ଗୃହ ନିର୍ମାଣ ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟ

ନର୍ଚରିଙ୍ଗ ନେବରହୁଡ୍ ଚ୍ୟାଲେଞ୍ଜ କୋହର୍ଟ ଘୋଷଣା ରାଉରକେଲା ସମେତ 25ଟି କୋହର୍ଟ ସହର ଚୟନ

ଆସନ୍ତା 6ମାସ ପର୍ଯ୍ୟନ୍ତ ଚୟନିତ ସହରଗୁଡ଼ିକୁ ମିଳିବ ସମର୍ଥନ ଓ ବୈଷୟିକ ସହାୟତା

ଚ୍ୟାଲେଞ୍ଜ ପାଇଁ ଆବେଦନ କରିଥିଲେ 60 ରୁ ଅଧିକ ସହର

Posted On: 18 FEB 2021 2:23PM by PIB Bhubaneshwar

ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଅଧୀନ ସ୍ମାର୍ଟ ସିଟି ମିଶନ ପକ୍ଷରୁ ନର୍ଚରିଙ୍ଗ ନେବରହୁଡ ଚ୍ୟାଲେଞ୍ଜକୋହର୍ଟ ନିମନ୍ତେ ରାଉରକେଲା ସମେତ 25ଟି ସହର ଚୟନ କରାଯାଇଥିବା ସମ୍ପର୍କରେ ଘୋଷଣା କରାଯାଇଛି । ବର୍ନାଡ ଭ୍ୟାନ ଲିୟର ଫାଉଣ୍ଡେସନ (ବିବିଏଲଏଫ) ଏବଂ ଡବ୍‌ଲୁଆରଆଇ ଇଣ୍ଡିଆର ବୈଷୟିକ ସହଭାଗିତାରେ ନର୍ଚରିଙ୍ଗ ନେବରହୁଡ୍ ଚ୍ୟାଲେଞ୍ଜକୋହର୍ଟ ଆରମ୍ଭ କରାଯାଇଛି । ଏହି ଚ୍ୟାଲେଞ୍ଜ ଏକ ତିନି ବର୍ଷୀୟା କାର୍ଯ୍ୟକ୍ରମ ଏବଂ ସରକାରଙ୍କ ସ୍ମାର୍ଟ ସିଟି ମିଶନ ଅନ୍ତର୍ଗତ ଶୈଶବ ଅନୁକୂଳ ପଡ଼ୋଶୀ ପରିବେଶକୁ ସମର୍ଥନ ଦେଇଥାଏ ।

ନର୍ଚରିଙ୍ଗ ନେବରହୁଡ ଚ୍ୟାଲେଞ୍ଜ ଲାଗି ଚୟନ କରାଯାଇଥିବା ସହରଗୁଡ଼ିକ ହେଉଛି: ରାଉରକେଲା, ଅଗରତାଲା, ବେଙ୍ଗଲୁରୁ, କୋୟମ୍ବାଟୁର, ଧର୍ମଶାଳା, ଇରେଡ, ହୁବଲି-ଧାରୱାଡ଼, ହାଇଦ୍ରାବାଦ, ଇନ୍ଦୋର, ଜବଲପୁର, କାକିନାଡା, କୋଚି, କୋହିମା, କୋଟା, ନାଗପୁର, ରାଜକୋଟ, ରାଞ୍ଚି, ରୋହତକ, ସଲେମ, ସୂରତ, ଥିରୁଅନନ୍ତପୁରମ, ଥିରୁପ୍ପୁର, ଉଜ୍ଜୈନୀ, ବଡ଼ୋଦରା ଏବଂ ୱାରାଙ୍ଗଲ । ପ୍ରାରମ୍ଭିକ ବିଜୟ ପ୍ରଦର୍ଶନ କରିବା, ଲୋକମାନଙ୍କର ଭାଗିଦାରୀ ପାଇଁ କାମ କରିବା ଏବଂ ପ୍ରସ୍ତାବଗୁଡ଼ିକ ପାଇଁ ସହମତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆସନ୍ତା ଛଅ ମାସ ପର୍ଯ୍ୟନ୍ତ ପରୀକ୍ଷଣ ଏବଂ ପାଇଲଟ କାର୍ଯ୍ୟ ନିମନ୍ତେ କୋହର୍ଟକୁ ବୈଷୟିକ ସହାୟତା, କ୍ଷମତା ନିର୍ମାଣ ଲାଗି ଅବସର ମିଳିବ ।

ଚ୍ୟାଲେଞ୍ଜର ପ୍ରଥମ ପର୍ଯ୍ୟାୟରେ ସିଟି ଏଜେନ୍ସିଗୁଡ଼ିକ ନିକଟରୁ ଆବେଦନ ଆହ୍ୱାନ କରାଯାଇଥିଲା । ଏହାର ଶେଷ ତାରିଖ 4 ଫେବୃଆରୀ 2021 ରଖାଯାଇଥିଲା । ସାରା ଦେଶରୁ 63ଟି ସହର ଆବେଦନ ଦାଖଲ କରିଥିଲେ । ସାର୍ବଜନୀନ ସ୍ଥାନରେ ପଡ଼ୋଶୀ ସ୍ତରର ପାଇଲଟ ପ୍ରକଳ୍ପ ଏବଂ ଛୋଟ ପିଲା ଓ ସେମାନଙ୍କର ଯତ୍ନ ନେଉଥିବା ଲୋକମାନଙ୍କର ଶାରୀରିକ ତଥା ମନୋବୈଜ୍ଞାନିକ ସ୍ୱାସ୍ଥ୍ୟକୁ ବଢ଼ାଇବା ନିମନ୍ତେ ସେବା ଗ୍ରହଣ କରିବା ନିମନ୍ତେ ପ୍ରସ୍ତାବ ଦେଇଥିଲେ। ଆବେଦନ କରିଥିବା ସହରଗୁଡ଼ିକ ମଧ୍ୟରୁ ମୂଲ୍ୟାଙ୍କନ ସମିତି ସେମାନଙ୍କର ଆବେଦନର ଦୃଢ଼ତା ଆଧାରରେ 25ଟି ସହର ଚୟନ କରିଥିଲା ।

ବିଭିନ୍ନ ସହର ଅନେକଗୁଡ଼ିଏ ପାଇଲଟ ପ୍ରକଳ୍ପ ପାଇଁ ପ୍ରସ୍ତାବ ଦେଇଥିଲେ । ଏଗୁଡ଼ିକ ମଧ୍ୟରେ ଆବାସିକ ପଡ଼ୋଶୀ ପରିସରରେ ଛୋଟ ପିଲାମାନଙ୍କ ଚାଲିବା ଲାଗି କରିଡର, ସହରାଞ୍ଚଳ ବସ୍ତିରେ ରହୁଥିବା ଦୁର୍ବଳ ପିଲା ଏବଂ ସେମାନଙ୍କର ଯତ୍ନ ନେଉଥିବା ଲୋକମାନଙ୍କ ପାଇଁ ସୁରକ୍ଷିତ ରାସ୍ତା, ନେଚର ପ୍ଲେ ଏବଂ ସମ୍ବେଦନଶୀଳ ପ୍ରୋତ୍ସାହନ ଲାଗି ଅବସର ବଢ଼ାଇବା ଏବଂ ସରକାରୀ ସ୍କୁଲ ଖେଳପଡ଼ିଆରେ ପାଠପଢ଼ା ଶେଷ ହେବା ପରେ ଉପଯୋଗ ହେଉନଥିବା ଖାଲି ସ୍ଥାନକୁ ଆପଣାଇବା ସାମିଲ ରହିଛି । ରାସ୍ତା ଏବଂ ଖୋଲା ସ୍ଥାନ ବ୍ୟତୀତ ପାଇଲଟ ପ୍ରସ୍ତାବର ଉଦ୍ଦେଶ୍ୟ ସରକାରୀ କାର୍ଯ୍ୟାଳୟ ପରିସରରେ ଛୋଟ ପିଲାମାନଙ୍କ ଆବଶ୍ୟକତା ପୂରଣ କରିବା, ବସ ଶେଲ୍ଟର ଏବଂ ଟ୍ରାଞ୍ଜିଟ ହବ୍ ତିଆରି କରିବା, ଅଙ୍ଗନୱାଡ଼ି ବିକଶିତ କରିବା ଏବଂ ବୟସ ଅନୁପାତରେ ଖେଳିବାର ସୁବିଧା ବିକଶିତ କରିବା, ଛାତ ଥାଇ ବିଶ୍ରାମ ସ୍ଥାନ, ବସିବା ବ୍ୟବସ୍ଥା ଏବଂ ମାତୃ ସ୍ତନ୍ୟପାନ କରିବାର ବ୍ୟବସ୍ଥା କରିବା ଆଦି ସାମିଲ ରହିଛି ।

ସ୍ମାର୍ଟ ସିଟି ମିଶନର ଯୁଗ୍ମ ସଚିବ ଏବଂ ମିଶନ ନିର୍ଦ୍ଦେଶକ ଶ୍ରୀ କୁନାଲ କୁମାର କହିଥିଲେ ଯେ ଶୈଶବାବସ୍ଥା ପାଇଁ ଏକ ସୁସ୍ଥ ସହରୀ ପରିବେଶ ବିକଶିତ କରିବା କାମରେ ସହରଗୁଡ଼ିକୁ ସାମିଲ କରି ଏହି ଚ୍ୟାଲେଞ୍ଜ ଏକ ପଡ଼ୋଶୀ ପରିବେଶସ୍ତରୀୟ କାର୍ଯ୍ୟକ୍ରମର ମହତ୍ୱକୁ ଆକର୍ଷଣୀୟ କରିଛି। ଏହି ଦୃଷ୍ଟିକୋଣ ସ୍ମାର୍ଟସିଟି ମିଶନର ରଣନୀତି ସହିତ ଜଡ଼ିତ ଯାହାଫଳରେ ଜୀବନ ଗୁଣବତ୍ତାକୁ ବଢ଼ାଇବା ଲାଗି ସମାବେଶୀ ଜନମୁଖୀ ସାମଗ୍ରୀକ ବିକାଶ ହୋଇପାରିବ । ସେ କହିଥିଲେ ଯେ ଭାରତୀୟ ସହରଗୁଡ଼ିକ ଏହି ଚ୍ୟାଲେଞ୍ଜରେ ସାମିଲ ହେବା ଏବଂ ସମ୍ବେଦନଶୀଳ ସହରାଞ୍ଚଳ ନିୟୋଜନ ଆପଣାଇବାର ସଂକଳ୍ପ ପ୍ରଦର୍ଶିତ କରିବା ଦିଗରେ ପ୍ରୟାସ କରିଥିବାରୁ ଆମେ ଗର୍ବିତ । ଏହାଫଳରେ ଲକ୍ଷାଧିକ ଶିଶୁ ଏବଂ ସେମାନଙ୍କର ପରିବାରର ଆବଶ୍ୟକତା ଓ ଆଶାଆକାଂକ୍ଷା ପୂରଣ ହୋଇପାରିବ ।

ସହରୀ ଭାଗିଦାରୀ

ତିନି ମାସର ଆବେଦନ ଅବଧି କାଳରେ ନର୍ଚରିଙ୍ଗ ନେବରହୁଡ୍ ଚ୍ୟାଲେଞ୍ଜ ଅନ୍ତର୍ଗତ ବ୍ୟକ୍ତିଗତ ବିଚାର-ବିମର୍ଶ କରିବା ଏବଂ ଅନଲାଇନ କ୍ଷମତା ସୃଷ୍ଟି କର୍ମଶାଳା ମାଧ୍ୟମରେ 100ରୁ ଅଧିକ ସହରକୁ ସାମିଲ କରାଯାଇଛି । 5 ବର୍ଷ ପର୍ଯ୍ୟନ୍ତ ଶିଶୁ ଏବଂ ସେମାନଙ୍କର ଯତ୍ନ ନେଉଥିବା ଲୋକମାନଙ୍କର ଆବଶ୍ୟକତା ଉପରେ ଫୋକସ କରିବା ଦିଗରେ ବହୁ ସହର ଯଥେଷ୍ଟ ଉତ୍ସାହ ଦେଖାଇଛନ୍ତି ।

ମୋଟାମୋଟି ଭାବେ 300 ପାଇଲଟ୍ ପ୍ରକଳ୍ପର ପ୍ରସ୍ତାବ ମିଳିଛି । ଯେଉଁଥିରେ 5 ବର୍ଷ ପର୍ଯ୍ୟନ୍ତ 12 ଲକ୍ଷରୁ ଅଧିକ ଶିଶୁଙ୍କ ଜୀବନର ଗୁଣବତ୍ତାରେ ସୁଧାର ଆସିବ । ସାର୍ବଜନୀନ ସ୍ଥାନରେ ଶାରୀରିକ ସମ୍ପର୍କ ବ୍ୟତୀତ ସହରଗୁଡ଼ିକ ବ୍ୟବହାର ପରିବର୍ତ୍ତନକୁ ସମର୍ଥନ କରୁଥିବା ସାର୍ବଜନୀନ ଗତିବିଧିର ପ୍ରସ୍ତାବ ଦେଇଥିଲେ । ସହରାଞ୍ଚଳ ନିୟୋଜନ ତଥା ବିକାଶରେ ଶୈଶବ ଆବଶ୍ୟକତା ଅନୁସାରେ ଦୀର୍ଘକାଳିନ ନୀତି ଏବଂ ପ୍ରଶାସନିକ ପରିବର୍ତ୍ତନ ଉପରେ ବିଚାର କରାଯାଉଛି ।

ଚ୍ୟାଲେଞ୍ଜ ସମ୍ପର୍କରେ

ସମାବେଶୀ ବିକାଶର ପ୍ରାଥମିକ ଉଦ୍ଦେଶ୍ୟ ଅନ୍ତର୍ଗତ ଭାରତ ସରକାର ସମସ୍ତ ଦୁର୍ବଳ ନାଗରିକ ବିଶେଷ କରି ଛୋଟ ପିଲାମାନଙ୍କ ପାଇଁ ସହରାଞ୍ଚଳ କ୍ଷେତ୍ରରେ ଅବସରଗୁଡ଼ିକୁ ବଢ଼ାଇବା ଲାଗି ସଂକଳ୍ପବଦ୍ଧ ଅଛନ୍ତି । ନର୍ଚରିଙ୍ଗ ନେବରହୁଡ ଚ୍ୟାଲେଞ୍ଜ 4 ନଭେମ୍ବର 2020ରେ ଶୁଭାରମ୍ଭ କରାଯାଇଥିଲା । ଏଥିରେ ସମସ୍ତ ସ୍ମାର୍ଟ ସିଟି, ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକର ରାଜଧାନୀ ଏବଂ ପାଞ୍ଚ ଲକ୍ଷରୁ  ଅଧିକ ଜନସଂଖ୍ୟା ଥିବା ସହରଗୁଡ଼ିକରୁ ଆବେଦନ ଆହ୍ୱାନ କରାଯାଇଥିଲା।

ଏହି ତିନି ବର୍ଷୀଆ କାର୍ଯ୍ୟକ୍ରମ ଅନ୍ତର୍ଗତ ଚୟନ କରାଯାଇଥିବା ସହର ନିଜ ପ୍ରସ୍ତାବ, ପ୍ରସ୍ତୁତି ଏବଂ ନିଜ ସଂକଳ୍ପ ଆଧାରରେ ବୈଷୟିକ ସହାୟତା ଏବଂ କ୍ଷମତା ସୃଷ୍ଟି ସହାୟତା ପାଇପାରିବେ। ଯାହାଫଳରେ ଛୋଟ ପିଲାମାନଙ୍କର ଜୀବନରେ ଗୁଣବତ୍ତାକୁ ବଢ଼ାଇବାରେ ବିକାଶ ଓ ସମାଧାନ ଯୋଗ୍ୟ କାର୍ଯ୍ୟ କରାଯାଇପାରିବ। ଏହି ଅବଧିରେ ଏହି କାର୍ଯ୍ୟକ୍ରମ ଫଳରେ ସହରର ନେତାଗଣ, ପରିଚାଳକଗଣ, କର୍ମଚାରୀ, ଇଞ୍ଜିନିୟର, ସହରୀ ପ୍ଲାନର ଏବଂ ଆର୍କିଟେକ୍ଟମାନେ ମଧ୍ୟ ଭାରତୀୟ ସହରଗୁଡ଼ିକର ନିୟୋଜନ ଓ ପରିଚାଳନାରେ ଶୈଶବ ବିକାଶ ଉପରେ ଫୋକସ କରିବା ଲାଗି ସକ୍ଷମ ହୋଇପାରିବେ ।

ନର୍ଚରିଂ ନେବରହୁଡ୍ ଚ୍ୟାଲେଞ୍ଜ ସମ୍ପର୍କରେ ଅଧିକ ସୂଚନା ଲାଗି :

https://smartnet.niua.org/nurturing-neighbourhoods-challenge/web/ ଦେଖନ୍ତୁ ।

ଚ୍ୟାଲେଞ୍ଜ ସମ୍ପର୍କରେ ନିୟମିତ ସୂଚନା ଲାଗି ଟ୍ୱିଟର : @WRICitiesIndia ଫଲୋ କରନ୍ତୁ

 

********

P.S.

 



(Release ID: 1699190) Visitor Counter : 220