ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରେୱା ଅତ୍ୟାଧୁନିକ ବୃହତ୍‌ ସୌରଶକ୍ତି ପ୍ରକଳ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ

• ସୌରଶକ୍ତି ନିଶ୍ଚିତ, ନିରାପଦ ଓ ନିର୍ମଳ ହୋଇଥିବାରୁ ଏକବିଂଶ ଶତାବ୍ଦୀର ଉର୍ଜ୍ଜା ଆବଶ୍ୟକତାର ମାଧ୍ୟମ ହେବ: ପ୍ରଧାନମନ୍ତ୍ରୀ

Posted On: 10 JUL 2020 1:15PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ କନ୍‌ଫରେନ୍‌ସି ବ୍ୟବସ୍ଥାରେ ମଧ୍ୟପ୍ରଦେଶର ରେୱାଠାରେ ନିର୍ମିତ ହୋଇଥିବା ଦେଶର ସର୍ବାଧୁନିକ ଓ ବୃହତ୍ତମ (ଅଲ୍‌ଟ୍ରା ମେଗା) ସୌରଶକ୍ତି ଉତ୍ପାଦନ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଅର୍ପଣ କରିଛନ୍ତି । ଏହା ଏସିଆର ଏ ଧରଣର ସର୍ବବୃହତ୍‌ ଶକ୍ତି ପ୍ରକଳ୍ପ । ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରେୱା ପ୍ରକଳ୍ପ ଫଳରେ ସମଗ୍ର ଅଞ୍ଚଳଟି ନିର୍ମଳ, ପ୍ରଦୂଷଣମୁକ୍ତ ତଥା ଭରସାଯୋଗ୍ୟ ଉର୍ଜ୍ଜା ପାଇବ ଏବଂ ଚଳିତ ଦଶନ୍ଧିରେ ଏହା ଏକ ବୃହତ୍‌ ଶିଳ୍ପାଞ୍ଚଳରେ ପରିଣତ ହେବ । ଏହି ପ୍ରକଳ୍ପରୁ ରେୱାର ଆଖପାଖ ଅଞ୍ଚଳ ସମେତ ଦିଲ୍ଲୀ ମେଟ୍ରୋକୁ ବିଜୁଳି ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଥିବାରୁ ପ୍ରଧାନମନ୍ତ୍ରୀ ଏହି ଉଦ୍ୟମର ଉଚ୍ଚ ପ୍ରଶଂସା କରିଛନ୍ତି ।

ସେ କହିଛନ୍ତି ଯେ ନିମୁଚ୍‌, ସାଜାପୁର, ଛତରପୁର ଓ ଓଁକାରେଶ୍ୱରରେ ଅନୁରୂପ ପ୍ରକଳ୍ପମାନ ତିଆରି ହୋଇଥିବାରୁ ମଧ୍ୟପ୍ରଦେଶ ଖୁବ୍‌ଶୀଘ୍ର ଦେଶର ସୌରଶକ୍ତି ଉତ୍ପାଦନ କେନ୍ଦ୍ରରେ ପରିଣତ ହେବ । ଏହି ସୌର ପ୍ରକଳ୍ପ ଦ୍ୱାରା ମଧ୍ୟପ୍ରଦେଶର ଗରିବ, ମଧ୍ୟବିତ୍ତ, ଆଦିବାସୀ ଓ କୃଷକମାନେ ସର୍ବାଧିକ ଉପକୃତ ହେବେ । ଏକବିଂଶ ଶତାବ୍ଦୀର ଆକାଙ୍‌କ୍ଷୀ ଭାରତରେ ଉର୍ଜ୍ଜା ଆବଶ୍ୟକତା ପୂରଣ ପାଇଁ ସୌରଶକ୍ତି ପ୍ରମୁଖ ମାଧ୍ୟମ ହେବ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଉର୍ଜ୍ଜା ସୁନିଶ୍ଚିତ, ନିରାପଦ ଓ ନିର୍ମଳ (ସିଓର, ପିଓର ଏବଂ ସିକ୍ୟୁର) । ସୂର୍ଯ୍ୟଠାରୁ ଏହି ଉର୍ଜ୍ଜା ଉତ୍ତୋଳିତ ହେବାକୁ ଥିବାରୁ ଏହା ନିଶ୍ଚିତ । ଏହା ପରିବେଶ ଅନୂକୁଳ ହୋଇଥିବାରୁ ନିର୍ମଳ ତଥା ଅକ୍ଷୟଶକ୍ତି ଦୃଷ୍ଟିରୁ ଏହା ଆମ ଉର୍ଜ୍ଜା ନିରାପତ୍ତାଜନିତ ଆବଶ୍ୟକତା ପୂରଣ କରିବାକୁ ଉପଯୁକ୍ତ । ପ୍ରଧାନମନ୍ତ୍ରୀ ଏହି ସୌରଶକ୍ତି ପ୍ରକଳ୍ପକୁ ଆତ୍ମନିର୍ଭର ଭାରତର ଯଥାର୍ଥ ପ୍ରଦର୍ଶନ ବୋଲି ବର୍ଣ୍ଣନା କରିଛନ୍ତି ।

ସେ କହିଛନ୍ତି ଯେ ଆତ୍ମନିର୍ଭରତା ଏବଂ ବିକାଶରେ ଅର୍ଥନୀତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପରିବେଶ ଆଗ ନା ଅର୍ଥନୀତି ଆଗ, ଏହି ନିୟମିତ ଦ୍ୱନ୍ଦ୍ୱ ସଂପର୍କରେ ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହାର ଅବସାନ ପାଇଁ ସୌରଶକ୍ତି ପ୍ରକଳ୍ପ ଓ ଅନ୍ୟାନ୍ୟ ପରିବେଶ ଅନୁକୂଳ ପଦକ୍ଷେପ ଏକମାତ୍ର ବାଟ । ଅର୍ଥନୀତି ଓ ପରିବେଶ ପରସ୍ପରର ବିରୋଧୀ ନୁହନ୍ତି; ବରଂ ଉଭୟ ଉଭୟର ପରିପୂରକ । ସରକାର ତାଙ୍କର ସମସ୍ତ କାର୍ଯ୍ୟକ୍ରମରେ ପରିବେଶ ସୁରକ୍ଷାକୁ ଅଗ୍ରାଧିକାର ଦେଉଛନ୍ତି ଏବଂ ଜୀବନଯାପନକୁ ସହଜ କରିବା ନିମନ୍ତେ ଗୁରୁତ୍ୱ ଦିଆଯାଉଛି । ସ୍ୱଚ୍ଛ ଭାରତ, ଗରିବଙ୍କୁ ରନ୍ଧନ ଗ୍ୟାସ୍‌ ଯୋଗାଣ, ଘରୋଇ ବ୍ୟବହାର ପାଇଁ ପାଇପ ଯୋଗେ ସିଏନ୍‌ଜି ଯୋଗାଣ ଆଦି ସେଥିମଧ୍ୟରୁ ଅନ୍ୟତମ । ଏହାଦ୍ୱାରା ସାଧାରଣ ଓ ମଧ୍ୟବିତ୍ତବର୍ଗର ଲୋକେ ଉପକୃତ ହେଉଛନ୍ତି । ସେ ଆହୁରି କହିଛନ୍ତି ଯେ  ପରିବେଶର ସୁରକ୍ଷା କେବଳ ଅଳ୍ପ କେତେକ ପ୍ରକଳ୍ପ ମଧ୍ୟରେ ସୀମିତ ନୁହେଁ ବରଂ ଏହା ଜୀବନର ଏକ ମାର୍ଗ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସ୍ୱଚ୍ଛ ଇନ୍ଧନର ଆବଶ୍ୟକତା ଅନୁଭୂତ ହେଉଥିବାରୁ ତାହାକୁ ନିଶ୍ଚିତ କରିବାକୁ ଉଦ୍ୟମ ଚାଲିଛି । ସେଥିପାଇଁ ବିଶାଳକାୟ ଅକ୍ଷୟଶକ୍ତି ପ୍ରକଳ୍ପମାନ ତିଆରି କରାଯାଉଛି । ସରକାର ଏହାମଧ୍ୟ ନିଶ୍ଚିତ କରିଛନ୍ତି ଯେ ଏସବୁ ପ୍ରକଳ୍ପର ଲାଭ ଦେଶର ସବୁ ଭାଗ, ସବୁ ବର୍ଗ ଏବଂ ସବୁ ନାଗରିକଙ୍କ ପାଖରେ ପହଞ୍ଚୁ । ଏହି ଅବସରରେ ସେ ଏଲ୍‌ଇଡି ବଲ୍‌ବର ବ୍ୟବହାର ଦ୍ୱାରା ଦେଶରେ ବିଜୁଳି ବ୍ୟବହାର ଓ ସେ ବାବଦ ଖର୍ଚ୍ଚ କିପରି କମିଛି ତାହାର ଉଦାହରଣ ଦେଇଛନ୍ତି । ଏହାଦ୍ୱାରା ତାପଜ ବିଦ୍ୟୁତ କେନ୍ଦ୍ରରେ କୋଇଲା ଜାଳେଣି ବ୍ୟବହାର କମିଥିବାରୁ ପ୍ରାୟ 40 ନିୟୁତ ଟନ ଓଜନର ଅଙ୍ଗାରକାମ୍ଲ ପରିବେଶରେ ମିଶିପାରିନାହିଁ । ଏଲ୍‌ଇଡି ବଲ୍‌ବ ବ୍ୟବହାର ଦ୍ୱାରା ବିଜୁଳି ଚାହିଦା 600 କୋଟି ୟୁନିଟ କମିଛି ଏବଂ ଏହା ଫଳରେ ସରକାର 24 ହଜାର କୋଟି ଟଙ୍କା ବଞ୍ଚାଇ ପାରିଛନ୍ତି । ସେ କହିଛନ୍ତି ଯେ ଆମ ପରିବେଶବାୟୁ ଓ ଜଳ ଆଦିକୁ ନିର୍ମଳ ରଖିବା ପାଇଁ ସରକାର ସବୁମନ୍ତେ ଉଦ୍ୟମ କରୁଛନ୍ତି । ଏସବୁ ବିଚାର ଓ ନୀତି ସୌରଶକ୍ତି ଉତ୍ପାଦନରେ ପ୍ରତିଫଳିତ ହେଉଛି ।

ଶ୍ରୀ ମୋଦୀ କହିଛନ୍ତି ଯେ ସୌରଶକ୍ତି ଉତ୍ପାଦନ କ୍ଷେତ୍ରରେ ଭାରତର ଉଲ୍ଲେଖନୀୟ ସଫଳତା ସମଗ୍ର ବିଶ୍ୱକୁ  ବଡ଼ ଉତ୍ସାହ ଓ ପ୍ରେରଣା ଦେବ । ଭାରତ ସୌରଶକ୍ତି ପାଇଁ ଏବେ ସ୍ୱଚ୍ଛ ଉର୍ଜ୍ଜାର ଏକ ବଡ ବଜାରଭାବେ ପରିଗଣିତ ହେଉଛି । ଆନ୍ତର୍ଜାତିକ ସୌର ସହଯୋଗ (ଆଇଏସ୍‌ଏ) ସଂପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ସହଯୋଗ ସୌରଶକ୍ତି ଉତ୍ପାଦନ କ୍ଷେତ୍ରରେ ସମଗ୍ର ବିଶ୍ୱକୁ ଏକଜୁଟ କରିବାକୁ ଉଦ୍ଦିଷ୍ଟ ଥିଲା ଏବଂ ଏଥିପାଇଁ ଗୋଟିଏ ବିଚାର ଥିଲା ଗୋଟିଏ ବିଶ୍ୱ, ଗୋଟିଏ ସୂର୍ଯ୍ୟ, ଓ ଗୋଟିଏ ଗ୍ରିଡ । ସେ କହିଛନ୍ତି ଯେ ସରକାରଙ୍କ କୁସୁମ କାର୍ଯ୍ୟକ୍ରମର ଲାଭ ମଧ୍ୟପ୍ରଦେଶ ଚାଷୀଙ୍କୁ ମିଳିବ । ସେମାନେ ନିଜ ନିଜର ଜମିରେ ଛୋଟ ଛୋଟ ସୌରଶକ୍ତି କେନ୍ଦ୍ରମାନ ବସାଇ ଅତିରିକ୍ତ ରୋଜଗାର ସୁବିଧା ପାଇବେ । ସେ ଆଶା ପ୍ରକାଶ କରିଛନ୍ତି ଯେ ଖୁବ୍‌ ଶୀଘ୍ର ଭାରତ ଏକ ବୃହତ୍‌ ସୌରଶକ୍ତି ଉତ୍ପାଦନକାରୀ ରାଷ୍ଟ୍ରରେ ପରିଣତ ହେବ । ଭାରତ ମଧ୍ୟ ଏ କ୍ଷେତ୍ରରେ ବ୍ୟବହୃତ ହେଉଥିବା ବିଭିନ୍ନ ପ୍ରକାର ଉପକରଣ ଯଥା ଫଟୋଭୋଲ୍‌ଟାଇକ ସେଲ୍‌, ବ୍ୟାଟେରୀ ଏବଂ ଷ୍ଟୋରେଜ ବ୍ୟବସ୍ଥାରେ ଆତ୍ମନିର୍ଭରଶୀଳ ହୋଇ ଏସବୁର ଆମଦାନୀ ଯଥେଷ୍ଟ କମାଇଛି । ସୌରଶକ୍ତି କ୍ଷେତ୍ରରେ ଭାରତର କାର୍ଯ୍ୟ ଦ୍ରୁତଗତିରେ ଚାଲିଛି । ଏଥିରେ ଉଦ୍ୟୋଗ, ଯୁବବର୍ଗ, ଏମ୍‌ଏସ୍‌ଏମ୍‌ଇ ତଥା ଷ୍ଟାର୍ଟଅପ୍‌ ସମୂହଙ୍କୁ ସରକାର ପ୍ରୋତ୍ସାହିତ କରୁଛନ୍ତି । ସୌରଶକ୍ତି ଶକ୍ତି ଉତ୍ପାଦନ ପାଇଁ ଦରକାର ହେଉଥିବା ଉପକରଣ ନିର୍ମାଣ କ୍ଷେତ୍ରରେ ସେମାନେ ଆଗେଇ ଆସି ସୁଯୋଗର ସଦୁପଯୋଗ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

ସାଂପ୍ରତିକ କରୋନା ମହାମାରୀ ସଙ୍କଟ ସଂପର୍କରେ ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏଭଳି ପରିସ୍ଥିତିର ମୁକାବିଲା କରିବା ପାଇଁ ସରକାର ଓ ସମାଜ ଉଭୟ ଅନୁକମ୍ପା ଓ ସତର୍କତାର ସହ କାମ କରିବା ଆବଶ୍ୟକ । ଲକ୍‌ଡାଉନ ଆରମ୍ଭରୁ ସରକାର ଗରିବ ଓ ଅଭାବୀ ଲୋକଙ୍କ ଖାଦ୍ୟ ତଥା ଇନ୍ଧନ ଆବଶ୍ୟକତାକୁ ନିଶ୍ଚିତ କରିଛନ୍ତି । ସେହି ବିଚାରରେ ଅନ୍‌ଲକ୍‌ଡାଉନ କାଳରେ ମଧ୍ୟ ଖାଦ୍ୟଶସ୍ୟ ଓ ରନ୍ଧନ ଗ୍ୟାସ୍‌ ନଭେମ୍ବର ପର୍ଯ୍ୟନ୍ତ ଯୋଗାଇ ଦେବାକୁ ପଦକ୍ଷେପ ନିଆଯାଇଛି । କେବଳ ଏତିକି ନୁହେଁ, କୋଟି କୋଟି ଘରୋଇ ଉଦ୍ୟୋଗ କର୍ମଚାରୀଙ୍କ ଇପିଏଫ୍‌ ଆକାଉଣ୍ଟକୁ ସରକାର ପୂର୍ଣ୍ଣଦେୟ ଦେଉଛନ୍ତି । ସେହିଭଳି ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାରେ ଅନେକ ବଞ୍ଚିତ ଲୋକଙ୍କୁ ସରକାର ସୁବିଧା ସୁଯୋଗ ଯୋଗାଉଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ସାମୂହିକ ବିକାଶ ପାଇଁ ମଧ୍ୟପ୍ରଦେଶବାସୀ ବହୁସଂଖ୍ୟାରେ ଘରୁ ବାହାରି କାମ କରିବା ଭଲ କଥା । ତେବେ ସେମାନଙ୍କୁ ତିନୋଟି ନିୟମ ମାନିବାକୁ ପଡିବ । ସେଗୁଡିକ ହେଲା ପରସ୍ପର ମଧ୍ୟରେ ଦୁଇ ଗଜର ଦୂରତ୍ୱ ରକ୍ଷା, ମୁହଁରେ ମାସ୍କ ଲଗାଇବା ଏବଂ ସାବୁନରେ ଅତିକମ୍‌ରେ 20 ସେକେଣ୍ଡ ପାଇଁ ହାତ ଧୋଇବା ।

 

***********

 



(Release ID: 1637840) Visitor Counter : 173