କ୍ୟାବିନେଟ
କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଳାସ ପାଶୱାନଙ୍କ ବିୟୋଗରେ କ୍ୟାବିନେଟର ଶୋକ
● ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଦିବଂଗତଙ୍କ ଅନ୍ତେଷ୍ଟି କ୍ରିୟା
Posted On:
09 OCT 2020 12:19PM by PIB Bhubaneshwar
କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଳାସ ପାଶୱାନଙ୍କ ବିୟୋଗରେ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ଗଭୀର ଶୋକ ପ୍ରକଟ କରାଯାଇଛି । ରାମବିଳାସ ପାଶୱାନଙ୍କ ପାଇଁ କ୍ୟାବିନେଟ ପକ୍ଷରୁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏଥିସହିତ ରାମବିଳାସ ପାଶୱାନଙ୍କ ଅନ୍ତେଷ୍ଟି କ୍ରିୟା ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । କ୍ୟାବିନେଟରେ ଆଜି (09.10.2020) ନିମ୍ନୋକ୍ତ ସଂକଳ୍ପମାନ ପାରିତ ହୋଇଛି ।
କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଳାସ ପାଶୱାନଙ୍କ ବିୟୋଗରେ କ୍ୟାବିନେଟ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ତାଙ୍କ ବିୟୋଗରେ ଦେଶ ଜଣେ ବିଶିଷ୍ଟ ନେତା, ସାଂସଦ ଏବଂ ଦକ୍ଷ ପ୍ରଶାସକକୁ ହରାଇଛି ।
ବିହାରର ଖଗରିଆ ଜିଲ୍ଲାର ସାହାରବଣିଠାରେ ଜୁଲାଇ 05, 1946ରେ ରାମବିଳାସ ପାଶୱାନ ଜନ୍ମ ଗ୍ରହଣ କରିଥିଲେ । ଖଗରିଆର କୃଷି ମହାବିଦ୍ୟାଳୟ ଓ ପାଟନା ବିଶ୍ଵବିଦ୍ୟାଳୟରୁ ସେ ଶିକ୍ଷା ଲାଭ କରିଥିଲେ । ସେ କଳାରେ ସ୍ନାତକୋତ୍ତର ଏବଂ ଆଇନରେ ସ୍ନାତକ ଥିଲେ । ଉତ୍ତର ପ୍ରଦେଶର ଝାନ୍ସିସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ଵବିଦ୍ୟାଳରୁ ତାଙ୍କୁ ଡିଲିଟ ଉପାଧି ପ୍ରଦାନ କରାଯାଇଥିଲା । ରାମବିଳାସ ପାଶୱାନ ବିହାରର ଜଣେ ଲୋକପ୍ରିୟ ନେତା ଥିଲେ ଓ ସଂଖ୍ୟାଧିକ ଲୋକଙ୍କର ତାଙ୍କ ପ୍ରତି ସମର୍ଥନ ଥିଲା । ସଂଯୁକ୍ତ ସମାଜବାଦୀ ଦଳ ପକ୍ଷରୁ 1969ରେ ସେ ବିହାର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତା’ପରେ 1977ରେ ସେ ହାଜିପୁର ଆସନରୁ ରେକର୍ଡ ସଂଖ୍ୟକ ଭୋଟ ସହ ଷଷ୍ଠ ଲୋକସଭାକୁ ନିର୍ବାଚିତ ହୋଇଥିଲେ । 1980ର ସପ୍ତମ ଓ 1984ର ଅଷ୍ଟମ ଲୋକସଭାକୁ ମଧ୍ୟ ସେ ପୁନଃ ନିର୍ବାଚିତ ହୋଇଥିଲେ । 1989ରେ ନବମ ଲୋକସଭାକୁ ପୁନଃନିର୍ବାଚିତ ହୋଇ ସେ କେନ୍ଦ୍ର ଶ୍ରମ ଓ କଲ୍ୟାଣ ମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ । 1996ରେ ସେ ରେଳ ମନ୍ତ୍ରୀ ହୋଇ 1998 ପର୍ଯ୍ୟନ୍ତ ସେହି ପଦବୀରେ ଆସିନ ଥିଲେ । ତା’ପରେ 1999 ଅକ୍ଟୋବରରୁ 2001 ସେପ୍ଟେମ୍ବର ପର୍ଯ୍ୟନ୍ତ ସେ ଦୂରସଞ୍ଚାର ମନ୍ତ୍ରୀ ଓ ସେପ୍ଟେମ୍ବର 2001ରୁ ଏପ୍ରିଲ 2002 ପର୍ଯ୍ୟନ୍ତ କୋଇଲା ଓ ଖଣି ମନ୍ତ୍ରଣାଳୟର ଦାୟିତ୍ଵ ସମ୍ଭାଳିଥିଲେ । 2004 ଲୋକସଭା ନିର୍ବାଚନ ପରେ ପାଶୱାନ ମିଳିତ ପ୍ରଗତିଶୀଳ ସାମୁଖ୍ୟ ସରକାରରେ ଯୋଗଦେଇ ସାର, ରସାୟନ ଓ ଇସ୍ପାତ ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଥିଲେ ।
2014ରେ ସେ ଷୋଢଶ ଲୋକସଭାକୁ ନିର୍ବାଚିତ ହୋଇ ସେ ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଥିଲେ । 2019ରେ ରାଜ୍ୟସଭାକୁ ନିର୍ବାଚିତ ହୋଇ ସେ ସେହି ବିଭାଗର ଦାୟିତ୍ଵ ତୁଲାଇ ଆସୁଥିଲେ । ପାଶୱାନ ଦଳିତ ଓ ନିଷ୍ପେଷିତ ବ୍ୟକ୍ତିମାନଙ୍କର ସ୍ଵର ଥିଲେ ଏବଂ ସବୁବେଳେ ସମାଜର ଅବହେଳିତ ଲୋକମାନଙ୍କ ସମସ୍ୟା ପ୍ରତି ବିଶେଷ ଧ୍ୟାନ ଦେଉଥିଲେ । କ୍ୟାବିନେଟ ସରକାର ଓ ସମଗ୍ର ଦେଶ ପକ୍ଷରୁ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।
**********
(Release ID: 1663239)
Read this release in:
Malayalam
,
English
,
Urdu
,
Hindi
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada