ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

ଉଡ଼ାନ୍ ଯୋଜନାରେ ତିନି ଦିନରେ 22ଟି ମାର୍ଗରେ ବିମାନ ଚଳାଚଳ ଶୁଭାରମ୍ଭ

• ପ୍ରୟାଗରାଜ-ଭୁବନେଶ୍ୱର ବିମାନ ସେବା ଆରମ୍ଭ
• ଉତ୍ତର-ପୂର୍ବାଞ୍ଚଳରେ କାର୍ଯ୍ୟକ୍ଷମ ହେଲା 6ଟି ବିମାନ ମାର୍ଗ

Posted On: 30 MAR 2021 4:57PM by PIB Bhubaneshwar

ଦେଶର ବିମାନ ସେବା ଅପହଞ୍ଚ କ୍ଷେତ୍ରରେ ଲୋକମାନଙ୍କୁ ବିମାନରେ ଉଡ଼ିବାର ସୁଯୋଗ ଦେବା ଉଦ୍ଦେଶ୍ୟରେ ବିଗତ ତିନି ଦିନ ମଧ୍ୟରେ ଉଡ଼ାନ୍ ଯୋଜନାରେ 22ଟି ନୂତନ ମାର୍ଗରେ ବିମାନ ଚଳାଚଳ ସେବାର ଶୁଭାରମ୍ଭ ହୋଇଛି। ଏହିସବୁ ମାର୍ଗ ମଧ୍ୟରେ ସାମିଲ ରହିଛି ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ଭୁବନେଶ୍ୱରକୁ ସଂଯୋଗ କରୁଥିବା ବିମାନ ମାର୍ଗ। ସେହିପରି ଉତ୍ତର-ପୂର୍ବାଞ୍ଚଳ କ୍ଷେତ୍ରରେ ୬ଟି ନୂଆ ମାର୍ଗରେ ବିମାନ ଚଳାଚଳ ଆରମ୍ଭ କରାଯାଇଛି। ଆଜି ମେଘାଳୟର ଶିଲଂରୁ ତ୍ରିପୁରାର ଅଗରତାଲାକୁ ପ୍ରଥମ ସିଧାସଳଖ ବିମାନ ଉଡ଼ାଣକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା। ଗତକାଲି ଶିଲଂରୁ ଆସାମର ସିଲଚରକୁ ବିମାନ ସେବା ଆରମ୍ଭ ହୋଇଥିଲା। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ)ର ବରିଷ୍ଠ ଅଧିକାରୀ ଏବଂ ଅନ୍ୟ ଗୁରୁତ୍ବପୂର୍ଣ୍ଣ ଅଂଶୀଦାରମାନେ ଏହି ଅବସରରେ ଉପସ୍ଥିତ ଥିଲେ। ଉଡ଼ାନ ଯୋଜନାର ଲକ୍ଷ୍ୟ ହେଉଛି ଦେଶରେ ବିମାନ ମାର୍ଗକୁ ସୁଦୃଢ଼ କରିବା, ଆଞ୍ଚଳିକ ଆକାଶ ମାର୍ଗଗୁଡ଼ିକରେ ଶସ୍ତା, ଆର୍ଥିକ ଦୃଷ୍ଟିରୁ ସୁଲଭ ଏବଂ ଲାଭଜନକ ବିମାନ ଯାତ୍ରାର ସୁବିଧା ପ୍ରଦାନ କରିବା। ଉପରୋକ୍ତ ମାର୍ଗଗୁଡ଼ିକ କାର୍ଯ୍ୟକ୍ଷମ ହେବା ଦ୍ବାରା ଯୋଜନାର ଉଦ୍ଦେଶ୍ୟ ସାଧିତ ହୋଇଛି। ଏବେ ସୁଦ୍ଧା, ଉଡ଼ାନ ଯୋଜନା ଅନ୍ତର୍ଗତ ଦେଶର କୋଣଅନୁକୋଣରେ ଥିବା 347ଟି ମାର୍ଗରେ, 57ଟି ଆଦୌ କାର୍ଯ୍ୟକ୍ଷମ ହୋଇନଥିବା ଏବଂ ଆଂଶିକ କାର୍ଯ୍ୟକ୍ଷମ ହୋଇଥିବା ବିମାନ ବନ୍ଦର (5ଟି ହେଲିପୋର୍ଟ+ଦୁଇଟି ଜଳ ଏରୋଡ୍ରମ ସମେତ) ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇଛି।

28 ମାର୍ଚ୍ଚ 2021ରେ, 18ଟି ନୂତନ ମାର୍ଗରେ ଉଡ଼ାନ ଯୋଜନାରେ ବିମାନ ଚଳାଚଳ ଆରମ୍ଭ କରାଯାଇଥିଲା। କାର୍ଯ୍ୟକ୍ଷମ ହୋଇଥିବା ମାର୍ଗଗୁଡ଼ିକ ହେଲା-ଗୋରଖପୁର (ଉତ୍ତରପ୍ରଦେଶ)ରୁ ଲକ୍ଷ୍ନୌ (ଉତ୍ତରପ୍ରଦେଶ)କୁ ଯାହାକି ରାଜ୍ୟ ସମର୍ଥିତ ଉଡ଼ାନ ମାର୍ଗ, କୁର୍ଣ୍ଣୁଲ (ଆନ୍ଧ୍ର ପ୍ରଦେଶ)ରୁ ବାଙ୍ଗାଲୋର (କର୍ଣ୍ଣାଟକ), ବିଶାଖାପାଟଣା (ଆନ୍ଧ୍ରପ୍ରଦେଶ) ଓ ଚେନ୍ନାଇ (ତାମିଲନାଡ଼ୁ)କୁ, ପ୍ରୟାଗରାଜ (ଉତ୍ତର ପ୍ରଦେଶ)ରୁ ଭୁବନେଶ୍ୱର (ଓଡ଼ିଶା) ଏବଂ ଭୋପାଳ (ମଧ୍ୟପ୍ରଦେଶ)କୁ। ଏହାବ୍ୟତୀତ ଦିବ୍ରୁଗଡ଼ (ଆସାମ)ରୁ ଦିମାପୁର (ନାଗାଲାଣ୍ଡ)କୁ ନୂଆ ବିମାନ ଯୋଗାଯୋଗ ସ୍ଥାପନ କରାଯାଇଥିଲା।

ଗତବର୍ଷ 4ଟି ବିଡିଂ ପ୍ରକ୍ରିୟାରେ ଉଡ଼ାନ ଯୋଜନା ଅନ୍ତର୍ଗତ ଶିଲଂ-ଅଗରତାଲା, ଶିଲଂ-ସିଲଚର, କୁର୍ଣ୍ଣୁଲ-ବାଙ୍ଗାଲୋର, ବିଶାଖାପାଟଣା ଏବଂ ଚେନ୍ନାଇ ମାର୍ଗରେ ବିମାନ ଚଳାଚଳ ପାଇଁ ଇଣ୍ଡିଗୋ ଏୟାରଲାଇନ୍ସକୁ ଦାୟିତ୍ବ ଦିଆଯାଇଥିଲା। ଏହାଛଡ଼ା ଆଗ୍ରାରୁ ବାଙ୍ଗାଲୋରକୁ ଏବଂ ଆଗ୍ରାରୁ ଭୋପାଳକୁ ଉଡ଼ାନ 3 ଯୋଜନା ଅନ୍ତର୍ଗତ, ପ୍ରୟାଗରାଜରୁ ଭୁବନେଶ୍ୱର ଏବଂ ପ୍ରୟାଗରାଜରୁ ଭୋପାଳକୁ ଉଡ଼ାନ 2 ଯୋଜନା ଅନ୍ତର୍ଗତ ଏବଂ ଦିବ୍ରୁଗଡ଼ରୁ ଦିମାପୁରକୁ ଉଡ଼ାନ 3 ବିଡିଂ ପ୍ରକ୍ରିୟାରେ ବିମାନ ଚଳାଚଳ ଦାୟିତ୍ବ ଦିଆଯାଇଛି। ଉଡ଼ାନ-3 ବିଡିଂ ପ୍ରକ୍ରିୟାରେ ଲକ୍ଷ୍ନୌ-ଗୋରଖପୁର ମାର୍ଗରେ ବିମାନ ଚଳାଚଳ ପାଇଁ ଆଲିଆନ୍ସ ଏୟାରକୁ ଦାୟିତ୍ବ ଦିଆଯାଇଛି।

 

******

P.S

 



(Release ID: 1708563) Visitor Counter : 230