ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତର ମୁକ୍ତି ସଂଗ୍ରାମରେ ଅଂଶ ଗ୍ରହଣ କରିଥିବା ମହାନ୍‍ ବ୍ୟକ୍ତିବିଶେଷଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଏହି ସଂଗ୍ରାମ ରାମ, ମହାଭାରତ, ହଳଦୀଘାଟ ଏବଂ ଶିବାଜୀଙ୍କ ଚେତନା ଓ ସାହସିକତାର ସମାନ ପ୍ରତିନିଧିତ୍ୱ କରେ: ପ୍ରଧାନମନ୍ତ୍ରୀ

ଆମର ସନ୍ନ୍ୟାସୀ, ସାଧୁ, ମହନ୍ତ ଏବଂ ଆଚାର୍ଯ୍ୟମାନେ ଦେଶର ପ୍ରତ୍ୟେକ ଭାଗରେ ମୁକ୍ତିର ଶିଖା ପ୍ରଜ୍ଜ୍ୱଳିତ କରି ରଖିଥିଲେ: ଶ୍ରୀ ମୋଦୀ

Posted On: 12 MAR 2021 3:06PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ମୁକ୍ତି ସଂଗ୍ରାମରେ ସାମିଲ ହୋଇଥିବା ମହାନ୍‍ ବ୍ୟକ୍ତିବିଶେଷଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ମୁକ୍ତି ସଂଗ୍ରାମ କାଳରେ ଯେଉଁ ଅକୀର୍ତ୍ତିତ ଓ ଅଜ୍ଞାତ ନାୟକମାନେ ପ୍ରାଣପାତ କରିଥିଲେ ସେମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ରଭାବେ ଶ୍ରଦ୍ଧାସୁମନ ଅର୍ପଣ କରି ସେମାନଙ୍କ ମହାନ ଅବଦାନକୁ ମନେ ପକାଇଛନ୍ତି । ଅହମ୍ମଦାବାଦର ସାବରମତୀ ଆଶ୍ରମରେ ଆଜି ଆଜାଦୀକା ଅମୃତ ମହୋତ୍ସବ (ଇଣ୍ଡିଆ @ 75)ର ଶୁଭାରମ୍ଭ ଅବସରରେ ସେ ଉଦବୋଧନ ଦେଇ କହିଛନ୍ତି ଯେ ସ୍ୱଳ୍ପଜ୍ଞାତ ଆନ୍ଦୋଳନ ଓ ଲଢେଇମାନ ଦେଶର ସାମଗ୍ରିକ ମୁକ୍ତି ସଂଗ୍ରାମକୁ ଦୃଢୀଭୂତ କରିଥିଲା । ପ୍ରତ୍ୟେକଟି ଲଢେଇ ମିଥ୍ୟାଶକ୍ତି ବିରୋଧରେ ଭାରତର ଏକ ଦୃଢ ସତ୍ୟ ଘୋଷଣାନାମା ଥିଲା । ଏହାକୁ ସେ ସ୍ୱାଧୀନ ମନୋଭାବର ପରିଚାୟକ ବୋଲି ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାମ, ମହାଭାରତର କୁରୁକ୍ଷେତ୍ର, ହଳଦୀଘାଟ ଲଢେଇ ଏବଂ ବୀର ଶିବାଜୀଙ୍କ ଗର୍ଜନ ଆଦି ପ୍ରତ୍ୟେକ ଲଢେଇରେ ସ୍ୱାଧୀନତାର ସେହି ସମାନ ସଚେତନତା ପ୍ରତିନିଧିତ୍ୱ ହୁଏ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୋଲ୍‍ହ, ଖାସି, ସାନ୍ତାଳ, ନାଗା, ଭିଲ୍‍, ମୁଣ୍ଡା, ସନ୍ନ୍ୟାସୀ, ରାମୋସୀ, କିଟୁର ଆନ୍ଦୋଳନ, ଟ୍ରାଭାଙ୍କୋର ଆନ୍ଦୋଳନ, ବର୍ଦୋଳି ସତ୍ୟାଗ୍ରହ, ଚମ୍ପାରଣ ସତ୍ୟାଗ୍ରହ, ସମ୍ଭାଲପୁର, ଚୁଆର, ବୁନ୍ଦେଲ ଏବଂ କୁକା ବିଦ୍ରୋହ ଓ ଆନ୍ଦୋଳନ ଏ ସବୁ ସ୍ୱାଧୀନତା ଆନ୍ଦୋଳନକୁ ତେଜିଆନ କରିଥିଲା । ଦେଶର ପ୍ରତ୍ୟେକ ଭାଗରେ ପ୍ରତ୍ୟେକ ଅଞ୍ଚଳରେ ଏଭଳି ଅନେକ ସଂଗ୍ରାମ ମୁକ୍ତି ଆନ୍ଦୋଳନ ବହ୍ନିକୁ ତେଜିଆନ କରିବା ସହ ଲୋକଙ୍କୁ ଉଦ୍‍ବୁଦ୍ଧ କରିଥିଲା । ଶିଖ୍‍ଗୁରୁ ପରମ୍ପରା ଦେଶ, ସଂସ୍କୃତି ଓ ପରମ୍ପରା ସୁରକ୍ଷାର ଏକ ଶକ୍ତିଶାଳୀ ନିଦର୍ଶନ ଥିଲା ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମ ଦେଶର ସାଧୁସନ୍ଥ, ସନ୍ନ୍ୟାସୀ, ମହନ୍ତ ଓ ଆଚାର୍ଯ୍ୟମାନେ ମୁକ୍ତି ଆନ୍ଦୋଳନରେ ସାମିଲ ହୋଇ ମୁକ୍ତି ସଂଗ୍ରାମର ବହ୍ନିକୁ ତେଜିଆନ କରିବାରେ ଯେଉଁ ଭୂମିକା ନିର୍ବାହ କରିଥିଲେ ଆମେ ତାହାକୁ ମନେ ରଖିବା ଉଚିତ । ସେହିମାନେ ହିଁ ଆମ ଜାତୀୟ ମୁକ୍ତି ଆନ୍ଦୋଳନର ଆଧାରଶିଳା ଥିଲେ ।

ସେ କହିଥିଲେ ଯେ ପୂର୍ବରେ ଚୈତନ୍ୟ ମହାପ୍ରଭୁ ଓ ଶ୍ରୀମନ୍ତ ଶଙ୍କରଦେବ ସମାଜକୁ ଦିଗଦର୍ଶନ ଦେବା ସହିତ ଏ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ । ପଶ୍ଚିମରେ ମୀରାବାଈ, ଏକନାଥ, ତୁକାରାମ, ରାମ ଦାସ ଓ ନର୍ସି ମେହେତା, ଉତ୍ତରରେ ସନ୍ଥ ରାମାନନ୍ଦ, କବିର ଦାସ, ଗୋସ୍ୱାମୀ ତୁଳସୀଦାସ, ସୂର ଦାସ, ଗୁରୁ ନାନକ ଦେବ ଓ ସନ୍ଥ ରାୟଦାସ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ଦକ୍ଷିଣରେ ମଧ୍ୟ ଏ ଦାୟିତ୍ୱ ସମ୍ଭାଳିଥିଲେ ସନ୍ଥ ମାଧବାଚାର୍ଯ୍ୟ, ନିମ୍ବାର୍କଚାର୍ଯ୍ୟ ଏବଂ ରାମାନୁଜାଚାର୍ଯ୍ୟ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭକ୍ତି ଆନ୍ଦୋଳନ ସମୟରେ ମାଲିକ ମହମ୍ମଦ ଜୟେସୀ, ରସ୍‍ ଖାନ୍‍,  ସୂର ଦାସ, କେଶବ ଦାସ ଓ ବିଦ୍ୟାପତି ଆଦି ସମାଜକୁ ଅନୁପ୍ରାଣିତ କରି ଏହାର ତ୍ରୁଟିକୁ ସଂଶୋଧନ କରିବା ପାଇଁ ଉଦ୍ୟମ କରିଥିଲେ । ଏହିସବୁ ବ୍ୟକ୍ତିତ୍ୱ ମୁକ୍ତି ସଂଗ୍ରାମର ସର୍ବଭାରତୀୟ ଚରିତ୍ର ପାଇଁ ଦାୟୀ । ଏହିସବୁ ନାୟକ ଓ ନାୟିକାମାନଙ୍କର ଜୀବନୀକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ସେମାନଙ୍କ ପ୍ରେରଣାଦାୟୀ କାହାଣୀ ଆମର ନୂଆ ପିଢିକୁ ଅମୂଲ୍ୟ ଶିକ୍ଷା ଦେବ । ଏହା ଆମ ଐକ୍ୟ ରକ୍ଷା ସହିତ ଲକ୍ଷ୍ୟ ପୂରଣରେ ସହାୟକ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

*****

TKM

 


(Release ID: 1704453) Visitor Counter : 349