ଜାହାଜ ଚଳାଚଳ ମନ୍ତ୍ରଣାଳୟ

କ୍ରୁଜ ସିପ ପାଇଁ ଜାହାଜ ଚଳାଚଳ ମନ୍ତ୍ରଣାଳୟ ବନ୍ଦର ତାରିଫ ହାର 60ରୁ 70 ଶତାଂଶ ଯାଏଁ କମାଇଲା

• ଏହି ନିଷ୍ପତ୍ତି ଫଳରେ କ୍ରୁଜ ଉଦ୍ୟୋଗ ଏବଂ ଘରୋଇ କ୍ରୁଜ ପର୍ଯ୍ୟଟନ ଉପକୃତ ହେବ
• କରୋନା ସଂକ୍ରମଣ ଯୋଗୁଁ ବିଶେଷ କ୍ଷତିଗ୍ରସ୍ତ ଏହି ଉଦ୍ୟୋଗର ଉତ୍‌ଥାନ ପାଇଁ ସରକାର ଉଦ୍ୟମ କରୁଛନ୍ତି: ମନ୍ତ୍ରୀ ମାଣ୍ଡଭିୟ

Posted On: 14 AUG 2020 3:54PM by PIB Bhubaneshwar

କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟ କ୍ରୁଜ ସିପ୍‌ଗୁଡିକ ପାଇଁ ତାରିଫ ହାରକୁ ସରଳ ଓ ଯୁକ୍ତିଯୁକ୍ତ କରିଛି । ଏହାର ତୁରନ୍ତ ଅନୁକୂଳ ପ୍ରଭାବ ବନ୍ଦରଗୁଡିକରେ ଆଦାୟ ହେଉଥିବା କ୍ରୁଜ ଭଡା ଉପରେ ପଡିଛି । ବନ୍ଦରଗୁଡିକରେ ଏସବୁ ଜାହାଜ ଚଳାଚଳ ଉପରେ ଯେଉଁ ଟିକସ ଆଦାୟ କରାଯାଉଥିଲା ତାହା 60ରୁ 70 ଶତାଂଶ ଯାଏଁ କମିବ । ଏହା ଫଳରେ ଦେଶର କ୍ରୁଜ ଉଦ୍ୟୋଗ ବିଶେଷ ଉପକୃତ ହେବ । କରୋନା ମହାମାରୀ ଯୋଗୁଁ ପ୍ରଭାବିତ ହୋଇଥିବା ବିଭିନ୍ନ ଆର୍ଥିକ କ୍ଷେତ୍ରକୁ ସହାୟତା କରିବା ପାଇଁ ସରକାର ଯେଉଁ ନୀତି ପ୍ରଣୟନ କରିଛନ୍ତି ତଦନୁସାରେ ଏହି ପଦକ୍ଷେପ ନିଆଯାଇଛି ।

ଏହି ଟିକସ ହାର ନିମ୍ନଲିଖିତ ମତେ ଲାଗୁ ହେବ ।

1. ଗୋଟିଏ କ୍ରୁଜ ଜାହାଜ ପାଇଁ ଏଣିକି ଗ୍ରସ ରେଜିଷ୍ଟଡ ଟନେଜ ବା ଜିଆରପି ଉପରେ 0.085 ଡଲାର ହିସାବରେ ପୋର୍ଟ ଚାର୍ଜ ଲାଗିବ । ଆଗରୁ ଏହା 0.35 ଡଲାର ଥିଲା । ପ୍ରଥମ 12 ଘଣ୍ଟା ରହିବା ପାଇଁ ଧାର୍ଯ୍ୟ ଟିକସ ଯାତ୍ରୀ ପିଛା 5 ଡଲାର କରାଯାଇଛି । ଏହାବ୍ୟତୀତ ବନ୍ଦର କର୍ତ୍ତୃପକ୍ଷ ଏସବୁ ଜାହାଜରୁ ବର୍ଥ ହାୟାର, ପୋର୍ଟ ଡିଉ, ପାଇଲଟେଜ ଓ ପାସେଞ୍ଜର ଫି ଆଦି ଅନ୍ୟ କୌଣସି ଟିକସ ଆଦାୟ କରିବ ନାହିଁ ।

2. ବାର ଘଣ୍ଟାରୁ ଅଧିକ ରହଣି ପାଇଁ କ୍ରୁଜ ସିପ୍‌ର ଧାର୍ଯ୍ୟ ଦେୟ ବର୍ଥ ହାୟାର ଚାର୍ଜ ସହ ସମାନ ରହିବ ଏବଂ ଏହାକୁ ସିଡ୍ୟୁଲ ଅଫ୍‌ ରେଟରେ ଭରଣା କରିବାକୁ ହେବ । ଅବଶ୍ୟ ଏ କ୍ଷେତ୍ରରେ କ୍ରୁଜ ଜାହାଜଗୁଡିକ ପାଇଁ 40 ଶତାଂଶର ରିଆତି ବ୍ୟବସ୍ଥା ଲାଗୁ ହେବ ।

3. ସେହିଭଳି କ୍ରୁଜସିପ୍‌ ମେକ୍‌ଙ୍ଗିରେ ବାର୍ଷିକ 1ରୁ 50 କଲ୍‌ ପାଇଁ 10 ଶତାଂଶ ରିଆତି ପାଇବେ । 51ରୁ 100 କଲ୍‌ ପ୍ରତି 20 ଶତାଂଶ ଏବଂ 100ରୁ ଅଧିକ କଲ୍‌ ପାଇଁ 30 ଶତାଂଶରୁ ଅଧିକ ରିବେଟ ମିଳିବ । ଏହିସବୁ ରିଆତି ଓ ସୁବିଧା ତୁରନ୍ତ ଏକବର୍ଷ ପାଇଁ ଲାଗୁ କରାଯାଇଛି । ପ୍ରତ୍ୟେକ ଥର ବନ୍ଦରକୁ ଆସିବା କଲ୍‌ଭାବେ ପରିଚିତ ।

ସାଂପ୍ରତିକ କରୋନା ମହାମାରୀ ଦ୍ୱାରା ଭାରତର କ୍ରୁଜ ଉଦ୍ୟୋଗ ଏବଂ ଜାହାଜ ଚଳାଚଳ ବେପାର ବିଶେଷଭାବେ ପ୍ରଭାବିତ ହୋଇଛି । ପର୍ଯ୍ୟଟନର ବିକାଶ ସହ ଏହି ଉଦ୍ୟୋଗର ଅଭିବୃଦ୍ଧି ନିମନ୍ତେ ସରକାର ଏହି ଆର୍ଥିକ ରିଆତି ସୁବିଧା ଯୋଗାଇ ଦେଇଛନ୍ତି । 2014ରୁ ଜାହାଜ ଚଳାଚଳ ମନ୍ତ୍ରଣାଳୟ ଏହି ଉଦ୍ୟୋଗକୁ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଦେଇଆସୁଛି । ଫଳରେ ଭାରତକୁ କ୍ରୁଜସିପ୍‌ର ଆଗମନ (କଲ୍‌) କ୍ରମଶଃ ବଢୁଛି । 2015ରେ ଭାରତକୁ 128ଟି କ୍ରୁଜସିପ୍‌ ଆସିଥିବାବେଳେ 2019-20ରେ ଏହା 593କୁ ବୃଦ୍ଧି ପାଇଥିଲା । ସରକାରଙ୍କ ନୂଆ ପଦକ୍ଷେପ ଫଳରେ ଭାରତୀୟ ବନ୍ଦରଗୁଡିକୁ ଏଣିକି ଅଧିକରୁ ଅଧିକ କ୍ରୁଜ ଜାହାଜ ଆସିବ ବୋଲି ଆଶା କରାଯାଉଛି । କେନ୍ଦ୍ର ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷ୍ୟକୁ ସାକାର କରିବା ପାଇଁ ଏସବୁ ପଦକ୍ଷେପ ଗ୍ରହଣ କରାଯାଇଛି । ବିଶ୍ୱର କ୍ରୁଜ ବଜାରରେ ଭାରତ ଉପଯୁକ୍ତ ସ୍ଥାନ ପାଉ ବୋଲି ପ୍ରଧାନମନ୍ତ୍ରୀ ଚାହାନ୍ତି । ଏହାଛଡା ଦେଶର ପ୍ରମୁଖ ନଦୀଗୁଡିକରେ ମଧ୍ୟ କ୍ରୁଜ ଚଳାଚଳ କରାଇ ପର୍ଯ୍ୟଟକଙ୍କ ସଂଖ୍ୟା ବଢାଇବାକୁ ପ୍ରଧାନମନ୍ତ୍ରୀ ଆଗ୍ରହୀ । ଏହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି । ଶ୍ରୀ ମାଣ୍ଡଭିୟ କହିଛନ୍ତି ଯେ ଏହା ଫଳରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଘଟିବ ଏବଂ ବିଦେଶରୁ ଅଧିକ ପର୍ଯ୍ୟଟକ ଆସିବେ । ଏହାଦ୍ୱାରା ବୈଦେଶିକ ମୁଦ୍ରା ଅର୍ଜନ ସୁଯୋଗ ସୃଷ୍ଟି ହେବା ସହ ନିଯୁକ୍ତି ସୁବିଧା ମଧ୍ୟ ବଢିବ ।

 

**********

 

 

 



(Release ID: 1645881) Visitor Counter : 184