ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କେନ୍ଦ୍ର ବଜେଟ୍ ୨୦୨୧-୨୨ ଉପରେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି
Posted On:
01 FEB 2021 3:52PM by PIB Bhubaneshwar
ନମସ୍କାର
ଅସାଧାରଣ ପରିସ୍ଥିତି ମଧ୍ୟରେ ୨୦୨୧ ବର୍ଷର ବଜେଟ୍ ଉପସ୍ଥାପିତ ହୋଇଛି । ଏଥିରେ ବିକାଶ ଏବଂ ଆତ୍ମବିଶ୍ୱାସର ଏକ ଅନୁଭବ ମଧ୍ୟ ଅଛି । କରୋନା ସମଗ୍ର ଦୁନିଆରେ ପ୍ରଭାବ ପକାଇବା ସହିତ ସମଗ୍ର ମାନବ ଜାତିକୁ ଦୋହଲାଇ ଦେଇଛି । ଏହି ପରିସ୍ଥିତି ମଧ୍ୟରେ ଆଜିର ବଜେଟ୍ ଭାରତର ଆତ୍ମବିଶ୍ୱାସକୁ ବଢାଇବା ସହିତ ସମଗ୍ର ଦୁନିଆରେ ମଧ୍ୟ ଏକ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିବାକୁ ଯାଉଛି ।
ଆଜିର ବଜେଟରେ ଆତ୍ମନିର୍ଭରତାର ଭିଜନ ସହିତ ପ୍ରତ୍ୟେକ ନାଗରିକ, ପ୍ରତ୍ୟେକ ଶ୍ରେଣୀର ଅନ୍ତର୍ଭୂକ୍ତି ରହିଛି । ଏହି ବଜେଟରେ ଆମେ ଯେଉଁ ନୀତିଗୁଡିକ ଆଣିଛୁ ତାହା ହେଉଛି - ଅଭିବୃଦ୍ଧି ପାଇଁ ନୂତନ ସୁଯୋଗ, ନୂତନ ସମ୍ଭାବନାକୁ ବିସ୍ତାର କରିବା, ଯୁବକମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା, ମାନବସମ୍ବଳକୁ ଏକ ନୂଆ ଦିଗ ଦେବା, ଭିତ୍ତିଭୂମି ନିର୍ମାଣ ପାଇଁ ନୂତନ କ୍ଷେତ୍ରର ବିକାଶ କରିବା, ଆଧୁନିକତା ଆଡକୁ ଗତି କରିବା ଓ ନୂତନ ସଂସ୍କାର ଆଣିବା ।
ବନ୍ଧୁଗଣ,
ଏହି ବଜେଟରେ ନିୟମ ଏବଂ ପଦ୍ଧତିକୁ ସରଳ କରି ସାଧାରଣ ଲୋକଙ୍କ ଜୀବନରେ ‘ବଞ୍ଚିବାର ସହଜତା' ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ବଜେଟ୍ ବ୍ୟକ୍ତିବିଶେଷ, ନିବେଶକ, ଶିଳ୍ପ ତଥା ଭିତ୍ତିଭୂମି କ୍ଷେତ୍ରରେ ଅନେକ ସକାରାତ୍ମକ ପରିବର୍ତ୍ତନ ଆଣିବ । ମୁଁ ଏଥିପାଇଁ ଭାରତର ଅର୍ଥମନ୍ତ୍ରୀ ର୍ନିମଳା ଜୀ ଏବଂ ତାଙ୍କ ସହଯୋଗୀ ମନ୍ତ୍ରୀ ଅନୁରାଗ ଜୀ ଏବଂ ତାଙ୍କ ଦଳକୁ ଅଭିନନ୍ଦନ ଜଣାଉଛି ।
ବନ୍ଧୁଗଣ,
ଏହିପରି ବଜେଟ୍ ଖୁବ୍ କ୍ୱଚିତ ଦେଖିବାକୁ ମିଳିଥାଏ ଯେଉଁଥିରେ ପ୍ରଥମ ଦୁଇ ଘଣ୍ଟା ମଧ୍ୟରେ ଏହିପରି ସକାରାତ୍ମକ ପ୍ରତିକ୍ରିୟା ଆସିଥାଏ । କରୋନା କାରଣରୁ ବିଶେଷଜ୍ଞମାନେ ଅନୁମାନ କରୁଥିଲେ ଯେ ସରକାର ସାଧାରଣ ନାଗରିକଙ୍କ ଉପରେ ବୋଝ ବଢାଇବେ । କିନ୍ତୁ ଆର୍ଥିକ ସ୍ଥିରତା ପ୍ରତି ନିଜର ଦାୟିତ୍ୱକୁ ଧ୍ୟାନରେ ରଖି ବଜେଟ୍ ଆକାର ବୃଦ୍ଧି କରିବାକୁ ସରକାର ଜୋର ଦେଇଥିଲେ । ବଜେଟ୍ କିଭଳି ସ୍ୱଚ୍ଛ ହେବ ତାହା ଉପରେ ଆମ ସରକାର ନିରନ୍ତର ଉଦ୍ୟମ କରିଛନ୍ତି । ମୁଁ ଖୁସି ଯେ ଆଜି ଅନେକ ବୁଦ୍ଧିଜୀବୀ ଏହି ବଜେଟର ସ୍ୱଚ୍ଛତାକୁ ପ୍ରଶଂସା କରିଛନ୍ତି ।
ବନ୍ଧୁଗଣ,
ଭାରତ କରୋନା ଯୁଦ୍ଧରେ ପ୍ରତିକ୍ରିୟାଶୀଳ ହେବା ପରିବର୍ତ୍ତେ ସର୍ବଦା ସକ୍ରିୟ ରହିଥିଲା । କରୋନା ସମୟରେ କରାଯାଇଥିବା ସଂସ୍କାର ହେଉ କିମ୍ବା ଏକ ଆତ୍ମର୍ନିଭରଶୀଳ ଭାରତର ସଂକଳ୍ପ ଅବା ଆଜିର ବଜେଟ, ଏଥିରେ ପ୍ରତିକ୍ରିୟାଶୀଳତା ଆଦୌ ନାହିଁ । ଆହୁରି ମଧ୍ୟ, ଆମେ ଅଟକି ନାହୁଁ, ଚଳିତ ବର୍ଷ ଏକ ସକାରାତ୍ମକ ବଜେଟ୍ ଦେଇ ଦେଶ ସାମ୍ନାରେ ସକାରାତ୍ମକ ହେବାର ବାର୍ତ୍ତା ମଧ୍ୟ ଦେଇଛୁ । ଏହି ବଜେଟରେ ବିଶେଷ ଭାବରେ ସେହି ଦିଗଗୁଡିକ ଉପରେ ଧ୍ୟାନ ଦିଆଯାଇଛି ଯାହା ଫଳରେ ଦ୍ରୁତ ଗତିରେ ଉଭୟ ସୁଖ ଓ ସମ୍ପଦ ବୃଦ୍ଧି ପାଇବ । ଏମଏସଏମଇ ଏବଂ ଭିତ୍ତିଭୂମି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ସେହିଭଳି, ଏହି ବଜେଟ୍ ସ୍ୱାସ୍ଥ୍ୟସେବା ଉପରେ ଯେପରି ଧ୍ୟାନ ଦେଇଛି ତାହା ମଧ୍ୟ ଅଭୂତପୂର୍ବ ଅଟେ । ଏହି ବଜେଟ୍ ଦେଶର ପ୍ରତ୍ୟେକ କ୍ଷେତ୍ରର ବିକାଶ, ଅର୍ଥାତ୍ ସାମଗ୍ରିକ ବିକାଶକୁ ଦର୍ଶାଉଛି । ବିଶେଷ ଭାବରେ, ମୋତେ ଖୁସି ଲାଗୁଛି ଯେ ଏହି ବଜେଟରେ ଦକ୍ଷିଣରେ ଥିବା ଆମର ରାଜ୍ୟ, ପୂର୍ବରେ ଥିବା ଆମର ରାଜ୍ୟ ଏବଂ ଉତ୍ତରରେ ଲେହ ଲଦାଖ ପରି ଅଞ୍ଚଳରେ ବିକାଶ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ଭାରତର ଉପକୂଳବର୍ତ୍ତୀ ରାଜ୍ୟ ଯଥା ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ ଭଳି ରାଜ୍ୟଗୁଡ଼ିକୁ ଏକ ବ୍ୟବସାୟିକ ହବ୍ରେ ପରିଣତ କରିବା ଦିଗରେ ଏହି ବଜେଟ୍ ଏକ ପ୍ରମୁଖ ପଦକ୍ଷେପ । ଆସାମ ପରି ଉତ୍ତର ପୂର୍ବ ରାଜ୍ୟଗୁଡିକର ବିକଶିତ ହୋଇପାରିନଥିବା କ୍ଷେତ୍ରଗୁଡିକୁ ଏହି ବଜେଟ୍ ସହାୟକ ହେବ । ଏହି ବଜେଟରେ ଯେଉଁଭଳି ଭାବେ ଗବେଷଣା ଏବଂ ପରିବେଶ ବିଜ୍ଞାନର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି, ଯେଉଁ ବ୍ୟବସ୍ଥା କରାଯାଇଛି, ତାହା ଆମ ଯୁବକମାନଙ୍କୁ ଶକ୍ତି ଯୋଗାଇବ, ଭାରତ ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଅତ୍ୟନ୍ତ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିବ ।
ବନ୍ଧୁଗଣ,
ଦେଶର ସାଧାରଣ ଲୋକଙ୍କ ପାଇଁ ଜୀବନକୁ ସହଜ କରିବାକୁ ସ୍ୱାସ୍ଥ୍ୟ, ସ୍ୱଚ୍ଛତା, ପୁଷ୍ଟିକର ଖାଦ୍ୟ, ବିଶୁଦ୍ଧ ଜଳ ଏବଂ ସୁଯୋଗର ସମାନତା ଉପରେ ଏହି ବଜେଟରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ବଜେଟରେ ଭିତ୍ତିଭୂମି ପାଇଁ ଖର୍ଚ୍ଚର ଅଭୂତପୂର୍ବ ବୃଦ୍ଧି ସହିତ ଅନେକ ବ୍ୟବସ୍ଥିତ ସଂସ୍କାର କରାଯାଇଛି ଯାହା ଅଭିବୃଦ୍ଧି ତଥା ନିଯୁକ୍ତି ସୃଷ୍ଟି, ଦେଶରେ ରୋଜଗାର ପାଇଁ ବହୁତ ଲାଭଦାୟକ ହେବ । ଦେଶରେ କୃଷି କ୍ଷେତ୍ରକୁ ମଜବୁତ କରିବା, କୃଷକଙ୍କ ଆୟ ବଢାଇବା ପାଇଁ ବଜେଟରେ ଏହାକୁ ଗୁରୁତ୍ୱ ଦିଆଯାଇଛି । କୃଷକମାନେ ଆହୁରି ସହଜରେ ଅଧିକ ଋଣ ପାଇପାରିବେ । ଦେଶରେ ମଣ୍ଡି ବ୍ୟବସ୍ଥାକୁ ମଜବୁତ କରିବାକୁ କୃଷି ଭିତ୍ତିଭୂମି ପାଣ୍ଠିରୁ ସହାୟତା ବ୍ୟବସ୍ଥା କରାଯାଇଛି । ଏହି ସମସ୍ତ ନିଷ୍ପତ୍ତି ଦର୍ଶାଉଛି ଯେ ବଜେଟ୍ର ହୃଦୟରେ ଗାଁ ରହିଛି, ରୋଜଗାର ବଢାଇବା ପାଇଁ ଏଥର ଏମ୍ଏସ୍ଏମ୍ଇ କ୍ଷେତ୍ରପାଇଁ ଗତବର୍ଷ ତୁଳନାରେ ବଜେଟ୍ରେ ଦୁଇଗୁଣା ଅର୍ଥ ବ୍ୟବସ୍ଥା ହୋଇଛି ।
ବନ୍ଧୁଗଣ,
ଏହି ବଜେଟ୍ ଆତ୍ମନିର୍ଭରଶୀଳତାର ମାର୍ଗ ପ୍ରଶସ୍ତ କରିଛି, ଯେଉଁଥିରେ ଦେଶର ପ୍ରତ୍ୟେକ ନାଗରିକଙ୍କ ବିକାଶ ଜଡିତ । ଏହି ବଜେଟ୍ ହେଉଛି ଏହି ଦଶନ୍ଧି ଆରମ୍ଭର ମୂଳଦୁଆ । ସମସ୍ତ ଦେଶବାସୀଙ୍କୁ ଆତ୍ମର୍ନିଭରଶୀଳ ଭାରତର ଏହି ଗୁରୁତ୍ୱପୂର୍ଣ୍ଣ ବଜେଟ୍ ପାଇଁ ମୁଁ ମୋର ଶୁଭେଚ୍ଛା ଜଣାଉଛି । ପୁଣି ଥରେ ଅର୍ଥମନ୍ତ୍ରୀ ଏବଂ ତାଙ୍କ ଦଳକୁ ଅଶେଷ ଅଶେଷ ଧନ୍ୟବାଦ ।
*****
HS
(Release ID: 1694286)
Visitor Counter : 216
Read this release in:
Tamil
,
Kannada
,
Malayalam
,
Assamese
,
English
,
Urdu
,
Hindi
,
Marathi
,
Manipuri
,
Bengali
,
Punjabi
,
Gujarati
,
Telugu