ଗୃହ ନିର୍ମାଣ ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟ

ଭୁବନେଶ୍ୱର ସମେତ 10ଟି ସହରରେ ଆରମ୍ଭ ହେବ ପେୟ ଜଳ ସର୍ବେକ୍ଷଣ ପାଇଲଟ୍ ପ୍ରକଳ୍ପ

ପାଇଲଟ୍ ପ୍ରକଳ୍ପରୁ ପ୍ରାପ୍ତ ଅଭିଜ୍ଞତା ଆଧାରରେ ଅମୃତ ସହରରେ କାର୍ଯ୍ୟକାରୀ ହେବ ସର୍ବେକ୍ଷଣ

ସମାନତାପୂର୍ଣ୍ଣ ଜଳ ବିତରଣ, ବର୍ଜ୍ୟଜଳ ପୁନଃଉପଯୋଗ ସମ୍ପର୍କରେ ସୂଚନା ସଂଗ୍ରହ କରିବା ଏବଂ ପ୍ରତିଯୋଗିତାମୂଳକ ପ୍ରକ୍ରିୟାରେ ଜଳଉତ୍ସଗୁଡ଼ିକର ମ୍ୟାପିଂ ଲାଗି ହେବ ଏହି ସର୍ବେକ୍ଷଣ

Posted On: 16 FEB 2021 1:53PM by PIB Bhubaneshwar

ଭାରତ ସରକାରଙ୍କ ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ୱର ସମେତ ଦେଶର 10ଟି ସହରରେ ପେୟ (ପାନୀୟ) ଜଳ ସର୍ବେକ୍ଷଣ ପାଇଲଟ୍ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଆଜି ମନ୍ତ୍ରଣାଳୟର ସଚିବ ଦୁର୍ଗା ଶଙ୍କର ମିଶ୍ରା ଆଜି ଏହି ମିଶନର ଶୁଭାରମ୍ଭ କରିଛନ୍ତି। ଶ୍ରୀ ମିଶ୍ରା ଏହି ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ସହରାଞ୍ଚଳରେ ପାନୀୟ ଜଳର ଉପଯୁକ୍ତ ବିତରଣ ଓ ବର୍ଜ୍ୟଜଳର ପୁନଃଉପଯୋଗ ସମ୍ପର୍କରେ ସୂଚନା ସଂଗ୍ରହ କରିବା ତଥା ପ୍ରତିଯୋଗିତାମୂଳକ ପ୍ରକ୍ରିୟାରେ ଜଳର ପରିମାଣ ଓ ଗୁଣବତ୍ତା ସମ୍ପର୍କରେ ଜାଣିବା ଲାଗି ଜଳ ଉତ୍ସଗୁଡ଼ିକର ମ୍ୟାପିଂ କରିବା ଉଦ୍ଦେଶ୍ୟରେ ଏହି ସର୍ବେକ୍ଷଣ କରାଯିବ। ମନ୍ତ୍ରଣାଳୟ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ଦଶଟି ସହର-ଭୁବନେଶ୍ୱର, ଆଗରା, ବଦଲାପୁର, ଭୁବନେଶ୍ୱର, ଚୁରୁ, କୋଚ୍ଚି, ମଦୁରାଇ, ପଟିଆଲା, ରୋହତକ, ସୁରତ ଏବଂ ତୁମକୁରରେ ପାଇଲଟ୍ ପ୍ରକଳ୍ପ ସ୍ବରୂପ ଏହି ସର୍ବେକ୍ଷଣ ଆୟୋଜନ କରାଯିବ। ଏଥିରୁ ମିଳିବାକୁ ଥିବା ଅଭିଜ୍ଞତା ଆଧାରରେ ସମସ୍ତ ଅମୃତ ସହରରେ ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ କାର୍ଯ୍ୟକାରୀ କରାଯିବ।

ନାଗରିକ ଏବଂ ପୌରପାଳିକା ଅଧିକାରୀଙ୍କ ସହିତ ସାମ୍ନାସାମ୍ନୀ ସାକ୍ଷାତକାର ମାଧ୍ୟମରେ ପାନୀୟ ଜଳ, ବର୍ଜ୍ୟ ଜଳ ପରିଚାଳନା, ଅଣ ରାଜସ୍ୱ ଜଳ ଏବଂ ସହରର ତିନୋଟି ଜଳାଶୟର ସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ। ଏହି ସର୍ବେକ୍ଷଣ ମଞ୍ଜୁରିପ୍ରାପ୍ତ ପ୍ରଶ୍ନାବଳୀ ଏବଂ ଅନକଲ ସାକ୍ଷାତକାର, ଜଳନମୁନା ସଂଗ୍ରହ ଏବଂ ପରୀକ୍ଷାଗାର ପରୀକ୍ଷଣ ଆଧାର ଏବଂ ଅଣରାଜସ୍ୱ ଜଳ ପାଇଁ କ୍ଷେତ୍ର ସର୍ବେକ୍ଷଣ ଆଧାରରେ କରାଯିବ।

ପ୍ରଯୁକ୍ତି ଆଧାରିତ ପ୍ଲାଟଫର୍ମ ଜରିଆରେ ମିଶନକୁ ଅନୁଧ୍ୟାନ କରାଯିବ। ଏହି ପ୍ଲାଟଫର୍ମର ଅଗ୍ରଗତି ଏବଂ ଫଳାଫଳ ଆଧାରରେ ହିତାଧିକାରୀଙ୍କ ନିରୀକ୍ଷଣ କରାଯିବ। ଏହି ପ୍ରକଳ୍ପ ଲାଗି ସରକାରଙ୍କ ପକ୍ଷରୁ ତିନୋଟି ପର୍ଯ୍ୟାୟରେ ଅର୍ଥ 20:40:40 ଯୋଗାଇ ଦିଆଯିବ। ତୃତୀୟ କିସ୍ତି କାର୍ଯ୍ୟକାରିତା ଫଳାଫଳ ଆଧାରରେ ଜାରି କରାଯିବ ଏବଂ ପାଣ୍ଠି ଯୋଗାଣ ବିଶ୍ୱସନୀୟ କାର୍ଯ୍ୟକାରିତା ଆଧାରରେ କରାଯିବ।

ଜଳ ଜୀବନ ମିଶନ (ସହରାଞ୍ଚଳ) (ଜେଜେଏମ(ୟୁ)) ସମସ୍ତ 4378 ବୈଧାନିକ ସହରରେ ଟ୍ୟାପ ଯୋଗେ ସାର୍ବଜନୀନ ଜଳଯୋଗାଣ ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଛି। ଏହା ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ଅନୁକୂଳ। ଏହାର ଉଦ୍ଦେଶ୍ୟ 500 ଅମୃତ ସହରରେ ସ୍ବେରେଜ ପରିଚାଳନା କରିବା ଯାହାଫଳରେ ଏସବୁ ସହରରେ ଜଳଯୋଗାଣକୁ ସୁରକ୍ଷିତ କରାଯାଇପାରିବ। 500 ଅମୃତ ସହରରେ ସହରୀ ପରିବାରକୁ ନଳଯୋଗେ ପାନୀୟ ଜଳ ଉପଲବ୍ଧ କରାଇବାର ବ୍ୟବଧାନ 2.68 କୋଟି ରହିଛି ଏବଂ ସ୍ବେରେଜ ସଂଯୋଗ ଦେବାର ବ୍ୟବଧାନ 2.6 କୋଟି ରହିଛି। ଜଳ ଜୀବନ ମିଶନ (ସହରାଞ୍ଚଳ)ରେ ଏହି ବ୍ୟବଧାନକୁ ହ୍ରାସ କରିବା ଲାଗି ଲକ୍ଷ୍ୟ ରଖାଯାଇଛି।

ଜଳଜୀବନ ମିଶନ ଅନ୍ତର୍ଗତ ମୋଟ 2,87,000 କୋଟି ଟଙ୍କା ବ୍ୟୟ କରାଯିବା ଲାଗି ପ୍ରସ୍ତାବ ରହିଛି। ଏଥିରେ ଅମୃତ ମିଶନ ଜରିଆରେ 10,000 କୋଟି ଟଙ୍କାର ନିରନ୍ତର ଆର୍ଥିକ ସହାୟତା ଯୋଗାଇ ଦେବା ଲାଗି ଲକ୍ଷ୍ୟ ରଖାଯାଇଛି। ସରକାରୀ ଘରୋଇ ଭାଗିଦାରୀକୁ ପ୍ରୋତ୍ସାହନ ଦେବା ଲାଗି 10 ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରରେ ମୋଟ ପ୍ରକଳ୍ପ ବ୍ୟୟର 10 ପ୍ରତିଶତ ଅର୍ଥ ପର୍ଯ୍ୟନ୍ତ ପିପିପି ପ୍ରକଳ୍ପ ଆରମ୍ଭ କରାଯିବ।

ଉତ୍ତର ପୂର୍ବାଞ୍ଚଳ ଏବଂ ପାର୍ବତ୍ୟାଞ୍ଚଳ ରାଜ୍ୟ ପାଇଁ 90% କେନ୍ଦ୍ରୀୟ ଅନୁଦାନ ଯୋଗାଇ ଦିଆଯିବ। କେନ୍ଦ୍ରଶାସିତ ପ୍ରଦେଶ ପାଇଁ 100%, 1 ଲକ୍ଷରୁ କମ ଜନସଂଖ୍ୟା ଥିବା ସହରରେ 50% କେନ୍ଦ୍ରୀୟ ଅନୁଦାନ ଯୋଗାଇ ଦିଆଯିବ। 1ରୁ 10 ଲକ୍ଷ ପର୍ଯ୍ୟନ୍ତ ଜନସଂଖ୍ୟା ଥିବା ସହର ପାଇଁ ଏକ ତୃତୀୟାଂଶ ଏବଂ 10 ଲକ୍ଷରୁ ଅଧିକ ଜନସଂଖ୍ୟା ପାଇଁ 25 ପ୍ରତିଶତ କେନ୍ଦ୍ରୀୟ ଅନୁଦାନ ଯୋଗାଇ ଦିଆଯିବ।

*********

PS




(Release ID: 1698545) Visitor Counter : 239