରେ ଓଡ଼ିଶାରେ ମାତ୍ର 3.63% ଲୋକ ଟ୍ୟାପ ଜଳ ପାଇ ପାରୁଥିଲେ। ଅତୀତରେ ଦେଢ଼ ବର୍ଷ ମଧ୍ୟରେ ଜଳ ଜୀବନ ମିଶନ 20.15 ଲକ୍ଷ ଗ୍ରାମୀଣ ଘରକୁ ନିରାପଦ ପାନୀୟ ଜଳ ଟ୍ୟାପ ଯୋଗେ ଯୋଗାଇ ଦିଆଯାଇଛି। ଓଡ଼ିଶାର 2996 ଗ୍ରାମରେ ପ୍ରତ୍ୟେକ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ମିଳିପାରୁଛି। ଓଡ଼ିଶା 57ଟି ପଞ୍ଚାୟତକୁ ହର ଘର ଜଲ ପଞ୍ଚାୟତ ଭାବେ ଘୋଷଣା କରିଛି। ଏହାର ଅର୍ଥ ଏହିସବୁ ପଞ୍ଚାୟତରେ ସବୁ ଘରକୁ ପାଇପ ଯୋଗେ ଜଳ ଯୋଗାଣ ହେଉଛି।

2021-22ରେ ଓଡ଼ିଶା 29,749 ବିଦ୍ୟାଳୟ ଏବଂ 43,727 ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ପାଇପ ଜଳ ଯୋଗାଣ ନିମନ୍ତେ ଯୋଜନା କରିଛି। ଯାହାଫଳରେ ସମସ୍ତ ବିଦ୍ୟାଳୟ, ଆଶ୍ରମଶାଳା, ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ଶତପ୍ରତିଶତ ଟ୍ୟାପ ପାଣି ଯୋଗାଣ କରାଯିବ। ଏହି ଜଳ ପାନୀୟ, ମଧ୍ୟାହ୍ନ ଭୋଜନ, ହାତଧୁଆ ଏବଂ ଶୌଚାଳୟରେ ବ୍ୟବହାର ନିମନ୍ତେ ଉପଯୋଗ ହୋଇପାରିବ।

ରାଜ୍ୟର ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ଶତପ୍ରତିଶତ କାର୍ଯ୍ୟକ୍ଷମ ପାରିବାରିକ ଟ୍ୟାପ ଜଳ ସଂଯୋଗ ନିମନ୍ତେ ଓଡ଼ିଶା 2023-24 ଆର୍ଥିକ ବର୍ଷକୁ ଲକ୍ଷ୍ୟ ବର୍ଷ ଭାବେ ଧାର୍ଯ୍ୟ କରିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟ ପ୍ରଶିକ୍ଷଣରେ ଅଧିକ ନିବେଶ କରିଛି। ରାଜ୍ୟରେ ଥିବା 4.64 ଲକ୍ଷ ପାନୀୟ ଜଳ ଯୋଗାଣ ଉତ୍ସକୁ ଚିହ୍ନଟ କରିବା ଲାଗି ନିରୀକ୍ଷଣ-ସ୍ବଚ୍ଛତା ଅନୁଧ୍ୟାନ ଲାଗି ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଜଳ ଉତ୍ସ ଏବଂ ଅନ୍ତିମ ବିନ୍ଦୁକୁ ପରୀକ୍ଷା କରିବା ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ଅନୁଧ୍ୟାନ ବ୍ୟବସ୍ଥା। କ୍ଷେତ୍ର ପରୀକ୍ଷଣ କିଟ ପଞ୍ଚାୟତ ସ୍ତରରେ ଯୋଗାଇ ଦିଆଯାଉଛି। ମୌସୁମୀ ପୂର୍ବ ଏବଂ ପରବର୍ତ୍ତୀ ସମୟରେ ଜଳର ଗୁଣବତ୍ତା ପରୀକ୍ଷା କରିବା ଏବଂ ତ୍ରୁଟି ଦୂର ପାଇଁ ପଦକ୍ଷେପ ନେବା ସକାଶେ ଗଠନ କରାଯାଇଥିବା ଉପସମିତିକୁ ଏହି ଦାୟିତ୍ବ ଦିଆଯାଉଛି।

ଗ୍ରୀଷ୍ମ ଋତୁରେ ଓଡ଼ିଶାରେ ଜଳ ଗୁଣବତ୍ତା ଏବଂ ଅଭାବ ସମସ୍ୟା ସାମ୍ନାକୁ ଆସିଥାଏ। ଦୂଷିତ ଜଳର ପରୀକ୍ଷା ଏବଂ ପରିଚାଳନା ନିମନ୍ତେ ଜାତୀୟ ସମିତି ପରାମର୍ଶ ଦେଇଛି। ଚଳିତ ବର୍ଷ 19ଟି ପରୀକ୍ଷାଗାରକୁ ଏନଏବିଏଲ ମାନ୍ୟତା ଦେବା ଲାଗି ଓଡ଼ିଶା ଯୋଜନା କରିଛି।

ହରିୟାଣାରେ 31.03 ଲକ୍ଷ ଗ୍ରାମୀଣ ପରିବାର ରହିଛନ୍ତି। ଏମାନଙ୍କ ମଧ୍ୟରୁ 31 ମାର୍ଚ୍ଚ 2021 ସୁଦ୍ଧା 26.93 ଲକ୍ଷ (86.8%) ପରିବାକରୁ ପାଇପ ଜଳ ସଂଯୋଗ ଦିଆଯାଇସାରିଛି। 2021-22 ଆର୍ଥିକ ବର୍ଷରେ ରାଜ୍ୟ 4.09 ଲକ୍ଷ ଟ୍ୟାପ ଯୋଗେ ଜଳଯୋଗାଣ ଲାଗି ରାଜ୍ୟ ଲକ୍ଷ୍ୟ ରଖିଛି।

ବର୍ତ୍ତମାନର କୋଭିଡ-19 ମହାମାରୀ ସ୍ଥିତିରେ ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ଟ୍ୟାପ ଯୋଗେ ଜଳ ଯୋଗାଣ ଫଳରେ ନିଶ୍ଚିତ ଭାବେ ଗ୍ରାମାଞ୍ଚଳ ଲୋକମାନଙ୍କର ଜୀବନଧାରଣ ସହଜ ହେବ। ବିଶେଷ କରି ମହିଳା ଓ ଝିଅମାନେ ପାଣି ଆଣିବା ଲାଗି କରୁଥିବା କଠିନ ଶ୍ରମ ଦୂର ହେବ ଏବଂ ସେମାନେ ନିରାପଦ ଓ ସମ୍ମାନପୂର୍ବକ ଜୀବନ ନିର୍ବାହର ସୁବିଧା ପାଇବେ।

ଜଳ ଜୀବନ ମିଶନ ଅନ୍ତର୍ଗତ ଜଳ ଗୁଣବତ୍ତା ନିରୀକ୍ଷଣ ଏବଂ ଅନୁଧ୍ୟାନ ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ଏଥିରେ ପ୍ରତ୍ୟେକ ଗ୍ରାମରେ ପାଞ୍ଚ ଜଣ ବ୍ୟକ୍ତି ବିଶେଷ କରି ମହିଳାମାନଙ୍କୁ ଫିଲ୍ଡ ଟେଷ୍ଟ କିଟ୍ ଉପଯୋଗ ନିମନ୍ତେ ତାଲିମ ଦିଆଯାଉଛି। ଯାହାଫଳରେ ସେମାନେ ଗ୍ରାମରେ ପାନୀୟ ଜଳର ଗୁଣବତ୍ତା ଯାଞ୍ଚ କରିପାରିବେ। ରାଜ୍ୟଗୁଡ଼ିକର ଜନ ସ୍ବାସ୍ଥ୍ୟ ଯାନ୍ତ୍ରିକ ବିଭାଗ/ଗ୍ରାମୀଣ ଜଳ ଯୋଗାଣ ବିଭାଗ ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ନିରାପଦ ବିଶୁଦ୍ଧ ଜଳ ଯୋଗାଣ ସୁନିଶ୍ଚିତ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରୁଚନ୍ତି। ନିୟମିତ ଭାବେ ଜଳର ଗୁଣବତ୍ତା ବିଭିନ୍ନ ପରୀକ୍ଷାଗାରରେ ଯାଞ୍ଚ କରାଯାଉଛି।

ବର୍ତ୍ତମାନର କରୋନା ମହାମାରୀ ସମୟରେ ଦୂଷିତ ଜଳ ଏବଂ ଜଳାଭାବ ସମସ୍ୟା ଦୂର କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ବିଶୁଦ୍ଧ ଜଳ ଉନ୍ନତ ସ୍ବଚ୍ଛତାକୁ ପ୍ରୋତ୍ସାହିତ କରିବା ସହିତ ପ୍ରତ୍ୟେକ ଘରେ ଟ୍ୟାପ ଜଳ ସଂଯୋଗ ହେବା ଫଳରେ ସର୍ବସାଧାରଣ ଷ୍ଟାଣ୍ଡପୋଷ୍ଟରେ ପାଣି ଆଣିବା ଲାଗି ହେଉଥିବା ଭିଡ଼କୁ ହ୍ରାସ କରାଯାଇପାରିବ। ଯାହାଫଳରେ ସାମାଜିକ ଦୂରତା ସୁନିଶ୍ଚିତ ହେବ। ତେଣୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ଟ୍ୟାପ ଜଳ ସଂଯୋଗର ଆବଶ୍ୟକତା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି।

2021-22ରେ ଜଳ ଜୀବନ ମିଶନ ପାଇଁ 50,011 କୋଟି ଟଙ୍କା ବଜେଟ ବ୍ୟୟବରାଦ କରାଯାଇଛି। ଏହାଛଡ଼ା ଆରଏଲବି/ପିଆରଆଇଗୁଡ଼ିକୁ ଜଳ ଓ ସ୍ବଚ୍ଛତା ପାଇଁ ପଞ୍ଚଦଶ ଅର୍ଥ ଆୟୋଗଙ୍କ ଅଧୀନରେ ଅତିରିକ୍ତ 26,940 କୋଟି ଟଙ୍କାର ସୁନିଶ୍ଚିତ ପାଣ୍ଠି ଉପଲବ୍ଧ ରହିଛି। 2021-22ରେ ଗ୍ରାମୀଣ ଘରକୁ ଟ୍ୟାପ ଜଳ ଯୋଗାଣ ସୁନିଶ୍ଚିତ କରିବା ନିମନ୍ତେ 1 ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ କରିବା ଲାଗି ଯୋଜନା କରାଯାଇଛି। ଏତେ ଅଧିକ ପରିମାଣର ନିବେଶ ହେବା ଫଳରେ ଗ୍ରାମୀଣ ଅର୍ଥବ୍ୟବସ୍ଥା ସମୃଦ୍ଧ ହେବ।

 

*******

P.S

 



(Release ID: 1711603) Visitor Counter : 144