PIB Headquarters

କୃଷି ଭିତ୍ତିଭୂମି ପାଣ୍ଠି ଅଧୀନରେ ଅର୍ଥ ଯୋଗାଣ ଯୋଜନା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

Posted On: 08 JUL 2020 4:32PM by PIB Bhubaneshwar

କୃଷି ଭିତ୍ତିଭୂମି ପାଣ୍ଠି ଅଧୀନରେ ଏକ ସର୍ବଭାରତୀୟ କେନ୍ଦ୍ରୀୟ ଅର୍ଥ ଯୋଗାଣ ଯୋଜନା ସଂକ୍ରାନ୍ତ ପ୍ରସ୍ତାବ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନୁମୋଦନ ଲାଭ କରିଛି । ଏହି ଯୋଜନାରେ କୃଷି କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସମର୍ଥ କାର୍ଯ୍ୟକ୍ରମ ପାଇଁ କୃଷି ଭିତ୍ତିଭୂମି ପାଣ୍ଠିରୁ କୃଷକ ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କୁ ଅର୍ଥ ଯୋଗାଇ ଦିଆଯିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି । କୃଷି କ୍ଷେତ୍ରରେ ଯେଉଁସବୁ ସଂଗଠନ ଓ ଅନୁଷ୍ଠାନ ରହିଛି ସେମାନଙ୍କୁ ଅର୍ଥ ଯୋଗାଣ ବ୍ୟବସ୍ଥା ସୁଗମ କରାଯିବ । ବିଶେଷକରି ଅମଳ ପରବର୍ତ୍ତୀ ପରିଚାଳନା ପାଇଁ ଉଦ୍ଦିଷ୍ଟ ଭିତ୍ତିଭୂମି ଏବଂ ଗୋଷ୍ଠୀଗତଭାବରେ ହେଉଥିବା ଚାଷ କ୍ଷେତ୍ରରେ ଯେଉଁସବୁ ସଫଳ ବ୍ୟବସ୍ଥା ରହିଛି ସେଗୁଡିକୁ ଏହି ଯୋଜନାରେ ମଧ୍ୟମ ଓ ଦୀର୍ଘମିଆଦୀ ଋଣ ଯୋଗାଇ ଦିଆଯିବ । ଆବଶ୍ୟକସ୍ଥଳେ ଏଥିପାଇଁ ଆର୍ଥିକ ସହାୟତା ତଥା ଋଣ ରିହାତି ମଧ୍ୟ ପ୍ରଦାନ କରାଯିବ ।

ଏହି ଯୋଜନାରେ ବିଭିନ୍ନ ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନ, ପ୍ରାଥମିକ କୃଷିଋଣ ସୋସାଇଟି ବା ପାକ୍ସ, ମାର୍କେଟିଂ କୋଅପରେଟିଭ ସୋସାଇଟି, କୃଷକ ଉତ୍ପାଦକ ସଂଗଠନ, ସ୍ୱୟଂ ସହାୟକ ଗୋଷ୍ଠୀ, ଚାଷୀ, ଯୁଗ୍ମ ଲାୟାବଲିଟି ଗ୍ରୁପ, ବହୁମୁଖୀ ସମବାୟ ସମିତି, କୃଷି ଉଦ୍ୟୋଗୀ, ଷ୍ଟାର୍ଟଅପ୍‌, ଭିତ୍ତିଭୂମି ଯୋଗାଣକାରୀ ତଥା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାର ପରିଚାଳିତ ସଂସ୍ଥାଙ୍କୁ 1 ଲକ୍ଷ କୋଟି ଟଙ୍କା ଋଣ ଆକାରରେ ଯୋଗାଇ ଦିଆଯିବ ।

ଏହି ଋଣ 4 ବର୍ଷ ମଧ୍ୟରେ ପର୍ଯ୍ୟାୟକ୍ରମେ ପ୍ରଦାନ କରାଯିବ । ସେଥିମଧ୍ୟରୁ ଚଳିତବର୍ଷ 10 ହଜାର କୋଟି ଏବଂ ପରବର୍ତ୍ତୀ 3 ବର୍ଷ 30 ହଜାର କୋଟି ଟଙ୍କା ଲେଖାଏଁ ହିସାବରେ ଯୋଗାଇ ଦିଆଯିବ । ଏହି ଋଣ ଉପରେ ବାର୍ଷିକ 3 ଶତାଂଶ ସୁଧ ରିହାତି ମିଳିବ ଏବଂ ଏଥିପାଇଁ ସର୍ବୋଚ୍ଚ ଋଣ ପରିମାଣ 2 କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି ।  ଏହି ସୁଧ ରିହାତି ସର୍ବାଧିକ 7 ବର୍ଷ ପର୍ଯ୍ୟନ୍ତ ପ୍ରଦାନ କରାଯିବ । ଆହୁରି ମଧ୍ୟ ଏହି ଆର୍ଥିକ ବ୍ୟବସ୍ଥାରୁ ଯେଉଁମାନେ ଋଣ ନେବେ ସେମାନଙ୍କୁ କ୍ରେଡିଟ ଗ୍ୟାରେଣ୍ଟି ସୁବିଧା ମିଳିବ ।  ଏଥିପାଇଁ ସରକାର ସମସ୍ତ ଫିବାବଦ ବ୍ୟୟ  ବହନ କରିବେ । କୃଷି ଉତ୍ପାଦକ ସଂଗଠନଗୁଡିକ ପାଇଁ କୃଷି ସମବାୟ ବିଭାଗ  ଓ କୃଷକ କଲ୍ୟାଣ ବିଭାଗ ଗ୍ୟାରେଣ୍ଟର ରହିବ ।

ଏ ବାବଦରେ ଭାରତ ସରକାର ମୋଟ 10,736 କୋଟି ଟଙ୍କା ବଜେଟ ସହାୟତା ଆକରରେ ଯୋଗାଇଦେବେ । ଋଣ ପରିଶୋଧ କ୍ଷେତ୍ରରେ ସର୍ବନିମ୍ନ ଓ ସର୍ବାଧିକ 2 ବର୍ଷର ସ୍ଥଗନାଦେଶ ସୁଯୋଗ ସୁବିଧା ମିଳିବ । କୃଷି ଓ କୃଷିଭିତ୍ତିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ଏହି ପ୍ରକଳ୍ପର ଲକ୍ଷ୍ୟ । ଏହାଦ୍ୱାରା ଗ୍ରାମାଞ୍ଚଳରେ କୃଷି ଉଦ୍ୟୋଗମାନ ଗଢି ଉଠିବା ସହ ବିଭିନ୍ନ ପ୍ରକାର ନିଯୁକ୍ତି ସୃଷ୍ଟି ହେବ । ଏହା ମଧ୍ୟ ଏହି ଉଦ୍ୟୋଗକୁ ଆନୁଷ୍ଠାନିକ ଋଣ ଯୋଗାଣ ବ୍ୟବସ୍ଥାକୁ ସହଜ କରିବ ।

ଆଗ୍ରି ଇନ୍‌ଫ୍ରା ଫଣ୍ଡର ପରିଚାଳନା ଏବଂ ତଦାରଖ ଏକ ଅନ୍‌ଲାଇନ ମ୍ୟାନେଜମେଣ୍ଟ ଇନ୍‌ଫରମେସନ ସିଷ୍ଟମ (ଏମ୍‌ଆଇଏସ୍‌) ପ୍ଲାଟଫର୍ମ ଦ୍ୱାରା କରାଯିବ । ଏହି ଏମ୍‌ଆଇଏସ୍‌ ଯୋଗ୍ୟ ଅନୁଷ୍ଠାନ, ବ୍ୟକ୍ତିବିଶେଷ ଓ ସଂସ୍ଥାଙ୍କୁ ଋଣ ଯୋଗାଣର ସୁବ୍ୟବସ୍ଥା କରିବ । ଏହା ଅନ୍‌ଲାଇବ ବ୍ୟବସ୍ଥାରେ କାର୍ଯ୍ୟକାରୀ ହେବାକୁ ଥିବାରୁ ବିଭିନ୍ନ ବ୍ୟାଙ୍କ ଓ ବିତ୍ତୀୟ ସଂସ୍ଥାଙ୍କ  ସୁଧହାର, ଋଣଯୋଗାଣ ବ୍ୟବସ୍ଥା, ଯୋଜନାର ସବିଶେଷ ବିବରଣୀ, ସୁଧ ରିଆତି ଆଦି ସଂପର୍କରେ ଆବେଦନକାରୀ ନିର୍ଭୁଲ ତଥ୍ୟ ପାଇପାରିବେ । ଆହୁରି ମଧ୍ୟ ଯଥାସମ୍ଭବ ସ୍ୱଳ୍ପ କାଗଜପତ୍ର ମାଧ୍ୟମରେ ଋଣ ପାଇଁ ଆବେଦନ କରିହେବ ଏବଂ ଋଣ ମଞ୍ଜୁରି କାର୍ଯ୍ୟ ଖୁବ୍‌ କମ୍‌ ସମୟରେ ହୋଇପାରିବ । ସର୍ବୋପରି ଏହା ଏକ ଅନ୍‌ଲାଇନ ବ୍ୟବସ୍ଥା ହୋଇଥିବାରୁ ହିତାଧିକାରୀମାନେ ଅନ୍ୟାନ୍ୟ ଯୋଜନାର ସୁବିଧା ସୁଯୋଗ ସହ ସଂଯୁକ୍ତ ହୋଇପାରିବେ ।

ଯୋଜନାର ସଫଳ ରୂପାୟନ ପାଇଁ ଜାତୀୟ, ପ୍ରାଦେଶିକ ଓ ଜିଲ୍ଲା ସ୍ତରରେ ମନିଟରିଂ କମିଟି ମାନ ଗଠନ କରାଯିବ । ବିଭିନ୍ନ ସ୍ତରରୁ ସଂଗୃହୀତ ତଥ୍ୟାବଳୀ ଆଧାରରେ ରୂପାୟନ ପ୍ରକ୍ରିୟା ତ୍ୱରାନ୍ୱିତ ହେବ । 2020 ଆର୍ଥିକ ବର୍ଷରୁ 10 ବର୍ଷ ପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ ହେବ । 

 

**********



(Release ID: 1637375) Visitor Counter : 206