ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଫେବୃଆରୀ 14 ତାରିଖରେ ପ୍ରଧାନମନ୍ତ୍ରୀଙ୍କ ତାମିଲନାଡୁ ଏବଂ କେରଳ ଗସ୍ତ

ରାଷ୍ଟ୍ର ଉଦ୍ଦେଶ୍ୟରେ ଏକାଧିକ ପ୍ରକଳ୍ପର ଉଦ୍‍ଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 12 FEB 2021 6:00PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 14 ଫେବୃଅ।ରୀ, 2021 ରେ ତାମିଲନାଡୁ ଏବଂ କେରଳ ଗସ୍ତ କରିବେ । ପୂର୍ବାହ୍ନ ପ୍ରାୟ 11.15 ସମୟରେ ପ୍ରଧାନମନ୍ତ୍ରୀ ଅନେକ ପ୍ରମୁଖ ପ୍ରକଳ୍ପର ଉଦ୍‍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଏବଂ ଚେନ୍ନାଇଠାରେ ସେନାକୁ ଅର୍ଜୁନ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ (MK-1A) ହସ୍ତାନ୍ତର କରିବେ ।  ଅପରାହ୍ନ ପ୍ରାୟ ତିନିଟାରେ ପ୍ରଧାନମନ୍ତ୍ରୀ କୋଚି ଠାରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଏକାଧିକ ପ୍ରକଳ୍ପର ମୂଳଦୁଆ ପକାଇବା ସହିତ ଉତ୍ସର୍ଗ କରିବେ । ଏହି ପ୍ରକଳ୍ପଗୁଡିକ ସମ୍ପୃକ୍ତ ରାଜ୍ୟର ଅଭିବୃଦ୍ଧିକୁ ଗୁରୁତ୍ୱପୂର୍ଣ୍ଣ ଗତି ଯୋଗାଇବ ଏବଂ ପୂର୍ଣ୍ଣ ବିକାଶ ସମ୍ଭାବନା ହାସଲ କରିବାର ଗତିକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରିବ ।

ତାମିଲନାଡୁରେ ପ୍ରଧାନମନ୍ତ୍ରୀ

3770 କୋଟି ଟଙ୍କା ବ୍ୟୟରେ ଶେଷ ହୋଇଥିବା ଚେନ୍ନାଇ ମେଟ୍ରୋ ରେଳ ପ୍ରଥମ ପର୍ଯ୍ୟାୟ ସମ୍ପ୍ରସାରଣକୁ ପ୍ରଧାନମନ୍ତ୍ରୀ ଉଦ୍‍ଘାଟନ କରିବେ ଏବଂ ୱାସରମେନ୍‍ପେଟ୍‍ ଠାରୁ ୱିମ୍‍କୋନଗର ପର୍ଯ୍ୟନ୍ତ ଯାତ୍ରୀ ସେବାକୁ କାର୍ଯ୍ୟକାରୀ କରିବେ ।  ଏହି 9.05 କିଲୋମିଟର ଦୀର୍ଘ ସମ୍ପ୍ରସାରଣ ଉତ୍ତର ଚେନ୍ନାଇ ସହିତ ବିମାନବନ୍ଦର ଏବଂ କେନ୍ଦ୍ରୀୟ ରେଳ ଷ୍ଟେସନକୁ ସଂଯୋଗ କରିବ ।

ଚେନ୍ନାଇ ବିଚ୍ ଏବଂ ଆଟିପାଟ୍ଟୁ ମଧ୍ୟରେ ଚତୁର୍ଥ ରେଳ ଲାଇନକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ । 293.40 କୋଟି ଟଙ୍କା ବ୍ୟୟରେ ର୍ନିମିତ ଏହି 22.1 କିଲୋମିଟର ଲାଇନ୍‍ ଚେନ୍ନାଇ ଏବଂ ଥିରୁଭାଲୁର ଜିଲ୍ଲା ଦେଇ ଚେନ୍ନାଇ ବନ୍ଦରରୁ ଯାତାୟାତକୁ ସହଜ କରିବ । ଏହି ରେଳଲାଇନ୍‍ ଚେନ୍ନାଇ ବନ୍ଦର ଏବଂ ଏନନୋର ବନ୍ଦରକୁ ସଂଯୋଗ କରିଛି ଏବଂ ପ୍ରମୁଖ ପଥ ଦେଇ ଯାଉଥିବାରୁ ରେଳ ଚଳାଚଳକୁ ସୁଗମ କରିଥାଏ ।

ପ୍ରଧାନମନ୍ତ୍ରୀ ଭିଲୁପୁରମ୍ - କୁଡାଲୋର - ମାୟିଲାଡୁଥୁରାଇ – ତାଞ୍ଜାଭୁର ଏବଂ ମାୟିଲାଦୁଥୁରାଇ-ଥିରୁଭାରୁର ଏକକ ରେଳ ଲାଇନର ବିଦ୍ୟୁତିକରଣକୁ ମଧ୍ୟ ଉଦ୍‍ଘାଟନ କରିବେ । ଏହି 228 କିଲୋମିଟର ଦୈର୍ଘ୍ୟ ବିଦ୍ୟୁତିକରଣ କାର୍ଯ୍ୟ 423 କୋଟି ଟଙ୍କା ବ୍ୟୟରେ ସମ୍ପୂର୍ଣ୍ଣ ହୋଇଛି । ଚେନ୍ନାଇ ଏଗମୋର ଏବଂ କନ୍ୟାକୁମାରୀ ମଧ୍ୟରେ ଲାଇନ୍‍ ପରିବର୍ତ୍ତନ ନକରି ରେଳ ଚଳାଚଳ ସହଜ ହେବ ଏବଂ ଦୈନିକ ପ୍ରାୟ 14.61 ଲକ୍ଷ ଟଙ୍କାର ଇନ୍ଧନ ସଞ୍ଚୟ ହେବ ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଅତ୍ୟାଧୁନିକ ଅର୍ଜୁନ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ (MK-1A)କୁ ଭାରତୀୟ ସେନାକୁ ହସ୍ତାନ୍ତର କରିବେ । ଏହି ଯୁଦ୍ଧ ଟ୍ୟାଙ୍କକୁ 15 ଟି ଏକାଡେମିକ୍ ଅନୁଷ୍ଠାନ, 8 ଟି ପରୀକ୍ଷାଗାର ଏବଂ ଅନେକ MSME ସହିତ CVRDE, DRDO ଦ୍ୱାରା ସ୍ୱଦେଶୀ ଭାବରେ ଡିଜାଇନ୍‌, ବିକଶିତ ଏବଂ ଉତ୍ପାଦିତ କରାଯାଇଛି ।

ଗ୍ରାଣ୍ଡ ଆନିକଟ କେନାଲ ସିଷ୍ଟମର ସମ୍ପ୍ରସାରଣ, ନବୀକରଣ ଏବଂ ଆଧୁନିକୀକରଣ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ତଳିଆ ଜିଲ୍ଲାଗୁଡ଼ିକରେ ଜଳସେଚନ ପାଇଁ ଏହି କେନାଲ ଗୁରୁତ୍ୱପୂର୍ଣ୍ଣ । ଏହି କେନାଲର ଆଧୁନିକୀକରଣ 2640 କୋଟି ଟଙ୍କା ବ୍ୟୟରେ କରାଯିବ ଏବଂ ଏହା କେନାଲଗୁଡିକର ଜଳ ପରିବହନ କ୍ଷମତାରେ ଉନ୍ନତି ଆଣିବ ।

ଆଇଆଇଟି ମାଡ୍ରାସର ଡିସ୍‍କଭରୀ କ୍ୟାମ୍ପସ ପାଇଁ ପ୍ରଧାନମନ୍ତ୍ରୀ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଚେନ୍ନାଇ ନିକଟସ୍ଥ ଥୟୁର ଠାରେ ଏହି କ୍ୟାମ୍ପସ 2ଲକ୍ଷ ବର୍ଗମିଟର ଅଞ୍ଚଳରେ ନିର୍ମାଣ ହେବ ଏବଂ ପ୍ରଥମ ପର୍ଯ୍ୟାୟରେ ଆନୁମାନିକ 1000 କୋଟି ଟଙ୍କା ବ୍ୟୟର ଆକଳନ ହୋଇଛି ।

ଏହି ଅବସରରେ ତାମିଲନାଡୁର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ ।

କେରଳରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ବିପିସିଏଲର ପ୍ରୋପିଲିନ୍ ଡେରିଭେଟିଭ୍ ପେଟ୍ରୋକେମିକାଲ୍ ପ୍ରୋଜେକ୍ଟ (PDPP)କୁ ଦେଶ ପାଇଁ ଉତ୍ସର୍ଗ କରିବେ । ଏହି କାରଖାନା ଆକ୍ରିଲେଟ୍‍ସ, ଆକ୍ରିଲିକ୍ ଏସିଡ୍ ଏବଂ ଓକ୍ସୋ-ଆଲକୋହଲ୍ ଉତ୍ପାଦନ କରିବ, ଯାହା ବର୍ତ୍ତମାନ ମୁଖ୍ୟତ ଆମଦାନୀ ହେଉଛି ଏବଂ ବାର୍ଷିକ ପ୍ରାୟ 3700 ରୁ 4000 କୋଟି ଟଙ୍କାର ବୈଦେଶିକ ମୁଦ୍ରା ସଞ୍ଚୟ ହେବ ବୋଲି ଆଶା କରାଯାଉଛି । ପ୍ରାୟ 6000 କୋଟି ଟଙ୍କାର ପୁଞ୍ଜି ବ୍ୟୟରେ ର୍ନିମିତ ଏହି ପିଡିପିପି କମ୍ପେ୍ଲକ୍ସ ବିଶୋଧନାଗାର ନିକଟରେ କଞ୍ଚାମାଲ ଯୋଗାଣ, ବ୍ୟବହାର୍ଯ୍ୟ, ପାରିପାର୍ଶିକ ଏବଂ ଅନ୍ୟାନ୍ୟ ସୁବିଧାଗୁଡ଼ିକର ଏକୀକରଣ ହାସଲ କରିବାକୁ ସ୍ଥାପନ ହୋଇଛି । କଞ୍ଚାମାଲ ଏବଂ ଯୋଗାଣ ଶୃଙ୍ଖଳାର ଅନୁକୂଳ ପରିଚାଳନା ପରିପ୍ରେକ୍ଷୀରେ ବିପୁଳ ଖର୍ଚ୍ଚ ସଞ୍ଚୟ କରିବାରେ ଏହା ଆନୁଷଙ୍ଗିକ ଶିଳ୍ପଗୁଡିକୁ ଲାଭ ଦେଉଛି । ଏହା ସ୍ଥାପନ ସହିତ, କୋଚି ବିଶୋଧନାଗାର ଉତ୍ତମ ପେଟ୍ରୋକେମିକାଲ୍ ଉତ୍ପାଦନ କରୁଥିବା ପ୍ରଥମ ଭାରତୀୟ ବିଶୋଧନାଗାର ହୋଇପାରିଛି ।

କୋଚିନ ସ୍ଥିତ ୱିଲିଙ୍ଗଡନ୍ ଦ୍ୱୀପପୁଞ୍ଜରେ ରୋ-ରୋ ଜାହାଜକୁ ପ୍ରଧାନମନ୍ତ୍ରୀ ମଧ୍ୟ ଉତ୍ସର୍ଗ କରିବେ । ଭାରତୀୟ ଜଳପଥ ପ୍ରାଧିକରଣ ଜାତୀୟ ଜଳପଥ- 3 ରେ ବୋଲଗାଟୀ ଏବଂ ୱିଲିଙ୍ଗଡନ୍ ଦ୍ୱୀପ ମଧ୍ୟରେ ଦୁଇଟି ନୂତନ ରୋଲ୍ ଅନ୍ / ରୋଲ୍ ଅଫ୍ ଜାହାଜ ନିୟୋଜିତ କରିବେ । ରୋ-ରୋ ଜାହାଜ, ଏମଭି ଆଦିଶଙ୍କର ଏବଂ ଏମଭି ସିଭି ରମଣ, ତିନୋଟି 20ଫୁଟ ଟ୍ରକ, ତିନିଟି 20 ଫୁଟ ଟ୍ରଲର ଟ୍ରକ, ତିନୋଟି 40 ଫୁଟ ଟ୍ରେଲର ଟ୍ରକ ଏବଂ ପ୍ରତ୍ୟେକରେ 30 ଜଣ ଯାତ୍ରୀ ପରିବହନ କରିବାର କ୍ଷମତା ରହିବ । ଏହାଦ୍ୱାରା ପରିବହନ ମୂଲ୍ୟ ଏବଂ ଗମନାଗମନ ସମୟ ହ୍ରାସ ହେତୁ ଏହି ସେବା ବ୍ୟବସାୟିକ ଲାଭଦାୟକ ହେବ ଏବଂ କୋଚି ରାସ୍ତାରେ ଯାତାୟାତ ମଧ୍ୟ ହ୍ରାସ ପାଇବ ।

 

କୋଚିନ୍ ବନ୍ଦରରେ ପ୍ରଧାନମନ୍ତ୍ରୀ ଆନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ୍ ‘ସାଗାରିକା’ ର ଉଦଘାଟନ କରିବେ । ୱିଲିଙ୍ଗଡନ୍ ଦ୍ୱୀପରେ ଥିବା ଏର୍ନାକୁଲମ୍ ୱାର୍ଫରେ ଏହା ଭାରତର ପ୍ରଥମ ପୂର୍ଣ୍ଣ ଆନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ୍ ଅଟେ । ଏହାର ଅତ୍ୟାଧୁନିକ ସୁବିଧା ରହିଛି ଏବଂ 25.72 କୋଟି ଟଙ୍କା ବ୍ୟୟରେ ର୍ନିମାଣ କରାଯାଇଛି । ଏହା ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ, ବିକାଶକୁ ପୋତ୍ସାହନ ଦେବ ଏବଂ ରୋଜଗାର ସୃଷ୍ଟି, ରାଜସ୍ୱ ଏବଂ ବୈଦେଶିକ ମୁଦ୍ରା ପାଇଁ ଏକ ପ୍ରଭାବଶାଳୀ ଉପକରଣ ଭାବରେ କାର୍ଯ୍ୟ କରିବ ।

ପ୍ରଧାନମନ୍ତ୍ରୀ ମେରାଇନ ଇଞ୍ଜିନିୟରିଂ ତାଲିମ ପ୍ରତିଷ୍ଠାନ, ବିଜ୍ଞାନ ସାଗର, କୋଚିନ୍ ଶିପିୟାର୍ଡ ଲିମିଟେଡକୁ ମଧ୍ୟ ଉଦଘାଟନ କରିବେ । ଏହା ହେଉଛି ଅଗ୍ରଣୀ ସାମୁଦ୍ରିକ ତାଲିମ କେନ୍ଦ୍ର ଏବଂ ଦେଶର ଏକମାତ୍ର ସାମୁଦ୍ରିକ ପ୍ରତିଷ୍ଠାନ ଯାହାକି ଗୋଟିଏ ସିପ୍‍ୟାର୍ଡ ମଧ୍ୟରେ ପ୍ରତିଷ୍ଠା ହେବା ସହିତ ନିର୍ମାଣ ଏବଂ ମରାମତି ପାଇଁ ଆସୁଥିବା ଜାହଜର ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ପ୍ରଦାନ କରିଥାଏ । 27.5 କୋଟି ଟଙ୍କାର ପୁଞ୍ଜି ମୂଲ୍ୟରେ ର୍ନିମିତ ଏହି ଅନୁଷ୍ଠାନର 114 ଜଣ ସ୍ନାତକୋତ୍ତର ଗ୍ରହଣ କରିବାର କ୍ଷମତା ଅଛି । ଏହା ଭାରତ ତଥା ବିଦେଶରେ ସାମୁଦ୍ରିକ ଶିଳ୍ପ ଆବଶ୍ୟକତା ପୂରଣ କରିବା ପାଇଁ ସାମୁଦ୍ରିକ ଯନ୍ତ୍ରୀ ଏବଂ କର୍ମଚାରୀଙ୍କ ପ୍ରତିଭା ସୃଷ୍ଟି କରିବ ।

ପ୍ରଧାନମନ୍ତ୍ରୀ କୋଚିନ୍ ବନ୍ଦରରେ ଦକ୍ଷିଣ କୋଇଲା ବର୍ଥର ପୁନଃ ର୍ନିମାଣର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ସାଗରମାଳା ଯୋଜନା ଅଧୀନରେ ପ୍ରାୟ 19.19 କୋଟି ଟଙ୍କା ବ୍ୟୟରେ ଏହାର ପୁନଃ ର୍ନିମାଣ କରାଯାଉଛି । ସମାପ୍ତ ହେବା ପରେ, କୋଚିନ୍ ବନ୍ଦରରେ ରାସାୟନିକ ସାମଗ୍ରୀ ପରିବହନ ପାଇଁ ଏକ ଉତ୍ସର୍ଗୀକୃତ ବର୍ଥିଂ ସୁବିଧା ଉପଲବ୍ଧ ହେବ । ବର୍ଥର ପୁନଃର୍ନିମାଣ ମାଲପରିବହନକୁ ଶୀଘ୍ର ଏବଂ ଦକ୍ଷ ଭାବରେ ପରିଚାଳନା ସହିତ ବ୍ୟୟ ହ୍ରାସ କରିବ ।

ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀଙ୍କ ସହ କେରଳର ରାଜ୍ୟପାଳ ତଥା ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ ।

 

HS


(ରିଲିଜ ଆଡି: 1697630) ପରିଦର୍ଶକ କାଉଣ୍ଟର : 201