ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ

ନାନୋଭିତ୍ତିକ କୃଷି ଇନ୍‌ପୁଟ ଏବଂ ଖାଦ୍ୟପଦାର୍ଥ ମୂଲ୍ୟାୟନ ନିର୍ଦ୍ଦେଶାବଳୀ ମନ୍ତ୍ରୀ ହର୍ଷବର୍ଦ୍ଧନ ଓ ତୋମରଙ୍କ ଦ୍ୱାରା ଉନ୍ମୋଚିତ

• ଭବିଷ୍ୟତର ଅଭିନବ ନାନୋଭିତ୍ତିକ ଉତ୍ପାଦ, କୃଷି ଭିତ୍ତିକ ଇନ୍‌ପୁଟ ଏବଂ ଭାରତୀୟ ଖାଦ୍ୟ ଉଦ୍ୟୋଗର ଆବଶ୍ୟକତା ପାଇଁ ଏହି ନିର୍ଦ୍ଦେଶାବଳୀ ଉଦ୍ଦିଷ୍ଟ ଏବଂ ଏହାର ପ୍ରୟୋଗ ପାଇଁ ଏହି ନିର୍ଦ୍ଦେଶାବଳୀ ନୀତିନିର୍ଦ୍ଧାରକ ଓ ନିୟନ୍ତ୍ରକଙ୍କ ନିମନ୍ତେ ସହାୟକ ହେବ: ଡଃ ହର୍ଷବର୍ଦ୍ଧନ
• ଏହା ଏକ ଚମତ୍କାର ପ୍ରୟାସ ଏବଂ ଏହାଦ୍ୱାରା ସବୁ ମନ୍ତ୍ରଣାଳୟ ଓ ବିଭାଗ ନାନୋ ଟେକ୍‌ନୋଲଜି ଏବଂ ନାନୋଭିତ୍ତିକ ଉତ୍ପାଦନ ଓ କାରବାରରେ ସମଭାଗୀ ହେବେ : ଶ୍ରୀ ନରେନ୍ଦ୍ର ସିଂହ ତୋମର
• ବାୟୋ ଟେକ୍‌ନୋଲଜି, ବିଜ୍ଞାନ ଓ ପ୍ରଯୁକ୍ତି, କୃଷି ଓ କୃଷକ କଲ୍ୟାଣ ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ମିଳିତ ଉଦ୍ୟମରେ ଏହି ନିର୍ଦ୍ଦେଶାବଳୀ ପ୍ରସ୍ତୁତ

Posted On: 07 JUL 2020 6:18PM by PIB Bhubaneshwar

କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ତଥା ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ଏବଂ ଭୂବିଜ୍ଞାନ ମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ ତଥା କୃଷି ଓ କୃଷକ କଲ୍ୟାଣ, ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ  ଶ୍ରୀ ନରେନ୍ଦ୍ର ସିଂହ ତୋମର ଭିଡିଓ ଲିଙ୍କ୍‌ ବ୍ୟବସ୍ଥାରେ ନାନୋଭିତ୍ତିକ କୃଷି ଇନ୍‌ପୁଟ୍‌ ତଥା ଭାରତୀୟ ଖାଦ୍ୟ ସାମଗ୍ରୀର ମୂଲ୍ୟାୟନ ସଂକ୍ରାନ୍ତ ନିର୍ଦ୍ଦେଶାବଳୀକୁ ଆଜି ଏଠାରେ ମିଳିତଭାବେ ଉନ୍ମୋଚନ କରିଛନ୍ତି । ଏହି ନିର୍ଦ୍ଦେଶାବଳୀକୁ ବାୟୋ ଟେକ୍‌ନୋଲଜି ବିଭାଗ, ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ, କୃଷି ଓ କୃଷକ କଲ୍ୟାଣ ତଥା ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମିଳିତଭାବେ ପ୍ରସ୍ତୁତ କରିଛନ୍ତି । ବାୟୋ ଟେକ୍‌ନୋଲଜି ବିଭାଗର ସମନ୍ୱୟରେ ଏହା ପ୍ରସ୍ତୁତ କରାଯାଇଛି । ଏହି ଅବସରରେ କେନ୍ଦ୍ର ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ ପୁରୁଷୋତ୍ତମ ଖୋଡାଭାଇ ରୂପାଲା, କୃଷି ଓ କୃଷକ କଲ୍ୟାଣ ସଚିବ ଡଃ ରେଣୁ ସ୍ୱରୂପ, ବାୟୋ ଟେକ୍‌ନୋଲଜି ସଚିବ ଶ୍ରୀ ସଂଜୟ ଅଗ୍ରୱାଲ, କୃଷି ସଚିବ ଶ୍ରୀ ଅରୁଣ ସିଂଘାଲ, ଏଫ୍‌ଏସ୍‌ଏସ୍‌ଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ, ବରିଷ୍ଠ ଅଧିକାରୀଗଣ, ସରକାର ତଥା ବିଭିନ୍ନ ଗବେଷଣା ପ୍ରତିଷ୍ଠାନ ଓ ବିଶ୍ୱବିଦ୍ୟାଳୟର ପ୍ରତିନିଧିମାନେ ଏଥିରେ ଉପସ୍ଥିତ ଥିଲେ ।

ଏହି ଅବସରରେ ଡଃ ହର୍ଷବର୍ଦ୍ଧନ କହିଛନ୍ତି ଯେ ନାନୋ ବାୟୋ ଟେକ୍‌ନୋଲଜି ଏକ ବ୍ୟବସ୍ଥା ଯାହାଦ୍ୱାରା କୃଷି କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ଆସିପାରିବ । ଏହାଦ୍ୱାରା ଫସଲର ଉତ୍ପାଦକତା ବଢିବା ସହ ଏହାର ସୁରକ୍ଷା ସହଜ ହେବ । ଫଳରେ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାର ଖାଦ୍ୟ ଆବଶ୍ୟକତା ପୂରଣ କରିବାରେ ଏହା ସହାୟକ ହୋଇପାରିବ । ସେ କହିଛନ୍ତି ଯେ ଏହି ବ୍ୟବସ୍ଥାରେ ଫସଲରେ ଅଧିକ ପରିମାଣର ରାସାୟନିକ ଦ୍ରବ୍ୟ ପ୍ରୟୋଗ କରିବାର ଆବଶ୍ୟକତା ପଡିବ ନାହିଁ । କ୍ଷୁଦ୍ରାତି କ୍ଷୁଦ୍ର (ନାନୋ) ଉର୍ବରକ ଫସଲରେ ପ୍ରୟୋଗ କରାଗଲେ ଏହାଦ୍ୱାରା ଜମି ଏବଂ ଭୂତଳ ଜଳ ସୁରକ୍ଷିତ ହେବ ଏବଂ ପରିବେଶଗତ ପ୍ରଦୂଷଣକୁ ରୋକାଯାଇପାରିବ । ବର୍ତ୍ତମାନ ବ୍ୟବସ୍ଥାରେ ଯେଉଁ ସାର ଓ କୀଟନାଶକ ପ୍ରୟୋଗ କରାଯାଉଛି ତାହା ଉଭୟ ଜମି, ଜଳ ଓ ପରିବେଶ ପାଇଁ କ୍ଷତିକାରକ ସାବ୍ୟସ୍ତ ହେଉଛି । ଏହି ନୂଆ ପଦ୍ଧତି ପାଇଁ ମନ୍ତ୍ରୀ ଶ୍ରୀ ହର୍ଷବର୍ଦ୍ଧନ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ, ସଂସ୍ଥା ଏହି ନୂଆ ବ୍ୟବସ୍ଥା ଓ କାର୍ଯ୍ୟକ୍ରମରେ ସହଯୋଗ କରୁଛନ୍ତି ଏବଂ ଏ କ୍ଷେତ୍ରରେ ନାନୋ ଟେକ୍‌ନୋଲଜି ପ୍ରୟୋଗ କରି ବିକଳ୍ପ ବ୍ୟବସ୍ଥା ବାହାର କରିଛନ୍ତି । ଆଜି ସରକାରଙ୍କ ପକ୍ଷରୁ ଏ ସଂପର୍କରେ ଯେଉଁ ନିର୍ଦ୍ଦେଶାବଳୀ ପ୍ରକାଶ ପାଇଛି ତଦ୍ଦ୍ୱାରା ନୀତି ନିର୍ଦ୍ଧାରକ ଓ ନିୟନ୍ତ୍ରକମାନେ ଭବିଷ୍ୟତରେ କୃଷି ଓ ଖାଦ୍ୟ ପଦାର୍ଥ କ୍ଷେତ୍ରରେ ନୂତନ ନାନୋ ଟେକ୍‌ନୋଲଜି ବ୍ୟବହାର କରିବା ପାଇଁ ସୁଯୋଗ ପାଇବେ । ଏହା ମଧ୍ୟ ଭାରତୀୟ ଉଦ୍ୟୋଗ ଓ ଉଦ୍ଭାବକଙ୍କୁ ପ୍ରୋତ୍ସାହିତ କରିବ । ସେମାନେ ନୂଆ ନାନୋଭିତ୍ତିକ ଉତ୍ପାଦର ପ୍ରସ୍ତୁତି ଏବଂ ଉତ୍ପାଦନ ପାଇଁ ବ୍ୟାବସାୟିକ ସୁଯୋଗ ପାଇବେ ।

ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମର ଏହି ନିର୍ଦ୍ଦେଶାବଳୀର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ  ଏସବୁ ଉତ୍ପାଦର ମାନ, ଗୁଣ ଏବଂ ନିରାପତ୍ତାଗତ ଦିଗର ଆକଳନ ପାଇଁ ଏହା ସହାୟକ ହେବ । ତଦନୁସାରେ ଏହାର ବ୍ୟାବସାୟିକ ଉତ୍ପାଦନ ସହଜ ହୋଇପାରିବ । ଏହାଛଡା ଏସବୁ ନାନୋଭିତ୍ତିକ ପଦାର୍ଥର ଉତ୍ପାଦନ, ବ୍ୟବହାର ଆଦି ସଂପର୍କରେ ନିୟନ୍ତ୍ରଣ ବ୍ୟବସ୍ଥା କରିବାକୁ ପଥ ସୁଗମ ହୋଇପାରିବ । 2022 ସୁଦ୍ଧା କୃଷକମାନଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି ଏହି ଟେକ୍‌ନୋଲଜି ଓ ନିୟାମକ ତାହା ପୂରଣ କରିବାରେ ସହାୟକ ହେବ । ଏହା ମଧ୍ୟ ନିରନ୍ତର କୃଷି ସଂକ୍ରାନ୍ତ ଜାତୀୟ ଅଭିଯାନକୁ ସଫଳ କରିବ ।

ବର୍ତ୍ତମାନର ନିର୍ଦ୍ଦେଶାବଳୀ ନାନୋ କୃଷି ଇନ୍‌ପୁଟ ଉତ୍ପାଦ ଏବଂ ନାନୋ କୃଷି ଉତ୍ପାଦ ପାଇଁ ଉଦ୍ଦିଷ୍ଟ । ଏହା ମଧ୍ୟ ନାନୋ କମ୍ପୋଜିଟ ଏବଂ ସେନ୍ସର ପାଇଁ ଲାଗୁ ହେବ । ଏହାଛଡ଼ା ଏହି ନୂଆ ଟେକ୍‌ନୋଲଜି ଯାହା ଫସଲ, ଖାଦ୍ୟ ଏବଂ ଡେଟା ସଂଗ୍ରହ ପାଇଁ ଅଭିପ୍ରେତ ସେସବୁ ବ୍ୟବସ୍ଥା ପ୍ରତି ପ୍ରଯୁଜ୍ୟ ।

 

**********



(Release ID: 1637103) Visitor Counter : 207