ରେଳ ମନ୍ତ୍ରଣାଳୟ

ସମସ୍ତ ଅଣଗେଜେଟେଡ ରେଳବାଇ କର୍ମଚାରୀଙ୍କ ନିମନ୍ତେ 2019-20 ଆର୍ଥିକ ବର୍ଷ ପାଇଁ ଉତ୍ପାଦନ ଭିତ୍ତିକ 78 ଦିନର ମଜୁରି ସମକକ୍ଷ ବୋନସ ଘୋଷଣା <ବିଆର>

• ଏହି ନିଷ୍ପତ୍ତି ଫଳରେ ପ୍ରାୟ 11.58 ଲକ୍ଷ ରେଳ କର୍ମଚାରୀ ଉପକୃତ ହେବେ
• 78 ଦିନର ବୋନସ ବାବଦରେ କର୍ମଚାରୀ ମୋଟ 2081.68 କୋଟି ଟଙ୍କା ପାଇବେ

Posted On: 22 OCT 2020 2:31PM by PIB Bhubaneshwar

2019-20 ଆର୍ଥିକ ବର୍ଷ ପାଇଁ ପ୍ରାୟ 11.58 ଲକ୍ଷ ଅଣଗେଜେଟେଡ ରେଳବାଇ କର୍ମଚାରୀ 78 ଦିନର ମଜୁରି ସମକକ୍ଷ ଉତ୍ପାଦନଭିତ୍ତିକ ବୋନସ ପାଇବେ । ଏହି ବୋନସର ମୋଟ ପରିମାଣ 2081.68 କୋଟି ଟଙ୍କା ।

ଗତକାଲି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ରେଳବାଇ ମନ୍ତ୍ରଣାଳୟର ଏ ସଂକ୍ରାନ୍ତ ପ୍ରସ୍ତାବ ଅନୁମୋଦନ ଲାଭ କରିଛି । ଆରପିଏଫ୍‌ ଓ ଆରପିଏସ୍‌ଏଫ୍‌ କର୍ମଚାରୀଙ୍କ ବ୍ୟତୀତ ଆଉ ସବୁ ଅଣଗେଜେଟେଡ ରେଳ କର୍ମଚାରୀ ଏହି ଉତ୍ପାଦନ ଭିତ୍ତିକ ବୋନସ ପାଇବେ । ସଂପୃକ୍ତ କର୍ମଚାରୀଙ୍କୁ 78 ଦିନର ବେତନ ସମକକ୍ଷ ବୋନସ ପ୍ରଦାନ କରାଯିବ ଏବଂ ଏ ବାବଦ ମୋଟ ଖର୍ଚ୍ଚ 2081.68 କୋଟି ଟଙ୍କା ହେବ ବୋଲି ହିସାବ କରାଯାଇଛି । ଉତ୍ପାଦନଭିତ୍ତିକ ବୋନସ ପ୍ରଦାନ କରିବା ପାଇଁ ସଂପୃକ୍ତ କର୍ମଚାରୀଙ୍କ ବେତନ ହିସାବର ଯେଉଁ ସର୍ବୋଚ୍ଚ ସୀମା ଧାର୍ଯ୍ୟ କରାଯାଇଛି ତାହା ମାସିକ 7 ହଜାର ଟଙ୍କା । 78 ଦିନ ପାଇଁ ଜଣେ କର୍ମଚାରୀ ସର୍ବାଧିକ 17 ହଜାର 951 ଟଙ୍କା ବୋନସ ପାଇବେ । ସରକାରଙ୍କ ଏହି ନିଷ୍ପତ୍ତି ଫଳରେ 11 ଲକ୍ଷ 58 ହଜାର ଅଣଗେଜେଟେଡ ରେଳ କର୍ମଚାରୀ ଉପକୃତ ହେବେ ।

ଉତ୍ପାଦନଭିତ୍ତିକ ବୋନସ ପାଇଁ ଆରପିଏଫ୍‌/ଆରପିଏସ୍‌ଏଫ୍‌ କର୍ମଚାରୀଙ୍କ ବ୍ୟତୀତ ଆଉ ସମସ୍ତ ଅଣଗେଜେଟେଡ ରେଳ କର୍ମଚାରୀ ଯୋଗ୍ୟ ବିବେଚିତ । ଅଣଗେଜେଟେଡ ବର୍ଗର ଦେଶର ସବୁ ରେଳ କର୍ମଚାରୀଙ୍କୁ ଏହି ବୋନସ ମିଳିବ । ପ୍ରତିବର୍ଷ ଦଶହରା ପୂର୍ବରୁ ସଂପୃକ୍ତ ରେଳ କର୍ମଚାରୀଙ୍କ ପାଇଁ ଉତ୍ପାଦନଭିତ୍ତିକ ବୋନସ ଘୋଷଣା କରାଯାଇଥାଏ । ଚଳିତବର୍ଷ ପୂଜା ଛୁଟି ଘୋଷଣା ହେବା ପୂର୍ବରୁ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରାଯିବ । ଏହି ବୋନସ ରେଳ କର୍ମଚାରୀଙ୍କୁ ଉତ୍ସାହିତ କରିବ ଏବଂ ରେଳବାଇର କାର୍ଯ୍ୟଦକ୍ଷତା ବୃଦ୍ଧିରେ ସହାୟକ ହେବ ବୋଲି ଆଶା କରାଯାଉଛି ।

ଏଠାରେ ସୂଚନାଯୋଗ୍ୟ ଯେ ଏହି ବୋନସ ସବୁବେଳେ ବିଗତ ଆର୍ଥିକ ବର୍ଷର କାର୍ଯ୍ୟ ପ୍ରଦର୍ଶନକୁ ବିଚାରକୁ ନେଇ ଘୋଷଣା କରାଯାଇଥାଏ । ତେଣୁ ଚଳିତବର୍ଷ ଏହି ବୋନସ 2019-20 ଆର୍ଥିକ ବର୍ଷ ପାଇଁ ଉଦ୍ଦିଷ୍ଟ । ଏହି ଆର୍ଥିକ ବର୍ଷଟି କରୋନା ମହାମାରୀ ଦ୍ୱାରା ପ୍ରଭାବିତ ହୋଇଛି । ମହାମାରୀ ସତ୍ତ୍ୱେ ରେଳ କର୍ମଚାରୀମାନେ କଠୋର ପରିଶ୍ରମ କରି ଶ୍ରମିକ ସ୍ପେଶାଲ ଟ୍ରେନ ଓ ବିଭିନ୍ନ ପ୍ରକାର ମାଲଗାଡି ଚଳାଇବାରେ ଉଲ୍ଲେଖୀୟ ଭୂମିକା ଗ୍ରହଣ କରିଛନ୍ତି । ବିଶେଷକରି ଖାଦ୍ୟଶସ୍ୟ, ସାର, କୋଇଲା ଓ ଅନ୍ୟାନ୍ୟ ସାମଗ୍ରୀ ପରିବହନ ନିମନ୍ତେ ଲକ୍‌ଡାଉନ ସମୟରେ ନିୟମିତ ମାଲଗାଡ଼ି ଚଳାଚଳ କରୁଥିଲା । ରେଳବାଇର ଏହି କାର୍ଯ୍ୟ ଫଳରେ ଲକ୍‌ଡାଉନ ସମୟରେ ଦେଶର 200 ଗୁରୁତ୍ୱପୂର୍ଣ୍ଣ ରକ୍ଷଣାବେକ୍ଷଣ ପ୍ରକଳ୍ପ ନିର୍ଦ୍ଧାରିତ ସମୟରେ ଶେଷ ହୋଇପାରିଥିଲା । ଏହା ରେଳ ନିରାପତ୍ତା ଓ ରେଳ ପରିବହନର ଦକ୍ଷତା ବୃଦ୍ଧିରେ ସହାୟକ ହୋଇଛି ।

ମାଲ ପରିବହନ କ୍ଷେତ୍ରରେ ମଧ୍ୟ କୋଭିଡ୍‌ ମହାମାରୀ ସମୟରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହୋଇଛି । ମାଲବାହୀ ଗାଡିଗୁଡିକର ବେଗ ଗତବର୍ଷ ତୁଳନାରେ ଦ୍ୱିଗୁଣିତ ହୋଇଛି । ସେହିଭଳି ମାଲ ବୋଝେଇ ପରିମାଣ ଅକ୍‌ଟୋବର ଅବଧି ମଧ୍ୟରେ ଗତବର୍ଷ ତୁଳନାରେ 14 ଶତାଂଶ ବଢିଛି । 2019-20 ଆର୍ଥିକ ବର୍ଷ ପାଇଁ ଉତ୍ପାଦନଭିତ୍ତିକ ବୋନସ ପ୍ରଦାନ ରେଳବାଇ କର୍ମଚାରୀଙ୍କ ମନୋବଳ ଦୃଢ କରିବ । ଏହା ସେମାନଙ୍କ କାର୍ଯ୍ୟ ଦକ୍ଷତାକୁ ଆହୁରି ବଢାଇବ । ସେମାନଙ୍କ କାର୍ଯ୍ୟକୁ ସ୍ୱୀକୃତି ପ୍ରଦାନ ରେଳ ପରିବାରରେ ସମାବେଶିତା ଓ ନିଜସ୍ୱ ଭାବକୁ ତ୍ୱରାନ୍ୱିତ କରିବ । ଏହାର ପ୍ରଭାବ ମଧ୍ୟ ଉତ୍ପାଦନ ବୃଦ୍ଧିରେ ସହାୟକ ହେବ । ଆହୁରି ମଧ୍ୟ ଏହା ପୂଜା ପାର୍ବଣ ସମୟରେ ଖାଉଟିଙ୍କ ଅର୍ଥ ଖର୍ଚ୍ଚ କରିବାର ଦକ୍ଷତା ବୃଦ୍ଧିରେ ସହାୟକ ହେବ ।

 

**********



(Release ID: 1666888) Visitor Counter : 237