ଔଦ୍ୟୋଗିକ ବ୍ୟାପାର ମନ୍ତ୍ରଣାଳୟ

ଆଇସିଏଆଇ ଓ ଭିଆରସି ମଧ୍ୟରେ ବୁଝାମଣାପତ୍ରକୁ କ୍ୟାବିନେଟର ଅନୁମୋଦନ

• ଭାରତ ଓ ହଲାଣ୍ଡ ମଧ୍ୟରେ ଆକାଉଣ୍ଟିଂ କ୍ଷେତ୍ରରେ ସଂପର୍କ ଅଧିକ ନିବିଡ଼ ହେବ

Posted On: 25 NOV 2020 3:29PM by PIB Bhubaneshwar

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଭାରତର ଚାଟାର୍ଡ ଆକାଉଣ୍ଟାଣ୍ଟସ୍‌ ପ୍ରତିଷ୍ଠାନ (ଆଇସିଏଆଇ) ଏବଂ ହଲାଣ୍ଡର ଭେରେନିଜିଙ୍ଗ ଭ୍ୟାନ ରେଜିଷ୍ଟରକଣ୍ଟ୍ରୋଲର୍ସ (ଭିଆରସି) ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରକୁ ଅନୁମୋଦନ ମିଳିଛି ।

ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହେଲେ ଦୁଇଦେଶ ମଧ୍ୟରେ ଆକାଉଣ୍ଟିଂ ବ୍ୟବସ୍ଥା, ଆର୍ଥିକ ହିସାବପତ୍ର ଓ ଅଡିଟ ଆଦି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇବ । ଉଭୟ ଦେଶ ଏ ସଂକ୍ରାନ୍ତ ଜ୍ଞାନ ଓ ଉତ୍କର୍ଷ ପରସ୍ପର ମଧ୍ୟରେ ଆଦାନ ପ୍ରଦାନ କରିବେ ।

ରୂପାୟନ ରଣନୀତି ଓ ଲକ୍ଷ୍ୟ

(1) ଆଇସିଏଆଇ ଓ ଭିଆରସି ମିଳିତଭାବେ ବୈଷୟିକ ପ୍ରସଙ୍ଗଗୁଡିକ ଉପରେ କାର୍ଯ୍ୟକ୍ରମ, ଆଲୋଚନାଚକ୍ର, ସମ୍ମିଳନୀମାନ ଆୟୋଜନ କରିବେ ଏବଂ ଏ ସବୁ କାର୍ଯ୍ୟକ୍ରମ ହଲାଣ୍ଡରେ ହିଁ କରାଯିବ ।

(2) ଉଭୟ ପକ୍ଷ ସଦସ୍ୟ ପରିଚାଳନା, ବୃତ୍ତିଗତ ନୀତିନିୟମ, ବୈଷୟିକ ଗବେଷଣା, ବୃତ୍ତିଗତ ଶିକ୍ଷା, ବୃତ୍ତିଗତ ଆକାଉଣ୍ଟିଂ ତାଲିମ, ଏ ସଂକ୍ରାନ୍ତ ଶିକ୍ଷା ଓ ପରୀକ୍ଷା, ଆନୁଷ୍ଠାନିକ ଦକ୍ଷତା ନିର୍ମାଣ ଆଦି କ୍ଷେତ୍ରରେ ଯଥାସମ୍ଭବ ସହଯୋଗ ରକ୍ଷାକରି କାର୍ଯ୍ୟ କରିବେ ।

(3) ଭାରତ ହଲାଣ୍ଡରେ ଏ କ୍ଷେତ୍ରରେ ବୃତ୍ତିଗତ ସ୍ୱଳ୍ପ ମିଆଦି ପାଠ୍ୟକ୍ରମ ପ୍ରବର୍ତ୍ତନର ସୁବିଧା ଯୋଗାଇବ । ବିଶେଷକରି ଆକାଉଣ୍ଟିଂ, ଫାଇନାନ୍ସ, ଆଇଟି ଓ ଅଡିଟ ଆଦି ବିଷୟରେ ଏହି ସ୍ୱଳ୍ପ ମିଆଦି ପାଠ୍ୟକ୍ରମ ସୁବିଧା ପ୍ରଦାନ କରାଯିବ ।

(4) ଉଭୟ ପକ୍ଷ ଆକାଉଣ୍ଟିଂ କ୍ଷେତ୍ରରେ ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କ ସମ୍ଭାବ୍ୟ ଆଦାନ ପ୍ରଦାନ କ୍ଷେତ୍ରରେ କାର୍ଯ୍ୟ କରିବେ ।

(5) ଏହି ବୁଝାମଣାପତ୍ର ଦ୍ୱାରା ଉଭୟ ପକ୍ଷ ନିଜ ନିଜ ପାଖରେ ଥିବା ଏ ସଂକ୍ରାନ୍ତ ସୂଚନା ଓ ଜ୍ଞାନର ଅସୀମ ଆଦାନ ପ୍ରଦାନର ସୁବିଧା ପାଇବେ । ଆବଶ୍ୟକ ପଡିଲେ ଦ୍ୱିପାକ୍ଷିକ ବ୍ୟବସ୍ଥା ବାହାରେ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଏଭଳି ସୁବିଧା ଉଭୟ ପକ୍ଷ ତୃତୀୟ ପକ୍ଷଙ୍କୁ ଯୋଗାଇ ଦେବେ ।

ଲାଭ

ଆକାଉଣ୍ଟିଂ କ୍ଷେତ୍ରରେ ଦୁଇଦେଶ ମଧ୍ୟରେ ଏହି ସହଯୋଗ ଦ୍ୱାରା ଭାରତୀୟ ଚାଟାର୍ଡ ଆକାଉଣ୍ଟାଣ୍ଟମାନଙ୍କ ପାଇଁ ଅଧିକ ନିଯୁକ୍ତି ସୁବିଧା ସୃଷ୍ଟି ହେବ । ସେମାନେ ହଲାଣ୍ଡରେ କାମ କରିବା ସହ ସେମାନେ ଭାରତକୁ ଅଧିକ ପରିମାଣର ଅର୍ଥ ପଠାଇବାରେ ସମର୍ଥ ହେବେ ।

ପ୍ରଭାବ

ୟୁରୋପରେ ଆଇସିଏଆଇର ସଦସ୍ୟ ସଂଖ୍ୟା ବେଶ୍‌ ଭଲ । ସେଠାକାର ବିଭିନ୍ନ ଦେଶରେ ଏହି ସଂଗଠନର 1500ରୁ ଅଧିକ ଚାଟାର୍ଡ ଆକାଉଣ୍ଟାଣ୍ଟ କାର୍ଯ୍ୟ କରୁଛନ୍ତି । ହଲାଣ୍ଡରେ ଏମାନଙ୍କ ସଂଖ୍ୟା ପ୍ରାୟ 80ପ୍ରସ୍ତାବିତ ଏହି ବୁଝାମଣାପତ୍ରର ଲକ୍ଷ୍ୟ ହେଲା ହଲାଣ୍ଡର ଭିଆରସିକୁ ସହାୟତା ଯୋଗାଇବା । ଏହି ସହାୟତା ଫଳରେ ସେହି ଅଞ୍ଚଳରେ ଥିବା ଆଇସିଏଆଇ ସଦସ୍ୟମାନେ ଉପକୃତ ହେବେ । ଏହା ମଧ୍ୟ ସୋମନଙ୍କୁ ହଲାଣ୍ଡରେ ବୃତ୍ତିଗତ ସୁଯୋଗ ଯୋଗାଇ ଦେବାରେ ସହାୟକ ହେବ ।

ଭିତ୍ତିଭୂମି

ଭାରତୀୟ ଚାଟାର୍ଡ ଆକାଉଣ୍ଟାଣ୍ଟ ପ୍ରତିଷ୍ଠାନ ବା ଆଇସିଏଆଇ ଏକ ବୈଧାନିକ ସଂଗଠନ । 1949ରେ ପ୍ରଣୀତ ଚାଟାର୍ଡ ଆକାଉଣ୍ଟାଣ୍ଟ ଆଇନ ଅନୁସାରେ ଏହି ସଂସ୍ଥା ଗଠିତ । ଏହାର ଲକ୍ଷ୍ୟ ହେଲା ଭାରତୀୟ ଚାଟାର୍ଡ ଆକାଉଣ୍ଟାଣ୍ଟମାନଙ୍କ ବୃତ୍ତିଗତ କାର୍ଯ୍ୟକୁ ନିୟନ୍ତ୍ରଣ କରିବା । ସେହିଭଳି ହଲାଣ୍ଡର ଭାରେନିଙ୍ଗିଙ୍ଗ ଭାନ ରେଜିଷ୍ଟରକଣ୍ଟ୍ରୋଲର୍ସ ବା ଭିଆରସି 1988ରେ ଗଠିତ । ଏହା ଆକାଉଣ୍ଟାଣ୍ଟ ବୃତ୍ତି ସଂକ୍ରାନ୍ତ ଏକ ସ୍ୱେଚ୍ଛାସେବୀ ପେସାଦାର ପ୍ରତିଷ୍ଠାନ । ଏହାର ସଦସ୍ୟମାନେ ମ୍ୟାନେଜମେଣ୍ଟ ଆକାଉଣ୍ଟିଂ, ଫାଇନାନ୍ସିଆଲ ଆକାଉଣ୍ଟିଂ, ଇଣ୍ଟିଗ୍ରେଟେଡ ରିପୋର୍ଟିଂ, ଷ୍ଟ୍ରାଟେଜି କଣ୍ଟ୍ରୋଲ, ରିସ୍କ ମ୍ୟାନେଜମେଣ୍ଟ ଏବଂ କର୍ପୋରେଟ ଗଭର୍ଣ୍ଣାନ୍ସ ସଂପର୍କରେ ସେବା ପ୍ରଦାନ କରିଆସୁଛନ୍ତି ।

 

**********

 



(Release ID: 1675884) Visitor Counter : 151