ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜି-20 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Posted On:
22 NOV 2020 6:53PM by PIB Bhubaneshwar
ମହାମହିମଗଣ,
ଆଜି ଆମେ ଆମ ନାଗରିକ ଓ ଅର୍ଥନିତୀକୁ ବୈଶ୍ଵିକ ମହାମାରୀରୁ ରକ୍ଷା କରିବା ଉପରେ ଗୁରୁତ୍ଵାରୋପ କରୁଛେ । ଜଳବାୟୁ ପରିବର୍ତ୍ତନ ନେଇ ଧ୍ୟାନଦେବା ମଧ୍ୟ ସମପରିମାଣରେ ଗୁରୁତ୍ୱପୂର୍ଣ୍ଣ । ଜଳବାୟୁ ପରିବର୍ତ୍ତନ ନେଇ ଏକାକୀ ନୁହେଁ ବରଂ ସାମଗ୍ରିକ ଦୃଷ୍ଟିକୋଣ ଆବଶ୍ୟକ । ପରିବେଶ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ନେଇ ଆମର ପାରମ୍ପରିକ ବିଚାରଧାରାର ଅନୁସରଣ ତଥା ମୋ ସରକାରର ଅଙ୍ଗୀକାରବଦ୍ଧତାକୁ ପାଥେୟ କରି ଭାରତ ବର୍ଷ ଅଙ୍ଗାରକାମ୍ଳ ହ୍ରାସ ଓ ପରିବେଶକୁ ସୁହାଇବା ଭଳି ବିକାଶମୁଖୀ ପଦକ୍ଷେପମାନ ନେଇଛି ।
ମୁଁ ଆପଣମାନଙ୍କୁ ଏକ ଖୁସିର ବିଷୟ ପ୍ରକଟ କରୁଛି ଯେ, ଭାରତ ପ୍ୟାରିସ ରାଜିନାମା ଲକ୍ଷ୍ୟ ପୂରଣ କରିବା ସହ ସେଥିରେ ଆହୁରି ଅଗ୍ରଗତି କରୁଛି । ଦେଶ ଅନେକ କ୍ଷେତ୍ରରେ ସମୁଚିତ ପଦକ୍ଷେପମାନ ନେଉଛି । ଆମେ ଏଲଇଡି ଲାଇଟ ବ୍ୟବହାର କରୁଛୁ । ଏହାଫଳରେ ବାର୍ଷିକ 38 ମିଲିୟନ ଟନ ଅଙ୍ଗାରକାମ୍ଳ ଗ୍ୟାସ ନିର୍ଗମନକୁ ରୋକାଯାଇପାରିଛି । ଉଜ୍ଜ୍ଵଳା ଯୋଜନା ଅଧୀନରେ 80 ନିୟୁତ ରୋଷେଇ ଘରକୁ ଧୂଆଁମୁକ୍ତ କରାଯାଇପାରିଛି । ବିଶ୍ଵରେ ଏହା ସର୍ବବୃହତ ସ୍ଵଚ୍ଛ ଇନ୍ଧନ ଯୋଗାଣ କହିଲେ ଅତ୍ୟୁକ୍ତି ହେବନାହିଁ ।
ପ୍ଲାଷ୍ଟିକର ବହୁଳ ବ୍ୟବହାର ରୋକିବାକୁ ଉଦ୍ୟମ ହେଉଛି । ଆମର ଜଙ୍ଗଲ ପରିସୀମା ସମ୍ପ୍ରସାରିତ ହେଉଛି । ସିଂହ ଓ ବାଘ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । 2030 ସୁଦ୍ଧା ଆମେ 26 ନିୟୁତ ଅନାବାଦୀ ଜମିକୁ ପୁନରୁଦ୍ଧାର କରିବାକୁ ଲକ୍ଷ୍ୟ ରଖିଛୁ । ଆମେ ଏକ ଚକ୍ରିୟ ଅର୍ଥନୀତି ବା ସର୍କୁଲାର ଇକୋନୋମିକୁ ପ୍ରୋତ୍ସାହିତ କରୁଛୁ । ଭାରତ ପରବର୍ତ୍ତୀ ପିଢି ପାଇଁ ଭିତ୍ତିଭୂମି ଯଥା ମେଟ୍ରୋ ନେଟୱାର୍କ, ଜଳପଥ ଓ ଏହିପରି ବହୁତ କିଛି ପ୍ରସ୍ତୁତ କରୁଛି । ସୁବିଧା ଓ ଦକ୍ଷତା ଦୃଷ୍ଟିରୁ ଏହା ଏକ ସ୍ଵଚ୍ଛ ପରିବେଶ ରକ୍ଷାରେ ସହାୟକ ହେବ । ଧାର୍ଯ୍ୟ ସମୟ 2022 ପୂର୍ବରୁ ଆମେ 175 ଗିଗାୱାଟ ସୌରଶକ୍ତି ଉତ୍ପାଦନ ଲକ୍ଷ୍ୟ ହାସଲ କରିବୁ । 2030 ସୁଦ୍ଧା ଆମେ 450 ଗିଗାୱାଟ ସୌରଶକ୍ତି ଲକ୍ଷ୍ୟ ହାସଲ ପାଇଁ ପଦକ୍ଷେପ ନେଉଛୁ ।
ମହାମହିମଗଣ,
ଆନ୍ତର୍ଜାତିକ ସୌରଶକ୍ତି ମେଣ୍ଟ (ଆଇଏସଏ)ବିଶ୍ଵର ବୃହତମ ଆନ୍ତର୍ଜାତିକ ସଂଗଠନ ହେବାକୁ ଯାଉଛି । ଏଥିରେ 88 ଜଣ ସଭ୍ୟ ଅଛନ୍ତି । ଏଥିରେ ଅଂଶୀଦାର ମାନେ ହଜାର ହଜାର କୋଟି ଡଲାର ବିକଳ୍ପ ଶକ୍ତିର ଗବେଷଣା ଓ ବିକାଶ ପାଇଁ ଖର୍ଚ୍ଚ କରିବାକୁ ଥିବାରୁ ଆଇଏସଏ ବିଶ୍ୱରୁ ଅଙ୍ଗାରକାମ୍ଳ ହ୍ରାସ କରିବାରେ ସହାୟକ ହେବ । ବିପର୍ଯ୍ୟୟ ପ୍ରତିରୋଧକ୍ଷମ ଭିତ୍ତିଭୂମି ବିକାଶ ପାଇଁ ଘୋଷିତ (ସିଡିଆରଆଇ)ହୋଇଥିବା ଗ୍ରୁପ ଓ ବିଭିନ୍ନ ଦେଶର ମିଶ୍ରଣ, ଏହାର ଅନ୍ୟ ଏକ ଉଦାହରଣ । ଏହି ଗ୍ରୁପରେ 9ଟି ଜି-20 ଦେଶ ଓ 4ଟି ଆନ୍ତର୍ଜାତିକ ସଂଗଠନ ସମେତ ମୋଟ 18ଟି ଦେଶ ଯୋଗଦେଇଛନ୍ତି । ସିଡିଆରଆଇ ବିପର୍ଯ୍ୟୟ ପ୍ରତିରୋଧକ୍ଷମ ଭିତ୍ତିଭୂମି ପ୍ରସ୍ତୁତି ଦିଗରେ ଲାଗିପଡିଛି । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଭିତ୍ତିଭୂମିର କ୍ଷୟକ୍ଷତି ପ୍ରତି ଯେତିକି ଧ୍ୟାନ ଦିଆଯିବା କଥା ସେତିକି ଦିଆଯାଇ ନାହିଁ । ଗରିବ ଦେଶଗୁଡିକ ଏଥିରେ ବିଶେଷ କ୍ଷତିଗ୍ରସ୍ତ ହେଉଛନ୍ତି । ସେଦୃଷ୍ଟିରୁ ଏକ ସମ୍ମିଳିତ ଉଦ୍ୟମ ଖୁବ ଗୁରୁତ୍ୱପୂର୍ଣ୍ଣ ।
ମହାମହିମଗଣ,
ନୂତନ ଓ ଦୀର୍ଘସ୍ଥାୟୀ ବୈଷୟିକ ଜ୍ଞାନର ଉଦ୍ଭାବନା ଓ ଗବେଷଣା ଲାଗି ବର୍ତ୍ତମାନ ପ୍ରକୃଷ୍ଟ ସମୟ ଉପନୀତ । ସହଯୋଗ ଓ ସହମତି ଭିତ୍ତିରେ ଆମେ ଏହା କରିବା ଆବଶ୍ୟକ । ବିକାଶମୁଖୀ ବିଶ୍ଵରେ ପ୍ରଯୁକ୍ତି ଓ ଆର୍ଥିକ ବ୍ୟବସ୍ଥା ସୁଦୃଢ ଥିଲେ ସମଗ୍ର ବିଶ୍ଵ ଦ୍ରୁତ ଅଗ୍ରଗତି କରିପାରିବ ।
ମହାମହିମଗଣ,
ମାନବିକତା ସମୃଦ୍ଧ ହେବାକୁ ହେଲେ ପ୍ରତ୍ୟେକ ମଣିଷ ସମୃଦ୍ଧ ହେବା ଦରକାର । ଶ୍ରମିକକୁ କେବଳ ଏକ ଉତ୍ପାଦନର ମାଧ୍ୟମ ବୋଲି ନ ଭାବି ପ୍ରତ୍ୟେକ ଶ୍ରମଜୀବୀର ମର୍ଯ୍ୟାଦା ପ୍ରତି ନିଶ୍ଚିତ ଭାବେ ଗୁରୁତ୍ଵାରୋପ କରାଯିବା ଦରକାର । ବିଶ୍ଵକୁ ରକ୍ଷା କରିବା ପାଇଁ ଏହା ଏକ ସର୍ବଶ୍ରେଷ୍ଠ ଗ୍ୟାରେଣ୍ଟି ।
ଧନ୍ୟବାଦ ।
**********
(Release ID: 1674973)
Visitor Counter : 295
Read this release in:
Punjabi
,
English
,
Urdu
,
Marathi
,
Hindi
,
Assamese
,
Bengali
,
Manipuri
,
Gujarati
,
Tamil
,
Telugu
,
Kannada
,
Malayalam